ଗଳ୍ପ

ମୁଖାପିନ୍ଧା ମଣିଷ ଓ ଜଙ୍ଗଲୀ ପ୍ରଜାପତି

Dr Mousumi Parida's odia story Mukhapindhaa Manisha O Jangali Prajapati

ହଁ । ଆଜି ତୁମ ହସ ଖୁବ୍ ମିଠା ଲାଗୁଛି, ଠିକ୍ ତୁମ ଭଳି । ଫୋନ୍‌ରେ ତୁମେ ଏତେ ଭଲ ଲାଗୁଛ, ଆଉ ବାସ୍ତବରେ କେତେ ଭଲ ନ ଲାଗିବ ବୋଲି ମୁଁ ଭାବେ ବେଳେବେଳେ ।

ମୁଖାପିନ୍ଧା ମଣିଷ ଓ ଜଙ୍ଗଲୀ ପ୍ରଜାପତି

ଗାଡି ଚଲାଉ ଚଲାଉ ସୋମେନ୍ ମନେମନେ ଗାଇଲା- ‘ମୁଁ ଯେ ପାଗଳ ଏକ ଭଅଁର..ପରିଚୟ ମୋତେ ମାଗନା..ଫୁଲେ ଫୁଲେ ଘୂରିବୁଲେ ମୁଁ ଯେ..’ । ଗାଡିକୁ ମନପବନ ଘୋଡାପରି ଉଡାଇଲା ପବନ ବେଗରେ । ରାସ୍ତାକଡର ଗଛମାନେ ଆନ୍ଦୋଳିତ ହେଉଥିଲେ ପବନର ସ୍ପର୍ଶରେ । ଲାଗୁଥିଲା ସେମାନେ ଯେମିତି ତାକୁ ସ୍ୱାଗତ କରିବାକୁ ମଥା ନୁଆଇଁ ଛିଡା ହୋଇଛନ୍ତି ବିନୀତ ମୁଦ୍ରାରେ । କୃଷ୍ଣଚୂଡା ତା ଦେହର ପେନ୍ଥିପେନ୍ଥି ଫୁଲ ମାନଙ୍କୁ ରାସ୍ତାରେ ଝରାଇ ଫୁଲର ଗାଲିଚାଟିଏ ସୃଷ୍ଟି କରିଛି । ସୋମେନ୍ ଭାବିଲା-ମୋ ପାଇଁ ଆଜି କୃଷ୍ଣଚୂଡା ତାର କବରୀ ଖୋଲିଛି ନିଶ୍ଚେ । ତା ଭିତରେ ନୀଳ ନୟନାଟିଏ ସତେଯେପରି ତାକୁ ମୁଗ୍ଧ ଦୃଷ୍ଟିତୋଳି ନିରେଖି ଚାହୁଁଛି । ମନଟା ତାର ଭାବପ୍ରବଣତାରେ ଉଚ୍ଛନ୍ନ ହେଲା । ସତରେ ତା ପାଇଁ ପ୍ରକୃତିର ଅମାପ ଭଲ ପାଇବା । ପୁଣି ଗୋଟଏ ଗୀତର ସ୍ୱର ଗୁଣୁଗୁଣେଇଲା ସେ- ଯା..ଯାବର, ମ..ନ ମୋର, ନିତି ଭାେଙ୍ଗ ନିତି ଗଢେ..ସ୍ୱ..ପ୍ନର ବାଲିଘର..ଯା..ଯାବର ।

ମୋବାଇଲ୍ ବାଜିଉଠିଲା । କିଏ ହୋଇଥିବ..ରଚନା, ଇପ୍ସିତା, ବନ୍ଦିତା, ଇନ୍ଦୁ ନା ଛନ୍ଦିତା..ନା ସେ ଲୋପା ମିଶ୍ର, ଅଞ୍ଜନା ସାମନ୍ତ..? ଆରେ ନା ଇଏ ତ ବିନୀତା ମହାନ୍ତି..ତା ପଞ୍ଜୁରୀର ନୂଆ ଚଢେଇଟା.. । ଭାରି ଲାଜକୁଳି, ଟିକେଟିକେ ସନ୍ଦେହୀ ଅଥଚ ମିଠାକଥା ଓ ମୃଦୁ ଅଭିମାନରେ ମନକୁ ରୋମାଞ୍ଚିତ କରୁଥିବା ସ୍ୱପ୍ନ ନାୟିକାଟିଏ ! ଏପଟୁ ସେ ଫୋନ୍ଅନ୍ କରି କହିଲା-ହ୍ୟାଲୋ, ନୀତା, କଣ ଖବର ?

ସେପଟୁ ଅଭିଯୋଗ ଭରା ସ୍ୱର-ତୁମେ କାହିଁକି ଫୋନ୍ କରୁନାହଁ ? କଣ ଏତେ କାର୍ଯ୍ୟବ୍ୟସ୍ତ ଯେ ସମୟ ମିଳୁନି ଦି’ପଦ କଥାହେବାକୁ ?

-ଆରେ ନା ନା ସେମିତି କିଛି ନୁହେଁ, ବ୍ୟସ୍ତ ତ ରହୁଛି ନିଶ୍ଚୟ..ହେଲେ କଥା ହେବାକୁ ଭୁଲିଯାଇଥିଲି । ମାନେ ବାହାରକୁ ଟିକେ ଚାଲିଯାଇଥିଲି ।

-ତୁମ କଥା ଓ କାମରେ ଖୁବ୍ ବେଶୀ ଫରକ୍ ସୋମେନ୍ । ତୁମେ ଯାହା କୁହ, ତାହା କେବଳ ପାଣିର ଗାର ।

-ଆରେ ନା, ସେମିତି ଭାବନି । ଜାଣିଛ, ମୁଁ ଏବେ ତୁମକଥା ହିଁ ଭାବୁଥିଲି । ଯେଉଁଠିଥିଲେ ବି ଏମିତି ଗୋଟେ ମୂହୁର୍ତ୍ତ ନାହିଁ,ଯେବେ ତୁମେ ମନେ ନପଡ ।

-ତୁମେ ବହୁତ୍ ଭଲ ଭାବରେ ମିଛ କହିପାର! ଅଳ୍ପ ହସିଲା ବିନୀତା ।

-ନା ମିଛ କହୁନି, ବିଲକୁଲ୍ ସତ । ତମେ ସବୁବେଳେ ଏ ମନତଳେ ।

ସତେ?

ହଁ । ଆଜି ତୁମ ହସ ଖୁବ୍ ମିଠା ଲାଗୁଛି, ଠିକ୍ ତୁମ ଭଳି । ଫୋନ୍‌ରେ ତୁମେ ଏତେ ଭଲ ଲାଗୁଛ, ଆଉ ବାସ୍ତବରେ କେତେ ଭଲ ନ ଲାଗିବ ବୋଲି ମୁଁ ଭାବେ ବେଳେବେଳେ ।

-ସତ କହିଲ, ତୁମେ ଏକଥା ଆଉ କେତେ ଜଣଙ୍କୁ କହିଥିବ ?

-କେବଳ ତୁମକୁ..କାରଣ ମୁଁ ତୁମକୁ ହିଁ କେବଳ ଭଲପାଏ.. ରିଅଲି ଆଇ ଲଭ୍ ୟୁ । ଆଚ୍ଛା ନୀତା, ସେପଟୁ ମୋର ଜଣେ ବନ୍ଧୁ ଲାଇନ୍‌ରେ ଅଛନ୍ତି, ଟିକେ ପରେ ମୁଁ ପୁଣି କଲ୍ ବ୍ୟାକ୍ କରିବି ତୁମକୁ । କଲ୍ କାଟିଲା ସୋମେନ୍ । ସେପଟୁ କଲୱେଟିଂରେ ଥିବା ସମୀକ୍ଷା ନାୟକ୍କୁ ସେ ସେ କଲ୍ କଲା ।

ସେପଟରୁ ଭାସିଆସିଲା ସ୍ୱରଟିଏ- ଆରେ ଗୋଟେ ଖବରଟିଏ ଜାଣିବାର ଥିଲା ତୁମଠାରୁ, ଡିଷ୍ଟର୍ବ କଲି ସେଥିପାଇଁ ।

-ଆରେ ନା ନା ମୁଁ ଏମିତି ଜଣେ ସିନିୟରଙ୍କ ସହିତ କଥା ହେଉଥିଲି ପ୍ରୋଜେକ୍ଟ୍ ବାବଦରେ । ତୁମପାଇଁ ତ ମୁଁ ସବୁବେଳେ ଫ୍ରି ଅଛି । କୁହ କି ଖବର ଜାଣିବାର ଥିଲା ।

-ମୋ ପାଇଁ ଫ୍ରି ଅଛ ମାନେ..?

-ମାନେ କଣ? ଭାବିନିଅ ଏଇ ଯେମିତି ତୁମ କଲ୍କୁ ଅପେକ୍ଷା କରିଥିଲି । ମାନେ ତୁମ ଖିଆଲରେ ବୁଡିଯାଇଥିଲି । କଣ କିଛି ଭୁଲ୍ କହିଲିକି ?

-କିନ୍ତୁ ଭୁଲ୍ ଲୋକଟିକୁ କହିଦେଲ ଯେ..!

-ତୁମେ ତାହେଲେ ମୋତେ ଓ ମୋ ପ୍ରେମକୁ ଏଯାଏଁ ବୁଝିପାରିଲ ନାହିଁ ଭଲକରି ? ସେଇ ତ ଦୁଃଖ ମୋର ।

-ପ୍ଲିଜ୍ , ୟା’କୁ ପ୍ରେମ କୁହ ନାହିଁ,ଏପରି କହି ଅନ୍ୟକୁ ଲଜ୍ଜିତ କର ନାହିଁ ।

-ଆଚ୍ଛା ଠିକ୍ ଅଛି, ବନ୍ଧୁତା ତ କହିପାରିବି ନା ସେଥିରେ ବି ତୁମର ପ୍ରୋବ୍ଳେମ୍ ଅଛି ?

-ଖାଲି ପ୍ରେମ ଓ ବନ୍ଧୁତା ବ୍ୟତିତ ଆଉ କଣ କିଛି ସଂପର୍କ ଭାବନାର ପରିସରରେ ନାହିଁ ?

– ଜାଣ, ତୁମେ ମୁଁ ଗୋଟେ ଏମିତି ପ୍ରଜାପତି ଯିଏ ନିଜ ମନକୁ କୌଣସି ଫୁଲରେ ବସେ ନାହିଁ । ବରଂ ଫୁଲମାନେ ବ୍ୟାକୁଳ ହୁଅନ୍ତି ଏ ପ୍ରଜାପତିଟି ପାଇଁ । ଏମିତି କେତେଝିଅ ମୋ ସହିତ ପଦୁଟିଏ କଥାହେବାକୁ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଜାଣ? ମୁଁ କିନ୍ତୁ ସେମାନଙ୍କୁ ଧରା ଦିଏନି ।

-ଓହୋ, ଝିଅମାନଙ୍କୁ ତୁମେ ତାହେଲେ ଏପରି ଷ୍ଟଡି କରିପାର ମାନେ ସେମାନେ ବିଚାରୀ ! ତୁମେ କିପରି ଜାଣ ଅନ୍ୟମାନେ ତୁମ ପଛରେ ଗୋଡାନ୍ତି ବୋଲି ?

-ଏସବୁ କଥା କଣ ଜଣେ ଜାଣିପାରିବନି ? ମୋତେ ନେଇ ସେମାନଙ୍କ ଚର୍ଚ୍ଚା ଓ ପରିବେଶ..ସମସ୍ତେ କୁହନ୍ତି ଯେ…ମୁଁ କାଳେ ମୋଷ୍ଟ୍ ଏଲିଜିବ୍ଲ ବ୍ୟାଚେଲର୍ ।

-ବୁଝିଲ ସୋମେନ୍, ତୁମେ ବହୁତ୍ ସ୍ୱପ୍ନ ଦେଖୁଛ । ତା ପୁଣି ଦିନବେଳା, ଚେଇଁଥିବାବେଳେ । ଏଥର ରାତିରେ ବି ଲାଲ୍ ଚଷମାଟିଏ ଲଗାଇ ଶୋଇବ । ରଙ୍ଗୀନ୍ ଲାଗିବ ସ୍ୱପ୍ନତକ ।

-ସରି ସମୀକ୍ଷା, ଜଣେ ଯାହାଙ୍କ ଫୋନ୍ କାଟି ମୁଁ ତୁମ ସହିତ କଥା ହେଉଥିଲି, ସେ ବାରମ୍ବାର ଫୋନ୍ କଲେଣି । ପୁଣି ଆଉ ଦୁଇଟା କଲ୍ ଜେ.ଏନ୍.ୟୁର ନିହାତି ନିଜର ବନ୍ଧୁ କରୁଛନ୍ତି । ବାରମ୍ବାର କଟୁଛି ।

ବୁଝୁଚି ତମେ ଖୁବ୍ ବ୍ୟସ୍ତ ଲୋକ । ରହୁଚି । ପରେ କେବେ । ସୋମେନ୍କୁ ତା କଥା ସାରିବାକୁ ନଦେଇ ସମୀକ୍ଷା ଫୋନ୍ ରଖିଲା । ମନେମନେ କହିଲା- ଇଡିଅଟ୍, ଜାଣିଥିଲି ତୁ ଏବେ ହିଁ ଫୋନ୍ କାଟିଦେବୁ ବୋଲି । ଅସଲ କଥା ଖୁବ୍ ବାଧେ ମଣିଷଙ୍କୁ, ତା ପୁଣି ତୋ ଭଳି ଜୀବନକୁ ସ୍ୱପ୍ନର ରଙ୍ଗନେଇ ଜୀଇଁବାର ଅସଫଳ ଚେଷ୍ଟା ଜାରିରଖିଥିବା ଆତ୍ମଗର୍ବୀ ପିଲାଟିକୁ । ଏ ପିଲାଟା ନିଜକୁ ଖୁବ୍ ମହାନ୍ ମନେକରେ!

ସୋମେନ୍ ବି ଫୋନ୍ ରଖିଦେଇ ଆଶ୍ୱସ୍ତ ହେଲା- ଭାରି ଗର୍ବୀ ଏ ଝିଅଟି । ମନେମନେ ନିଜକୁ କଣ ଭାବେ କେଜାଣି ! ମୋ କଥା ଉପରେ ସେ କାହିଁକି ପ୍ରତିକ୍ରିୟାଶୀଳ ହୋଇପଡେ? ଅନ୍ୟମାନଙ୍କଠାରୁ ଖୁବ୍ ବିଚିତ୍ର, ସମସ୍ତଙ୍କୁ ଅଳ୍ପ ବହୁତ ପଟାଇହେଲା । ହେଲେ ୟା’କୁ..ନା ବାବା । ହେଲେ ସେ ମୋତେ କଲ୍ କରେ କାହିଁକି? ବୋଧହୁଏ ଟିକେ ଟିକେ ପ୍ରେମ କଲାଣି । ନିଶ୍ଚୟ, ହେଲେ ସ୍ୱୀକାର କରିବାକୁ ତାକୁ ଲାଜ ଲାଗୁଥିବ ।

ସମୀକ୍ଷା ଭାବୁଥିଲା- ଏ ପିଲାଟା କୁଆଟେ ଉଡିଗଲେ କହିବ ଛୁଆଟିଏ ଉଡିଯାଉଥିଲା ବୋଲି । ତା ଭିତରେ ଯାବତୀୟ ପିଲାଳିଆମୀ । ବାସ୍ତବତାଠାରୁ ଦୂରରେ ଥାଇ ନିଜକୁ ଠକି ଖୁସି ହେଉଥିବା ବାହାପିଆ । ମିଠାକଥା ଦ୍ୱାରା ଅନ୍ୟକୁ ଫଶେଇ ମାନସିକ ଆମୋଦରେ ସମୟ ସାରିବା ଛଡା ଆଉ କିଛି କାମ ତାର ନଥାଏ କି କଣ! ଲୋକଟା ବି କି ଅଜବ ଯେ ସବୁବେଳେ ୟା ଫୋନ୍ ତା ଫୋନ୍ ଆସୁଛି କହି ଫୋନ୍ କାଟେ ଓ ପରେ କହେ- ସରି, ତୃତୀୟ ମହଲାରୁ ଫୋନ୍‌ଟେ ଥିଲା । ମନ୍ତ୍ରୀଙ୍କ ଜଣେ ଖାସ୍ ଲୋକ ମୋ ସହ ସାକ୍ଷାତ କରିବାକୁ ସମୟ ମାଗୁଥିଲେ । ନହେଲେ ପ୍ରୋଜେକ୍ଟ ବାବଦରେ କଥା ହେଉଥିଲି ଏମିତି କେତେକଣ ସତମିଛ କହି ବାହାନା ଦେଖାଏ । ଲାଗେ ସେ ବହୁତ କିଛି ଜାଣେ । ବଡବଡ କଥା କହେ । ସେଥିପାଇଁ ସିନା ସମୀକ୍ଷା ଫୋନ୍ କରି କୌଣସି ବିଷୟରେ ପଚାରେ । ନହେଲେ ସୋମେନ୍ କିଏ ନା ସେ କିଏ? ଆଜିକାଲି ଲାଗୁଛି ଲୋକଟା ତୁଚ୍ଛା ଡହରାଟେ । ତା ପାଇଁ ଏ ଗୋଟେ ପ୍ରକାରର ଜାଲ ବିଛାଇବା । କେବେ ନା କେବେ ଚଢେଇଟେ ଧରା ଦେବା ତ ଥୟ । ଅବଶ୍ୟ ସେ ଚଢେଇ ସମୀକ୍ଷା ହୋଇନପାରେ । ମୁହଁ ବୁଲେଇଲା ସେ । ବ୍ଲାକ୍ ଲିଷ୍ଟ୍‌ରେ ପକେଇଲା ତା ନମ୍ବରକୁ । କେବେକେବେ ମିଛୁଆ ଲୋକଙ୍କୁ ଗ୍ରହଣ କରିବା କଣ କମ୍ ଅସହ୍ୟ ମନେହୁଏ !

ଲୋକପ୍ରିୟ ଲେଖା

To Top