କେମିତି ବୁଝାଇବି କହ
ସୂର୍ଯ୍ୟଙ୍କର ନିର୍ଭୀକ ପ୍ରକାଶକୁ
କେମିତି ବୁଝାଇବି
ଝରଣାର କୁଳୁକୁଳୁ ନାଦ
ଆଉ କୋଇଲିର
କୁହୁ ତାନକୁ . . .
ବସନ୍ତର ଧୀର ସମୀରଣ ଆଉ
କୃଷ୍ଣଚୂଡ଼ାର ବାସର ହସକୁ ! ! !
କେମିତି ବୁଝାଇବି କହ
ପର୍ବତର ନିରବତା:-
ନଈପଠାର ନିର୍ଜନତା
କଦମ୍ୱ ମୂଳର ଗମ୍ଭୀରତା
କାଶତଣ୍ଡୀର ପ୍ରସନ୍ନତା. . . !
କେମିତି ବୁଝାଇବି କହ
ଜନ୍ମ ମାଟିର ମୋହ
ତା’ ପଞ୍ଚଭୂତର ସତ୍ତା. . .
ତା’ ଦେହରେ ଲୀନ ହେବାର କାମନା
ତା’ର ଅନାବିଳ ପ୍ରେମ ତ
ମୋର ଶିରା ପ୍ରଶିରାରେ
ଲହୁ ହୋଇ ବହିଯାଉଛି କେଉଁ କାଳୁ. . .
ଜୀଇଁବାର ପ୍ରତିଟି ମୁହୂର୍ତ୍ତ ତ
ଗାଁ ମାଟି ପାଣି ଆଉ ପବନ
ଜନ୍ମ ତ ଏଇଠି ମୃତ୍ୟୁ ବି ଏଇଠି
ସ୍ୱର୍ଗ ତ ଏଇଠି ନର୍କ ବି ଏଇଠି
ପୁରୁଣା ମାଟି ହାଣ୍ଡିର ମୋହ ତ
ଏଇ ଗାଁ ଏଇ ଜନ୍ମମାଟି ! ! !