ଚଳିତ ଜୁନ୍ ୧୨ ତାରିଖରେ ଛାତି ଥରା ବିମାନ ଦୁର୍ଘଟଣାଟିଏ ଘଟିଯାଇଛି । ୨ ଶିଶୁଙ୍କ ସମେତ ୧୪ ପିଲା, ୧୦୪ ପୁରୁଷ, ୧୧୨ ମହିଳା ଓ ୨ ଜଣ ପାଇଲଟ୍ଙ୍କ ସମେତ ୧୦ ଜଣ କୃ ମେମ୍ବରଙ୍କୁ ନେଇ ଅହମ୍ଦାବାଦ୍ରୁ ଲଣ୍ଡନ୍ ଅଭିମୁଖେ ଉଡିବାକୁ ଆରମ୍ଭ କରିଥିବା ଏୟାର୍ ଇଣ୍ଡିଆର ବିମାନ ଏଆଇ-୧୭୧ ମାତ୍ର କିଛି ସେକେଣ୍ଡ ଭିତରେ ପୋଡି ପାଉଁଶ ହୋଇଯାଇଛି ଯାହାର ମୁଖ୍ୟ ପାଇଲଟ୍ ସୁମିତ ସବରୱାଲ୍ ଥିବାବେଳେ ସହଯୋଗୀ ବା ସହ ପାଇଲଟ୍ କ୍ଲାଇଭ୍ କୁଣ୍ଡ ଥିଲେ । ଏ ବର୍ଷର ଏହା ଦ୍ୱିତୀୟ ଦୁର୍ଘଟଣା ଯାହା ବେଶ୍ ହୃଦୟ ବିଦାରକ । ପ୍ରଥମ ଘଟଣାଟି ପହଲଗାଁବର ଆତଙ୍କବାଦୀ ହାମଲା ଯାହା ଯୁଦ୍ଧରେ ପରିବର୍ତ୍ତିତ ହୋଇଥିବାବେଳେ ବର୍ତ୍ତମାନର ବିମାନ ଦୁର୍ଘଟଣାକୁ ନେଇ ରହସ୍ୟ ଘେରରେ ସମସ୍ତେ । ଏହା ମନୁଷ୍ୟକୃତ ହୋଇପାରେ ବୋଲି ଅନେକ କହୁଥିବାବେଳେ ସରକାର ପ୍ରକୃତ ସତ୍ୟର ଅନୁସନ୍ଧାନ ଚଲାଇଛନ୍ତି । ମୃତକଙ୍କ ଭିତରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗୀଜ, ଜଣେ କାନାଡାର ନାଗରିକଙ୍କ ସହିତ ୧୨ଜଣ କୃ ସଦସ୍ୟ ଥିବାବେଳେ ସୌଭାଗ୍ୟବଶତଃ ବିଶ୍ୱାସ କୁମାର ରମେଶ ନାମକ ଜଣେ ବ୍ୟକ୍ତି ଆପାତକାଳୀନ ଝର୍କାରୁ ଡେଇଁ ପଡି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।
ଅହମଦାବାଦ୍ରୁ ଲଣ୍ଡନ ଅଭିମୁଖେ ଯାଉଥିବା ବିମାନଟି ମାତ୍ର ୬୦ ସେକେଣ୍ଡ ଭିତରେ ତଳକୁ ଖସି ନିକଟସ୍ଥ ସିଭିଲ୍ ହସ୍ପିଟାଲ୍ର ହଷ୍ଟେଲରେ ମାଡ ହେବା ଫଳରେ ୧୦ ଜଣ ଡାକ୍ତରୀ ଛାତ୍ରଙ୍କ ସମେତ ୨୩ ଜଣ ଅନ୍ୟାନ୍ୟ ମେଡିକାଲ୍ ଷ୍ଟାଫ୍ଙ୍କର ମଧ୍ୟ ମର୍ମନ୍ତୁଦ ମୃତ୍ୟୁ ଘଟିଥିବାର ଖବର ପଦାକୁ ଆସୁଛି । ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ଭାଷା ନଥିବାବେଳେ ଅଲୌକିକ ଘଟଣାଟିଏ ମନକୁ ଆନ୍ଦୋଳିତ କରୁଛି ! ମାତ୍ର କିଛିକ୍ଷଣ ଭିତରେ ପୋଡି ପାଉଁଶ ହୋଇଯାଇଥିବା ବିମାନ ଓ ଯାତ୍ରୀମାନଙ୍କ ଆସବାବ ପତ୍ର ଭିତରେ ଥିବା ଶ୍ରୀମଦ୍ଭଗବଦ୍ଗୀତାକୁ ଅଗ୍ନି ସ୍ପର୍ଶ କରିପାରିନି । ବିମାନର କେହି ଯାତ୍ରୀ ହୁଏତ ଏ ପବିତ୍ର ଗ୍ରନ୍ଥକୁ ସାଙ୍ଗରେ ନେଇଯାଉଥିବେ ।
ନା ପାଇଲଟ୍ଙ୍କ ମେ ଡେ ବାର୍ତ୍ତାଟି କୌଣସିମତେ ବିମାନକୁ ବଂଚାଇ ପାରିଥିଲା ନା ଆଜିକାର ଅତ୍ୟାଧୁନିକ ଜ୍ଞାନକୌଶଳ । ପ୍ରସଂଗ ହେଉଛି ଯେଉଁ ଯାତ୍ରୀମାନେ ବିମାନରେ ଥିଲେ ସେମାନଙ୍କ ମଧ୍ୟରୁ କିଛି ପ୍ରଭୂତ କ୍ଷମତାର ଅଧିକାରୀ, କିଛି ସଫଳ ବ୍ୟକ୍ତିତ୍ୱ ସହିତ ଆଉ କିଛି ଦେଶର ଗର୍ବ ଓ ଗୌରବ ଥିଲେ । ବିମାନ କେବଳ ନିଜ ଯାତ୍ରୀଙ୍କ ପାଇଁ ରାକ୍ଷସ ପାଲଟି ନଥିଲା ନିକଟସ୍ଥ ଡାକ୍ତରୀ ଛାତ୍ରମାନଙ୍କ ବି ପ୍ରାଣ ନେଇଥିଲା । ଯେଉଁମାନେ ଏ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ସେମାନେ ସାମାଜିକ ଜୀବନର ସର୍ବାଗ୍ରେ ଥିଲେ । କେହି ରାଜନୀତିଜ୍ଞ, କେହି ବିତ୍ତଶାଳୀ ହାଇପ୍ରୋଫାଇଲ୍ ବ୍ୟକ୍ତିବିଶେଷ, ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିବାକୁ ଥିବା ଭାବୀ ଚିକିତ୍ସକମାନଙ୍କ ମୃତ୍ୟୁ ବି କମ୍ ଦୁର୍ଭାଗ୍ୟଜନକ ନଥିଲା । ଦୁଃସମୟ କଣ କାହାକୁ ଛାଡିଲା ?
ଶେଷ ସମୟରେ ସମସ୍ତେ ଉଦ୍ଧାର ପାଇଁ ଗୁହାରୀ କରି ଆକୁଳ କ୍ରନ୍ଦନ କରିଥିବେ କିନ୍ତୁ ନିଆଁ ଭିତରେ ସେମାନଙ୍କ ଡାକ ହଜିଯାଇଥିବ । ଯେଉଁମାନେ ବି ବିକ୍ଷିପ୍ତ ଭାବେ ଏଣେତେଣେ ଛଟପଟ ହୋଇ ସାହାଯ୍ୟ ଆଶାରେ ପଡିଥିବେ ସେମାନଙ୍କ ଅପେକ୍ଷା ଅପେକ୍ଷାରେ ହିଁ ରହିଯାଇଥିବ । କାରଣ ଖବର ଆସିଥିଲା କି ବିମାନରେ ଏତେ ପରିମାଣରେ ଇନ୍ଧନ ଭର୍ତ୍ତି ହୋଇ ରହିଥିଲା ଯେ ଜଳନ୍ତା ନିଆଁ ଭିତରେ କେହି ଉଦ୍ଧାର କରିବାକୁ ସାହସ କରିପାରିନଥିଲେ । ସେ କ୍ଷମତା, ପ୍ରାଚୁର୍ଯ୍ୟ କେହି କଣ ଜୀବନ ବଂଚାଇ ପାରିଲେ ?
ସମୟ କାହାର ବି ପ୍ରତିଷ୍ଠା, ପ୍ରତିପଟ୍ଟୀ, ସାମର୍ଥ୍ୟ, ଅହମିକା କିଛି ବି ଦେଖେନା । ମୃତ୍ୟୁ ଖୋଜେନା ପ୍ରମାଣ ପତ୍ର, ଯୋଜନା କାର୍ଡ କିମ୍ବା ଜୀବନ ବୀମା । ବାସ୍ ନିଜ କାମ କରିଯାଏ । ମାଧ୍ୟମ ବା ଜରିଆ ଯାହା ହେଉ ନା କାହିଁକି ମୃତ୍ୟୁ ଯେ ନିର୍ଦ୍ଧାରିତ ଏକଥା ଅନସ୍ୱୀକାର୍ଯ୍ୟ । ସେଠି କୌଣସି ରାଜନୀତି ନଥାଏ, ଥାଏ କର୍ମଫଳ । କେତେ ଯୁଦ୍ଧ ଏମିତି କାଳକାଳ ଧରି ଚାଲିଆସିଛି । କେହି କଣ ରୋକିଛି ନିଜକୁ, ମାନିଛି କି ପ୍ରକୃତିର ନିୟମକୁ ? କିଛି ବର୍ଷ ତଳେ ଓଡିଶାର ବାହାନଗାରେ ଘଟିଯାଇଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା ! ଏବେ ଆଉ କଣ କାହାର ମନେଅଛି ? ସେଠାରେ ବି ମନୁଷ୍ୟକୃତ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏୟାର୍ ଇଣ୍ଡିଆ ବିମାନରେ ମଧ୍ୟ ମନୁଷ୍ୟକୃତ ତ୍ରୁଟି ଥାଇପାରେ । ଏସବୁକୁ କିଏ ବା ପରଖୁଛି ! ବର୍ଷକୁ ଏତେ ଦୁର୍ଘଟଣା ଘଟୁଛି ଯେ ଲୋକମାନଙ୍କ ମନରେ ସେସବୁ ବେଶି ସମୟ ତିଷ୍ଠିରହୁନି, ସେଥିପାଇଁ ତ୍ରୁଟି-ସୁଧାର ହୋଇପାରୁନି ।
ପ୍ରଶ୍ନ ହେଉଛି ଏତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରୁଥିବା ଲୋକମାନଙ୍କର ଖିଆଲି ମନୋଭାବକୁ କିପରି ରୋକାଯାଇପାରିବ ? ଯାତ୍ରୀବହନ କରୁଥିବା ଯେକୌଣସି ଯାନ ପାଇଁ ଥିବା ନିରାପତ୍ତା ବ୍ୟବସ୍ଥାଗୁଡିକୁ ଠିକ୍ ରୂପେ ତଦାରଖ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ । କେବଳ ଚୋରା ସୁନା ବିସ୍କୁଟ୍, ହୀରା କିମ୍ବା ଡ୍ରଗ୍ସ ଧରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯାତ୍ରୀମାନଙ୍କ ଜୀବନ-ସୁରକ୍ଷା ବି ମୁଖ୍ୟ କଥା । ଆମମାନଙ୍କ କି ଦୁର୍ବଳ ମାନସିକତା ଦେଖନ୍ତୁ- କୌଣସି ଡାକ୍ତରଖାନାରେ କେହି ରୋଗୀ ବ୍ୟକ୍ତି ମୃତ୍ୟୁବରଣ କଲେ ଲୋକେ ଡାକ୍ତର ଓ ଡାକ୍ତରଖାନାକୁ ମୁହୂର୍ତ୍ତକ ଭିତରେ ଦୋଷୀ ସାବ୍ୟସ୍ତ କରି ଭାଂଗିରୁଜି ଛାରଖାର୍ କରି ଦେଉଛନ୍ତି ଯେପରି ଡାକ୍ତରଟି ଖାସ୍ ରୋଗୀଟିକୁ ଜାଣିଶୁଣି ମାରିଛି! ଯଦିଓ ରୋଗୀର ସ୍ୱାସ୍ଥ୍ୟାବସ୍ଥା ତାର ମୃତ୍ୟୁଜନିତ କାରଣ ହୋଇପାରେ । କିନ୍ତୁ ଏ ରେଳ, ବିମାନ, ବସ୍ ଦୁର୍ଘଟଣାଗୁଡିକରେ କାହିଁକି ଲୋକମାନେ ସେତିକି ସଚେତନ ନୁହନ୍ତି? ତାର ପ୍ରଚ୍ଛଦରେ ଥିବା ଖଳନାୟକମାନଙ୍କୁ ଦଣ୍ଡ ଦେବାରେ ପ୍ରଶାସନର କାର୍ପଣ୍ୟ କାହିଁକି?
ଦୁଃଖର କଥା ଏ ନିକଟରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଶ୍ଳେଷାତ୍ମକ କଥାଟି ଆହୁରି ବିଚଳିତ କରେ ଯାହାର ଅର୍ଥ ହେଲା – ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨-୫ ଲକ୍ଷ ଭିତରେ ମିଳୁଥିବାବେଳେ ଟ୍ରେନ୍ରେ ୫-୧୦ଲକ୍ଷ ଓ ଏଥରକ ତ ଟାଟା କମ୍ପାନୀ ୧ କୋଟି ଦେଇଦେଲା । ଅର୍ଥାତ୍ ମଣିଷର ମୂଲ୍ୟାୟନ ଚଳାଚଳ କରୁଥିବା ଯାନକୁ ନେଇ । କିନ୍ତୁ ମୃତକକୁ କଣ ମିଳେ ଏସବୁରେ ? ସେ ତ ନିଜ ଜୀବନ ହରାଇ ସାରିଥାଏ !
ଜୀବନକୁ ଆଧ୍ୟାତ୍ମିକ ଭାବରେ ପର୍ଯ୍ୟାଲୋଚନା କରାଗଲେ ଯେଉଁ ମଣିଷ ଯେଉଁ ଭାବେ ସତ୍ୟ ,ଧର୍ମ, ନ୍ୟାୟ, ପରୋପକାରର ଯାନରେ ବସିଥାଏ ତାକୁ ସେହି ମୁତାବକ ଫଳ ପ୍ରାପ୍ତି ହୁଏ । ସେହି ଅନୁସାରେ କ୍ଷତିପୂରଣ ମିଳେ ଯାହା ମୃତକର ପରିବାରକୁ ନୁହେଁ ସିଧା ମୃତକ ନିକଟକୁ ଯାଏ । ଅର୍ଥାତ୍ ମଣିଷ ଯାହା ରୋଜଗାର କରେ ତାହାର ବାସ୍ତବ ମୂଲ୍ୟାଙ୍କନ କରାଯାଇ ସେହିମତେ କର୍ମଫଳ ମିଳିଥାଏ । କାରଣ ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ରହିଥାଏ । ବିଷ ଗଛଟିଏ ଲଗାଇଲେ କେବଳ ବିଷ ଫଳ ମିଳେନା ଅସରନ୍ତି ବିଷ ବୀଜ ବି ମିଳେ । ସେହିପରି ଭଲ କର୍ମର ଫଳ ବି ଅନେକ ।
ଶ୍ରୀମଦ୍ଭଗବଦ୍ଗୀତାକୁ ଅକ୍ଷୁଣ୍ଣ ପାଇବା ଏସବୁର ପ୍ରମାଣ ହୋଇପାରେ । କିନ୍ତୁ ହଁ ଜୀବନ ମୃତ୍ୟୁର ଅଭାବିତ ସ୍ଥିତିରେ ପଡିଯାଇ ମେ ଡେ ବୋଲି କହିଦେଲେ ହୁଏତ ବିଶ୍ୱ ନିୟନ୍ତା ଡାକ ଶୁଣି ପୁନର୍ଜୀବନ ଦେଇପାରନ୍ତି ଅବା ମୃତ୍ୟୁପଥକୁ ସୁଗମ କରିଦେଇପାରନ୍ତି । ଜୀବନ ଥିଲେ ମୃତ୍ୟୁ ରହିଛି । କିନ୍ତୁ ସେ ମୃତ୍ୟୁପଥ ବି କୁସୁମିତ ହେବା ଆବଶ୍ୟକ । ଏତେ କଠୋର ନିର୍ମମ ନହୋଇ ଶାନ୍ତ ଶୀତଳ ହେବା ଜରୁରୀ । ନହେଲେ ୪ଟି ଦେଶର ଲୋକ ଗୋଟିଏ ଦୁର୍ଘଟଣାରେ ସମାନ ସ୍ଥିତିରେ ମୃତ୍ୟୁ ବରଣ କରିନଥାନ୍ତେ ।
ଏ ବର୍ଷର ଦୁଇ ପ୍ରମୁଖ ଘଟଣା ପହେଲଗାଁବର ଆତଙ୍କବାଦୀ ଆକ୍ରମଣ ଓ ସଦ୍ୟ ସଂଘଟିତ ଅହମଦାବାଦ ବିମାନ ଦୁର୍ଘଟଣା ବା ବାହାନଗାର ରେଳ ଦୁର୍ଘଟଣାରୁ ଅନୁମେୟ ଆଜିକାଲି ଭ୍ରମଣ ବିପଦଜ୍ଜନକ । ଏଥିପାଇଁ ସରକାର ସଚେତନ ହେବା ସହିତ ଆମେମାନେ ବି ସତର୍କ ହେବା ଉଚିତ୍ । ଜୀବନ ସହିତ ମୃତ୍ୟୁରୁ ବି କିଛି ଶିକ୍ଷା କରିବା ଜରୁରୀ ।