ମଝି ରାସ୍ତାରେ,
ହାତ ଛାଡ଼ିଦେଇ, ଚାଲିଗଲ ତମେ
ବିଶ୍ଵାସ ଥିଲା ବୋଧେ ତମର,
ସମ୍ଭାଳି ପାରିବି ମୁଁ ନିଜକୁ,
ବୁଡ଼ିଯିବା ଆଗୁ, ହାତଗୋଡ଼ ଛାଟି,
ମୁଁ ଭାସିପାରିବି ବୋଲି
ତମର ଆଶା ଥିଲା ବୋଧେ ।
ନିଜେ ନିଜେ ନିଃଶ୍ୱାସ ନେଉଛି ଏବେ ମୁଁ,
ଭାସୁଛି ସମୁଦ୍ରରେ, ଦିଗ୍ ବଳୟରୁ ଦିଗ୍ ବଳୟ ଯାଏ
ବ୍ୟାପ୍ତ ନୀଳ ଜଳରାଶିରେ,
କିନାରା ଖୋଜୁନି ମୁଁ,
ତମ ବିନା କିନାରା ବି କାହିଁ !
ତମେ ଦୁର ଆକାଶର ତାରା,
ତମ କିରଣରେ ଚମକୁଥିବା ଜଳତରଙ୍ଗ
ରାତି ସମୁଦ୍ରରେ ଏଠି,
ମୁଁ ଭାସୁଛି, ଏକ ଅସ୍ପଷ୍ଟ ଅନ୍ଧାରଟେ ପରି
ନିଜ ନିଶ୍ୱାସ ଗଣୁଛି ।
ହୁଏତ ମନେ ନାହିଁ ତମର, ମୋ କଥା,
ସବୁ ଛୁଇଁ ଯାଉଥିବା ମଳୟକୁ
କଣ ଚିହ୍ନି ହୁଏ ଆଉଥରେ,
ନା’ ଭିଜିହୁଏ ଅତୀତ ବର୍ଷାରେ
ମୁଁ କିନ୍ତୁ ତୁମକୁ ଦେଖୁଛି,
ପତ୍ରରେ, ଫୁଲରେ, ହସରେ, ଲୁହରେ,
ତମେ ନେସି ହେଇଯାଇଛ ପ୍ରତିଟି ପୃଷ୍ଠାରେ,
ମୋ ଅତୀତର, ସାତ ଜନମର,
ସ୍ମୃତିର ଆରପାରିରୁ ମୋର ।
ଏ ଅନ୍ଧାରରେ ଦିଗ ଦେଖଉଛ ମୋତେ,
ଆଶାର କିରଣ ପରି, ବିଶ୍ଵାସ ଦେଉଛ,
ତମ ବିନା ବି ଜୀବନ ଜିଇଁହେବ ବୋଲି,
ଭରସା ଦେଉଛ
ତମେ ନ ଥିଲେ ବି,
ଏକାଏକା ନିଶ୍ୱାସ ନେଇହେବ,
ଅର୍ଥ ଖୋଜିହେବ ଏ ଜନ୍ମର,
କାରଣଟେ ଚିହ୍ନିହେବ,
ହୁଏତ ତମ ସ୍ମୃତିରେ, ତମ ଉଦ୍ଦେଶ୍ୟରେ,
ବୁଝିହେବ, ଜୀବନ ବନ୍ଧନ ନୁହେଁ,
ଉତ୍ସର୍ଗ, ଉତ୍ସବ ଏଠି ପ୍ରତି ମୁହୂର୍ତ୍ତରେ,
ଏ ସଂସାରରେ