ଉତ୍ତରେ ଯାହାର ହିମାଳୟ ଗିରି
ଜାଗ୍ରତ ଶକ୍ତ ପ୍ରହରୀ,
ପୂରୁବେ ପଶ୍ଚିମେ ଅଭେଦ୍ୟ ସାଗର
ଦକ୍ଷିଣେ କନ୍ୟା କୁମାରୀ ।
ଉନତ୍ରିଂଶ ରାଜ୍ୟ ଏହି ଉପଦ୍ୱୀପେ
ସାତଟି କେନ୍ଦ୍ର ଶାସିତ,
ଭରତଙ୍କ ନାମେ ଭାରତ ହୋଇଛି
ପୁଣି ଆର୍ଯ୍ୟବର୍ତ୍ତେ ଖ୍ୟାତ ।
ହିନ୍ଦୁ ମୁସ୍ଲିମ୍ ଜୈନ ଆଉ ବୁଦ୍ଧ
ତା’ ସାଙ୍ଗକୁ ଖ୍ରୀଷ୍ଟିୟାନ,
ହିନ୍ଦୁ ଏଠି ଜନ ବହୁଳ ହେଲେ ବି
ଉଦାର ତାର ଜୀବନ ।
କିଏ ହିନ୍ଦୀ ଏଠି କିଏ ବା ପଞ୍ଜାବୀ
ପୁଣି କିଏ ଉର୍ଦ୍ଦୁ ପାର୍ସୀ ,
ତା ସାଙ୍ଗକୁ ଭାଷା କେତେ ଭିନ୍ନ ଭିନ୍ନ
ଯେତେ ଆଦି-ବନବାସୀ ।
ଉତ୍ତରରେ ଗଙ୍ଗା ଯମୁନା ବହୁଛି
ଗୁପ୍ତେ ଲୁପ୍ତ ସରସ୍ୱତୀ
ଗୋଦାବରୀ ସଙ୍ଗେ କୃଷ୍ଣ ଓ କାବେରୀ
ତା’ ସହିତ ପୁଣି ତାପ୍ତୀ ।
ହିମାଳୟ ଦେବସ୍ଥଳୀ ରୂପେ ଖ୍ୟାତ
କେତେ ଏଠି ମଠ ଧାମ,
ଅଜନ୍ତା ଏଲୋରା ଲାଲ କିଲ୍ଲା
ତାଜ ପୂର୍ବେ ଜଗନ୍ନାଥ ଆମ ।
ଗୀତା ଭାଗବତ ବେଦାନ୍ତ ପୁରାଣ
ଆମରି ଦେଶରୁ ଜାତ,
ସମଗ୍ର ବିଶ୍ୱକୁ ସନାତନ ଧର୍ମ
କରିଥିଲା ପ୍ରଚାରିତ ।
ମୁନିଋଷିଙ୍କର ବଂଶଧର ଆମେ
ନାନା କର୍ମ ଗୋତ୍ର ଜାତି ,
ବିଭିନ୍ନତା ମଧ୍ୟେ ଅତୁଟ ଏକତା
ସନ୍ତକ ଶାନ୍ତି ପ୍ରଗତି ।
ମୋ ଦେଶ ଐତିହ ଯେତେ ପୁରାତନ
ସେହି ରୂପେ ମହୀୟାନ
ଏଭଳି ପବିତ୍ର ଦେଶରେ ଜନମି
ସାର୍ଥକ ଆମ ଜୀବନ ।
