ସିଂହଦେଓ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବା ପରେ ୧୯୭୧ ମସିହାରେ ଓଡ଼ିଶା ବିଧାନସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା । ଏହା ପୂର୍ବରୁ ଭାରତର ରାଜନୀତି କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟି ସାରିଥିଲା । ୧୯୬୯ ମସିହାରେ ଜାତୀୟ କଂଗ୍ରେସ ଭାଗ ଭାଗ ହୋଇଗଲା । ଗୋଟିଏ କଂଗ୍ରେସ ଗୋଷ୍ଠୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଓ ଅନ୍ୟ ଗୋଷ୍ଠୀଟି ଶ୍ରୀ ନିଜଲିଙ୍ଗାପାଙ୍କ ନେତୃତ୍ୱରେ ଗଠିତ ହୋଇଥିଲା । ଏହି ଅନୁସାରେ ବିଭିନ୍ନ ରାଜ୍ୟର କଂଗ୍ରେସ ଅନୁଷ୍ଠାନ ଭାଗ ଭାଗ ହୋଇଥିଲା । ଓଡ଼ିଶାରେ ରାଜ୍ୟ କଂଗ୍ରେସ କମିଟିରୁ କେତେକ ସଭ୍ୟ ଅଲଗା ହୋଇଯାଇ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଗଠିତ କଂଗ୍ରେସ ଅନୁଷ୍ଠାନ ସହିତ ସାମିଲ ହେଲେ ଏବଂ ଅନ୍ୟମାନେ ଜାତୀୟ କଂଗ୍ରେସରୁ ଅଲଗା ହୋଇ ୧୯୭୦ରେ ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ଉତ୍କଳ କଂଗ୍ରେସ ନାଁରେ ଏକ ଆଞ୍ଚଳିକ ଦଳ ଗଠନ କଲେ । ଏହି ପରିପ୍ରେକ୍ଷୀରେ ୧୯୭୧ରେ ଯେଉଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚିତ ହେଲା ସେଥିରେ କଂଗ୍ରେସ ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିଧାନସଭାକୁ ନିର୍ବାଚନ ହେଲେ ମଧ୍ୟ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ସକ୍ଷମ ହେଲେ ନାହିଁ । ତେଣୁ ଏକ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହେଲା । ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶାରେ ଏହି ଚତୁର୍ଥ ମିଳିତ ମନ୍ତ୍ରୀମଣ୍ଡଳରେ କଂଗ୍ରେସ ଓ ଝାଡ଼ଖଣ୍ଡ ଦଳ ଅଂଶୀଦାର ଥିଲେ । ଏହି ମନ୍ତ୍ରୀମଣ୍ଡଳ ଦଶମାସ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା । ଏହି ମନ୍ତ୍ରୀମଣ୍ଡଳର ଶାସନ କାଳରେ ଓଡ଼ିଶା ଉପକୂଳରେ ଏକ ଅଦ୍ଭୁତପୂର୍ବ ବାତ୍ୟା ଓ ବନ୍ୟାରେ ୧୦ ହଜାର ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା । ତେଣୁ ବହୁ ଦିନ ଧରି ଏହି ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ରିଲିଫ୍ କାର୍ଯ୍ୟରେ ପ୍ରଶାସନିକ କର୍ତ୍ତୃପକ୍ଷ ଲାଗିଥିଲେ । ଏହି ସମୟ ଭିତରେ ଭୂସଂସ୍କାର ଆଇନ୍ର ସମସ୍ତ ଧାରା କାର୍ଯ୍ୟକାରୀ ଓ ଜମିର ପରିମାଣ ଅନୁଯାୟୀ ରାଜସ୍ୱ ପରିମାଣ ଧାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା ।