ଅଣୁଗଳ୍ପ

ମଲା ଜହ୍ନ

Rukeya Jabeen's odia short story Malaa Jahna

ତୁମେ ଯାଅ ବାପା, କାଲି ଆସିବ । ହୁଏ ତ ଗୋଟିଏ ନୂଆ ସକାଳ ଆମ ପାଇଁ ଅପେକ୍ଷା କରିଛି ।

ମଲା ଜହ୍ନ

ଆକାଶ ସାରା ତାରା ମାନେ ବିଛଣା ପାରିଦେଇଥିଲେ । ଜହ୍ନଟି ତକିଆ ସାଜି ଇସାରା କରୁଥିଲା ତା କୋଳରେ ଶୋଇ ଯିବାକୁ । ତା’ ଶୀତଳ ଛାଇର ଆବରଣରେ ଭୂଲିଯିବାକୁ ପୃଥିବୀ ପରିଧିରେ ଘୁରି ବୁଲୁଥିବା ସବୁତକ କ୍ଳେଷ ଅକ୍ଲେଷକୁ । ସେ ଜହ୍ନର ଆଲୁଅରେ ଚକ୍‌ ଚକ୍‌ ଜଳୁଥିଲା ପରାଗ ମହାନ୍ତିଙ୍କ ବଡ଼ ବୋହୁ ଜହ୍ନର ଗୋରା ତକ୍‌ ତକ୍‌ ମୁହଁ । ଝରି ଆସୁଥିଲା ଧାର ଧାର ମୁକୁତା ସବୁ ଆଖି ପଲକରୁ । ସତେ ଅବା ପୁନେଇଁ ଜହ୍ନକୁ କେହି କ୍ଷତାକ୍ତ କରି ପଳେଇଛି । ଘରର ମୂଖ୍ୟ ଦୁଆର ଠାରୁ ଟିକିଏ ଦୂରରେ ପଣସ ଗଛ ମୂଳରେ ବସିଛି ଜହ୍ନ । ହାଲ୍‌କା ରଙ୍ଗର ଶାଢ଼ୀ, ମଥାରେ ଅଧା ଓଢ଼ଣା । ସିନ୍ଥିରେ ବିଭୁତି ର ଗାର । କୌଣସି ଅଲୌକିକ ଉର୍ଜା ମୁଖମଣ୍ଡଳ ଦେଇ ଶକ୍ତି ଉଦ୍ଗିରଣ କରିବାକୁ ପ୍ରୟାସ କରି ଚାଲିଛି ଯେପରି । କ୍ଳାନ୍ତ, ଭାରାକ୍ରାନ୍ତ ହୃଦୟ ଉଦାସୀନତାର ପ୍ରଭାବ ସତ୍ତ୍ୱେ ତେଜିୟାନ୍‌ ହେଇ ଉଠୁଥାଏ । ପାଖରେ ଠିଆ ହୋଇଥାନ୍ତି ଜହ୍ନର ବୃଦ୍ଧ ବାପା ସରଦ ବାବୁ ।

ସରଦ ବାବୁ ଦିନ ମଜୁରିଆ ଲୋକ । ତାଙ୍କର ତିନି ଝିଅ ଭିତରୁ ‘ଜହ୍ନ’ ବଡ଼ । ନାଁ ଟି ଯିମିତି ଚେହେରା ମଧ୍ୟ ସେହିଭଳି ଡଉଲ ଡାଉଲ । ଟଙ୍କା ପଇସା ଅଭାବରୁ ଅଳ୍ପ ବୟସରେ ପାଠଶାଠ ନ ପଢ଼ାଇ ବାହା ଦେଇଥିଲେ ଜହ୍ନକୁ । ଆଜି ଅନେକ ବର୍ଷ ପରେ ବିବାହିତ ଝିଅକୁ ଫେରେଇ ନେବାକୁ ଆସିଥିଲେ ସରଦ ବାବୁ । ପଣସ ଗଛ ମୂଳେ ବସିଥିବା ଅସହାୟ ଝିଅର ହାତଧରି ଟାଣୁଥାନ୍ତି, ଫେରେଇନେବାକୁ ତାକୁ ନିଜ ସହିତ ନିଜ ଘରକୁ । କିନ୍ତୁ ଜହ୍ନ ବସିଥାଏ ନିସ୍ତବ୍ଦ ।

ବାପାଙ୍କ ହାତରୁ ହାତ ଛଡେଇ କହିଲା, ଏତେ ବର୍ଷ ପରେ ଆଜି କାହିଁକି ନବାକୁ ଆସିଛ, ବାପା ? ମୋ କଥା କ’ଣ ଆଜି ମାନେ ପଡିଲା ? ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିଲି । ଆଗକୁ ପଢି ପାରିଥାନ୍ତି । କିନ୍ତୁ ନା, ଝିଅଟିଏ ବୋଲି, ବୋଝ ଭାବି ଷୋହଳ ବର୍ଷ ବୟସରେ ବାହା ଦେଇଦେଲ । ବଡ଼, ଦ୍ଵିମହଲା ଘର, ରୋଜଗାରିଆ ଜୋଇଁ, ସବୁ ମିଳିଗଲା ତମକୁ । ଦାମୀ ଶାଢ଼ୀ ଦାମୀ ଗାଡ଼ି ଦେଖି ଭାବିନେଲ ମୁଁ ବହୁତ ଖୁସିରେ ଅଛି । ଦିନେ ହେଲେ ଜାଣିବାକୁ ଚେଷ୍ଟା କରିଲନି ସତରେ କଣ ମୁଁ ଖୁସିରେ ଅଛି ? ପଇସା କଣ ସବୁ ସୁଖ ଦେଇପାରେ ବାପା ?

ଗରିବ ଘର ଝିଅ ବୋଲି ଶାଶୁ ଶ୍ୱଶୁରଙ୍କ ଗେଞ୍ଜଣା ଶୁଣି ଶୁଣି ଦିନ କଟୁଥିଲା । ସ୍ୱାମୀ ଗୌତମ ସବୁ ଜାଣି ନ ଜାଣିଲା ଭଳି । ଗରିବ ଝିଅର ଔକାତ ବା କେତେ ଯେ ନିଜ ହକ୍‌ ପାଇଁ ମୁହଁ ଖୋଲିବ ? ଅବସ୍ଥା ଆହୁରି ତଦ୍ରୁପ ହେଇଗଲା । ଯେତେବେଳେ ବାହାଘରରୁ ତିନି ବର୍ଷ ପରେ ଗୌତମଙ୍କର ଦୁର୍ଘଟଣାରେ ଅଣ୍ଟା ଭାଙ୍ଗି ଅର୍ଦ୍ଧେକ ଶରୀର ନିଶ୍ଚଳ ହେଇଗଲା । ହସ ହସ ମୁହଁରେ ସବୁ ସହିଗଲି । ବର୍ଷକର ପୁଅକୁ କୋଳରେ ନେଇ ଆରୋଗ୍ୟ କରାଇବାକୁ ଯଥା ସମ୍ଭବ ଚେଷ୍ଟା କରିଲି । କିନ୍ତୁ ଭଙ୍ଗା କପାଳ କ’ଣ କେବେ ସଜାଡି ହୁଏ ?

ତିନି ବର୍ଷ କାଳ ବିଛଣାରେ ପଡି ପଡି ଦିନ କାଟିଲା ପରେ, ଶେଷରେ ଆମ ମା’ ପୁଅ ଦୁହିଁଙ୍କୁ ଏକଲା କରି ଚାଲିଗଲେ ସିଏ ।

ଗୌତମ ଗଲା ପରଠୁଁ ଏ ଘରେ ମୋ ଜୀବନ ନର୍କ ପାଲଟି ଗଲା । ଶାଶୁଙ୍କ ପାଇଁ ଆମେ ମା’ ପୁଅ ପାଲଟିଗଲୁ ଚିର ଦିନ ଅଶୁଭ ଅମଙ୍ଗଳକର, ଯାହାର ଛାଇ ପଡିଲେ ସବୁ ଘରର ଅନିଷ୍ଟ ହୁଏ । ଆମ ଦୁହିଁଙ୍କ ଉପସ୍ଥିତି ତାଙ୍କ ପୁଅର ଜୀବନ ହାନି କଲା । ୟା ଭିତରେ ବାର ବର୍ଷ ବିତି ଗଲାଣି, ଏମିତି କୌଣସି ଦିନ ଯାଇନି କି ମୋ ଶାଶୁ ମତେ ତାଙ୍କ ପୁଅ ପାଇଁ ଦୋଷୀ ସାବ୍ୟସ୍ତ କରି ନାହାନ୍ତି । ଖାଲି ଯାହା ମୋ ପୁଅ ମୁହଁକୁ ଚାହିଁ ଏ ଗ ହରେ ପଡି ରହିଛି ।

ବାପା, ଜହ୍ନର ହାତକୁ ପୁଣିଥରେ ଟାଣି ନେଇ କହିଲେ “ତୁ ଚାଲ ସାଥିରେ, ମୁଁ ତତେ ଘରକୁ ନେଇ ଯିବି । ତୁ କଣ ସବୁଦିନେ ଏମିତି ଗାଳି ଶୁଣୁଥିବୁ ? ମାଡ଼ ଖାଉଥିବୁ ”

ଜହ୍ନ ହଠାତ୍‌ ଠିଆ ହୋଇଗଲା । ରାଗ, ଅଭିମାନ ଆଉ ବିବସତାରେ ଜଳୁଥିଲା ସିଏ । କହିଲା, କୋଉ ଘରକୁ ନବାକୁ ଆସିଛ ବାପା ? ଗୌତମଙ୍କ ପୁନ୍ୟ ତିଥି ସାରି ବର୍ଷ ପରେ ଯାଇଥିଲି ତମ ଘରକୁ । ହୃଦୟରେ ମେଞ୍ଚାଏ ସ୍ୱପ୍ନ ଆଉ କିଛି ଆଶା ଭରଷା ନେଇ । ଫେରିବାକୁ ଚାହୁଁ ନ ଥିଲି ଏଇ ନର୍କକୁ । ତୁମେ କିନ୍ତୁ ବୁଝିଲନି ଏ ସବୁକୁ । ରଖିଲନି ମୋ ନେହୁରା । ଫେରେଇଦେଲ ମୋତେ ଶାଶୁଙ୍କ ସାଙ୍ଗରେ । ସମାଜର ଦ୍ୱାହି ଦେଇ । ସଂସ୍କାରର ସୀମାରେଖାରେ ବନ୍ଧା ସମ୍ମାନକୁ ବଞ୍ଚାଇ । ଥରୁଟିଏ ହେଲେ ବୁଝିବାକୁ ଚେଷ୍ଟା କରିଲନି, ସିଏ କଣ ମୋତେ ଆଣିବାକୁ ଯାଇଥିଲେ ? ସେ ତାଙ୍କ ପୁଅର ଏକମାତ୍ର ସନ୍ତକ, ତାଙ୍କ କୂଳଦ୍ଵୀପକୁ ଫେରେଇ ଆଣିବାକୁ ଯାଇଥିଲେ । ଆଉ ମୁଁ ଥିଲି ତାଙ୍କ ବିଧବା ବୋହୁ ନାମରେ ଆଜୀବନ ଚାକରାଣୀ ।

ଏ ଗାଳି, ଏ ମାଡ଼, ଏ ତ ସବୁଦିନିଆ । ଆଜି ନୂଆ କାହିଁକି ଲାଗୁଛି ? ମତେ କିନ୍ତୁ କିଛି ନୂଆ ଲାଗୁନି ବାପା । ତୁମ ଜହ୍ନ ତ ସେହି ଦିନ ମରିଯାଇଥିଲା, ଯେଉଁ ଦିନ ତୁମେ ତାକୁ ନିଜ ଘରୁ ପରା କରିଦେଇଥିଲ । ଏ ମଲା ଜହ୍ନର ହୃଦୟ ଆଉ କ’ଣ ବଞ୍ଚିଛି ଯେ ସେ ବେଦନାରେ କ୍ଷତାକ୍ତ ହେବ ଆଉ ଚିତ୍କାର କରିବ, ପ୍ରତିକ୍ରିୟା ପ୍ରକାଶ କରିବ ।

ବହି ଆସୁଥିବା ଲୁହକୁ ପଣତରେ ପୋଛି ଠିଆ ହେଇଗଲା ଜହ୍ନ । ନିଜର ଅବୁଝା ମନକୁ, ପୁଣି ତା ସାମ୍ନାରେ ନେହୁରା ହେଉଥିବା ନିଃସହାୟ ବୃଦ୍ଧ ବାପାଙ୍କୁ ବୁଝାଇ କହିଲା, ଛାଡ଼ ସେ ସବୁ । ଆଉ ଭାବି ବା ଲାଭ କଣ ? ଯାହା ଭାଗ୍ୟରେ ଲେଖା ଥିଲା ହେଇଗଲା । ତୁମେ ଆଉ ଏତେ ମନଦୁଃଖ କଲେ କଣ ହେବ ? ଜାଣିଛ ବାପା ମୋ ପୁଅ ବି ଠିକ୍‌ ତୁମରି ଭଳି ଚିନ୍ତା କରୁଥିଲା । ମୋ ଦୁଃଖ ସହି ପାରୁ ନ ଥିଲା । ଭାରି କଷ୍ଟ ହେଉଥିଲା ତାକୁ ଦେଖିଦେଲେ, କିନ୍ତୁ ଭଗବାନ ମଙ୍ଗଳ କରନ୍ତୁ ମୋ ସାନ ଦିଅର ଆଉ ତା ସ୍ତ୍ରୀର ଯେ ସେମାନେ ତାକୁ ହଷ୍ଟେଲ୍‌ ପଠେଇ ଦେଲେ । ଆଜି ତାର ମାଟ୍ରିକ ପରୀକ୍ଷା ସରିଗଲା । କାଲି ମୋ ପୁଅ ଘରକୁ ଫେରୁଛି । ଥରୁଟିଏ ତାକୁ ଦେଖିଦେଲେ ସବୁ କଷ୍ଟରୁ ନିସ୍ତାର ପାଇଯିବି । ତୁମେ ଯାଅ ବାପା, କାଲି ଆସିବ । ହୁଏ ତ ଗୋଟିଏ ନୂଆ ସକାଳ ଆମ ପାଇଁ ଅପେକ୍ଷା କରିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top