ଅଣୁଗଳ୍ପ

ବୁସୁରୀର ପ୍ରଶ୍ନ

Priyadarshini Panda's odia short story Busurira Prashna

ବୁଢ଼ାକୁ ଟିକେ ଜଙ୍ଗଲକୁ ବୋହିନିଅ

“ଧର୍ମ ବୋଇଲେ କ’ଣ କି ବାବୁ ? ପୁଣି ଧର୍ମାତରଣ ନା କ’ଣ କହୁଛୁ, ତା’ ତ ମୋ ପାଟିରେ ପଉଟୁ ନାହିଁ, ତା’ ମାନେ କ’ଣ ? ଆମେ ତ ସରଳ, ଜଙ୍ଗଲି ଆଦିବାସୀ । ବାବୁ ଆମର ସବୁ ଧର୍ମ, କର୍ମ ହେଲା ଏଇ ପେଟ ।” ଏତିକି କହି ବୁସୁରୀ ବୁଢ଼ୀ ତା’ ଲୋଚା କୋଚା ପେଟ ଉପରୁ ଲୁଗା ଆଡ଼େଇ ମୋତେ ଦେଖାଇଦେଲା ମୁଁ ମଧ୍ୟ ଅନ୍ୟମନସ୍କ୍‌ ଭାବରେ ତା ପେଟ ଉପରେ ଆଖି ବୁଲାଇ ଆଣିଲି । ଆଃ, ଖାଙ୍କଲା ପେଟଟି ତା’ର ପିଠିରେ ଲାଗିଯାଉଥିଲା । ଦୁଇ ଦିନ ହେଲା ଜଙ୍ଗଲରେ ଲୁଚି ରହିଥିଲା । ଦାନା ପାଣି କିଛି ବି ପଡ଼ିନି । ମୁଁ ତ ଏବେ ତାକୁ ଚାରିଖଣ୍ଡ ପାଉଁରୁଟୀ ଖାଇବାକୁ ଆଉ ବୋତଲେ ପାଣି ପିଇବାକୁ ଦେଇ ତା ଇଣ୍ଟରଭ୍ୟୁ ନେଉଛି । ସେ ଖାଦ୍ୟ ଓ ପାନୀୟ ତା ପେଟର କଉ କୋଣରେ ପଶିଯାଉଛି ଜାଣି ହେଉନି ।

“ବାବୁ” …, ମୋ ଅନ୍ୟ ମନସ୍କତାକୁ ଲକ୍ଷ୍ୟ କରି ବୁସୁରୀ ଡାକ ପକାଇଲା । ମୁଁ ଚମକି ଚାହିଁଲି । ଏଥର ଭଲକରି ଚାହିଁଲି ବୁସୁରୀର ମୁହଁକୁ । ଦୁଇଟି ପରଳଭରା ପେଜୁଆ, ପେଜୁଆ ଆଖିରେ ସେ ମୋତେ ମଟମଟ କରି ଚାହିଁଥିଲା ଆଉ କଥାରେ କଥାରେ ସେ ଆଖି ଦୁଇଟିରେ ଲୁହ ଟଳମଳ କରୁଥିଲା । ପାଚିଲା ବାଳ ଫୁର୍‌ ଫୁର୍‌ ଉଡୁଥିଲା । କଳାମଚ୍‌ମଚ୍‌ ଲୋଳିତ ଚର୍ମରେ କେମିତି ଗୋଟେ ବନ୍ୟ ଲାବଣ୍ୟ ଖେଳି ବୁଲୁଥିଲା । ଥରୁଥିବା ହାତ, ଗୋଡ଼ରେ ଦମ୍ଭ ନ ଥିବାରୁ ବାଡ଼ିଟିଏ ଠେସ୍‌ ଦେଇ ଠିଆ ହୋଇଥିଲା । ମୁହଁଟା ଯେମିତି ତା’ର ପ୍ରଶ୍ନବାଚୀଟିଏ । ମୁଁ କ’ଣ ପ୍ରଶ୍ନ ପଚାରି ତା’ ଇଣ୍ଟରଭ୍ୟୁ ନେବି, ମୋତେ ଲାଗୁଥିଲା ତା’ ଭିତରେ ଢେଉ ମାରୁଥିବା ଅସୁମାରୀ ପ୍ରଶ୍ନର ସେ ଆଜି ଯେମିତି ଉତ୍ତର ଚାହୁଁଥିଲା ।

ମୁଁ ତା ମୁହଁକୁ ଚାହିଁବାରୁ ସେ ପୁଣି ପାକୁଆ ପାଟିରେ ତା କଥା ଆରମ୍ଭ କଲା । “ ବାବୁ, ଏଇ ପେଟ ଚାଖଣ୍ଡକ ପୂରାଇବା ପାଇଁ ଆମର ସାରା ଜୀବନ ବିତିଯାଏ । ନା ଅଛି ଆମର ଜମିବାଡ଼ି ନା ଅଛି ଆମର ଚାକିରି ବାକିରି । ଏଇ ଜଙ୍ଗଲ ହେଲା ଆମର ଜୀବଦାତ୍ରୀ “ମା” । ଦଶ, କି ବାରବର୍ଷ ଦିନୁ ଆମେ ଏଇ ଜଙ୍ଗଲରେ ବୁଲି ଖାଦ୍ୟ ସଂଗ୍ରହ କରୁ । ଜଙ୍ଗଲରୁ ଫଳ, ମୂଳ, କନ୍ଦା, କରଡ଼ି ଆଦି ଆଣି ଖାଉ । ମହୁଲ, ମହୁ, ଝୁଣା, ଲାଖ, ଶୁଖିଲା କାଠ ଆଦି ଆଣି ପାଖ ସହରର ବଜାରରେ ବିକୁ । ଏତେ ସବୁ କରି ମଧ୍ୟ ବର୍ଷସାରା ପେଟପୂରା ଖାଇବାକୁ ମିଳେନି । ସେଥିରେ ଆଉ କି ଧର୍ମ, ଦେବତା ନା ଠାକୁର ପୂଜା କରିବୁ ? ଗାଁ ମୁଣ୍ଡ ବରଗଛ ମୂଳରେ ପଥର ଖଣ୍ଡିଏକୁ ସିନ୍ଦୁର ବୋଳି ଗାଁ ଠାକୁରାଣୀ କହୁ । ରୋଗ ବଇରାଗ ହେଲେ ତା’ ପାଖରେ କୁକୁଡ଼ା ବଳି ଦେଉ । ବେଳେବେଳେ ଦେହୁରୀ ବୁଢ଼ା ଦେହରେ ଠାକୁରାଣୀ ବିଜେ କରନ୍ତି । ସେତେବେଳେ ସେ ଯାହା ହୁକୁମ୍‌ ଦିଅନ୍ତି ଆମେ ସବୁ ମାନୁ । ତଥାପି ଦୁଃଖ ସରେନା କି ରୋଗ କଷ୍ଟରୁ ମୁକ୍ତି ମିଳେନା । ଏଇ ତ ମୋ ବୁଢ଼ାଟି ପକ୍ଷାଘାତ ହୋଇ ଘର କୋଣରେ ପଡ଼ିରହିଛି । ମୁଁ ସିନା ଜୀବନ ବିକଳରେ ଜଙ୍ଗଲକୁ ପଳାଇ ଆସିଲି ବାବୁ ହେଲେ ବୁଢ଼ାଟି ପାଇଁ ମୋ ମନ ଖାଲି ରବେଇ, ଖବେଇ ହେଉଛି । କିଏ ଜାଣେ ଦୁଇଦିନ ହେଲା ନ ଖାଇ, ନ ପିଇ ଆଉ ବଞ୍ଚିଥିବ କି ନାହିଁ । ବଞ୍ଚି ଯାଇଥିଲେ ବି ସେମାନେ ତାକୁ ମାରିନଦେଇ ଥିବେ ବୋଲି କିଏ କହିବ ?

ଏଥର ମୁଁ ବୁସୁରୀକୁ ଟିକେ ରୋକି ଦେଇ ପଚାରିଲି, “ ସେମାନେ କାହିଁକି ତୁମ ଘରଦ୍ୱାରା ଭାଙ୍ଗି ମାର୍‌ପିଟ୍‌ କରୁଛନ୍ତି । ତମର ଦୋଷ କ’ଣ?

ଦୋଷ ଆଉ କ’ଣରେ ବାପ । ଦୁଃଖେ ସୁଖେତ ଚଳୁଥିଲୁ । ଦୁଇଟା ପୁଅ ଜନମ କରିଥିଲି । ଆଗପରି ଆଉ ବଣରୁ ମହୁ କି ମହୁଲ ମିଳୁନି । ସରକାରତ କାଠ କାଟିବା ମନା କରିଦେଇଛି । ଖାଇବାକୁ ନପାଇ ସେମାନେ ତାଙ୍କ ପିଲା କବିଲା ଧରି ସହରକୁ ଚାଲିଗଲେ । ସେଠାରେ ମୂଲଲାଗି ଚଳନ୍ତି ବୋଲି କହୁଥିଲେ । କ’ଣ ଏବେ କରୁଥିବେ ଆମେ ଜାଣିନୁ । ଆମେ ବୁଢ଼ା ବୁଢ଼ୀ ଦୁଇଜଣ ଶାଗ, କନ୍ଦା ଖାଇ ଏଠାରେ ପଡ଼ିରହିଥିଲୁ । ବୁଢ଼ାକୁ ପକ୍ଷାଘାତ ରୋଗ ହେଲା । ଔଷଧ କରିବାକୁ ମୋ ପାଖରେ ଧନନାହି । ଡାକ୍ତରଖାନା ଏଠାରୁ ପାଞ୍ଚମାଇଲି ବାଟ । କିଏ ବୁଢ଼ାକୁ ଟେକି ଟେକି ନେବ ଯେ ଡାକ୍ତର ଦେଖାଇବି ? ଏମିତି ବେଳାରେ ଗାଁକୁ ଜଣେ ଫାଦର ଆସିଥଲେ । ସେ କହିଲେ ତୁମେ ସବୁ ଖ୍ରୀଷ୍ଟିଆନ ହୋଇଯାଅ । ଆମେ ଘର ଘର ବୁଲି ଔଷଧ ଦେବୁ । ପିଲାମାନଙ୍କୁ ନେଇ ପାଠପଢ଼ାଇବୁ, ଚାକିରି କରାଇଦେବୁ । ସାଇ ସାରା ତାଙ୍କ କଥାରେ ଖ୍ରୀଷ୍ଟିୟାନ୍‌ ହେଲେ । ମୋର ଏବେ ପାଠ ପଢ଼ବାକୁ, ଚାକିରି କରିବାକୁ କେହି ନାହିଁ କିନ୍ତୁ ବୁଢ଼ାଟାକୁ ଔଷଧ ଟିକେତ ମିଳିବ । ସେଇ ଲୋଭରେ ବାବୁ ଖ୍ରୀଷ୍ଟିୟାନ୍‌ ହୋଇଗଲି । ଏଇଟା କ’ଣ ମୋ ଦୋଷ ? ?

“ ବାବୁ ଆମେ ହିନ୍ଦୁ କ’ଣ – ଖ୍ରୀଷ୍ଟିଆନ କ’ଣ କିଛି ବୁଝୁନି। ବାବୁ ଆମେ କିଏ ଲଷ୍ମଣାନନ୍ଦ କିଏ ପାଦ୍ରୀ ଜାଣିନୁ। କି ବାବୁ ଆମେ କିଏ ଜଗନ୍ନାଥ କିଏ ଯୀଶୁଖ୍ରୀଷ୍ଟ ଚିହ୍ନିନୁ।

ଆମକୁ ଦରକାର ଟିକେ ଆଶ୍ରା, ଟିକେ ସାହାଯ୍ୟ ଯିଏ ଆମକୁ ସାହାଯ୍ୟର ହାତ ବଢ଼ାଇଲା ଆମେ ତା’ କଥାମାନିଲୁ । ଏଥିରେ ମୋର କ’ଣ ଦୋଷନେଲା ମୁଁ ବୁଝିପାରୁନି । ବାବୁ, ମୋ ସାଇ ସାରା ଯେତେବେଳେ ଖ୍ରୀଷ୍ଟିୟାନ ହେଲେ ମୁଁ ଖ୍ରୀଷ୍ଟିୟାନ ହେଲି ତ ଦୋଷ ରହିଲା କଉଠି ? ବାବୁ, ଆମେ ଗରୀବ, ନିଆଶ୍ରୀ ବୁଢ଼ାବୁଢ଼ୀ ଦୁଇ ଜଣ ସାଇବାଲାଙ୍କ ଠାରୁ ତ ଅଲଗା ହୋଇପାରି ନଥାଉ । ସେମାନେ ଯାହା କଲେ, ଯେଉଁ ବାଟରେ ଗଲେ ଆମେ ସେଇଆ କଲୁ । ବାବୁ, ଦଙ୍ଗା ବୋଇଲେ କ’ଣ ଆମେ ଜାଣିନଥଲୁ । ଆମେ ତ ଗରୀବ ଗୁରୁବା ଲୋକ, ନିଜ ପେଟ ପାଟଣାରେ ଲାଗିଥାଉ । ଆଉ ଦଙ୍ଗା କ’ଣ, ବନ୍ଦ କ’ଣ, ଆତଙ୍କରାଜ କ’ଣ ଆମେ ବୁଝିପାରୁନୁ । ହେଲେ ମଙ୍ଗଳବାର ଦିନ ସବୁକିଛି ଓଲଟପାଲଟ ହୋଇଗଲା । ଆମ ବଡ଼ିମୁଣ୍ଡା ଗାଁର ଉପର ସାଇରେ କାଳେ ଦଙ୍ଗାଗୋଳ ଲାଗିଗଲା । ଲୋକମାନଙ୍କ ଘରେ ପଶି ଦଙ୍ଗାକାରୀମାନେ ଭଙ୍ଗାରୁଜା ଆରମ୍ଭ କରିଦେଲେ । ଚର୍ଚ୍ଚ ଘରେ ନିଆଁ ଲଗାଇ ଦେଲେ । ଭୟରେ ସମସ୍ତେ ପିଲା କବିଲା ଧରି ଜଙ୍ଗଲକୁ ଦଉଡ଼ିଲେ । ହୋ ହଲ୍ଲା ଭିତରେ କିଏ ଜଣେ ଦୁଇଜଣ ମୋତେ ଡକା ପକାଇଲେ, “ଏ ବୁସୁରୀ ବୁଢ଼ୀ ଜଙ୍ଗଲକୁ ପଳା ନହେଲେ ଦଙ୍ଗାକାରୀ ମାନେ ତୋତେ ହାଣିଦେବେ । “ମୁଁ ପ୍ରଥମେ ବିଚାରିଲି, ମୁଁ କାହାର କ’ଣ ଦୋଷ କରିଛି ଯେ ମୋତେ କିଏ ହାଣିବ ? “ ତା’ପରେ ଚାହିଁଲି ମୋ ବୁଢ଼ାକୁ । ଚଳତ୍‌ ଶକ୍ତିହୀନ ବୁଢ଼ାକୁ କେମିତି ଜଙ୍ଗଲକୁ ବୋହିନେବି ? ନାଇଁ ତ ତାକୁ ଛାଡ଼ିଦେଇ କେମିତି ଯିବି ? ଦାଣ୍ଡକୁ ଧାଇଁଲି । ସାଇପଡ଼ିଶା ଯାହାକୁ ଦେଖିଲି ଅନୁନୟ ହେଲି, “ ବୁଢ଼ାକୁ ଟିକେ ଜଙ୍ଗଲକୁ ବୋହିନିଅ ।” ମୋ କଥା ଶୁଣିବା ପାଇଁ କାହାର ବେଳନାହିଁ । ଯେ ଯାହାର ଜୀବନ ଘେନି ପଳାଉଥଲେ । ଏତିକିବେଳକୁ ବୁଢ଼ା ମୋତେ ଡକା ପକାଇଲା । ପାଖକୁ ଗଲାରୁ କହିଲା, “ ବୁସୁରୀ ତୁ ମୋ ଚିନ୍ତା ଛାଡ଼ି ଜଙ୍ଗଲକୁ ପଳା । ମୋତେ ଯଦି ସେମାନେ ମାରି ଦିଅନ୍ତି ତା’ ହେଲେ ତ ଭଲ । ମୁଁ ଏ କଷ୍ଟରୁ ମୁକ୍ତି ପାଇଯିବି, ଆଉ ଯଦି ବଞ୍ଚି ଯିବି ତେବେ ବି ଭଲ । ତୁ ଫେରି ଆସିଲେ ମୋତେ ଖାଇବା, ପିଇବାକୁ ଦେବୁ । ତୋତେ ମୋ ରାଣ, ତୁ ପଳା । ଆମ ଭିତରୁ ଜଣେ ହେଲେ ତ ବଞ୍ଚଯିବ । ଯା’ ପଳା । ପାଣି ମାଠିଆଟି ମୋ ପାଖରେ ଥୋଇଦେଇ ପଳା । ତୁ ବି ତ ଅଶୀ ବର୍ଷର ବୁଢ଼ୀ । କଉ ଧାଇଁ ଧାଇଁ ଯାଇପାରିବୁ । ଯଲ୍‌ଦି, ଗୋଟେ ଗୋଟେ କରି ଚାଲି ଚାଲି ପଳା । ସେମାନେ ଉପର ସାଇରୁ ତଳସାଇକୁ ଆସିବାକୁ କେତେ ବା ସମୟ ଲାଗିବ । ଯା… ଯା… । ” ବାବୁ ଜୀବନର ଲୋଭ ବି ବଡ଼ ଲୋଭ । ମୁଁ ବୁଢ଼ାକୁ ଛାଡ଼ି ଚାଲିଆସିଲି । ଦୁଇ ଦିନ ହେଲାଣି ମୁଁ ଜାଣେନା ବୁଢ଼ା ବଞ୍ଚିଛି କି ନାହିଁ ।

ଏଥର ବୁସୁରୀ ପାଦ ଘୋଷାଡ଼ି ଘୋଷାଡି ତା’ ଗାଁ ଆଡ଼େ ଚାଲିଲା । ମୁଁ ତା’ପାଖକୁ ଯାଇ କହିଲି, ମାଉସୀ ମୋ ଗାଡ଼ିରେ ବସ । ମୁଁ ତୁ ନେଇ ତୁମ ଘରେ ଛାଡ଼ି ଦେବି ।

ସାରା ଗାଁ ଟା ଶ୍ରୀହୀନ ହୋଇପଡ଼ିଥଲା । ଜିନିଷପତ୍ର ଭଙ୍ଗାରୁଜା ହୋଇ ପଡ଼ିଥିଲା । ଗାଁର ଲୋକମାନେ ଆଖିରେ ଆଖିଏ ଅଶ୍ରୁ ଧରି ଗୋଟିଏ ଗୋଟିଏ ହୋଇ ଫେରୁଥିଲେ । ଭଙ୍ଗାରୁଜା ସଂସାରକୁ ପୁଣି ସଜାଡ଼ିବାକୁ ଚେଷ୍ଟା କରୁଥିଲେ । ବୁସୁରୀ ଘର ପାଖରେ ଗାଡ଼ିରଖି ତା’କୁ ଆସ୍ତେ କରି ଓହ୍ଲାଇ ଦେଲି । ବୁଢ଼ୀ ଅଶ୍ରୁ ସଜଳ ଆଖିରେ “ ଯାଉଛିରେ ବାବୁ” କହି ଗୋଟେ ଗୋଟେ ପାଦ ପକେଇ ତା ଘରଆଡ଼େ ଆଗେଇଲା । ମୁଁ ତା ପଛେ ପଛେ ଯାଇ କହିଲି, “ ମାଉସୀ ମୋତେ ଘରକୁ ଡାକିବନି ?” ସେ ଶୁଣି ନ ଶୁଣିଲା ପରି ଗୋଡ଼ ଘୋଷାରି, ଘୋଷାରି ଚାଲିଲା । ହୁଏତ ବୁଢ଼ାର ଚିନ୍ତାରେ ମୋ କଥା ତା କାନରେ ବାଜୁ ନଥିଲା । ମୁଁ ତା’ ପଛେ ପଛେ ଗଲି ।

“ଝାପ୍ସା ଆଲୋକରେ ବୁସୁରୀ ବୁଢ଼ୀର ଘର ଭିତରର ଦୃଶ୍ୟ ଦେଖି ମୁଁ ଶିହରୀ ଉଠିଲି । ବୁସୁରୀର ସମସ୍ତ ଘରକରଣା ପଦାର୍ଥ ଭାଙ୍ଗିରୁଜି ଗଡ଼ୁଥିଲା । ଏପରିକି ବୁଢ଼ାପାଖରେ ରଖିଯାଇଥିବା ପାଣି ମାଠିଆଟି ମଧ୍ୟ ଦୁଇଫାଳ ହୋଇ ପଡ଼ିଥିଲା । ଅଥଚ ତା ବୁଢ଼ା, ପଞ୍ଚାଅଶୀ ବର୍ଷର ପକ୍ଷାଘାତ ରୋଗୀ ସେମିତି ଚିରା କନ୍ଥା ଉପରେ ପଡ଼ି ଜୁଳୁଜୁଳୁ ହୋଇ ଚାହୁଁଥିଲା । ବୁସୁରୀ ତାକୁ ଦେଖି ଭୋ… ଭୋ.. ରଡ଼ିଛାଡ଼ି କାନ୍ଦିବା ଆରମ୍ଭ କରିଦେଲା । ମୁଁ ତାକୁ ବୁଝାଇବାକୁ ଯାଇ କହିଲି, “ ମାଉସୀ କାନ୍ଦନି । ଆଗ ଦେଖିବା ମଉସାଙ୍କ ଅବସ୍ଥା କେମିତି ଅଛି ।” ବୁସୁରୀ ଓ ମୁଁ ବୁଢ଼ା ପାଖକୁ ଦଉଡ଼ିଗଲୁ । ଓଃ, ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା । ବୁଢ଼ା ଲୁଗାପଟାରେ ଝାଡ଼ା, ପରିସ୍ରା କରିଦେଇଥିଲା । ବୁଢ଼ା ବୁସୁରୀର ହାତଧରି ପାଟି ପାକୁ ପାକୁ କରି କିଛି କହିବାକୁ ଚେଷ୍ଟା କଲା । ବୁସୁରୀ ବୁଝୁ ନ ବୁଝୁ, କିନ୍ତୁ ମୁଁ ବୁଝିଗଲି ବୁଢ଼ା ପାଣି ପିଇବା ପାଇଁ ମାଗୁଥିଲା । ମୁଁ ପୁଣି ଗାଡ଼ିପାଖକୁ ଦୌଡ଼ିଲି । ଗାଡ଼ିରୁ ବୋତଲେ ପାଣି ଓ ବାକିଥିବା କିଛି ପାଉଁରୁଟି ଆଣି ବୁସୁରୀ ହାତକୁ ବଢ଼ାଇଦେଲେ । ବୁସୁରୀ ବୁଢ଼ାକୁ ପାଣି ପେଇଲା । ପାଉଁରୁଟିକୁ ଟୁକୁରା ଟୁକୁରା କରି ତା’ ପାଟିରେ ଦେଲା । ବୁଢ଼ା ଟିକେ ସାଷ୍ଟାମ ହେଲା । ମୁଁ ବୁସୁରୀକୁ କହିଲି, ” ମାଉସୀ, ମଉସାଙ୍କୁ ଟିକେ ସଫା ସୁତୁରା କରିଦିଅ । ମୁଁ ତୁମକୁ ନେଇ କଉ ରିଲିଫ୍‌ କ୍ୟାମ୍ପରେ ଛାଡ଼ିଦେବି ।

ଗୋଟେ ରିଲିଫ୍‌ କ୍ୟାମ୍ପରେ ଡାକ୍ତରଙ୍କ ଜିମାରେ ବୁଢ଼ାକୁ ଛାଡ଼ିଦେଇ ବୁସୁରୀକୁ କହିଲି, “ ମାଉସୀ ଏ ରିଲିଫ୍‌ କ୍ୟାମ୍ପରେ ଥାଅ । ଦଙ୍ଗାଗୋଳ ବନ୍ଦ ହୋଇଗଲେ ଓ ମଉସା ଟିକେ ଭଲ ହେଇଗଲେ ଘରକୁ ଯିବ ।” ବୁସୁରୀ ମୁଣ୍ଡ ଟୁଙ୍ଗାରି ହଁ କଲା । ତା’ ପରେ ମୋତେ ମଟମଟ କର ଚାହିଁ କହିଲା, “ବାବୁ ତୋ ସରକାରକୁ ଟିକେ ପଚାରିବୁ କଉ ଧର୍ମ ନେଲେ ଆମକୁ କେହି ହଇରାଣ କରିବେନି ଆଉ ଏ ଦଙ୍ଗାଗୋଳ ଲାଗିବନି । ଆମେ ଟିକେ ଶାନ୍ତିରେ ରହିବୁ । ଆମକୁ ସେଇ ଧର୍ମରେ ଦୀକ୍ଷିତ କରିଦିଅ । ଆମକୁ ଏମିତି ବିନା ଦୋଷରେ ଦଣ୍ଡ ଦିଅ ନାହିଁ । ପ୍ରଥମେ କୁହ ଆମର ଦୋଷ କ’ଣ ? ହଁ ବୋଲି ମୁଁ ମୁଣ୍ଡ ହଲାଇ, ହସି ଦେଇ, ହଉ ମାଉସୀ ବୁଝିବା ବୁଝିବା କହି ଗାଡ଼ିରେ ବସିଲି ହେଲେ ମନେ ମନେ ବୁସୁରୀକୁ ପ୍ରଣାମ କରି କହୁଥିଲି, “ ମାଉସୀ ଯେଉଁଦିନ ତୁମ ପ୍ରଶ୍ନର ଉତ୍ତର ମିଳିଯିବ ସେଦିନ ଆଉ ଏ କନ୍ଧମାଳ କ’ଣ ସାରା ବିଶ୍ଵରେ ଦଙ୍ଗାଗୋଳ ମାର୍‌ପିଟ୍‌ ହେବନାହିଁ । କେବଳ ବିରାଜମାନ କରିବ ଶାନ୍ତି… ଶାନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top