ସମ୍ପାଦକୀୟ

ଶୈକ୍ଷିକ ବାତାବରଣ

Dr Mousumi Parida's odia editorial article Shaikshika Baatabarana

ଅସାଧୁ ଉପାୟ ଓ ବିଶୃଙ୍ଖଳିତ ଆଚରଣ ଦ୍ୱାରା ଶିକ୍ଷକ ଜାତି ବର୍ତ୍ତମାନ ଲାଞ୍ଚିତ, ଭୟଭୀତ ଓ ସଂତ୍ରସ୍ତ । ଗୁରୁଦିବସ କେବଳ ନାମରେ ସୀମିତ ରହିଯାଇଛି । ଯାହା କେବଳ କିଛି ମିନିଟର ପାଳନ ପାଇଁ ଉଦ୍ଦିଷ୍ଟ ।

ଶିକ୍ଷାୟତନଗୁଡ଼ିକରେ ଶିକ୍ଷକ ଏବଂ ଅଧ୍ୟାପକମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର, ବିଭିନ୍ନ ଷଡ଼ଯନ୍ତ୍ର କେବଳ ଶିକ୍ଷାର ମାନଦଣ୍ଡକୁ ହ୍ରାସ କରେନାହିଁ, ବରଂ ସମଗ୍ର ଶୈକ୍ଷିକ ବାତାବରଣକୁ କଳଙ୍କିତ କରେ। ପୂର୍ବର ଗୁରୁଶିଷ୍ୟ ପରମ୍ପରାକୁ ଲାଞ୍ଚିତ କରେ। ଶିକ୍ଷାର ବ୍ୟବସାୟୀକରଣ ବ୍ୟବସ୍ଥାର ମାନଦଣ୍ଡକୁ ଧ୍ୱଂସ କରି ଚାଲିଛି ।

ଛାତ୍ରଛାତ୍ରୀମାନେ ସହଜ ଉପାୟରେ ପାସ୍ କରିବାକୁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି । କେବଳ ପାସ୍ କରିବାର ଆଭିମୁଖ୍ୟ ନେଇ ନା ଶ୍ରେଣୀକକ୍ଷକୁ ଆସୁଛନ୍ତି ନା ପାଠ୍ୟକ୍ରମ ସଂକ୍ରାନ୍ତୀୟ କୌଣସି ଆଲୋଚନାକୁ ଶୁଣିବାର ଆଗ୍ରହ ରଖୁଛନ୍ତି । ବାହାର ଶକ୍ତି ସହାୟତାରେ କ୍ଲାସ୍ ନକରି ପରୀକ୍ଷାରେ ଅସାଧୁ ଉପାୟ ଦ୍ୱାରା ପାସ୍ କରିବା ଆଜିକାଲି ସାଧାରଣ କଥା ହୋଇଗଲାଣି । ସିସିଟିଭି ଥିଲେ ବି ବିଭିନ୍ନ ଗଳାବାଟ ମାଧ୍ୟମରେ ପିଲାଙ୍କୁ ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପ୍ରାୟ ! କିଛି ମୁଷ୍ଟିମେୟ ଶିକ୍ଷକ/ ଅଧ୍ୟାପକମାନେ ମାନସିକ ଚାପଗ୍ରସ୍ତ ହୋଇ ଚାକିରି କରୁଛନ୍ତି । ଅଜାଗା ଘା ପାଲଟି ଯାଇଛି ସେମାନଙ୍କ ସମସ୍ୟା । ସ୍ଥାନୀୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପ୍ରଭାବ ରହୁଥିବାରୁ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇଚାଲିଛି । ଅସାଧୁ ଉପାୟ ଓ ବିଶୃଙ୍ଖଳିତ ଆଚରଣ ଦ୍ୱାରା ଶିକ୍ଷକ ଜାତି ବର୍ତ୍ତମାନ ଲାଞ୍ଚିତ, ଭୟଭୀତ ଓ ସଂତ୍ରସ୍ତ । ଗୁରୁଦିବସ କେବଳ ନାମରେ ସୀମିତ ରହିଯାଇଛି । ଯାହା କେବଳ କିଛି ମିନିଟର ପାଳନ ପାଇଁ ଉଦ୍ଦିଷ୍ଟ । ପିଲାମାନେ ବି ଆଗପରି ସରଳ, ନିଷ୍ପାପ ହୋଇନାହାନ୍ତି । ସହଜରେ ପାସ୍ କରିବା ଚକ୍କରରେ ଶିକ୍ଷାର ଅବମାନନା କରି ଶିକ୍ଷକଙ୍କୁ ଭୟଭୀତ ଓ ଅପମାନିତ କରାଇ ଗୁରୁପୂଜା ମାଧ୍ୟମରେ ଯାହା କରୁଛନ୍ତି ତାହା ହାସ୍ୟାସ୍ପଦ । କିଛି ଶିକ୍ଷକ/ ଗୁରୁ ପିଲାଙ୍କଠାରୁ କେବଳ ସମ୍ମାନ ଓ ସଚ୍ଚୋଟତା ଆଶା କରିଥାନ୍ତି କୌଣସି ଜିନିଷ ପାଇବା ବଦଳରେ । ପିଲାମାନଙ୍କ ଚରିତ୍ରଗଠନ, ସେମାନଙ୍କ ନୈତିକ ତଥା ବୌଦ୍ଧିକ ବିକାଶ ଯେପର୍ଯ୍ୟନ୍ତ ମୂଳ ଲକ୍ଷ୍ୟ ନ ହୋଇଛି ସେପର୍ଯ୍ୟନ୍ତ ଶିକ୍ଷାବ୍ୟବସ୍ଥା ତାର ମୌଳିକତା ହରାଇ ଚାଲିଥିବ । ଶିକ୍ଷକଙ୍କୁ ଭୟଭୀତ କରାଇ ବା ଲାଞ୍ଚ ଦେଇ ପିଲାମାନେ ପାସ କରୁଥିବେ ଓ ସମାଜରେ ବେକାରୀ ଅବସ୍ଥାଜନିତ ବିଶୃଙ୍ଖଳା ବୃଦ୍ଧି ପାଇ ଚାଲିଥିବ । ଏହାର ଅନେକ ଦୃଷ୍ଟାନ୍ତ ରହିଛି ।

ଶିକ୍ଷକ/ଅଧ୍ୟାପକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନର କିଛି ପ୍ରମୁଖ ଉଦାହରଣଗୁଡ଼ିକ ହେଲା – ମାର୍କ ପାଇଁ ଧମକ ଓ ମାନସିକ ନିର୍ଯାତନା; ପରୀକ୍ଷାରେ ଅଧିକ ମାର୍କ ଦେବାକୁ ଶିକ୍ଷକ/ଅଧ୍ୟାପକଙ୍କୁ ଶ୍ରେଣୀଗୃହ କିମ୍ବା ବାହାରେ ଧମକ ଦେବା, ଗାଳିଗୁଲଜ କରି ମାନସିକ ଚାପ ପକାଇବା । ଆଖପାଖର ଅସାମାଜିକ ବ୍ୟକ୍ତିଙ୍କ ସାହାଯ୍ୟରେ ଶିକ୍ଷାନୁଷ୍ଠାନରେ ଭୟ ସୃଷ୍ଟି କରିବା ଓ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କୁ ଅପମାନିତ କରିବାର ଷଡ଼ଯନ୍ତ୍ର ରଚିବା ।

ପରୀକ୍ଷାରେ କପି ଧରିବା, ଶ୍ରେଣୀଗୃହରେ ବିଶୃଙ୍ଖଳା ପାଇଁ ତାଡ଼ନା କରିବା କିମ୍ବା କଲେଜରୁ ନିଲମ୍ବିତ ହେବା ପରେ ଅସାମାଜିକ ଯୁବକଙ୍କ ସହାୟତାରେ ଶିକ୍ଷକଙ୍କୁ ମାଡ଼ ମାରିବା କିମ୍ବା ଶାରୀରିକ କ୍ଷତି ପହଞ୍ଚାଇବା ଯେପରି ନିକଟରେ ପଶ୍ଚିମବଙ୍ଗର ବିଦ୍ୟାଳୟରେ କିଛି ଛାତ୍ର ଜଣେ ଶିକ୍ଷୟିତ୍ରୀଙ୍କୁ ପିଟାପିଟି କରିଥିଲେ ।

କିଛିବର୍ଷ ପୂର୍ବେ ଓଡ଼ିଶାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଶିକ୍ଷାନୁଷ୍ଠାନ ଓ ଶୈକ୍ଷିକ ବାତାବରଣର ଅବକ୍ଷୟମୁଖୀ ଦୃଷ୍ଟାନ୍ତ ବୋଲି କୁହାଯାଇପାରେ । ଏହିଠାରୁ ହିଁ ସୃଷ୍ଟି ହେଉଛନ୍ତି ଅପରାଧୀ ଯାହାକୁ ପ୍ରତିରୋଧ ନକଲେ ସମାଜ ଧ୍ବଂସାଭିମୁଖୀ ହେବା ନିଶ୍ଚିତ । ଶିକ୍ଷକ/ଅଧ୍ୟାପକଙ୍କୁ ନିଜ ଆୟତ୍ତରେ ରଖିବା ପାଇଁ ସେମାନଙ୍କ ବିରୋଧରେ କର୍ତ୍ତୃପକ୍ଷ, ପୋଲିସ କିମ୍ବା ସୋସିଆଲ ମିଡିଆରେ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣି ସେମାନଙ୍କ ଚରିତ୍ର ସଂହାର କରିବା ।

ଶିକ୍ଷକଙ୍କ ଅଜାଣତରେ ସେମାନଙ୍କ ଫଟୋ କିମ୍ବା ଭିଡିଓ ବନାଇ ସେସବୁକୁ ବିକୃତ କରି ବ୍ଲାକ ମେଲିଙ୍ଗ କରିବା କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରି ସେମାନଙ୍କୁ ପରିହାସର ପାତ୍ର କରଇବା ।

ଅଧ୍ୟାପନା ସମୟରେ ମୋବାଇଲ୍ ଫୋନ୍‌ର ଅପବ୍ୟବହାର କରିବା, ଶିକ୍ଷକଙ୍କ କଥାକୁ ଉପହାସ କରିବା, ଶ୍ରେଣୀଗୃହରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା ଏବଂ ଶିକ୍ଷାୟତନର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବା ।

କିଛି ସ୍ଥାନୀୟ ଷ୍ଟାଫଙ୍କ ଦୌରାତ୍ମ୍ୟ ମଧ୍ୟ ପିଲାମାନଙ୍କ ବିଶୃଙ୍ଖଳାର କାରଣ ବନିଥାଏ । ସେମାନେ ଆର୍ଥିକ ଲାଭ ପାଇଁ ପରୀକ୍ଷାଗୁଡିକରେ କପି ଯୋଗାଇବାକୁ ଶିକ୍ଷକ/ ଅଧ୍ୟାପକମାନଙ୍କୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ବାଧ୍ୟ କରନ୍ତି । ବିଭିନ୍ନ ଉପାୟରେ ବ୍ଲାକମେଲିଙ୍ଗ କରି ଭୟ ଦେଖାନ୍ତି । ପିଲାମାନଙ୍କୁ ଉସ୍କାଇ ବିପଦର କାରଣ ବନନ୍ତି ।

ନୈତିକ ସୁଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ

ଆଚରଣ ଓ ଶୃଙ୍ଖଳା ପାଇଁ ନିର୍ଦ୍ଦିଷ୍ଟ ମାର୍କିଂ ବ୍ୟବସ୍ଥା (୫ ମାର୍କ ନିୟମ)- ପ୍ରତ୍ୟେକ ବିଷୟ କିମ୍ବା ଶ୍ରେଣୀ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଆଚରଣ, ଶୃଙ୍ଖଳା, ନୈତିକତା ଏବଂ ଗୁରୁଜନଙ୍କ ପ୍ରତି ଆଦର ପାଇଁ ୫ ମାର୍କ ସଂରକ୍ଷିତ ରହିବା ଉଚିତ୍ । ଏହି ମାର୍କ ପରିକ୍ଷାର ମୋଟ ଫଳାଫଳ ସହ ଯୋଡ଼ାଗଲେ ପିଲାମାନେ ନିଜ ବ୍ୟବହାର ପ୍ରତି ସଚେତନ ହେବେ ।

ବାଧ୍ୟତାମୂଳକ ନୈତିକ ଓ ମୂଲ୍ୟବୋଧ-ଭିତ୍ତିକ ଶିକ୍ଷା

କେବଳ ପାଠ୍ୟପୁସ୍ତକ ଓ ନମ୍ବର-କେନ୍ଦ୍ରିକ ଶିକ୍ଷା ପରିବର୍ତ୍ତେ ବିଦ୍ୟାଳୟ ଓ କଲେଜ ପାଠ୍ୟକ୍ରମରେ ଜୀବନ କୌଶଳ, ମାନବିକ ମୂଲ୍ୟବୋଧ ଓ ସଂସ୍କାରକୁ ବାଧ୍ୟତାମୂଳକ ସ୍ଥାନ ଦିଆଯାଉ । ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ପିରିୟଡ୍ ନୈତିକତା ଓ ଅନୁଶାସନ ଉପରେ ରହିବା ଦରକାର ।

ଅଭିଭାବକଙ୍କ ସକ୍ରିୟ ଭୂମିକା ଓ ନିୟମିତ ସମୀକ୍ଷା

ପିଲାଙ୍କ କେବଳ ମାର୍କସିଟ୍ ନୁହେଁ, ବରଂ ସେମାନଙ୍କ ଆଚରଣଗତ ପରିବର୍ତ୍ତନ ଉପରେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ନିୟମିତ ଆଲୋଚନା ହେବା ଆବଶ୍ୟକ । ପରିବାର ଭିତରେ ପିଲାଙ୍କୁ ସଂସ୍କାର ଓ ଗୁରୁଜନଙ୍କ ପ୍ରତି ସମ୍ମାନ ଶିଖାଇବା ଅଭିଭାବକଙ୍କ ପ୍ରାଥମିକ ଦାୟିତ୍ୱ ହେବା ଉଚିତ୍ ।

ଶିକ୍ଷକଙ୍କ ପାଇଁ ସୁରକ୍ଷା ନୀତି ଓ ଆଇନଗତ କଠୋରତା

ଶିକ୍ଷାୟତନରେ ଶିକ୍ଷକ କିମ୍ବା ଅଧ୍ୟାପକଙ୍କୁ ଦୁର୍ବ୍ୟବହାର, ଧମକ କିମ୍ବା ମିଥ୍ୟା ଅଭିଯୋଗ ଆଣୁଥିବା ବିଶୃଙ୍ଖଳିତ ଛାତ୍ରଙ୍କ ବିରୋଧରେ ସ୍ୱଚ୍ଛ ଓ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ (ଯେପରିକି ସସପେନ୍ସନ୍ କିମ୍ବା ଟିସି ପ୍ରଦାନ) ପାଇଁ ନିୟମାବଳୀ ରହିବା ଜରୁରୀ, ଯାହା ଦ୍ୱାରା ଶିକ୍ଷକମାନେ ନିଜକୁ ସୁରକ୍ଷିତ ମନେକରିବେ ।

ବାହ୍ୟ ଓ ଅସାମାଜିକ ପ୍ରଭାବରୁ ଶିକ୍ଷାୟତନକୁ ମୁକ୍ତ ରଖିବା

ଶିକ୍ଷାନୁଷ୍ଠାନ ପରିସର ମଧ୍ୟକୁ ବାହାରର ଅସାମାଜିକ ତତ୍ତ୍ୱ କିମ୍ବା ରାଜନୈତିକ ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ବାରଣ କରାଯାଉ । ଛାତ୍ରମାନେ ଯେପରି ବାହ୍ୟ ପ୍ରଭାବରେ ଆସି ଶିକ୍ଷାନୁଷ୍ଠାନର ସାଂସ୍କୃତିକ ଓ ଶୈକ୍ଷିକ ବାତାବରଣକୁ ନଷ୍ଟ ନକରନ୍ତି, ସେଥିପାଇଁ କ୍ୟାମ୍ପସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉଚିତ୍ ।

ସୋସିଆଲ ମିଡିଆ ଓ ଡିଜିଟାଲ୍ ସଚେତନତା

ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋବାଇଲ୍ ଫୋନ୍‌ର ବ୍ୟବହାର ଉପରେ ଉଚିତ୍ କଟକଣା ଲଗାଯାଉ । ଏହାସହ ସାଇବର ଅପରାଧ, ମିଥ୍ୟା ଅପପ୍ରଚାର ଓ ଅନ୍ୟକୁ ମାନସିକ ସ୍ତରରେ ହଇରାଣ କରିବାର ଆଇନଗତ ପରିଣାମ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉ ।

ଶିକ୍ଷାନୁଷ୍ଠାନରେ ଚାକିରି କରିଥିବା ସବୁ ଷ୍ଟାଫ୍ ସମାନ । ସ୍ଥାନୀୟ ଷ୍ଟାଫମାନଙ୍କ ଦୌରାତ୍ମ୍ୟକୁ ରୋକିବାକୁ ଅନୁଷ୍ଠାନର ମୁଖ୍ୟ କଡ଼ା ଆଭିମୁଖ୍ୟ ପୋଷଣ କରନ୍ତୁ କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ ନହେଲେ ଶୈକ୍ଷିକ ବାତାବରଣ ବାଧାପ୍ରାପ୍ତ ହେବ । କ୍ଷମତାର ଅପବ୍ୟବହାର ହେଲେ କିମ୍ବା ତଳିଆ କର୍ମଚାରୀମାନେ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କଲେ ଶିକ୍ଷାନୁଷ୍ଠାନରେ ସମନ୍ଵୟ ବଜାୟ ରହିବ ନାହିଁ । ଷ୍ଟାଫମାନଙ୍କ ଭିତରର ମତଭେଦ ବି ଶିକ୍ଷାର ବାତାବରଣକୁ ଅଶୁଦ୍ଧ କରୁଛି । ସେଥିପ୍ରତି ସଚେତନ ରହିବା ଜରୁରୀ ।

ଶିକ୍ଷାର ପ୍ରକୃତ ଲକ୍ଷ୍ୟ କେବଳ ଡିଗ୍ରୀ ହାସଲ କରିବା ନୁହେଁ, ବରଂ ଜଣେ ସଭ୍ୟ ଓ ଦାୟିତ୍ୱବାନ ନାଗରିକ ଗଢ଼ିବା । ଶିକ୍ଷକ-ଛାତ୍ର ସମ୍ପର୍କରେ ଶୃଙ୍ଖଳା ଓ ମୂଲ୍ୟବୋଧ ଫେରାଇ ଆଣିଲେ ହିଁ ଏକ ସୁସ୍ଥ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇପାରିବ । ଶିକ୍ଷାନୁଷ୍ଠାନଗୁଡିକରେ ବିଭିନ୍ନ ବର୍ଗର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଭିତରେ ସମନ୍ଵୟ ନରହିଲେ, ଶିକ୍ଷକ – ଛାତ୍ରଙ୍କ ଭିତରେ ସୁସମ୍ପର୍କ ସ୍ଥାପିତ ନହେଲେ ଗୁରୁଦିବସ ପାଳନ ମୂଲ୍ୟହୀନ ପାଲଟିଯିବ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top