ସଞ୍ଜ ବେଳେ ଅଫିସ୍ ରୁ ଫେରି ନିଶାଙ୍କାନ୍ତ ବାବୁ ଘର ଅଗଣାରେ ଚୌକି ଟିଏ ପକାଇ ଝାମ୍ ମାରି ବସି ପଡିଲେ।
ବାହାରେ ଅସ୍ତାୟମାନ ସୂର୍ଯ୍ୟ ଏବଂ ରାତ୍ରିର କାଳିମା ଧିରେ ଧିରେ ଗଭୀର ହୋଇଆସୁଥାଏ । ରାତ୍ରିର କାଳିମା ଯେତେ ଗଭୀର ହୋଇଆସୁଛି ତାଙ୍କ ମନ ମଧ୍ୟରେ ଅବସାଦର କାଳିମା ସେତିକି ଗଭୀର ହୋଇପଡୁଥାଏ । ସେ ଆଜି ଅଫିସ୍ ରୁ ଫେରିବା ବାଟରେ ତାଙ୍କର ଏକମାତ୍ର ପୁତ୍ର ରାଜେଶକୁ ଛକମୁଣ୍ଡ ବଟ୍ଟ ପାନ ଓ ଚା ଦୋକାନରେ ତା ସାଙ୍ଗ ମାନଙ୍କ ସହ ସିଗାରେଟ୍ ଟାଣିବା ବେଳେ ଦେଖି କ୍ରୋଧାନ୍ୱିତ ହୋଇଛନ୍ତି। ତାଙ୍କ ଅଜାଣତରେ ତାଙ୍କ ପୁଅ ଏପରି ବଦ ଅଭ୍ୟାସରେ ପଡିଗଲାଣି ବୋଲି ଭାବି ଭାରି ଚିନ୍ତିତ ଅଛନ୍ତି ନିଶାକାନ୍ତ ବାବୁ।
ତାଙ୍କ ମନ ମଧ୍ୟରେ ଥିବା ଆଶଙ୍କାର କଳାବାଦଲ ଆଜି ପରିଷ୍କାର ହୋଇଯାଇଛି। ସେ ସବୁବେଳେ ସକାଳ ଓ ସଞ୍ଜରେ ତାଙ୍କ ପୁଅ ରାଜେଶକୁ ତାର ସେଇ ଚାରି ପାଞ୍ଚୋଟି ସାଙ୍ଗଙ୍କ ସହ ଗାଡ଼ି ଧରି ଛକ ମୁଣ୍ଡ ବଟ୍ଟ ପାନ ଓ ଚା ଦୋକାନ ଯିବାର ନଜର କରିଛନ୍ତି। ନିଶାଙ୍କାନ୍ତ ବାବୁ ପୁଅକୁ ଉଚିତ୍ ଶିକ୍ଷା ଦେବା ପାଇଁ ତାଙ୍କ ମନ ମଧ୍ୟରେ ଉପାୟ ପାଞ୍ଚିଲେ । ତାଙ୍କ ଉପାୟ ଅନୁସାରେ ନିଶାଙ୍କାନ୍ତ ବାବୁ ତା ପର ଦିନ ସକାଳେ ରାଜେଶ ତା ସାଙ୍ଗ ମାନଙ୍କ ସହ ଗାଡ଼ି ଧରି ଗଲାପରେ ତା ପିଛା କରି ପହଞ୍ଚିଛନ୍ତି ସେଇ ବଟ୍ଟ ଚା ଓ ପାନ ଦୋକାନ ସମ୍ମୁଖରେ।
ସେ ସେଠାରେ ଲୁଚି ଦେଖିଲା ବେଳେ ଦେଖିଛନ୍ତି ରାଜେଶ ସିଗାରେଟ୍ ଟାଣୁଛି। ସେ ରାଗ ଜର୍ଜରିତ ହୋଇ ତା ପାଖକୁ ଯାଇ ତାକୁ ଚାପୁଡ଼ା ପକାଇ କହିଛନ୍ତି – “ବଦମାସ୍, ତୁ କେବେଠାରୁ ଏହିଭଳି ବଦ ଅଭ୍ୟାସ ରେ ପଡିଲୁଣି !” ଏହି ଦେଖି ରାଜେଶର ସେଇ ସାଙ୍ଗମାନେ ସେଠାରୁ ଚମ୍ପଟ ମାରିଛନ୍ତି । ରାଜେଶ ତା ଆଖିକୁ ନାଲି କରି ରାଗ ତମତମ ହୋଇ ଚଢା ଗଳାରେ କହିଛି – “ବାପା, ତୁମେ କିପରି ପ୍ରତିଦିନ ସିଗାରେଟ୍ ଟାଣୁଛ !
ତୁମେ ଟାଣିଲେ ଭଲ ମୁଁ ଟାଣିଲେ ଖରାପ । ” ଛକ ମୁଣ୍ଡ ରେ ଥିବା ସବୁ ଲୋକମାନେ ଓ ସେଇ ଚା ଦୋକାନୀ ସବୁ ଚାହିଁ ରହିଛନ୍ତି । ରାଜେଶର ଏହି ପଦ କଥାରେ ନିଶାକାନ୍ତ ବାବୁ ଙ୍କ ମଥା ତଳକୁ ହୋଇ ଯାଇଛି । ସେ ସେଠାରୁ ସଙ୍ଗେ ସଙ୍ଗେ ଘରକୁ ଫେରି ଆସିଛନ୍ତି ।
ସେ ଘରକୁ ଫେରିବା ବାଟରେ ଅନେକ ଭାବନା ତାଙ୍କ ମନ ମଧ୍ୟରେ ଖେଳି ଯାଉଛି । ସେ ମନେ ମନେ ଭାବୁଛନ୍ତି କୋଉ ପିତା କେବେ ଚାହେଁ ନାହିଁ ସେ ନିଜେ ଯେଉଁ ବଦ ଅଭ୍ୟାସ ରେ ପଡ଼ିଛି ତା’ର ସନ୍ତାନ ମଧ୍ୟ ସେଥିରେ ପଡୁ । କୌଣସି ପିତୃ ପ୍ରାଣ ଏହା କେବେ ହେଲେ ଚାହେଁ ନାହିଁ । ଆଉ ମଧ୍ଯ ସେ ଭାବିଛନ୍ତି ଯେଉଁ ଭୁଲ୍ ସେ କରିଛନ୍ତି ସେ ଭୁଲ୍ କରିବାକୁ ବାରଣ କରିବା ପୂର୍ବରୁ ନିଜକୁ ପରିବର୍ତ୍ତନ କରିବା ସମସ୍ତ ପିତା ମାନଙ୍କୁ ନିଶ୍ଚୟ ଆବଶ୍ୟକ । ସେଦିନ ରାତିସାରା ନିଶାଙ୍କାନ୍ତ ବାବୁଙ୍କୁ ଅନେକ ଭାବନା ଓ ବ୍ୟସ୍ତତା ମଧ୍ୟ ରେ ଠିକ୍ ଭାବରେ ନିଦ ହୋଇନାହିଁ ।
ତା’ପରଦିନ ସକାଳେ ନିଶାଙ୍କାନ୍ତ ବାବୁ ଓ ରାଜେଶ ପରସ୍ପରର ମୁହଁ ଦେଖା ଦେଖି ହୋଇ ମଧ୍ୟ କେହି କାହାରିକୁ କିଛି କହିନାହାନ୍ତି । ନିଶାକାନ୍ତ ବାବୁ ସକାଳୁ ସକାଳୁ ଯେତେବେଳେ ସିଗାରେଟ୍ ଜାଳିବାକୁ ଧରିଛନ୍ତି ରାଜେଶର ସେଇ କଥା ଗୁଡିକ ତାଙ୍କ କାନକୁ ପ୍ରକମ୍ପିତ କରିଛି ଏବଂ ସେ ସିଗାରେଟ୍ କୁ ଫିଙ୍ଗି ଦେଇଛନ୍ତି । ସେ ହୃଦୟଙ୍ଗମ କରିଛନ୍ତି କି ପିତାମାତା, ଗୁରୁଜନ ହେଉଛନ୍ତି ସନ୍ତାନ ମାନଙ୍କର ଚରିତ୍ର ଗଠନ ର ପ୍ରତିଫଳକ । ସେ ଧିରେ ଧିରେ ସିଗାରେଟ୍ ଟାଣିବା ବଦ ଅଭ୍ୟାସ କୁ ପରିତ୍ୟାଗ କରିଛନ୍ତି ।
ରାଜେଶ କିଛି ମାସ ହେବ ବାପାଙ୍କର ଏହି ପରିବର୍ତ୍ତନ କୁ ଲକ୍ଷ୍ୟ କରି ସେ ମଧ୍ୟ ଯେତେବେଳେ ସିଗାରେଟ୍ ଟାଣିବାକୁ ମନ କରିଛି ତା ବାପାଙ୍କର ଚେହେରା ତା ଆଖି ଆଗକୁ ଭାସି ଆସିଛି। ସେ ମଧ୍ୟ ଧିରେ ଧିରେ ତାର ଏହି ବଦ ଅଭ୍ୟାସକୁ ପରିତ୍ୟାଗ କରିଛି ।