କବିତା

ବୋଉର ବୋଉ ବନିବାର ବେଳ

Dr Mousumi Parida's odia poem Boura Bou Banibara Bela

ସେ ହସିଲେ ଘର ହସେ, ରୁଷିଲେ ସୁନାମି ଆସେ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବାପାମନସ୍କା ନାରୀଟିର ବେଶୀ ଭାଗ ବୋଉ ନା ସ୍ତ୍ରୀ ହେବାରେ?? ଏ ପ୍ରଶ୍ନ ଗୋଟେ ମାଆକୁ ଜଣେ ମାଆର ଯିଏ ଅତୀତରେ ଝିଅ ଥିଲା ତା’ର !
ବାପାଙ୍କଠାରୁ ଆରମ୍ଭୁଥିବା ସକାଳ ଓ ସରୁଥିବା ରାତି ଭିତରେ ବୋଉର ସବୁତକ ଧାଁ ଦୌଡ, ବରାଦ, ଯୋଗାଡ।

ବାପାଙ୍କ ଗୋଡ଼ପୋଛା ଟାୱେଲଠୁ ମୁହଁପୋଛା ରୁମାଲ୍ ଯାଏଁ, ବ୍ରେକ୍ ଫାଷ୍ଟ ପୂର୍ବର ଫ୍ରୁଟସ ସାଲାଡ଼ଠୁ ରାତିର ଡିନରଯାଏଁ, ଯଥାସ୍ଥାନରେ ରଖା ହୋଇଥିବା ଚପଲ, ଜୋତା, ଧୂଳି ଜମି ନଥିବା ଘର ଚଟାଣଯାଏଁ ସବୁ ବାପାଙ୍କ ପସନ୍ଦର କରି ସାରିବା ପରେ ବୋଉ କେତେ ସମୟ ବା ବୋଉ ହୋଇ ରହେ ?

ବାପାଙ୍କ ହିସାବର ରହଣି, ଶୈଳୀ, ବିନା ପିଆଜ ରସୁଣ, ଅଳ୍ପ ତେଲ ମସଲା ଯୁକ୍ତ ଅଲଣା ନିରାମିଷ ଖାଦ୍ୟ ପରଶି ଚଉରା ମୂଳରେ ସନ୍ଧ୍ୟାବତୀ ଜାଳୁଥାଏ କି ନିଜେ ଜଳୁଥାଏ ଜଣା ନଥାଏ ।
ବାପାଙ୍କ ହିସାବର ସଂସାର ଭିତରେ ସେ ଘୋରି ହୁଏ କି ଘାରି ହୁଏ ସେ ହୁଏତ ଜାଣି ନଥାଏ ।
ତା’ର ସ୍ତ୍ରୀ ହେବାର ଜଞ୍ଜାଳ ସରୁସରୁ
ବୋଉପଣଟି ହଜି ଯାଇଥାଏ !!

ଜାଇଫଳ, ଲବଙ୍ଗ, ଗୁଜୁରାତି ସରସର ପାନ ଚାରିଟା ବାପାଙ୍କ ହାତକୁ ବଢ଼େଇ, ନିଜେ ଖଣ୍ଡେ କଳରେ ଜାକି ହୁକୁମ୍ ଚଳାଉଥିବା ସେ ଚାରିଫୁଟିଆ ସ୍ତ୍ରୀ ଲୋକଟା ହଜାର ଲୋକଙ୍କୁ ନଚେଇ ଜାଣେ । ଘରଠୁ ରଜା ରାଉସ ବନ୍ଧୁବାନ୍ଧବଙ୍କୁ ଖୋଜାଲୋଡ଼ାଯାଏଁ ସବୁଥିରେ ନିପୁଣା ବୋଲି ଜେଜେ କୁହନ୍ତି – “ଲକ୍ଷ୍ମୀମନ୍ତିଆ ବୋହୂଟିଏ” !

ମୁଁ ଦେଖେ ପୂଜା, ହୋମ, ଦାନ ଧର୍ମ, ଯାଗଯଜ୍ଞ ଭିତରେ ତା’ ଲୁକ୍କାୟିତ ଅଭିଳାଷ – “ସ୍ୱାମୀ ସୁହାଗିନୀ” ବନିବାର ।
ତା’ର ଯେତେକ କୁଛ୍ର ସାଧନା – “ଅହ୍ୟ ସୁଲକ୍ଷଣି” ହେବାର !! ସ୍ତ୍ରୀପଣରେ ଉଜୁଡିଯିବା ପାଇଁ ତା’ର ସବୁତକ ସଂକଳ୍ପ ।
ବାପାଙ୍କ ପାଇଁ ସାରାଦିନ ସାଜ ସଜାଡୁଥିବା ପତ୍ନୀପଣରେ ଜୁଡୁବୁଡୁ ବୋଉକୁ “ବୋଉ” ବନିବାକୁ ସମୟ କୋଉଠୁ ଆଉ ବାକି ରହେ ଯେ !
ସେ ବିଭୋର ହୁଏ “ବାପାଙ୍କ କଲମ କାଠି ହଲୁଥାଉ” ବୋଲି ଆଶୀର୍ବାଦ ଶୁଣିଦେଲେ।

କେବେକେବେ ବାସନ କୁସନ କଚାଡେ, ଜିନିଷପତ୍ର ଫିଙ୍ଗା ଫୋପଡ଼ା କରେ ବାପାଙ୍କ ଉପରେ ରାଗିଲେ ।
ବାପାଙ୍କ ମନରେ କାହାର ବି ଅନୁପ୍ରବେଶ ସେ ସହେନା । ନା ଝିଅ, ବୋହୂ ବା ଅନ୍ୟ କାହାର !

ପତ୍ନୀପଣ-ବିଭୋର ସ୍ତ୍ରୀ ଲୋକଟିର ପୃଥିବୀ, ଆକାଶ, ସ୍ଵର୍ଗ ସବୁକିଛି ତା’ ସ୍ୱାମୀ, ପିଲାଙ୍କ ପାଇଁ ସମୟ କାହିଁ ! ବାପାଙ୍କ ଚାରିପଟେ ଲକ୍ଷ୍ମଣରେଖା ଟାଣିଥାଏ ଆଜୀବନ !
ଯାହା ରାଗରେ ବାପା ବି ଥରହର, ତା’ ହୁକୁମନାମା ପାଳିବାକୁ ଗଣ୍ଡାଏ ଲୋକ ହାଜର ।

ସେ ହସିଲେ ଘର ହସେ, ରୁଷିଲେ ସୁନାମି ଆସେ ।
ତା’ ମନକୁ ସଜାଡୁ ସଜାଡୁ ଘରର ମଞ୍ଜ ଦୋହଲିଯାଏ, ଭୂକମ୍ପରେ କାନ୍ଥ ଚଡକିଯାଏ, ତା’ର କିନ୍ତୁ ଫରକ୍ ପଡେନା କିଛିରେ ।

ହେତୁ ପାଇବା କ୍ଷଣି ପିଲାଙ୍କ ଭାଗ୍ୟ, ଜୀବନ-ସଂଘର୍ଷ !
ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ହେବାର ଚେଷ୍ଟାରେ ଜୀବନ ସରିଗଲା ସିନା
କୋଉ ବାଲ୍ମିକୀ ବନିହେଲା ?

ଅର୍ଥଶ୍ରାଦ୍ଧ କରିବା ଯଦି ବାପମାଆପଣ,
ତେବେ ମଣିଷ-ଜନ୍ମଠାରୁ ଗଛ-ଜନ୍ମ ଶ୍ରେଷ୍ଠତର ।
ଯଦି ଆବେଗପ୍ରବଣତା ମଣିଷ ପାଇଁ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଦାନ, ତେବେ ଝୁଣ୍ଟି ପଡ଼ିଲେ ଲୋଡା ନ ହେଉ ‘ବୋଉଲୋ’ ବୋଲି ଜଣେ ଦେବୀର ସ୍ମୃତିଗାନ ।

ବୋଉ ବନିବା ପରେ ଜାଣିଲି ବୋଉ ସଂଜ୍ଞା !
ଆଜିକାଲି ତା’ ଫୋନ୍ ଆସେ ଗୁଡ଼ିଏ ଅଭିଯୋଗ ନେଇ- ବାପା କାଳେ ପୂର୍ବପରି ତାକୁ ଶ୍ରଦ୍ଧା କରୁନାହାନ୍ତି । ଆଉ କାହା କଥାରେ ଉଠବସ ହେଉଛନ୍ତି !! ତା’ ତପସ୍ୟା ନିଷ୍ଫଳ କାଳେ !
ମୁହଁର କୁଞ୍ଚିତ ରେଖା, ଅବଶ ଦେହ ଆଉ ଘୋରି ହୋଇଯାଇଥିବା ମୋ ବୋଉକୁ ସମୟ ଏଯାଏଁ ବି
ପରିବର୍ତ୍ତିତ କରିପାରିନି ।
ଏବେ ବି ବୋଉ ବନିବାକୁ ତାକୁ ସମୟ ମିଳିନି !

ସତରେ ସେ କେବେ କଣ ବୋଉ ବନିଥିଲା ?
ତା’ ପଣତର ବାସ୍ନା କିପରି ଥିଲା ?
କେବେ ଦିନେ ଆଉଁସି ଦେଇଥିଲା, ପିଲାଳିଆମି ସହି ଆଦରି ନେଇଥିଲା କୋଳକୁ, ନା ! ମନେନାହି !

ସଣ୍ଠଣା ଶିଖାଇବା ନିଶାରେ ପିଲାପଣ ଉଜାଡ଼ିଦେଲା !
ଝିଅରୁ ବୋହୂ, ବୋହୂରୁ ମାଆ ହେବାବେଳେ କେତେବାର ଝୁଣ୍ଟିଚି, ପଡ଼ିଛି, ଉଠିଛି
ମନ ବିକଳ ହୋଇଛି ବୋଉକୋଳ ପାଇଁ ମନେନାହିଁ ।
ଆଇ.ସି.ୟୁ ରେ ଥିବାବେଳେ ବୋଉ ଜମାରୁ ମନେ ପଡ଼ି ନାହିଁ । ଏମିତିରେ ବୋଉ ସାମ୍ନାରେ ଥିଲେ ବି କୋଉ ସ୍ପଷ୍ଟ ଦିଶେ ଯେ !!

ବିଡମ୍ବନା ଏଇଆ ଯେ ମୋ ପୁଅ ମୋତେ ମାଆପଣ ଶିଖେଇଚି। ହେଲେ ମୋ ବୋଉକୁ ବୋଉପଣ ତା’ ବୋଉ କି ତା’ ଅପଦାର୍ଥ ପିଲାମାନେ
ଶିଖେଇ ପାରିଲେନି !
ବୋଉର ପୁଅ ଦରକାର ଥିଲା ବଂଶବୃଦ୍ଧି ପାଇଁ,
ଝିଅର ଆବଶ୍ୟକତା କନ୍ୟାଦାନ କରି ପୂଣ୍ୟ ଅର୍ଜନ ପାଇଁ ! ବୋଉକୁ ସବୁ ମିଳିଗଲା !
ହେଲେ ମୋତେ ମିଳିଲାନି ବୋଉ.. !!

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top