ମୂଳ ମୈଥିଳୀ ଓ ହିନ୍ଦୀ ରୂପାନ୍ତର- ପ୍ରଦୀପ ବିହାରୀ

Mr Pradeep Bihari
କଲିଂ ବେଲ୍ ବାଜିଉଠିଲା । ଆଶ୍ଚର୍ଯ୍ୟ ହେଲା ସନ୍ତୋଷ । କିଏ ହେଇଥିବ? ମାତ୍ର କିଛିଦିନ ପୂର୍ବରୁ ସେ ଏ ଫ୍ଲାଟ୍ରେ ଭଡା ରହୁଛି । ତେଣୁ ଗାର୍ଡ ଛଡା ତାକୁ ଏ ଆପାର୍ଟମେଣ୍ଟ୍ରେ ଆଉ କେହି ଚିହ୍ନିନାହାନ୍ତି । ପାଖାପାଖି ପନ୍ଦରଦିନଯାଏଁ ପତ୍ନୀ ଏଇଠି ରହି ରୁମ୍କୁ ସଜାଡିବାରେ ବ୍ୟସ୍ତ ରହୁଥିଲେ । କାହା ସହ ଚିହ୍ନାଜଣା ଥିବା କଥା କହିନଥିଲେ! ତେବେ କିଏ ହୋଇଥିବେ ସକାଳୁ ସକାଳୁ ?
କଲିଂବେଲ୍ ବାଜିଉଠିଲା ପୁଣି । ସନ୍ତୋଷ କବାଟ ଖୋଲିଲା । ଜଣେ ମହିଳା ଛିଡା ହୋଇଥିଲେ ।
ଆଜ୍ଞା..!
ନମସ୍କାର । ମୁଁ ପାଞ୍ଚଶ’ ଦୁଇରେ ରହୁଛି । ଆଜି ଦିନପ୍ରାୟ ଏଗାରଟାରେ ଆମଘରେ ପ୍ରଭୁ ଶ୍ରୀ ସତ୍ୟନାରାୟଣଙ୍କ ପୂଜା ଅନୁଷ୍ଠିତ ହେବ । ଦୟାକରି ଆସିବାକୁ ଅନୁରୋଧ । ମହିଳା ଜଣକ କହିଲେ ।
କିନ୍ତୁ ସେତେବେଳେ ମୁଁ ଅଫିସ୍ରେ ଥିବି ।
କିଛି କଥା ନାହିଁ, ଅଫିସ୍ରୁ ଫେରିବା ପରେ ଆସନ୍ତୁ । ମ୍ୟାଡାମ୍ ନାହାନ୍ତି କି?
ନା । ମାସକ ପରେ ଫେରିବେ ।
ଆମେ ଆପଣଙ୍କୁ ଅପେକ୍ଷା କରିଥିବୁ କହି ମହିଳା ଜଣକ ଲିଫ୍ଟ ଆଡକୁ ଚାଲିଲେ ।
ସନ୍ତୋଷ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲା । ସେ ତାକୁ ନିମନ୍ତ୍ରଣ କରିବାକୁ କାଇଁ ଆସିଥିଲେ ? ପତ୍ନୀଙ୍କ ସହ ପରିଚୟ ହୋଇଥିବ ବୋଧେ! ଏମିତି ବି ହୋଇଥିବ ଏ ବାହାନାରେ ଆପାର୍ଟମେଣ୍ଟ୍ରେ ନିଜର ଏକ ସମାଜ ବନେଇବାକୁ ଚାହୁଁଥିବେ ସେ !
ଅପରାହ୍ନରେ ସେ ପାଞ୍ଚଶ’ ଦୁଇକୁ ଗଲା । ଗହଳି ଲାଗିରହିଥିଲା ସେଠି । ଦରଜାରେ ଜଣେ ଭଦ୍ରବ୍ୟକ୍ତି ତାକୁ ସ୍ୱାଗତ କଲେ- ଆପଣ ଚାରିଶ’ ଦୁଇରୁ ନା?
ଆଜ୍ଞା । ମ୍ୟାଡାମ୍ ଡାକିଥିଲେ ।
ଭଦ୍ରବ୍ୟକ୍ତି ଜଣକ କହିଲେ- ଭିତରକୁ ଆସନ୍ତୁ । ମୁଁ ମଧୁର ସ୍ୱାମୀ । ସେ ଭିତରେ ଅତିଥିମାନଙ୍କ ସହ ବ୍ୟସ୍ତ ଅଛି । ଏଇ ସାଙ୍ଗେ ସାଙ୍ଗେ ଡାକିଦେଉଛି ।
ଏତେ ଆତ୍ମୀୟତା ସତ୍ୱେ ବି ସନ୍ତୋଷ ନିଜକୁ ଜଣେ ଅପରିଚିତ ଭଳି ଅନୁଭବ କରୁଥିଲା ।
ଭଦ୍ରବ୍ୟକ୍ତିଜଣକ କହିଲେ- ଆମେ ଏ ଫ୍ଲାଟ୍ କିଣିଛୁ । ଏବେ ଏଇଠି ରହିବୁ । ଏ ଆୟୋଜନ ମାଧ୍ୟମରେ ସଂପର୍କ ବଢିବ । ପୁଣି ଆପଣ ମଧୁର ଫେସବୁକ୍ ବନ୍ଧୁ । ତା’ ପୋଷ୍ଟିଂରେ ଖୁବ୍ ଲାଇକ୍-କମେଂଟ୍ କରନ୍ତି । ଦିନେ ମଧୁ ଆପଣ ଦୁହିଁଙ୍କୁ ଦେଖି ଚିହ୍ନିନେଇଥିଲା । ତା’ ପରେ ଆପଣଙ୍କ ମ୍ୟାଡାମ୍ଙ୍କ ସହ କଥା ହୋଇଥିଲା ।
ଏ ବାବଦରେ ପତ୍ନୀ ସନ୍ତୋଷକୁ କିଛି ବି ଜଣାଇନଥିଲେ । ଦ୍ୱିତୀୟ କଥାଟି ହେଲା- ନିମନ୍ତ୍ରଣ କଲାବେଳେ ମଧୁର କହିଦେବା ଉଚିତ୍ ଥିଲା କି ସେ ଦୁହେଁ ଫେସବୁକ୍ ବନ୍ଧୁ ବୋଲି ।
ଗୋଟେ ଚେୟାର୍ ଆଡକୁ ବସିବାର ଇଙ୍ଗିତ ଦେଇ ଭଦ୍ରବ୍ୟକ୍ତି ଜଣକ କହିଲେ- ଦୟାକରି ବସନ୍ତୁ । ଆପଣ ଆସିଛନ୍ତି ବୋଲି ଖବରଟା ମଧୁକୁ ଦେଇଦେଉଛି । ଚେୟାର୍ରେ ବସୁବସୁ ସନ୍ତୋଷ ମୋବାଇଲ୍ ବାହାର କଲା ଓ ଫେସବୁକ୍ ପ୍ରୋଫାଇଲ୍ରୁ ନିଜର ଲାଇକ୍-କମେଣ୍ଟ୍ସବୁକୁ ଖୋଜିବାରେ ଲାଗିଲା ।
