ଅଣୁଗଳ୍ପ

ଅପେକ୍ଷାର ନାମ ରାତ୍ରି..

Ruksar Begum's Odia Short Story Apekshyara Naama Raatri

ଦିଗ ହରା ହୋଇ ବସିଥାଏ ମୁଁ ଏକ ବୃକ୍ଷ ତଳେ ।

ଅପେକ୍ଷାର ନାମ ରାତ୍ରି..

ଅନ୍ଧାର ରାତ୍ରି…ଘଞ୍ଚ ଅରଣ୍ୟ ମଧ୍ୟେ ହଜି ଯାଇଥାଏ ମୋ ବାଟ ।   ଦିଗ ହରା ହୋଇ ବସିଥାଏ ମୁଁ ଏକ ବୃକ୍ଷ ତଳେ । ଭାବିଲି ଆକାଶକୁ ଚାହିଁଲେ କାଳେ ପାଇଯିବି ଧ୍ରୁବ ତାରାର ସ୍ଥିତି ।

ଏବଂ ପାଇଯିବି ଏକ ଦିଗ । ଆଉ ତାପରେ ଆନୁମାନିକ ରୂପେ ପାଇପାରିବି ଅନ୍ୟ ଦିଗଗୁଡିକୁ ମଧ୍ୟ । ହେଲେ ପ୍ରକୃତିର ଜିଦ ଆଗରେ ମୋ ପ୍ରୟାସ ବା କି ଫଳ ଦିଅନ୍ତା । ରଚିଲା ଏକ ଷଡଯନ୍ତ୍ର,ବିସ୍ତାରି ଦେଲା ଖଦ୍ୟୋତ(firefly) ମାନଙ୍କୁ ସାରା ଆକାଶରେ । ଏହା ସହିତ ପଡ଼ିଗଲି ମୁଁ ଏକ ଭ୍ରମରେ । ଅସହାୟ ହୋଇ ପୁନଶ୍ଚ ବସିଗଲି ନିଜ ଭାଗ୍ୟକୁ ଦୋଷ ଦେଇ । ହେଲେ ହୃଦୟ ପାଞ୍ଚିନେଲା ସୌନ୍ଦଯ୍ୟ ସେ ଭ୍ରମ ମଧ୍ୟେ । ସଙ୍କଟର କାରଣ ହେବା ଲାଗି ଆସିଥିବା ଖଦ୍ୟୋତମାନେ ଅଜ୍ଞାନବଶତଃ ସାଜିଲେ ମୋ ନୂତନ ଆଶାର କାରଣ । ତାଙ୍କ ଉପସ୍ଥିତିରେ ଆକାଶ ଯେତେ ସୁନ୍ଦର ଦେଖାଯାଉଥାଏ ଅରଣ୍ୟଟି ସେତିକି ଭୟାବହ । ଆକାଶକୁ ଯେବେ ଚାହୁଁଥାଏ ଖଦ୍ୟୋତମାନଙ୍କ ଛୋଟ ଛୋଟ ଆଲୁଅରେ ମନରେ ଆତ୍ମବିଶ୍ୱାସର ଦୀପ ଜଳିଯାଉଥାଏ । ପୁଣି ଯେବେ ନୟନ ନିଜ ଚତୁଃପାଶ୍ୱରେ ପଡିଯାଉଥାଏ ତ ଭୟ ଆକ୍ରମଣ କରିଦେଉଥାଏ ମୋ ମନକୁ ଓ ଭୁଲି ଯାଉଥାଏ ଆକାଶର ସୌନ୍ଦଯ୍ୟକୁ । ଆପ୍ରାଣ ପ୍ରୟାସ କରୁଥାଏ ଯେମିତି କେହି ମୋତେ ପରାସ୍ତ କରିବା ପାଇଁ । ସତେବା ଯେପରି ଦୈଵ ଓ ଅଦୈଵ “ମୁଁ” ମଧ୍ୟେ ସଂଘର୍ଷ ଚାଲିଥାଏ । ଧୀରେ ଧୀରେ ଫିକା ପଡିଗଲା ସେ ଅନ୍ଧାରର ଭୟ । ଅନେକ ଭୟ ଓ ଆଶଙ୍କା ଘେରରେ ଥିବା ସେ ରାତ୍ରିର ନାମ ମୁଁ “ଅପେକ୍ଷା” ଦେଇଦେଲି । ଏଥର ମନରେ ଏକ ଆଶ୍ୱାସନା ଆସିଲା ଏହା ଭାବି ଯେ, ଅପେକ୍ଷାର ଅନ୍ତ ଅନିର୍ବାର୍ଯ୍ୟ ଅଟେ । ଏବଂ ଏହା ସହିତ ମୁଁ ଶେଷଥର ଲାଗି  ହଜିଗଲି ସେ ବର୍ତ୍ତମାନରେ ଥିବା ଆକାଶର ସୌନ୍ଦଯ୍ୟ ମଧ୍ୟରେ । ଆତ୍ମବିଶ୍ୱାସ ସହ ଖେଳୁଥିବା ସେ ଅନେକ ଉଦାହରଣ ମାନଙ୍କ ଗହଣରେ ବିତି ଗଲା ମୋ ଅପେକ୍ଷାର ସେହି କଠିନ ସମୟ । ପ୍ରକୃତିର ଷଡ଼ଯନ୍ତ୍ର ସାଜିଲା ମୋ ପ୍ରେରଣାର ଉତ୍ସ । ଫଳ ଦେଲା ମୋ ଧୈର୍ଯ୍ୟ । ହାର ମାନିଲା ଅନ୍ଧାର । ଉଦୟ ହେଲା ଏକ ନୂତନ ସୂର୍ଯ୍ୟ । ଅନ୍ୟ ଦିନ ଅପେକ୍ଷା ଏ ସୂର୍ଯ୍ୟଟିର ଆଲୁଅ ଭାରି ମନଲୋଭା ଲାଗୁଥାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top