ସମ୍ପାଦକୀୟ

“ଗୋମାତା” ଆମ ସମୃଦ୍ଧିର ବାହକ

Jyotsna's Editorial article gomaataa aama samurddhira baahaka

ଯେଉଁ ସମୟରେ ଭାରତରେ ପ୍ରଚୁର ଗାଈ ଥିଲେ ଭାରତ ସେ ସମୟରେ ବେଶ୍ ସମୃଦ୍ଧ ମଧ୍ୟ ଥିଲା, କାରଣ ସ୍ୱାବଲମ୍ୱୀ ଥିଲା । ଯେତେବେଳେ ଆପଣ ଅନ୍ୟମାନଙ୍କ ଉପରେ ନିର୍ଭର ରହିବା ଛାଡ଼ିବେ, ସେତେବେଳେ ଆପଣଙ୍କ ନିକଟକୁ ସମୃଦ୍ଧି ଆସିବ ।

"ଗୋମାତା" ଆମ ସମୃଦ୍ଧିର ବାହକ

ଭାରତୀୟ ସଂସ୍କୃତିରେ ଗାଈକୁ “ଗୋମାତା” ରୂପେ ସମ୍ୱୋଧନ କରାଯାଏ । କାରଣ କ’ଣ ? କେବଳ ଏତିକି ନୁହେଁ ଶାସ୍ତ୍ର ଓ ପୁରାଣ ଗୁଡ଼ିକରେ ମଧ୍ୟ ଲେଖାଅଛି ଗାଈ ମଧ୍ୟରେ ୩୩ କୋଟି ଦେବଦେବୀ ବାସ କରନ୍ତି । ଏହା କିପରି ସମ୍ଭବ ?

ମା’ଟିଏ ଯେପରି ତା’ ଛୁଆକୁ ସବୁକିଛି ଦେଇଥାଏ ଠିକ୍ ସେହିପରି ଗାଈ ମାନବ ଜାତିକୁ ସବୁକିଛି ଦେଇଥାଏ । କାରଣ ପ୍ରକୃତିରେ ଗାଈ ଏକ ଏପରି ଜୀବ ଯିଏ ସମସ୍ତଙ୍କ ଅପେକ୍ଷା ଅଧିକ ଦେଇଥାଏ ଅର୍ଥାତ୍ ମାନବ ଜାତି ପ୍ରତିପୋଷଣରେ ଓ ସମୃଦ୍ଧିରେ ଗାଈର ଅବଦାନ ଅତୁଳନୀୟ । ତେଣୁ ଗାଈକୁ “ଗୋମାତା” କୁହାଯାଏ ।

ଆମ ଶାସ୍ତ୍ର କୁହେ ଗାଈ ମଧ୍ୟରେ ୩୩ କୋଟି ଦେବଦେବୀ ଅଛନ୍ତି । ୩୩ କୋଟି ଅର୍ଥ ୩୩ ପ୍ରକାରର । “କୋଟି” ଶବ୍ଦ ଏଠାରେ ପ୍ରକାର ଅର୍ଥରେ ବ୍ୟବହୃତ । ଆମେ ଗୋଟିଏ ଗୋଟିଏ ବିଶେଷ କାର୍ଯ୍ୟ ଲାଗି ଜଣେ ଜଣେ ବିଶେଷ ଦେବଦେବୀଙ୍କର ଆବାହନ, ପୂଜା ଅର୍ଚ୍ଚନା କରିଥାଉ । କିନ୍ତୁ ଗୋମାତାଙ୍କର ସେବା ଯତ୍ନ କଲେ ସମସ୍ତ ଦେବଦେବୀଙ୍କର ପୂଜା ଅର୍ଚ୍ଚନା ଏକ ସହ ହୋଇଥାଏ ।

ଗୋମାତାଙ୍କର ସେବା କଲେ, କ୍ଷୀର ପାଇଲେ । ଏଥିରୁ ଆପଣ ଦହି, ଲହୁଣୀ, ଘିଅ, ଛେନା ତିଆରି କରି ବ୍ୟବହାରରେ ଲଗାଇଥାନ୍ତି । । ଘିଅ ଜାଳିଲେ ବାୟୁମଣ୍ଡଳ ଶୁଦ୍ଧ ହୋଇଥାଏ । ଯଜ୍ଞରେ ପୂଜାପାଠରେ ଘିଅ ବ୍ୟବହାର କରାଯାଏ । ପଞ୍ଚାମୃତର ତିନୋଟି ପଦାର୍ଥ (କ୍ଷୀର, ଦହି ଓ ଘିଅ) ଗୋମାତା ହିଁ ଆମକୁ ଦେଇଥାନ୍ତି ।

ଗବେଷକ ଓ ଚିକିତ୍ସକ ଭାବ ପ୍ରକାଶ ନିଘଣ୍ଟୁ କୁହନ୍ତି :- ଗାଈ କ୍ଷୀର ଶରୀରକୁ ବଳ ଦିଅ, ହଜମ ଶକ୍ତି ବଢ଼ାଇଥାଏ, ହୃଦୟ ଓ ମସ୍ତିଷ୍କର ଅନୁକୂଳ, ଯୌବନ ରକ୍ଷାକାରୀ, ଶକ୍ତି ଦିଏ ଓ ତ୍ରିଧାତୁ ଦୋଷକୁ ଦୂର କରିଥାଏ ।

ରୁଷିଆ ବୈଜ୍ଞାନିକ ସିରୋଭିସ୍‌ଙ୍କ ଅନୁସାରେ ଗାଈଘିଅରେ ପ୍ରଚୁର ଶକ୍ତି ଅଛି ଯାହା ରେଡ଼ିଓ ଆକ୍ଟିଭ୍ ତରଙ୍ଗର ଖରାପ ପ୍ରଭାବରୁ ମଣିଷ ଶରୀରକୁ ରକ୍ଷା କରିଥାଏ ।

କାହିଁ କେଉଁ ଆବହମାନ କାଳରୁ ଆମେ ଗୋବରର ବ୍ୟବହାର କରି ଆସିଅଛୁ । ମାଟିଘରକୁ ଗୋବରରେ ଲିପି ଚିକ୍କଣ କରାଯାଏ, ଗୋବର ଫିନାଇଲ୍‌ର କାମ କରେ । ଏହା ଆମେ ଜାଣିଥିଲୁ । ତେଣୁ ସକାଳୁ ଉଠି ଦାଣ୍ଡ ଦୁଆର ଓଳାଇବା ଆଗରୁ ଗୋବର ପାଣି ପକାଯାଏ, ଯାହାକୁ ଆମେ “ପବିତ୍ର ପାଣି” କହିଥାଉ । ସବୁକିଛିକୁ ପବିତ୍ର ଓ ଶୁଦ୍ଧି କରିଥାଏ । ତେଣୁ ସେହି ପାଣିକୁ “ପବିତ୍ର ପାଣି” କୁହାଯାଏ ।

ଇଟାଲୀର ବୈଜ୍ଞାନିକ ଜି.ଇ. ବେଗଡ୍ କୁହନ୍ତି :- ଭାରତୀୟ ଦେଶୀ ଗାଈର ଗୋବର ପ୍ରୟୋଗରେ ଟି.ବି. ଓ ମ୍ୟାଲେରିଆ ଜୀବାଣୁ ମରିଯାଇଥାନ୍ତି ।

ଜାପାନର ଲୋକେ ଆଣବିକ ବିକିରଣରୁ ରକ୍ଷାପାଇବାକୁ ଗୋବରକୁ ଆପଣାଇ ନେଇଛନ୍ତି । ଗୋବର ସମସ୍ତ ଚର୍ମରୋଗ ଠିକ୍ କରିଥାଏ । ଏହା ବିଷ ଓ ଭାଇରସ୍‌କୁ ଟାଣି ନିଏ ।

ଆମେ, ଭାରତୀୟ ଲୋକେ ଗୋବରର ବହୁଳ ବ୍ୟବହାର କରିଥାଉ । ବହୁ ପୂର୍ବରୁ ଆମେ ଚାଷ ଜମିରେ ଗୋବର ପ୍ରୟୋଗ କରି ଅମଳ ଅଧିକ ମାତ୍ରାରେ ପାଉଥିଲୁ । କେବଳ ଅମଳ ନୁହେଁ, ବିଷମୁକ୍ତ ଖାଦ୍ୟ ପଦାର୍ଥ, ନିରୋଗ ଖାଦ୍ୟ ଆମେ ପାଉଥିଲୁ ।

ଦିଲ୍ଲୀର ଆଇ.ଆଇ.ଟି. ପରିସରର ସମସ୍ତ ଗାଡ଼ି ଗୋବର ଗ୍ୟାସ୍‌ରେ ଚାଲୁଅଛି । କୌଣସି ଶବ୍ଦ ନାହିଁ, ଧୂଆଁ ନାହିଁ, ପରିବେଶ ଏକଦମ୍ ପରିଷ୍କାର ରଖେ ଗୋବର ଗ୍ୟାସ୍‌ରେ ଚାଲୁଥିବା ଗାଡ଼ି । ଡିଜେଲ୍, ପେଟ୍ରୋଲ୍ ଦାମ୍‌ଠାରୁ ଢେର୍ ଅଧିକ ଶସ୍ତା ମଧ୍ୟ । ଗୋବର ଗ୍ୟାସ୍‌ରେ ରୋଷେଇ ହେଉଛି, ବିଜୁଳି ଓ ପଙ୍ଖା ମଧ୍ୟ ଚାଲୁଛି ।

ସେଥିପାଇଁ ତ ଆମର ଶାସ୍ତ୍ର ମୁକ୍ତକଣ୍ଠରେ କହିଥାଏ “ଗୋମୟେ ବସତେ ଲକ୍ଷ୍ମୀ, ଗୋମୂତ୍ରେ ଧନ୍ୱନ୍ତରୀ” । ୨୦୧୬ ମସିହା ଅକ୍ଟୋବର ୨୮ ତାରିଖରେ ବିଶିଷ୍ଟ ଔଷଧର ଦେବତା ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡ଼ିଥିଲା ।

ବର୍ତ୍ତମାନ ଆମେ ଗୋମୂତ୍ର ବିଷୟରେ ଜାଣିବା । କାହିଁକି ମୂତ୍ରରେ ଧନ୍ୱନ୍ତରୀ ବାସ କରନ୍ତି ?

ମହର୍ଷି ବାଗଭଟ୍ଟ କୁହନ୍ତି :- ପ୍ରକୃତି ଆମକୁ ଯେଉଁ ସବୁ ଚମତ୍କାରୀ ଜିନିଷ ଉପଲବ୍ଧ କରାଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଗୋମୂତ୍ର । ସେ କୁହନ୍ତି ଗୋମୂତ୍ର ଏପରି ଅଦ୍ଭୁତ ଜିନିଷ ଯେ ତାହା ବାତ, ପିତ୍ତ ଓ କଫକୁ ଶେଷ କରିବାର ଶକ୍ତି ରଖେ । କେବଳ ଗୋମୂତ୍ରରେ ବାତ ଓ କଫ ଠିକ୍ ହୋଇଥାଏ । କିନ୍ତୁ ପିତ୍ତ ପାଇଁ ଏଥିରେ କିଛି ଆୟୁର୍ବେଦିକ ଔଷଧ ମିଶ୍ରଣ କରାଯାଏ । ବାତ, ପିତ୍ତ ଓ କଫ ଦ୍ୱାରା ମଣିଷକୁ ୧୪୮ଟି ରୋଗ ହୋଇଥାଏ ଏବଂ ଗୋମୂତ୍ର ଏ ସମସ୍ତ ରୋଗକୁ ଶେଷ କରିବାର ଶକ୍ତି ରଖେ ।

ଗୋମୂତ୍ରରେ କ’ଣ ଅଛି, ଜାଣିବାକୁ ରାଜୀବ ଦୀକ୍ଷିତ ଓ ତାଙ୍କ ସଂସ୍ଥା ଲକ୍ଷ୍ନୌରେ ଥିବା ଭାରତର ଏକ ବଡ଼ ପ୍ରୟୋଗଶାଳାକୁ (ସି.ଡ଼ି.ଆର୍.ଆଇ.) ୩-୪ ପ୍ରକାରର ଦେଶୀ ବିଦେଶୀ ଗାଈଙ୍କର ମୂତ୍ର ପଠାଇଲେ । ସେହି ପ୍ରୟୋଗଶାଳାର ବୈଜ୍ଞାନିକଗଣ ୬-୮ ମାସ ପରେ ତଥ୍ୟ ଦେଲେ । ତଥ୍ୟ ଥିଲା ଭାରତୀୟ ଦେଶୀ ଗାଈଙ୍କ ମୂତ୍ରର ସାରାଂଶ ହେଉଛି ମନୁଷ୍ୟ ଶରୀରରେ ସମସ୍ତ ରୋଗକୁ ଶେଷ କରିବାକୁ ଯେତେ ଘଟକ (ରସାୟନ) ଦରକାର ତାହା ସବୁ ଗୋମୂତ୍ରରେ ଅଛି ।

ଗୋମୂତ୍ରରେ ୧୮ ପ୍ରକାର ଘଟକ ଅଛି ।

ଗୋମୂତ୍ରରେ ଥିବା ଘଟକ (ରସାୟନ):- ତମ୍ୱା, ଲୌହ, କ୍ୟାଲସିୟମ୍, ଫସ୍‌ଫରସ୍, କାର୍ବୋନିକ ଏସିଡ୍, ପଟାସ୍, ଲ୍ୟାଟୋଜ୍, ସଲଫର୍, କରକ୍ୟୁମେଣ୍ଟ୍, ୨୪ ପ୍ରକାରର ଲବଣ ।

ରାଜୀବ ଦୀକ୍ଷିତ ଗୋମୂତ୍ରର ପ୍ରୟୋଗ ସହଯୋଗୀମାନେ ଅଧିକ ପରୀକ୍ଷଣ ଦିଲ୍ଲୀର ଏ.ଆଇ.ଏମ୍.ଏସ୍. ଡାକ୍ତରଖାନାରେ ଡାକ୍ତରଙ୍କ ସହାୟତାରେ କରିଥିଲେ । ଯେଉଁମାନଙ୍କୁ ଟି.ବି., ରୋଗ ପାଇଁ ଡଟ୍‌ସ୍ ଖାଇବାକୁ ଦିଆଯାଉଥିଲା ସେମାନଙ୍କୁ ଶିଶିରେ ଭର୍ତ୍ତିକରି ଗୋମୂତ୍ର ଦିଆଯାଉଥିଲା (ଯାହା ସେମାନଙ୍କୁ ଜଣାଇ ଦିଆଗଲା ନାହିଁ )। ଯେଉଁମାନେ ଡଟ୍‌ସ୍ ସହ ଗୋମୂତ୍ର ପିଇଥିଲେ ୨ ମାସ ପରେ ସେମାନଙ୍କ ମଧ୍ୟରୁ ଯକ୍ଷ୍ମା ରୋଗର ଜୀବାଣୁ ନଥିଲା । ଯେଉଁମାନେ କେବଳ ଡଟ୍‌ସ୍ ଖାଇଥିଲେ ସେମାନଙ୍କୁ ୬ ମାସ ଲାଗିଲା । କର୍କଟ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ ଦିଆଯାଇଥିଲା । ଗଳା, ଆହାର ନଳୀ ଓ ପାକସ୍ଥଳୀ କର୍କଟରେ ଏହା ବେଶ୍ ଭଲ ପରିଣାମ ଦେଇଥିଲା । ଏକଦମ୍ ରୋଗ ଠିକ୍ ହୋଇଯାଇଥିଲା । କିନ୍ତୁ ରକ୍ତ କର୍କଟ କ୍ଷେତ୍ରରେ ଏହାର ପରିଣାମ ସେତେ ଆଶାପ୍ରଦ ହୋଇନଥିଲା ଗବେଷଣା ଚାଲିଛି ଗୋମୂତ୍ର ସହ କ’ଣ ମିଶ୍ରଣ କରି ଦେଲେ ରକ୍ତ କର୍କଟ ମଧ୍ୟ ଭଲ ହୋଇଯିବ ।

ଦେଶୀ ଗାଈ ମୂତ୍ରରେ ୧୮ ପ୍ରକାରର ଘଟକ ମିଳୁଥିବା ବେଳେ ଜର୍ସି ଗାଈ ମୂତ୍ରରେ ମାତ୍ର ତିନି ପ୍ରକାରର ଘଟକ ମିଳିଥାଏ । ଦେଶୀ ଗାଈ ଯିଏ ଚରି ବୁଲି ଘାସ ଖାଏ ବନ୍ଧା ହେଇ ରହୁନଥିବ, ସେହି ଗାଈ ମୂତ୍ର ସମସ୍ତ ରୋଗନାଶକ ଅଟେ । ଠିକ୍ ସେହିପରି ଦେଶୀ ଗାଈ କ୍ଷୀର ଓ ଜର୍ସିଗାଈ କ୍ଷୀରରେ ମଧ୍ୟ ଆକାଶ ପାତାଳ ଦଫାତ୍ । ପୃଥିବୀର ଦୁଗ୍ଧ ଉତ୍ପାଦନ କେନ୍ଦ୍ର ହେଉଛି ଡେନ୍‌ମାର୍କ । କିନ୍ତୁ ସେଠାକାର ଲୋକେ କ୍ଷୀର ଖାଆନ୍ତି ନାହିଁ । କାରଣ ତାହା ଜର୍ସି ଗାଈ କ୍ଷୀର ଓ ସେ କ୍ଷୀର ଖାଇଲେ କର୍କଟ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଅଛି । କ୍ଷୀର ଅଧିକ ହେଲେ ଡେନ୍‌ମାର୍କ କ୍ଷୀରକୁ ସମୁଦ୍ରରେ ଫିଙ୍ଗି ଦେଇଥାଏ ।

ଯେଉଁ ସମୟରେ ଭାରତରେ ପ୍ରଚୁର ଗାଈ ଥିଲେ ଭାରତ ସେ ସମୟରେ ବେଶ୍ ସମୃଦ୍ଧ ମଧ୍ୟ ଥିଲା, କାରଣ ସ୍ୱାବଲମ୍ୱୀ ଥିଲା । ଯେତେବେଳେ ଆପଣ ଅନ୍ୟମାନଙ୍କ ଉପରେ ନିର୍ଭର ରହିବା ଛାଡ଼ିବେ, ସେତେବେଳେ ଆପଣଙ୍କ ନିକଟକୁ ସମୃଦ୍ଧି ଆସିବ ।

ଭାରତୀୟ ଦେଶୀ ଗାଈ, ଆମର ଗୋମାତା ଆମକୁ ଶକ୍ତିଶାଳୀ, ଦୃଢ଼ ନିରୋଗ ରଖିବା ସହ ଆମକୁ ସମୃଦ୍ଧିର ପଥରେ ଆଗେଇ ନେବାକୁ ସଦାସର୍ବଦା ପ୍ରସ୍ତୁତ ଅଛନ୍ତି କିନ୍ତୁ ଆମେ ଅଭାଗା, ହତଭାଗା ଆମ ମା’ର ଦାନକୁ ପୂର୍ଣ୍ଣ ରୂପେ ବିନିଯୋଗ କରିବାକୁ ଅସମର୍ଥ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top