ସମସ୍ୟାର ଗନ୍ତାଘର ଆମ ଜୀବନ । ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତ ସମସ୍ୟାର ରୂପରେଖ ବଦଳୁଥାଏ କିମ୍ବା ବୃଦ୍ଧି ପାଉଥାଏ । ତା ଭିତରେ ବି ଆମେ ସହଜ ହେବାକୁ ଚେଷ୍ଟା କରୁ କାରଣ ଆମେ ଜାଣୁ ନା ଆମକୁ ସମସ୍ୟା ଛାଡିପାରିବ ନା ଆମେ ସମସ୍ୟାକୁ । ସମସ୍ୟାରହିତ ଜୀବନ କୋଉ ଜନ୍ମ କିମ୍ବା ଅନ୍ୟ କାହାଠାରେ ବି ମିଳିବା ଅସମ୍ଭବ । ମଣିଷ ଜୀବନ ଛାଡି ଯେକୌଣସି ଜୀବକୁ ଦେଖିଲେ ବୁଝିହେବ ସମସ୍ୟା କାହା ଜୀବନରେ ନଥାଏ ଯେ ! ସମସ୍ୟା ସହିତ ବଞ୍ଚି ଜାଣିଛେ ବୋଲି ତ ଜୀବନକୁ ଜୀଇଁହେଉଛି ! ଯେପରି ଚଢେଇଟିଏ ବି ଝଡବାତ୍ୟା ବର୍ଷାରେ ଲଢୁଥାଏ ତା ଛୋଟ ଛୁଆଙ୍କୁ ସୁରକ୍ଷା ଦେବା ପାଇଁ ! ଦୈନନ୍ଦିନ ଜୀବନରେ ଚିରାଚରିତ ସମସ୍ୟାମାନ ଘେଷେରା ହେଲେ ମଧ୍ୟ ଅଣଦେଖା ହୋଇନଥାଏ । ବରଂ ଅଭ୍ୟାସ ଅନୁଯାୟୀ ପରୋକ୍ଷ-ସାଥୀ ବା ସହଚର ବନିଯାଇଥାଏ । ଯେତେ କଠୋର ବା ଅଗ୍ରହଣୀୟ ହେଲେ ମଧ୍ୟ ସେସବୁକୁ ଅଗ୍ରାହ୍ୟ କରିହେବ ନାହିଁ କି ଜୀବନରୁ ବାଦ୍ ଦେଇ ହେବନାହିଁ । ଯେପରି ଖାଦ୍ୟଗୁଣ, ଅଭ୍ୟାସ । ଖାଦ୍ୟ ପ୍ରତିଟି ଜୀବର ପ୍ରଥମ ଓ ପ୍ରଧାନ ଆବଶ୍ୟକତା । କିନ୍ତୁ ସେହି ଖାଦ୍ୟ ଯଦି ଶରୀର ଓ ଜୀବନ ଶୈଳୀରେ ସମସ୍ୟା ସୃଷ୍ଟି କରେ ?
ଆଦିମ କାଳରୁ ଆଚାର ବ୍ୟବହାର, ଗୁଣ ସହିତ ମଣିଷର ଜୀବନଯାପନ ଶୈଳୀରେ ଢେର୍ ପରିବର୍ତ୍ତନ ଆସିଛି । ଏପରିକି ମଣିଷ ଆକାର ପ୍ରକାର ଭିତ୍ତିରେ ବହୁ ଭାବରେ ବିବର୍ତ୍ତିତ ହୋଇଛି । ସେତେବେଳେ ଉଭୟଭକ୍ଷୀ ଥିବା ମଣିଷ ଆଜି ମଧ୍ୟ ଅନେକାଂଶରେ ଅପରିବର୍ତ୍ତିତ । ଆବଶ୍ୟକତା ବା ଉପଲବ୍ଧତା ହେତୁ ମାଂସାଶୀ ଓ ନିରାମିଶାଷୀ ଭାବେ ଭୋକ ମେଣ୍ଟାଉଥିଲା, ଆଜିକାଲି ଜିହ୍ୱା ଲାଳସା ପାଇଁ ସେ ମାଂସାଶୀ । କୋଭିଡ୍ ସମୟରେ ଶରୀରରେ ପ୍ରୋଟିନ୍ର ଅଭାବ ମେଣ୍ଟାଇବା ପାଇଁ ମୁଖ୍ୟତଃ ଅଣ୍ଡା ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେବା ମାଂସାଶୀ ହେବାର ଆବଶ୍ୟକତାକୁ ପ୍ରମାଣିତ କରୁନି କି ? ଅର୍ଥାତ୍ ଏ ବିଶାଳ ସଂସାରରେ ମଣିଷ ବା ଅନ୍ୟ ଜୀବଜନ୍ତୁ ପରସ୍ପରର ଆବଶ୍ୟକତାନୁସାରେ ବଞ୍ଚିବାର ଅଧିକାର ବହନ କରନ୍ତି । କିନ୍ତୁ ପ୍ରତି ସ୍ତରରେ ଗୋଟେ ନିର୍ଦ୍ଧାରିତ ସୀମାରେଖା ରହିଥାଏ । ଅଦୃଶ୍ୟ ହେଲେ ମଧ୍ୟ ସେ ସୀମାକୁ ଟପିବା ଅନୁଚିତ୍ ।
ପ୍ରକୃତିର ଭାରସାମ୍ୟ ଯଦି ସୁରକ୍ଷିତ ନରହେ ତେବେ ସନ୍ତୁଳନ ପ୍ରଭାବିତ ହେବା ସ୍ୱାଭାବିକ । ବିଜ୍ଞାନ କହେ ଆପଣ ଯେକୌଣସି ଜିନିଷ ଅତିମାତ୍ରାରେ ଖାଇଲେ ଶରୀର ପ୍ରତି ବିପଦ । ଏବେ ସାମାଜିକ ଗଣମାଧ୍ୟମରେ ଭିଡିଓଟିଏ ବ୍ୟାପକ ହେଉଛି- ନିର୍ଦ୍ଧିଷ୍ଟ ପ୍ରକାରର ଆଳୁ, ଆଲମଣ୍ଡ୍, ଗୋଲମରିଚ, କ୍ଷୀର, ଖାଇବା ତେଲ ଓ ଅନ୍ୟାନ୍ୟ କିଛି ଜିନିଷ ଶରୀର ପାଇଁ କ୍ଷତିକାରକ ! ପ୍ରାକୃତିକ ବିବର୍ତ୍ତନ ଯୋଗୁଁ ହେଉ ବା ଅଧିକ ଅମଳକ୍ଷମ କରିବାକୁ ରାସାୟନିକ ସାର ପ୍ରୟୋଗ ଖାଦ୍ୟଶସ୍ୟକୁ ବିଷାକ୍ତ କରୁଛି । ତା ସହିତ ମାଟି ଓ ବାୟୁମଣ୍ଡଳକୁ ପରୋକ୍ଷରେ ପ୍ରଭାବିତ କରୁଛି । ହରମୋନ୍ଯୁକ୍ତ ଇଂଜେକ୍ସନ୍ ଦ୍ୱାରା ଅଧିକ କ୍ଷୀର ପାଇବା ଲୋଭରେ ଦୁଗ୍ଧଚାଷୀ ଗୋଦୁଗ୍ଧକୁ ବିଷାକ୍ତ କରିବାକୁ ପଛାଉନାହିଁ । କମ୍ପାନୀ ସେ କ୍ଷୀରରୁ ଆବଶ୍ୟକ ପୋଷକତତ୍ତ୍ୱ କାଢି ପୁନର୍ବାର ତାକୁ ଅପମିଶ୍ରିତ କରି ବଜାରକୁ ଛାଡୁଛି । କୋଟିକୋଟି ଲୋକ ଜାଣି ସୁଦ୍ଧା ପ୍ରତିବାଦ କରୁନାହାନ୍ତି । ଆମିଷରେ ମଧ୍ୟ ରାସାୟନିକ ପ୍ରୟୋଗ ପ୍ରମାଣିତ କରୁଛି ଖାଦ୍ୟ ପେଟର ଭୋକ ମେଣ୍ଟାଇବା ସହିତ ଶରୀରକୁ ରୋଗଗ୍ରସ୍ତ କରାଉଛି ।
ଅପମିଶ୍ରିତ ଖାଦ୍ୟ ଯେ ମଣିଷର ସ୍ୱାସ୍ଥ୍ୟ ସହିତ ମନ ଉପରେ ପ୍ରଭାବ ପକାଉଛି ସେକଥା ଜାଣିବାକୁ ନା କାହାପାଖେ ସମୟ ଅଛି ନା ଇଚ୍ଛା । ସ୍ୱାର୍ଥନ୍ୱେଷୀ ବ୍ୟବସାୟୀମାନେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଇ ପରୋକ୍ଷରେ ଜନସାଧାରଣଙ୍କ ଜୀବନ ସହିତ ଖେଳୁଛନ୍ତି । ସେମାନଙ୍କ ଶ୍ରମାର୍ଜିତ ଜମାପୁଂଜିକୁ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇବା ନାଁରେ ଲୁଟୁଛନ୍ତି । ଗ୍ରାହକ ସଚେତନ ହେଲେ ଏସବୁରେ ଲଗାମ୍ ଲାଗିପାରିବ । ହେଲେ ପ୍ରତିବାଦ କାହିଁ ! ପ୍ରତିଷ୍ଠିତ ମଲ୍ମାନଙ୍କରେ ଭିଡ ବେଶୀ, ବିଭିନ୍ନ ଲୋଭନୀୟ ଅଫର୍ ଦ୍ୱାରା ଗ୍ରାହକଙ୍କୁ ଆକର୍ଷିତ କରୁଥିବା କମ୍ପାନୀ ପଲିଥିନ୍ ବାବଦରେ ବି ଟଙ୍କା ଗଣିନେଉଛି, ନିଘା ନାହିଁ କାହାର । ହୋଟେଲ୍, ମଲ୍, ଗହଣା ଦୋକାନ ପରି ବିଶାଳ ପ୍ରତିଷ୍ଠାନଗୁଡିକରେ ଜି.ଏସ.ଟି ବାବଦରେ ହଜାର ହଜାର ଟଙ୍କା ଗଣିନେଉଥିବା ବ୍ୟବସାୟୀଙ୍କୁ ଉତ୍ତର ମାଗିବାକୁ ଆମ ପାଖେ ପ୍ରଶ୍ନର ଅଭାବ । ଅଥଚ ଆଧୁନିକ ବୋଲାଉଥିବା ସଚେତନ ନାଗରିକମାନେ ଅଯଥା କଥାରେ ବାଦବିବାଦ ଉପୁଜାଇ ମଣିଷ ଭିତରେ ବିଭାଜନ କରିବାକୁ ବ୍ୟଗ୍ର ।
ନିଜ ଭିତରର କଳି ହିଁ ସ୍ୱଜାତିକୁ ଦୁର୍ବଳ କରିଦିଏ ତାର ପ୍ରମାଣ ହେଉଛି ଦେଶ ବିଭାଜନ, ରାଜ୍ୟ ବିଭାଜନ, ବୈଦେଶିକ ଶକ୍ତିମାନଙ୍କ ଦ୍ୱାରା ଆମଦେଶକୁ ଶାସନ । ଦୁଃଖ ଓ ପରିତାପର ବିଷୟ ଦେଶବାସୀ ଏଥିରୁ କିଛି ଶିକ୍ଷା କଲେନାହିଁ । ଭାବବିଳାସରେ ତନ୍ମୟ ହୋଇ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଆମ ଦେଶକୁ କୋହିନୂର୍ ହୀରା ଫେରାଇ ଆଣିବେ ବୋଲି ଉତ୍ସାହିତ ହୋଇପଡିଲେ ଦିନାକେତେ ! ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତର୍ଜମା ହେଲା । କୋହିନୂର୍ ଆସିବା ବଡକଥା ନୁହେଁ କିନ୍ତୁ ପରବର୍ତ୍ତୀ ସ୍ତରରେ ତାର ରୂପରେଖ କଣ ହେବ ! ପ୍ରକୃତ କୋହିନୂର ହୀରା ପରିବର୍ତ୍ତିତ ! ତାକୁ ରାଣୀଙ୍କ ମନପସନ୍ଦର ଆକାର ଦିଆଯାଇଛି ପରବର୍ତ୍ତୀସମୟରେ । ପୁରୁଣା ଆକୃତିର ସେ ମହର୍ଘ କୋହିନୂର୍ ତାର ମୌଳିକ ଆକାର ହରାଇଛି । ଯଦି ଆସିବ ପୁଣି କିଛି ଚୁକ୍ତି ମାଧ୍ୟମରେ ଆସିବନି ତ ! କିଛି ଲୋକ ତ ଆମକୁ ବର୍ଷବର୍ଷ ଧରି ଶାସନ କରି ଲୋକଙ୍କ ଉପରେ ଅତ୍ୟାଚାର କରିଥିବା ଦେଶରେ ଜଣେ ଭାରତୀୟ-ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେଲେ ବୋଲି ଖୁସିରେ ଆତ୍ମହରା ହୋଇପଡିଲେ । କିନ୍ତୁ ବାସ୍ତବତାକୁ ଏଡେଇଦେଇ ଆମେ କଣ ସେ ଦେଶକୁ ଶାସନ କରିପାରିବା ! ସେ ଶକ୍ତି ଓ ସାମର୍ଥ୍ୟ କଣ ଆମର ଅଛି !
ଦ୍ୱିତୀୟ କଥା ହେଲା କୋହିନୂର୍ ଫେରିଆସିଲେ କୋଉଠି ରହିବ ସେ ନେଇ ତର୍କବିତର୍କ ଆରମ୍ଭ ହୋଇଯିବ । ସେ ପୁଣି ରାଜନୀତିର ଚକ୍ରବୁ୍ୟହରେ ପେଷି ହୋଇ ଲୋକମାନଙ୍କୁ ଉସ୍କାଇବ ପରସ୍ପରକୁ କ୍ଷତାକ୍ତ କରିବାକୁ । ବିଚରା ହୀରାଟି ବି ନିଜ ସ୍ଥିତିକୁ ନେଇ ଭାବିବ, ସେ ଠିକ୍ ଥିଲା ପୂର୍ବ ନିର୍ଦ୍ଧାରିତ ମୁକୁଟରେ । ଅନ୍ୟ ହୀରା ଓ ରତ୍ନମାନେ ତାକୁ ଈର୍ଷା କରୁଥିଲେ ଅନ୍ତତଃ । ଏଠି ତ ଏତେ ମୁକୁଟ, ଏତେ ପ୍ରକାରର ହୀରା । ସେ କଣ ନିଜକୁ ଆହୁରି ଭାଙ୍ଗି ଧୂଳିକଣା କରି ବାଣ୍ଟିଦେବ ନିଜକୁ !
ବିଭିନ୍ନ ଧାରାରେ ଲୁଣ୍ଠିତ ଓ ଛଳିତ ହୋଇ ମଧ୍ୟ ନୀରବ ରହିବା ଗୋଟେ ପ୍ରକାରର ପରାଧୀନତା । ନିଜ ସ୍ଥିତି, ପ୍ରତିଷ୍ଠା ଓ ପ୍ରତିପତ୍ତି ଜାହିର୍ କରିବାକୁ ଯେକୌଣସି ସ୍ଥିତିକୁ ଯିବାରେ ବାଧା ନାହିଁ । କିନ୍ତୁ ମାନବିକତା ରକ୍ଷା କରିବା ସହିତ ଅନ୍ୟକୁ ଆଘାତ ନଦେଇ ଆମେ କଣ ନିଜ ସ୍ଥିତି ବଜାୟ ରଖିପାରିବାନି ! ଯିଏ ବିଜ୍ଞାନ ସାହାଯ୍ୟରେ ସୃଜିପାରେ, ଧ୍ୱଂସିପାରେ ସେ କଣ ଏତେ ଅକ୍ଷମ ନିଜ ସ୍ଥିତି ଜାହିର୍ କରିବାକୁ ! ଅନ୍ୟ କାନ୍ଧରେ ଗୋଡ ରଖି ଉପରକୁ ଉଠିବାରେ ମଣିଷ କଣ ଏତେ ଅଭ୍ୟସ୍ତ ଯେ ନିଜ ଦକ୍ଷତା ପ୍ରତି ସେ ସନ୍ଦୀହାନ ହୋଇପଡିଛି ! ସେଥିପାଇଁ ସମାଜର ସାମଗ୍ରିକ ବିକାଶ ତା ପାଇଁ ଉହ୍ୟ, ନିଜର ଉନ୍ନତି ହିଁ ତାର ଚରମ ଲକ୍ଷ୍ୟ ? ଏସବୁରୁ ଉପରକୁ ନଉଠିଲେ ସ୍ୱାର୍ଥାନ୍ଧତା ସମଗ୍ର ସତ୍ତାକୁ ଆବୋରିବସିବ ।
ଆମ ବିଚାର ଓ ମାନସିକତାରେ ଏତେ ପ୍ରଭେଦ ଯେ କୌଣସି ଗୋଟେ କଥାକୁ ଆମେମାନେ ସମାନ ଚିତ୍ତରେ ସହଜେ ଗ୍ରହଣ କରିପାରିନାହିଁ । କାଦୁଅ ଫିଙ୍ଗାଫିଙ୍ଗିରେ ଦେଶର ଉନ୍ନତି ହୁଏନା କିନ୍ତୁ ମାନବିକତା କ୍ଷୁର୍ଣ୍ଣ ହୁଏ, ଏକତା ବିପର୍ଯ୍ୟୟ ହୁଏ । ସ୍ୱପ୍ନବିଳାସୀ ହେବା କିମ୍ବା ଆଶା ପାଳିବା ମଣିଷର ମନ ପାଇଁ ଭଲ । ସେ ଆଳରେ ବାସ୍ତବତାକୁ ଏଡେଇଯିବା ବୁଦ୍ଧିମତ୍ତା ନୁହେଁ । ମଣିଷ ସାମଗ୍ରିକ ଉନ୍ନତିକୁ ଗୁରୁତ୍ୱ ନଦେଇ ସବୁବେଳେ ସ୍ୱାର୍ଥସର୍ବସ୍ୱ ହୋଇଯିବା ଦେଶର ଅଭିବୃୃଦ୍ଧି ପାଇଁ ଶୁଭଙ୍କର ନୁହେଁ । ଅତ୍ୟଧିକ ଭୋଗବିଳାସୀ ଓ ସ୍ୱାର୍ଥପ୍ରବଣତା ଯୋଗୁଁ ଠିକ୍ ଭୁଲ୍ ପ୍ରତି ତାର ନଜର ନାହିଁ । ଖାଦ୍ୟକୁ ଅପମିଶ୍ରିତ କରି ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଦ୍ୱାରା ଜନସମୁଦାୟ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ।
ବଜାରରେ ଉପଲବ୍ଧ ପ୍ରତିଟି ଜିନିଷ ଆଜିକାଲି ଅପମିଶ୍ରିତ ଓ ରାସାୟନିକ ଦ୍ରବ୍ୟ ଦ୍ୱାରା ସଂରକ୍ଷିତ । ଆମେ ଜାଣି ସୁଦ୍ଧା ସ୍ୱାସ୍ଥ୍ୟ ସଚେତନ ହୋଇପାରୁଛେ କି ? ମଣିଷସମାଜକୁ ରୁଗ୍ଣ ଓ ଆୟୁଷକୁ କ୍ଷୀଣ କରୁଥିବା ବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରିବା ନା ନୀରବ ରହିବା ତାହା ଆମ ବିଚାରଧାରା ଉପରେ ନିର୍ଭର କରେ । ଅପମିଶ୍ରିତ ଖାଦ୍ୟ ବଜାରରେ ଉପଲବ୍ଧ କରାଉଥିବା କମ୍ପାନୀ ସମସ୍ୟାର ମୂଳ । ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପୂର୍ବରୁ ସମାଜରେ ସଚେତନତା ସୃଷ୍ଟି କରିବା ଉଚିତ । ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉଚିତ୍ । ଏହାକୁ ବାଦ୍ ଦେଇ ପାରସ୍ପରିକ ହିଂସା, ଘୃଣା, ଈର୍ଷା ମନୋଭାବ ପୋଷଣ କରି ହଣାକଟା ହେବାରେ କି ଗୌରବ! ସବୁକଥାର ଗୋଟେ ସୀମା ଥାଏ, ସେହି ସୀମାରେଖାକୁ ନଜଗିଲେ ଜୀବନ ସହିତ ମାନବିକତା ବି ଅବକ୍ଷୟମୁଖୀ ହେବ, ସରଳ ମଣିଷଟିର ବଂଚିବା ଦୁର୍ବିସହ ହୋଇପଡିବ ।
ଖାଦ୍ୟରେ ପୋଷକତତ୍ତ୍ୱର ଅନୁପାତ ଠିକ୍ ନରହିଲେ ମଣିଷ ବଞ୍ଚିବ କିପରି ? ରୋଗର ଗନ୍ତାଘର ହୋଇ ସେ କିପରି ଲଢିବ ସମସ୍ୟାମାନଙ୍କ ବିରୁଦ୍ଧରେ ? ପ୍ରଥମେ ବିଷାକ୍ତ ଖାଦ୍ୟକୁ ନିଷେଧ କରିବା ପାଇଁ ଲୋକମାନେ ସଚେତନ ହୁଅନ୍ତୁ । ପରିବର୍ତ୍ତନର ଚେଷ୍ଟାରେ ସାମିଲ୍ ହେଲେ ହିଁ ପରିବର୍ତ୍ତନ ସଂଭବ । ଅସମ୍ଭବ କଥାଟି ସବୁବେଳେ ନକାରାତ୍ମକ । ତେଣୁ ଅଣନିଶ୍ୱାସୀ ଜୀବନଚର୍ଯ୍ୟା ଭିତରୁ ସମୟ କାଢି ନିଜ ଶରୀର ଓ ରୋଗକୁ ନେଇ ଚିନ୍ତା କରାଯାଉ । ଆବଶ୍ୟକ ସ୍ଥଳେ “ସଡକ ସୁରକ୍ଷା, ଜୀବନ ରକ୍ଷା ସ୍ଲୋଗାନ୍” ପରି “ଖାଦ୍ୟ ସୁରକ୍ଷା, ଜୀବନ ରକ୍ଷା” ସ୍ଲୋଗାନ୍ ପ୍ରସ୍ତୁତ କରି ସଚେତନ କରାଇବା ପାଇଁ ସରକାରଙ୍କୁ ଅବଗତ କରାଯାଉ ।