ଗଳ୍ପ

ଚାପୁଡ଼ା

Kanishtha Kishore Sahu's odia story for children Chapudaa

ତୁ ଯଦି ସେତେ ବେଳେ ମୋ କାନକୁ ଧରି ଦି ଚାପୁଡ଼ା ଲାଖାଏଁ ଦେଇଥାନ୍ତୁ ତୋତେ ଆଜି ଏ ଦିନ ଦେଖିବାକୁ ପଡ଼ି ନ ଥାନ୍ତା ।

ଚାପୁଡ଼ା

ବାଳ ଅପରାଧୀ ନବଘନ ସାହୁ । ମାଆ ବାପାଙ୍କ ଏକମାତ୍ର ପୁଅ । ପିତ୍ରୁହୀନ ବୋଲି କମ୍‌ ବୟସରୁ ବିଭିନ୍ନ ଛୋଟ ମୋଟ ଅପରାଧରେ ସଂଶ୍ଳିଷ୍ଟ ହୋଇଗଲା । ଥରକର ଚୋରୀ ଅପରାଧରେ ଧରା ପଡ଼ିଲା ପରେ ତାକୁ ପୋଲିସ୍‌ ଧରି ନେଇ କୋର୍ଟକୁ ଚାଲାଣ କଲା । ମାନ୍ୟବର ବିଚାରପତି ଅପରାଧର ପ୍ରକାର ଓ ବୟସକୁ ଆଖି ଆଗରେ ରଖି ତାକୁ ଦୁଇ ବର୍ଷ ପାଇଁ ବାଳ ସୁଧାର ଗ୍ରୁହକୁ ପଠାଇ ଦେବାର ବ୍ୟବସ୍ଥା କଲେ।

ନବଘନ ବାଳ ସୁଧାର ଗ୍ରୁହକୁ ଯିବାର ଦଶ ଦିନ ପରେ ମାଆ ସବିତା ଦେବୀ ତାକୁ ଭେଟିବାକୁ ବାଳ ସୁଧାର ଗ୍ରୁହକୁ ଗଲେ । ଯଥା ସମୟରେ ନବଘନକୁ ଭେଟିଲେ । ସେଭଳି ଅବସ୍ଥାରେ ପୁଅକୁ ଦେଖି ସେ ମନ ଖରାପ କଲେ । କାନ୍ଦି ପକାଇଲେ । ଦୀର୍ଘ ସମୟ ଯାଏ କାନ୍ଦିଲେ । ସେଭଳି କାନ୍ଦିବା ଦେଖି ନବଘନକୁ ଦୁଃଖ ଲାଗିଲା । ସେଠାରେ ଥିବା ନବଘନର ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ସେ କଥା ଖରାପ ଲାଗିଲା । କିଛି ସମୟ ନବଘନର ମାଆ ସେଠାରେ ରହି ଘରକୁ ଫେରି ଆସିଲେ ।

ନବଘନର ‌ମାଆ ପ୍ରତି ଆଠ ଦଶ ଦିନରେ ନବଘନକୁ ସେମିତି ଭେଟିବାକୁ ଯାଆନ୍ତି । ପ୍ରତିଥର କନ୍ଦାକଟା କରନ୍ତି । ପ୍ରଥମେ ପ୍ରଥମେ ନବଘନ ବିରକ୍ତ ହୋଇ ମଧ୍ୟ କିଛି କହୁ ନ ଥିଲା । ବାରମ୍ବାର ସେଭଳି ନ କାନ୍ଦିବାକୁ ନବଘନ ମନା କଲା । ମାଆ କିନ୍ତୁ ମାନୁ ନ ଥାନ୍ତି । ଶେଷରେ ନବଘନ ତା’ ମାଆକୁ ଆଦୌ ନ ଆସିବାକୁ କହିଲା । କେବେ ଆସିଲେ ନ କାନ୍ଦିବାକୁ ତାଗିଦ କଲା ମଧ୍ୟ ।

ଏଥର ନବଘନର ମାଆ ତିନି ମାସ ପରେ ପୁଅକୁ ଭେଟିବାକୁ ଗଲେ । ଯାହା ହେଲେ ବି ମାଆ ମନ ତ ! ପୁଅକୁ ଦେଖିଲା ମାତ୍ରକେ ରହି ପାରିଲେ ନାହିଁ । ଖୁବ୍‌ ଜୋର୍‌ରେ କାନ୍ଦିଲେ । ନବଘନ ମନା କରୁଥାଏ । ମାଆ ମୋଟେ ନ ମାନିବା ଦେଖି ନବଘନ ଅନିଚ୍ଛା ସତ୍ତ୍ୱେ ରାଗରେ ତା’ ମାଆକୁ ଗୋଟିଏ ଚାପୁଡ଼ା ଦେଲା । ପୁଅଠାରୁ ମାଡ଼ ଖାଇବା ଦେଖି ସବିତା ଦେବୀ ହତବାକ୍‌ ହୋଇଗଲେ । କାନ୍ଦିବା ବନ୍ଦ କରି ପଚାରିଲେ,” ମୋତେ ହାତ ଲଗାଇ ଦେଲୁ, ନବଘନ ! ମୁଁ ଏଭଳି ଆଶା କରି ନ ଥିଲି ।”

ନବଗନ ହାତ ଯୋଡ଼ି କହିଲା,” ମା’ ମୋତେ କ୍ଷମା କର। ବାକି ତୋତେ ଗୋଟିଏ କଥା କହିବି। ଧ୍ୟାନ ଦେଇ ଶୁଣ। ମୁଁ ଯେତେବେଳେ ସ୍କୁଲ୍‌ରୁ ଲୁଚି ପଧାନ ଘରର ଆମ୍ବ ବଗିଚାକୁ ଚୋରୀ କରିବାକୁ ଯାଉଥିଲି ତୁ ଜାଣି ଚୁପ୍‌ ରହୁଥିଲୁ । ଚୋରୀ ଆମ୍ବକୁ ଭାଇ ପଠେଇଛନ୍ତି କହି ସାଇ ପଡ଼ିଶାରେ ବିକୁଥିଲୁ । ବିକିଥିବା ଟଙ୍କା ଦେଖି କେତେ ଖୁସି ହେଉଥିଲୁ । ମୋ ପାଇଁ ଖୁସିରେ କେତେ କ’ଣ ଆଣି ଦେଉଥିଲୁ । ତୁ ଯଦି ସେତେ ବେଳେ ମୋ କାନକୁ ଧରି ଦି ଚାପୁଡ଼ା ଲାଖାଏଁ ଦେଇଥାନ୍ତୁ ତୋତେ ଆଜି ଏ ଦିନ ଦେଖିବାକୁ ପଡ଼ି ନ ଥାନ୍ତା ।”

ପୁଅଠାରୁ ଏ ସବୁ ଶୁଣିଲା ପରେ ମାଆ ପାଖରେ କୌଣସି ପ୍ରତ୍ୟୁତ୍ତର ନ ଥିଲା । ଏହା ପରେ ମାଆ ସେଠାରୁ ଚୁପ୍‌ଚାପ୍‌ ଫେରି ଆସିଲେ । ଛଅ ମାସ ଆଦୌ ଗଲେ ନାହିଁ । ତା’ପରେ ଯେବେ ବି ଗଲେ କନ୍ଦାକଟା କଲେ ନାହିଁ । ଖୁସିରେ ଭେଟିକରି ଆସନ୍ତି ।

ପୁଅ ନବଘନ ମଧ୍ୟ ସୁଧୁରି ଭଲ ମଣିଷଟିଏ ହେଲା ।

ଲୋକପ୍ରିୟ ଲେଖା

To Top