ମହାଭାରତ ଯୁଦ୍ଧ କେବଳ ଅଧିକାରର ଲଢେଇ ନଥିଲା । ସତ୍ୟ, ଧର୍ମ, ନ୍ୟାୟ, ସମ୍ମାନବୋଧର ଲଢେଇ ଥିଲା । ସଂପୂର୍ଣ୍ଣ ମହାଭାରତକୁ ତର୍ଜମା କଲେ ଅନୁଭୂତ ହୁଏ ନାରୀ ଅନ୍ତର୍ମନର କାରୁଣ୍ୟ, ସ୍ଥିତିଜନିତ ବୈକଲ୍ୟ, ଦ୍ୱନ୍ଦ୍ୱ ଓ ଅସହାୟତା, ଜୋର୍ ଜବରଦସ୍ତ ଅନ୍ୟାୟର ଗ୍ରହଣୀୟତା, ଅପମାନ, ତାତ୍ସଲ୍ୟ ଓ ପ୍ରତିଶୋଧପରାୟଣତା । ଅବଶ୍ୟ ଏଥିରେ ନାରୀମାନଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । କେବଳ ଦ୍ରୌପଦୀଙ୍କୁ ଦୋଷ ଦେଇଦେଲେ ହେବ ନାହିଁ । ଏଠି ତ ସେ ଅପମାନିତା, ଲାଞ୍ଚ୍ଛିତା ଓ ଅସହାୟା ହୋଇ ମଧ୍ୟ ନିଜ ଅସ୍ମିତା ପାଇଁ ଲଢିଥିଲେ । ଯେତିକି ସମାଜ ଜଳାଇନଥିଲା ତାଠାରୁ ଢେର୍ ବେଶି ଜଳାଇଥିଲେ ପରିବାର, ସ୍ୱାମୀ ଓ ଶାଶୁ । କେବେ ପଂଚସ୍ୱାମୀଙ୍କ ଅଙ୍କଶାୟିନୀ ଭାବେ ଲାଞ୍ଚ୍ଛିତା, କେବେ ଦୁଃଶାସନ ଦୁର୍ଯ୍ୟୋଧନଙ୍କ ପରି କଦର୍ଯ୍ୟ ମନୋଭାବାପନ୍ନ ଦିଅରଙ୍କ ଦ୍ୱାରା ଅପମାନିତା ତ କେବେ ଦେଢଶୁର କର୍ଣ୍ଣଙ୍କ ତାତ୍ସଲ୍ୟଭରା ବିଦ୍ରୂପାତ୍ମକ ଟିପ୍ପଣୀ ଦ୍ୱାରା ଆଘାତପ୍ରାପ୍ତା ବୋହୂଟିଏ ନିଜ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ କବାଟ କିଳି କାନ୍ଦିନଥିଲା ବରଂ ଆହତ ସିଂହୀ ପରି ଗର୍ଜିଥିଲା .. ଶାସନ ବ୍ୟବସ୍ଥାକୁ ନେଇ । ପରିବାରର ଅତ୍ୟାଚାର ବିରୁଦ୍ଧରେ ପ୍ରଥମ କରି ସ୍ୱର ଉତ୍ତୋଳନ କରିଥିଲା ନାରୀଟିଏ । ଭୀଷ୍ମ ପିତାମହ, ବିଦୂରଙ୍କ ପରି ଜ୍ଞାନୀଗୁଣୀମାନଙ୍କୁ ନିରୁତ୍ତର କରିଦେଇଥିଲା ସେ । ସ୍ୱାମୀମାନେ ବି ବାଦ୍ ପଡିନଥିଲେ ସେ ଆକ୍ରୋଶରୁ ଯେଉଁମାନେ ନାରୀକୁ ପଣ୍ୟ ଦ୍ରବ୍ୟ ପରି ବ୍ୟବହାର କରିଥିଲେ । ତା ନ୍ୟାୟ ଦରବାରରେ ସମସ୍ତେ ଥିଲେ କାଠଗଡାରେ । ନାରୀର ଅସ୍ମିତା ଉପରେ ପ୍ରଥମ କରି ନାରୀଟିଏ ପ୍ରତିବାଦ କରିଥିଲା ।
ସେଥିପାଇଁ ଆଗକୁ ଗୋଟେ ପ୍ରକାରର ବିଶ୍ୱଯୁଦ୍ଧର ପରିକଳ୍ପନା କରି ରାଜନୀତି ଅନୁସାରେ ଅନ୍ୟ ରାଜ୍ୟକୁ ନିଜ ପକ୍ଷକୁ ଆଣିବାର ଯୋଜନା କରି ବିଭିନ୍ନ ଆଳରେ କେବେ ଭୀମଙ୍କୁ ତ ପୁଣି କେବେ ଅର୍ଜୁନଙ୍କୁ ଏକାଧିକ ବିବାହ କରିବାକୁ ପଡିଥିଲା । ଯୁଦ୍ଧର ପରିଣାମକୁ ନେଇ ଶ୍ରୀକୃଷ୍ଣଙ୍କ ମନରେ ସନ୍ଦେହ ଥିଲା କି ନା ପର କଥା । ସେ ତ ଅବତାରୀ ପୁରୁଷ ପୁରାଣ ଶାସ୍ତ୍ରାନୁସାରେ । ତାଙ୍କ ପାଇଁ ବିଜୟ ତୁଚ୍ଛ କଥା । ଆଗାମୀ ସମାଜ ପାଇଁ ଏକାଧିକ ବାର୍ତ୍ତା ବହନ କରୁଥିବା ମହାଭାରତ ଯୁଦ୍ଧ ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା ସିନା କିନ୍ତୁ ସେ ଯେ କଂସର ତାରଣ ନିମନ୍ତେ ଦେବକୀଙ୍କ କୋଳମଣ୍ଡନ କରିଥିଲେ !
ଅବତାରୀ ପୁରୁଷମାନେ କୌଣସି ଗୋଟିଏ କାର୍ଯ୍ୟ ପାଇଁ ନୁହେଁ ବରଂ ଅନେକ କାର୍ଯ୍ୟ ସଂପନ୍ନ କରିବା ପାଇଁ ଭୂପୃଷ୍ଠରେ ଜନ୍ମ ନେଇଥାନ୍ତି । ପ୍ରମାଣ ସ୍ୱରୂପ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ନିଆଯାଇପାରେ । ହଁ ଏହା ସତ୍ୟ ଯେ ମହାଭାରତ ଯୁଦ୍ଧର ଭୟାବହତାକୁ ନେଇ ସେ ବିଶେଷ ସଚେତନ ଥିଲେ । ସେ ଜାଣିଥିଲେ ବହୁତ କିଛି ହରାଇବାକୁ ପଡିବ ନ୍ୟାୟ, ସତ୍ୟ, ଧର୍ମ ଓ ଅଧିକାରର ଲଢେଇ ପାଇଁ । ନାରୀ ଉତ୍ପୀଡନର ପରିଣାମରେ ଗୋଟେ ପିଢିକୁ ଭୋଗିବାକୁ ହେବ ଭୟାବହ ଦଣ୍ଡ । ଅନେକ ଯୋଦ୍ଧା ପ୍ରାଣବଳି ଦେବେ । ରକ୍ତାକ୍ତ ସଂଘର୍ଷର ପ୍ରମାଣ କାଳ କାଳ ପାଇଁ ରହିଯିବ ।
ସେ ଯୁଗ ସତୀ ସୀତାଙ୍କର ନଥିଲା, ଥିଲା ପାଞ୍ଚାଳୀଙ୍କର ଯେଉଁଠାରେ ନାରୀ ଅସହାୟା ନୁହେଁ, ଜ୍ୱାଳାମୁଖୀ, ପ୍ରତିଶୋଧପରାୟଣା । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରାୟଶ୍ଚିତ ସେ ନିଜେ ବି କରିଥିଲେ ନିଜ ପଞ୍ଚପୁତ୍ରଙ୍କ ଜୀବନ ବିନିମୟରେ । ୟାଠାରୁ ବଡ ତ୍ୟାଗ କଣ ହୋଇପାରେ ! କିନ୍ତୁ ଯୁଦ୍ଧରେ ଉଭୟ ପକ୍ଷ ଛଳନାର ଆଶ୍ରୟ ନେଇଥିଲେ ଅଳ୍ପ ବହୁତେ, ଏକଥାକୁ ଅସ୍ୱୀକାର କରିହେବ ନାହିଁ । ସେ କର୍ଣ୍ଣବଧକୁ ନେଇ ହେଉ କିମ୍ବା ଅଶ୍ୱତ୍ଥାମାର ନିଧନ ସମାଚାର, କୁନ୍ତୀଙ୍କର ମାଆ ଭାବେ ପାଞ୍ଚ ପୁତ୍ରଙ୍କୁ ଆପତ୍ତିଜନକ ଆଦେଶ ବା ପୁତ୍ର କର୍ଣ୍ଣର କବଚକୁଣ୍ଡଳ ମାଗିନେବାର କୌଶଳ ଏସବୁ ଗୋଟେ ଲେଖାଁ ଉପକ୍ରମଣିକା ହୋଇପାରେ ।
ଦୁର୍ଯ୍ୟୋଧନ ଓ ଅର୍ଜୁନଙ୍କ ଶ୍ରୀକୃଷ୍ଣଙ୍କଠାରୁ ସାହାଯ୍ୟ ମାଗିବାବେଳେ ପାଦ ପାଖରେ ଅର୍ଜୁନ ଓ ମୁଣ୍ଡ ପାଖରେ ଦୁର୍ଯ୍ୟୋଧନଙ୍କ ଉପସ୍ଥିତି ଏକ ତାର୍କିକ ବିଚାର ହୋଇପାରେ । ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କର ସେନାନୀ ମାଗିଥିବାବେଳେ ଅର୍ଜୁନଙ୍କ କେବଳ ଶ୍ରୀକୃଷ୍ଣଙ୍କୁ ମାଗିବା ସମର୍ପଣ ଓ ବିଶ୍ୱାସର କଥା । ଅନେକ ଦୃଷ୍ଟାନ୍ତ ମିଳିଯିବ ମହାଭାରତରୁ ଯେଉଁଠାରେ ସତ୍ୟ, ନ୍ୟାୟ, ଧର୍ମ ପାଇଁ ଅଧର୍ମକୁ ବି ଆପଣେଇବାକୁ ପଡିଛି । କିନ୍ତୁ ତାହା ସେହି ସ୍ଥିତି ପାଇଁ, ସେହି କ୍ଷଣରେ ଉପଯୁକ୍ତ ହୋଇପାରେ । କାରଣ ଠିକ୍ ଭୁଲ୍, ନ୍ୟାୟ ଅନ୍ୟାୟ ଆପେକ୍ଷିକ । ଯାହା ଏହି କ୍ଷଣରେ ଠିକ୍ ଲାଗୁଛି ପରକ୍ଷଣରେ ଭୁଲ୍ ହୋଇପାରେ । ସବୁକିଛି ସମୟ ନିୟନ୍ତ୍ରିତ କରୁଥାଏ । ଆମେ ଯେ କେବଳ ନିମିତ୍ତ ମାତ୍ର ।
କିନ୍ତୁ ତର୍କର ପରିସରଭୁକ୍ତ ହେଲେ ଗୋଟିଏ ପ୍ରଶ୍ନ ବ୍ୟଥିତ କରେ- ଧୃତରାଷ୍ଟ୍ର ଚାହିଁଥିଲେ ମହାଭାରତ ଯୁଦ୍ଧ ହୁଏତ ହୋଇନଥାନ୍ତା । ଗାନ୍ଧାରୀ ଚାହିଁଥିଲେ ରାଜବଂଶୀୟ କୁଳବଧୂକୁ ରାଜସଭାରେ ବିବସନା କରିବାର ଚକ୍ରାନ୍ତ ରଚାଯାଇନଥାନ୍ତା । ଏ ଦୁହେଁ ମୂଳତଃ ଦାୟୀ । ଧୃତରାଷ୍ଟ୍ରଙ୍କ କ୍ଷମତାଲିପ୍ସା ଓ ଗାନ୍ଧାରୀଙ୍କ ପୁତ୍ରମୋହ ସେମାନଙ୍କୁ ଏତେ ଆକ୍ରାନ୍ତ କରିବସିଥିଲା ଯେ ନିଜ ଅନ୍ତର୍ମନରେ ବି ମୋହମାୟାର ପରଳ ଚଢିଯାଇଥିଲା । ନା ପିତା ଧୃତରାଷ୍ଟ୍ର ନା ମାତା ଗାନ୍ଧାରୀ କେହି ମଧ୍ୟ ନିଜ ପିଲାମାନଙ୍କୁ ଶୃଙ୍ଖଳିତ ଜୀବନଯାପନ, ଧର୍ମ ନ୍ୟାୟ ପଥ ଆଚରିବା, ସଂପର୍କର ଉଚିତ୍ ପରିଭାଷା ବା ସମ୍ବେଦନଶୀଳତା ଶିଖାଇନଥିଲେ । ତାହା ହିଁ ବିଡମ୍ବନା !
ପରପିଢି ସେଥିରୁ କଣ ଶିକ୍ଷା ଲାଭ କଲେ ଜଣା ନାହିଁ । କାରଣ ପରିବାର ଓ ସମାଜରେ ଆଜି ବି ଧୃତରାଷ୍ଟ୍ରମାନେ କ୍ଷମତା ଲୋଭରେ ଯେକୌଣସି ଅନୀତି ଅନ୍ୟାୟରେ ଲିପ୍ତ । ନିଜ ଗାଦି ବଞ୍ଚାଇବା ପାଇଁ ଅନୀତି, ଅନ୍ୟାୟ ପଥର ଯାତ୍ରୀ । ଗାନ୍ଧାରୀମାନଙ୍କ ଆଖିରେ ସନ୍ତାନ ମୋହର ପଟି । ସେଭଳି ସ୍ଥିତିରେ ପିଲାମାନେ ଜଣେ ଲେଖାଁ ଦୁଃଶାସନ, ଦୁର୍ଯ୍ୟୋଧନ ବନିବାକୁ ବାଧ୍ୟ । ଅପର ପକ୍ଷରେ ପଞ୍ଚୁପାଣ୍ଡବମାନେ ଅସହାୟତାଜନିତ ଅଜ୍ଞାତବାସରେ ବନ୍ଦୀ । ଚକ୍ରାନ୍ତ ରଚାଯାଉଛି, ବ୍ୟୁହରେ ଅଭିମନ୍ୟୁମାନଙ୍କୁ ହତ୍ୟା କରିଚାଲିଛନ୍ତି ବିଧର୍ମୀମାନେ । ବିବସନା ଦ୍ରୌପଦୀ, ଅପମାନିତ ଲାଞ୍ଚ୍ଛିତ ପାଣ୍ଡବମାନେ । କିଭଳି ହେବ ସତ୍ୟ ଧର୍ମ ନ୍ୟାୟର ବିଜୟ ଗୋଟେ ନିତି ଆଦର୍ଶବିହୀନ ସମାଜରେ? ଉତ୍ତର କାହାକୁ ମାଗିବା?
ତେବେ ବି ଧୃତରାଷ୍ଟ୍ର କି ଗାନ୍ଧାରୀ କେହି ବି ନିଜ ଭୁଲ୍ ମାନିବାକୁ ନାରାଜ । ସଂଶୋଧନ ହେବ କିପରି? ମହାଭାରତ ଯୁଦ୍ଧରୁ ଆମେ କିଛି ବି ଶିକ୍ଷା କରିପାରିନାହୁଁ । ନହେଲେ ସବୁଦିନ ଗୋଟେ ଲେଖାଁ ମହାଭାରତ ଯୁଦ୍ଧ ବାଟଘାଟରେ, ସମାଜ ବା ପରିବାରରେ ଦେଖିବାକୁ କିମ୍ବା ଶୁଣିବାକୁ ପଡୁନଥାନ୍ତା! ଏଭଳି ଦୁଃସ୍ଥିତିକୁ ରୋକିବା ପାଇଁ ଧୃତରାଷ୍ଟ୍ର ଓ ଗାନ୍ଧାରୀମାନଙ୍କୁ ସର୍ବପ୍ରଥମେ ସଚେତନ ହେବାକୁ ପଡିବ । ପ୍ରତି ଜିନିଷକୁ ଦେଖିବା ପାଇଁ କେବଳ ଚକ୍ଷୁ ନୁହେଁ ଅନ୍ତର୍ଚକ୍ଷୁ ବା ଅନ୍ତର୍ମନର ଆବଶ୍ୟକତା ପଡିଥାଏ । ସେଥିପାଇଁ ମନରୁ ଆବିଳତାକୁ ହଟେଇବାକୁ ହେବ । ତାହା ନହେଲେ ବଂଶନାଶ ସହିତ ଗୁଡେ ବିଷାକ୍ତ ବୀଜମାନଙ୍କଠାରୁ ଆଗାମୀ ପିଢିକୁ ବଞ୍ଚାଇ ରଖିବା କଷ୍ଟକର ହୋଇପଡିବ ।