ଅଣୁଗଳ୍ପ

କଥା ତ ନଥିଲା

Binay Mohapatra's odia short story Katha ta Nathila

ହଠାତ୍ ପଛକୁ ଫେର ଚାହିଁଲି । ଆରେ……, ତୁମେ ଏଠି ? କଥା ତ ନଥିଲା ଏଇଠି ଏମିତି ଭେଟିବା ବୋଲି ।

କଥା ତ ନଥିଲା

ସେ ଆସିବ ବୋଲି ଏମିତି କିଛି କଥା ଦେଇ ନଥିଲା । କିନ୍ତୁ ମନ କେବଳ ତାକୁଇ ଖୋଜୁଥିଲା । ଏଇ ଛୁଟି ଦିନ ଗୁଡିକ ସତରେ ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଖଳନାୟକର ସାଜି ଯାଆନ୍ତି । ସେକେଣ୍ଡ ସଟର-ଡେ, ସନ-ଡେ ଦୁଇ ଦିନ ସରକାରୀ ଅଫିସ୍ ରେ ଛୁଟି, ଏଇ ଦୁଇ ଦିନ, ସତରେ ଦୁଇ ବର୍ଷ ପରି ଲାଗେ । ଦି’ଦିନ ଆଗରୁ ଶୁକ୍ରବାର ଦିନ ସଂଧ୍ୟାରେ ତା ସହିତ ଦେଖା ହୋଇଥିଲା ବସଷ୍ଟପ୍ ପାଖରେ, ମୋତେ ଦେଖି ସେ କେତେ ଥର କଣେଇ ଚାହିଁଥିଲା । ତା ଓଠର ସେଇ ଚିରାଚରିତ ମୃଦୁ ସ୍ମିତହସଟା ଏବେ ବି ମୋ ଆଖି ଆଗରେ ନାଚି ଯାଉଛି । ସବୁ ଦିନ ସଂଧ୍ୟା ବେଳେ ସେଇଠି ସେଇ ବସ ଷ୍ଟପରେ ଆମର ଦେଖା ହୋଇ ଯାଏ । ତା ସହିତ ମୁଁ କେବେ କିଛି କଥା ହୋଇନି । ଆମେ କେହି କାହାକୁ ଠିକ୍ ଭାବେ ଜାଣିନୁ ବି ଏଯାଏ, କେହି କାହାର ନାଆଁ ଗାଆଁ ଠିକଣା କିଛି ବି ଜଣିନୁ । ଖାଲି ଏଇ ବସ ଷ୍ଟପରେ ସବୁ ଦିନ ଏମିତି ଦେଖା ଚାହାଁ । ମୋ ଅଫିସ୍ ସରିଲା ପରେ ଘରକୁ ଫେରିବା ପାଇଁ ମୁଁ ଏଇଠୁ ବସ ଧରେ, ସିଏ ବି । ବୋଧହୁଏ ଏଇ ପିଖରେ କୋଉ ବେସରକାରୀ ଅଫିସରେ କାମ କରୁଛି । ବସ ଆସିବା ଭିତରେ ଯେତିକି ସମୟ ଆମ ପାଖରେ ଥାଏ, କେବଳ ସେତିକି ସମୟ ସମସ୍ତଙ୍କ ନଜରକୁ ଲୁଚେଇ ଲୁଚେଇ ଜଣେ ଆଉ ଜଣକୁ କଣେଇ କଣେଇ ଦେଖୁଥିଲୁ । କେବେ କେବେ ଆଖିରେ ଆଖି ମିଶି ଯାଆନ୍ତି । ସମସ୍ତଙ୍କୁ ଲୁଚେଇ ସିଏ ଟିକିଏ ହସି ଦିଏ, ଆଉ ମୁଁ ବି । ବାସ୍ ଏତିକି ଆମର ଚିହ୍ନା ଜଣା ।

ତା ବସ୍ ଆଗ ଆସେ, ସେ ଚାଲିଯାଏ । କିନ୍ତୁ ବସରେ ଚଢିବା ପର୍ଯ୍ୟନ୍ତ ସେ ବୁଲି ବୁଲି ମୋ ଆଡକୁ ଦେଖେ । ତା ମୁହଁରେ ଏକ ଅନିଚ୍ଛା ଅନିଚ୍ଛା ବିରକ୍ତିର ଫେଣ୍ଟା ଫେଣ୍ଟି ଭାବ ବେସ୍ ସ୍ପଷ୍ଟ ଦିଶିଯାଏ । ସତେ ଯେପରି ବଡ ଅନିଚ୍ଛା ସତ୍ତ୍ୱେ ତାକୁ ଯିବାକୁ ହେଉଛି । ତା ଆଖିରେ କରୁଣତାର ଭାବ ଉଙ୍କି ମାରେ, ତା’ଛଡା ଆଉ କିଛି ବି ଦିଶେ ସେ ଆଖି ଦୁଇଟିରେ, କିନ୍ତୁ ସେ ଚାହାଣୀରେ ଏକ ନିବେଦନ ଅବା ଆମନ୍ତ୍ରଣ ତାହା ସ୍ପଷ୍ଟ ଭାବେ ବାରି ହୁଏନି । ମୋତେ ଲାଗେ, ସେଇ ନିରିହ ଆଖି ଦୁଇଟି ସତେ ଯେପରି କହୁଛନ୍ତି, ଏଇ.. କେତେ ଦିନ ଏମିତି ଲୁଚି ଲୁଚି ଆମେ ଜଣେ ଆଉ ଜଣକୁ ଦେଖୁଥିବା ? କେତେ ଦିନ ତୁମେ ଏମିତି ଦୂରେଇ ଦୁରେଇ ରହିବ ? ପାଖକୁ ନେଇ ଯାଅନା ! ମୁଁ ବି ମନ ମନେ ନିରାଶ ହୋଇ ବସ ଡ୍ରାଇଭରକୁ ବହୁତ ଗାଳି ବକିଯାଏ । ସବୁ ଦିନ ଠିକ୍ ଟାଇମରେ ଏମିତି ଚାଲି ଆସିବାଟା କଣ ଜରୁରୀ ? ପ୍ରେମି ମନର ଦରଦକୁ ସେ ଟିକିଏ ବୁଝି ପାରନ୍ତା ହେଲେ । ଆଉ ଘଡିଏ ଡେରିରେ ଆସିଥିଲେ କଣ ତାର ବିଗିଡି ଯାଇ ଥାଆନ୍ତା ଭଲା ? ତାର ସେଇ ଲାଜକୁଳି ସୁନ୍ଦର ମୁହଁଟିକୁ ଆଉ ଘଡିଏ ଦେଖିବାର ସୁଯୋଗ ତ ମିଳିଥିନ୍ତା ।

ଏକୁଟିଆ ବସିଲେ ତା କଥା ଭାବିବାକୁ ବେଶ ଭଲ ଲାଗେ, ଖୁବ୍ ଚିହ୍ନା ଚିହ୍ନା ଲାଗେ ସିଏ । କିନ୍ତୁ ମନେ ପଡେନା, ତାକୁ ମୁଁ କେବେ ଠିରୁ ଚିହ୍ନିଛି ? ଆଗରୁ କେଉଁଠି କେବେ ଦେଖିଥିଲି କି ନାହିଁ,ମନେ ପଡେନା ! ତଥାପି ସେ ବହୁତ ଚିହ୍ନା ଚିହ୍ନା ଲାଗେ, ଖୁବ୍ ଆପଣାର ଲାଗେ । ଜାଣେନା, ସିଏ ବି କଣ ମୋ କଥା ଏମିତି ଭାବୁଥିବ, ଯେମିତି ମୁଁ ତାର ଭାବନାରେ ସବୁ ବେଳେ ହଜି ଯାଉଛି ଆଉ ତାର ଭାବନା ମୋ ମନ ଭିତରେ କେଉଁ ଏକ ଅଜଣା ଅତରର ମହକ ଭରି ଦେଉଛି । ତା ମନ ଭିତରେ କଣ ଏମିତି କୁହୁକ ହେଉଥିବ, ବିରହର ନିଆଁ କଣ ଏମିତି ଜଳୁଥିବ ? ବହୁତ ଆପଣାର, ଆପଣାର ଲାଗୁଥିଲା ସିଏ, କିନ୍ତୁ କାହିଁକି ? ମୁଁ ଜାଣି ପାରେନା, ଭାବେ ସବୁ ପ୍ରଶ୍ନର କଣ ଉତ୍ତର ଥାଏ ? ଯେବେ ବି ଦେଖା ହୋଇଯାଏ ହଠାତ୍ ଛାତି ଭିତରେ ଅତଡା ଖସିଲା ପରି ଲାଗେ । ଦେହର ସବୁଯାକ ରକ୍ତ ଆସି ମୁଁହରେ ଜମା ହୋଇ ଯାଆନ୍ତି ଯେପରି । ତା ମୁହଁ ବି ହୋଲିର ଅବିର ଲାଗିଲା ପରି ପ୍ରେମର ରଙ୍ଗରେ ଲାଲ ହୋଇଯାଏ । ତା ଛାତିରେ ବି କଣ ସେମିତି ପ୍ରେମର ଅତଡା ଖସେ ? ମୋ ପରି ତା ଦେହର ସବୁଯାକ ରକ୍ତ କଣ ତା ମୁହଁରେ ଜମା ହୋଇ ଯାଏ ? କେଜାଣି, ହୋଇଥିବ ! ତାହା ହେଲେ ତା କୁଆଁରୀ ମନରେ ବି କଣ ଏମିତି ବିରହର ନିଆଁ ଜଳୁଥିବ, ଯେମିତି ମୋ ଛାତି ଭିତରେ ଜଳୁଛି !

ବେଳେ ବେଳେ ତାକୁ ପଚାରି ଦେବାକୁ ମନ ହୁଏ । ମନ ହୁଏ ତା ସାମ୍ନାରେ ଯାଇ ଠିଆ ହୋଇ ଯିବାକୁ । ତା ମୁହଁକୁ ଚାହିଁ, ତା ଆଖରେ ଆଖି ମିଳେଇ ପଚାରି ଦେବାକୁ । କି ମନ୍ତର ଜାଣିଛି ସିଏ ? ଅବା କେଉଁ ଯାଦୁ ଅଛି ତା ଆଖିରେ ? ଥରଟିଏ ଦେଖାରେ ମୋତେ ଆଉ ମୋ ହୃଦୟକୁ ଏମିତି ପୁରା କିଣି ନେଲା । ମୋ ମନ, ମୋ ହୃଦୟ ଆଉ ମୋ କାବୁରେ ନାହାଁନ୍ତି । ମୋ ଆଖି ମୋ କଥା ମାନୁନି । ବାରମ୍ବାର ତାକୁ ଦେଖିବାକୁ ତାଆରି ଆଡକୁ ବୁଲି ପଡୁଛନ୍ତି । ମୋ ମନ, ମୋ କଥା ମାନୁନି । ସବୁ ବେଳେ ତାରି ଭାବନା ଡୁବି ରହୁଛି । ବସ ଷ୍ଟପରେ ଠିଆ ହୋଇ ବସ କଥା ନଭାବି ମୁଁ ତାରି କଥା ଭାବୁଛି । ତାକୁ ଭୂଲିବା ପାଇଁ ମୁଁ ଗାୟତ୍ରୀମନ୍ତ୍ର ଜପ କରିବାକୁ ଚେଷ୍ଟାକରେ, ହେଲେ କଣ ହେବ, ଭୁର୍ଭୂବଃ ସ୍ୱଃ ପାଖରେ ଅଟକି ଯାଏ ମୋ ମନ୍ତ୍ରପାଠ, ସେଇଠି ତାରି ଭାବନା ମାଡି ବସେ ଗାୟତ୍ରୀମନ୍ତ୍ରର ଜପ ଉପରେ ଆଉ ମୁଁ ହଜିଯାଏ ତାରି ଭାବନା ଭିତରେ ।

××××

ଏମିତି ଭାବୁ ଭାବୁ କେତେ ବେଳେ ଯେ ମୁଁ ନଦୀ କୂଳର ସେଇ ଝଙ୍କା ବର ଗଛ ତଳେ ପହଞ୍ଚି ଯାଇଥିଲି ଜାଣେନା । ବର ଗଛ ତଳର ସିମେଣ୍ଟ ଚଉତରାଟାରେ ବସି ପଡିଲି, ସଂଧ୍ୟା ହୋଇ ଆସୁଥାଏ, କେହି କୁଆଡେ ନାହିଁ, ଶୁନ୍ ଶାନ୍ ନଦୀ କୂଳଟା । ନଦୀଟା ଏବେ ପ୍ରାୟ ସୁଖି ଆସିଲାଣି, କେବଳ ଦୁଇ ତିନୋଟି ପତଳା ଜଳ ଧାରା ବୋହି ଯାଉଥାଏ । ଏପଟ କୂଳକୁ ଲାଗି ଗୋଟିଏ ଧାରା, ସେପଟ କୂଳକୁ ଲାଗି ଆଉ ଗୋଟିଏ ଏବଂ ନଦୀ ମଝିରେ ଗୋଟେ ଦୁଇଟା ପତଳା ଜଳ ଧାରା । ଏପଟ ଧାରାଟି ଟିକିଏ ଅଧିକ ଚଉଡା, ଗଭୀର ମଧ୍ୟ, ବିନା ଡଙ୍ଗାରେ ମଝି ପଠାଯାଏ ପହଞ୍ଚି ହେବନି । ପଠାଟା କିନ୍ତୁ ବହୁତ ସୁନ୍ଦର ଦିଶୁଛି, କାଶତଣ୍ଡି ଫୁଲରେ ଖୁନ୍ଦି ହୋଇ ଯାଇଛି, ସତେ ଲାଗୁଛି ଯେପରି ପଠାଟାକୁ କିଏ ଧଳା ଶାଢୀ ପିନ୍ଧେଇ ଦେଇଛି । ପଶ୍ଚିମ ଆକାଶଟାରେ ଲାଲ ରଙ୍ଗ ବୋଳି କିଏ ଯେପରି ସୁନ୍ଦର ପେଣ୍ଟିଙ୍ଗଟିଏ ତିଆରି କରି ଦେଇଛି । ଶରତ ରୁତୁର କଳା ଧଳା ମିଶା ନିର୍ଜଳା ବାଦଲ, ତା ଉପରେ ଅସ୍ତ ସୂର୍ଯ୍ୟର ନାଳିଆ ମୁରୁଜ ବୁଣି କେତେ ସୁନ୍ଦର ଝୋଟି ତିଆରି କରି ଦେଇଛି । ପଶ୍ଚିମ ଆକାଶଟା ପୁରା ଲାଲ ଦେଖା ଯାଉଛି । ଆଖିରେ ଆଖି ମିଶି ଗଲେ ସେ ଝିଅଟା ଯେତେ ବେଳେ ଲାଜେଇ ଯାଏ ଆଉ ତାର ମୁହଁ ଲାଜରେ ଲାଲ୍ ହୋଇଯାଏ, ଠିକ୍ ସେମିତି ଲାଲ ଦିଶୁଥିଲା ପଶ୍ଚିମ ଆକାଶ ।

ଅସ୍ତ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲାଲ ବିନ୍ଦୁଟିଏ ପରି ଦେଖା ଯାଉଛି, ସତେ ଯେମିତି ନୁଆ ବୋହୁ ମଥାର ବଡ ସିନ୍ଦୁର ଟୋପାଟିଏ । ମୁଁ ସେଇ ଲାଲ ସୂର୍ଯ୍ୟର ଚାରି ପାଖରେ ମୋ ଆଖିର ତୁଳି ନେଇ ଆକାଶର କାନଭାସରେ ମନର ରଙ୍ଗ ବୋଳି, ମୋର ସେଇ ଅଜଣା ପ୍ରେମିକାର ମୁହଁଟିକୁ ଆଙ୍କିବାକୁ ଚେଷ୍ଟା କରୁଥିଲି । ଆଉ ସେଇ ସୂର୍ଯ୍ୟର ସିନ୍ଦୁର ବିନ୍ଦୁକୁ ତା କପାଳରେ, ଠିକ ତାର ମଥାର ସୁନ୍ଥାଣୀ ତଳେ ସେଟ୍ କରିବାକୁ ଚାହୁଁଥିଲି । ତାକୁ ନୁଆ ବୋହୁଟିର ରୂପରେ ଦେଖିବାକୁ କଳ୍ପନା କରୁଥିଲି । ନାଲି ଓଢଣୀରେ ଢଙ୍କା ଚାନ୍ଦଟୀଏ ପରି ତାର ସୁଢୋଳ ମୁହଁଟା ଚମକୁଥିବ । ଟୋପି ଟୋପି ଚନ୍ଦନ ବିନ୍ଦୁ ମଝିରେ ନାଲିଆ ସିନ୍ଦୁର ଟୋପାଟି ଝଟକୁଥିବ, ମଥା ଉପରକୁ ଝୁଲି ପଡିଥିବ ତାର କେରା କେରା ଚୁର୍ଣ୍ଣକୁନ୍ତଳ । ଗୋଲାପି ଗୋଲାପି ତାର ଓଠରେ ଲାଜରେ ଗାଧୁଆ ସ୍ମିତ ହସର ପତଳା ରେଖାଟିଏ ଚମକି ଯାଉଥିବ ।

ହଠାତ୍ ମୋତେ ଲାଗିଲା, କିଏ ଯେପରି ମୋ ପଛରେ ଠିଆ ହୋଇଛି, ମୋ ସାଥିରେ ମୋ ପ୍ରିୟା ମଥାର ସେଇ ସିନ୍ଦୁର ବିନ୍ଦୁଟିକୁ ନିରଖି ଦେଖୁଛି । ଆକାଶର କାନଭାସରେ ଆଙ୍କିଥିବା କଳ୍ପନାର ମୋ ପ୍ରିୟାକୁ ମୋ ସାଥିରେ ନିରେଖି ଦେଖୁଛି । ମୁଁ ଚମକି ପଡିଲି ।

ହଠାତ୍ ପଛକୁ ଫେର ଚାହିଁଲି । ଆରେ……, ତୁମେ ଏଠି ? କଥା ତ ନଥିଲା ଏଇଠି ଏମିତି ଭେଟିବା ବୋଲି ।

ସେ ଲାଜରେ ଆଖି ନୁଆଁଇ ଟିକିଏ ମୁରୁକି ହସିଲା, ଏଇଟି ସେଇ ଏକା ପ୍ରକାରର ହସ, ମୋତେ ଦେଖିଲେ ସବୁ ବେଳେ ଯେମିତି ହସେ ଠିକ୍ ସେମିତି ହସ ! ଏଇ ନଈ କୂଳରେ ମୋର ଉପସ୍ଥିତିଟା ସତେ ଯେପରି ତା’ପାଇଁ ଅସ୍ୱାଭାବିକ ନଥିଲା ! ସେ କଣ ଜାଣିଥିଲା, ମୁଁ ଏଇଠି ତାକୁ ଅପେକ୍ଷା କରିଛି ବୋଲି ? ତଥାପି ତା ମନର ଭାବନାକୁ ଲୁଚେଇ ସେ ତାର ମିଠା ମିଠା ସ୍ୱରରେ କହିଲା, ନାଇଁ… ଏମିତି ତୁମ କଥା ଭାବୁ ଭାବୁ ମୁଁ କେମିତି ଏତେ ବାଟ ଚାଲି ଆସିଲି ସେ କଥା ଜାଣି ପାରିଲିନି । ହେଲେ ତୁମେ ଏଇଠି କେମିତି ?? ପ୍ରଥମ ଥର ପାଇଁ ଶୁଣିଲି ତା କୋକିଳ କଣ୍ଠର କୁହୁ କୁହୁ ରାଗିଣୀ, ବୀଣା କଣ ଏମିତି ମଧୂର ସ୍ୱରରେ ବାଜେ ? କବିମାନେ ସେଇଥି ପାଇଁ ବୋଧହୁଏ ଉପମା ଦିଅନ୍ତି ବୀଣା ଜିଣା ସ୍ୱର ।

ମୁଁ ତା ପ୍ରଶ୍ନର ଜବାବ ଖୋଜୁଥିଲି । ତାରି କଥାକୁ କେମିତି ତାକୁ ଶୁଣେଇ ଦେବି ? କେମିତି ତାକୁ କହିଦେବି ଯେ ତୁମ କଥା ଭାବୁ ଭାବୁ ଅଜଣାରେ ମୁଁ ବି ଏତେ ବାଟ ଏମିତି ଚାଲି ଆସିଥିଲି ! ତା କଥା ଶୁଣି ମୋ ଦେହରେ ରୋମାଞ୍ଚ ଖେଳିଗଲା । ଏ କଥା ଜାଣି ଖୁସି ବି ଲାଗିଲା ଆଶ୍ଚର୍ଯ୍ଯ ବି । ଯାହା ହେଉ ଏ କଥା ନିଶ୍ଚିନ୍ତ ହୋଇ ଗଲା ଯେ, ସିଏ ବି ମୋ କଥା ଭାବୁଛି, ଠିକ୍ ଯେମିତି ମୁଁ ତାରି କଥା ସବୁ ବେଳେ ଭାବୁଛି । ପ୍ରଣୟର ନିଆଁ ଏଠି ବି ଜଳୁଛି, ଏଇ ହୃଦୟରେ, କାମନାର ନିଆଁ ସେଇଠି ବି ଜଳୁଛି ତାରି ମନ ଆଉ ହୃଦୟରେ । ପ୍ରେମର ଛୁଆଁ କଣ ସମସ୍ତଙ୍କ ଅଜାଣତରେ ଏମିତି ଏକା ବେଳେ ଦୁଇଟି ହୃଦୟରେ ଏକା ପ୍ରକାରର ପ୍ରଣୟର ନିଆଁ ଲଗାଇ ଦିଏ ?

ଆମେ ଜଣେ ଆଉ ଜଣଙ୍କ ମୁହଁକୁ ସେମିତି ମୁଗ୍ଧ ହୋଇ ଦେଖୁଥିଲୁ । ଦୁଇ ଜୋଡା ଆଖି ଦେଇ ଜଣେ ଆଉ ଜଣକ ଭିତରେ ହଜି ଯାଇଥିଲୁ ଯେପରି । ସୂର୍ଯ୍ୟର ଲୋହିତ ଆଭାରେ ମୁହଁଟା ତାର ଚମକି ଉଠୁଥିଲା । ମୃଦୁ ପବନରେ ଉଡି ଯାଉଥିଲା ତାର କେରା କେରା ଚୁର୍ଣ୍ଣ କୁନ୍ତଳ । ଓଠ ତାର ନିର୍ବାକ୍ ଥିଲା, କିନ୍ତୁ ଆଖି ତାର ଶୁଣେଇ ଯାଉଥିଲା ତା ହୃଦୟର ଅକୁହା କଥା ସବୁ । ମନ ହେଉଥିଲା ବାହୁ ମେଲାଇ ତାକୁ ଆଲିଙ୍ଗନର ଆମନ୍ତ୍ରଣ ଦେବା ପାଇଁ । ସାଉଣ୍ଟି ନେବାକୁ ନିଜର ଛାତି ଉପରେ, ଚାପି ଧରିବାକୁ ନିବିଡ ବାହୁ ବନ୍ଧନରେ ଆଉ ହଜି ଯିବାକୁ ତାର ସେଇ ଭସା ଭସା ଚାହାଣୀରେ, ଭିଜି ଯିବାକୁ ତାର ପ୍ରେମର ଅଗାଧ ସମୁଦ୍ରରେ ।

ତାର ଆଖି ସତେ କଥା କହୁଥିଲା, ଏଇ… ଏମିତି ଚାହିଁ ରହିଛ କ’ଣ ଯେ ? ଏମିତି କଣ ଦେଖୁଛ ମୋତେ । ମୁଁ ଯେ କେବଳ ତୁମର, ମୋତେ ଆପଣାର କରିନିଅ, ଏ ବିରହ ଆଉ ସହି ହେଉନି । ସେତିକି ବେଳେ ନୀଡ ବାହୁଡା ମରାଳ ଯୁଥଟିଏ କଳରବ ଉଡିଗଲେ । ସେମାନଙ୍କର କଳରବ ବିଶ୍ୱାମିତ୍ରଙ୍କ ତପସ୍ୟା ସତେ ଭାଙ୍ଗି ଦେଲା । ହଠାତ୍ ଚମକି ପଡିଲା ସିଏ । ଆମେ ଜଣେ ଆଉ ଜଣଙ୍କ ଭିତରେ ସତେ ଯେପରି ହଜି ଯାଇଥିଲୁ, ଏମିତି ଠିଆ ହୋଇ ଆମେ ଦିଜଣ ସପନ ଦେଖୁଥିଲୁ । ସେ ତାର ହାତ ବଢାଇ ମୋ ମୁହଁକୁ ତା ହାତରେ ଛୁଇଁଲା, କହିଲା ସ୍ୱପ୍ନ ଦେଖୁନି ତ ! ତାପରେ ତନ୍ଦ୍ରାଚ୍ଛନ ଆଖିରେ ମୋତେ ଦେଖି କହିଲା “ମୋତେ ଟିକ ଚିମୁଟି ଦିଅନା’ ! ମୁଁ ପଚାରିଲି କାହିଁକି ?

ସେ ଟିକେ ଲାଜେଇ ଗଲା । କହିଲା ମୋର ବିଶ୍ୱାସ ହେଉନି ତୁମେ ମୋ ପାଖରେ ଅଛ, ମୋ ସାଥିରେ ଅଛ, ମୋର ଏତେ ପାଖରେ ଠିଆ ହୋଇଛ ! ମୁଁ ହାତ ବଢାଇ ତାର ନାକକୁ ଚିପି ଧରିଲି, ସେ ମୋ ହାତକୁ ଖପ୍ କରି ଧରି ପକେଇ କହିଲା, ଇସ୍.. ଏତେ ଜୋରରେ ଚିପିବାକୁ ତ କହି ନଥିଲି ତୁମକୁ ।

ହଠାତ୍ ସେ ଚମକି ପଡିଲା, ଦିପାଦ ପଛକୁ ଘୁଞ୍ଚିଯାଇ ମୋ ମୁହଁରୁ ଆଖି ଫେରାଇ ନେଲା । ତଳକୁ ମୁହଁକରି ଭୂଇଁକୁ ଦେଖିଲା । ସେଇ ନଈ କୂଳର ସରୁ ବାଲି ଉପରେ ତାର ଗୋଡ ଆଙ୍ଗୁଠିରେ ବୃତ୍ତ ଆଙ୍କିବାକୁ ଚେଷ୍ଟା କରୁଥିଲା । ସେମିତି ତଳକୁ ଚାହିଁ ପଚାରିଲା, କିଛି କହିଲେନି ଯେ, ଆପଣ ଏଇଠି କେମିତି ପହଞ୍ଚି ଗଲେ ? ତାର ଏଇ ଆପଣ ଡାକଟା ମୋତେ ମୋଟେ ଭଲ ଲାଗିଲାନି, ମୋତେ ଲାଗିଲା, ସତେ ଯେପରି ଆପଣ କହି ସେ ମୋତେ ପଛକୁ ଶକ୍ତ ଧକ୍କା ଦେଇଦେଲା । କହିଲି ଆଉ ଆପଣ କାହିଁକି, ତୁମେ ବୋଲି ଡାକ, ଭଲ ଲାଗୁଛି ତୁମର ସେ ‘ତୁମ’ ଡାକଟା । ସେ ସନ୍ତର୍ପଣରେ ମୁହଁ ଉଠାଇ ମୋ ମୁହଁକୁ ଚହିଁଲା, ଆମ ଆଖି ପୁଣି ଏକାଠି ହୋଇ ଗଲେ । ସତେ ସେ ମୋ ଆଖିରେ ମୋ ପ୍ରେମର ଗଭୀରତା ମାପିବାକୁ ଚେଷ୍ଟା କରୁଥିଲା । ସେମିତି ମୋ ଆଖିକୁ ଚାହିଁ ଆଉ ଥରେ ପଚାରିଲା, ତୁମେ କଣ ଜାଣିଥିଲ ମୁଁ ଏଠିକି ଆସିବି ବୋଲି ?

ଆମେ ସେମିତି ଜଣେ ଆଉ ଜଣକ ଆଖି ଭିତରେ ହଜି ଯାଉଥିଲୁ, ମୁଁ କହିଲି, ମୁଁ ଯଦି ତୁମକୁ ସେଇ ଏକା ପ୍ରଶ୍ନ ପଚାରେ, ତୁମେ କଣ ଜାଣିଥିଲ ମୁଁ ତୁମକୁ ଏଇଠି ଅପେକ୍ଷା କରିଥିବି ବୋଲି ?? ସେ ଫିକ୍ କରି ହସି ଦେଲା ଆଉ ମୁହଁ ବୁଲେଇ ନେଲା ନଈର ପାଣି ଆଡକୁ, ପଚାରିଲା, ତେବେ ଆମେ ଦିଜଣ ଏଇଠି ହଠାତ୍ କେମିତି ପହଞ୍ଚି ଗଲେ ?, କିଏ ଡାକି ଆଣିଲା ଆମ ଦିଜଣଙ୍କୁ ଏଇଠିକି, ବିନା କିଛି ପୂର୍ବାଭାଷରେ ହଠାତ୍ ଆମେ ଦିଜଣ ଏଇଠି ଏମିତି ଏକାଠି ହୋଇ ଗଲେ କିପରି ? ଏଇଟା କଣ ସଂଯୋଗ ?

ହଠାତ୍ ମୋ ପାଟିରୁ ବାହାରି ପଡିଲା, ଆରେ ସେତ ଭକତ ଡୋରୀରେ ବନ୍ଧା । ଜଗନ୍ନାଥଙ୍କୁ ଭକ୍ତ ଯେପରି ଖୋଜେ, ଜଗନ୍ନାଥେ ଭକ୍ତକୁ ବି ସେମିତି ଖୋଜୁଥାନ୍ତି, ଆଉ ଏକଥା ଉଭୟ ଜାଣନ୍ତି । ଜଣେ ଯେଉଁ ଦିଗରେ ଯାଏ ଆଉ ଜଣେ ତା ପଛେ ପଛେ ଟାଣି ହୋଇଯାଏ । ଏଇଟାକୁ ବୋଧେ intuitions କହନ୍ତି, ପ୍ରତ୍ୟେକ ଜୀବ ଭିତରେ ଥାଏ ଏଇ ଗୁଣଟା । ତୁମେ ଯାହାକୁ ଚାହଁ, ତୁମ ଅଜାଣତରେ ତାରି ଆଡକୁ ଟାଣି ହୋଇଯାଅ, ଚୁମ୍ବକର ବିପରିତ pole ପରସ୍ପରକୁ ଟାଣିଲା ପରି, ରାଧା ବି ଏମିତି କୃଷ୍ଣ ପ୍ରେମରେ ଟାଣି ହୋଇ ଦଉଡି ଆସୁଥିଲେ ଜମୁନା କୂଳକୁ । ଲୋକେ ତ ମିଛରେ ମୂରଲୀକୁ ବଦନାମ କରୁଥିଲେ, ଦୋଷ ଦେଉଥିଲେ । କିନ୍ତୁ ସିଏତ ପ୍ରେମର ଏକ ଅଦୃଶ୍ୟ ଶକ୍ତିଥିଲା ଯାହା ରାଧା-ମାଧବଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଥିଲା । ପ୍ରେମ ଅଦୃଶ୍ୟ କିନ୍ତୁ ଅତି ଶକ୍ତିଶାଳୀ, ପ୍ରମୀଜୁଗଳଙ୍କୁ ଟାଣି ଆଣେ ଗୋଟିଏ ବିନ୍ଦୁ ଉପରକୁ, ଯେମିତି ଚୁମ୍ବକ ଟାଣେ । ତୁମେ ଯାହାକୁ ଖୋଜୁଛ ସିଏବି ତୁମକୁ ଖୋଛୁଛି । ତୁମେ ଯେମିତି ଏକ ଅଜଣା ଡୋରିରେ ଏଠିକି ଟାଣି ହୋଇ ଆସିଛ, ଠିକ୍ ସେଇ ଡୋରୀ ମୋତେ ବି ଟାଣି ଆଣିଥିଲା ଏଇଠିକି ।

କଥା ବୁଲାଇ ସେ ଡୁବିଲା ସୂର୍ଯ୍ୟକୁ ଚାହିଁ ମୋତେ ପଚାରିଲା, ମୁଁ ଆସିବା ପୂର୍ବରୁ ତୁମେ ସଂଧ୍ୟାର ଏଇ ସୂର୍ଯ୍ୟକୁ ଦେଖୁଥିଲ ନା’ ?

: ହଁ, ସୂର୍ଯ୍ୟକୁ ଦେଖୁଥିଲି, ନଦୀକୂଳରେ ଏଇ ସଂଧ୍ୟାଦୃଶ୍ୟ ଖୁବ୍ ସୁନ୍ଦର ନା’ ? ନଈ ଆର ପାଖର ସେଇ ପାହାଡ ସନ୍ଧିରେ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହୋଇ ଯିବାର ଦୃଶ୍ଯ ଖୁବ୍ ରୋମାଣ୍ଟିକ୍।

ସେ କହିଲା, ହଁ ଖୁବ୍ ସୁନ୍ଦର, ପିଲାଦିନେ ସୂର୍ଯ୍ୟାସ୍ତର ଅନେକ ଚିତ୍ର ଆଙ୍କିଛି, ମୋତେ ବହୁତ ଭଲ ଲାଗେ । ହେଲେ ତୁମେ ଆଉ କିଛି ଦେଖୁଥିଲ ଏଇ ଅସ୍ତ ସୂର୍ଯ୍ୟରେ । ଗଭୀର ଭାବନାରେ ହଜି ଯାଇଥିଲ, ସେଇ ସୂର୍ଯ୍ୟକୁ ଦେଖି, କଣ ଭାବୁଥିଲ ?

ମୁଁ ତା ପାଖକୁ ଘୁଞ୍ଚି ଆସିଲି, ସେ ସେପର୍ଯ୍ୟନ୍ତ ସିଏ ମୋତେ ପଛ କରି ନଦୀ ଆଡକୁ ମୁହଁ ବୁଲାଇ ଠିଆ ହୋଇଥିଲା । ମୁଁ ମୋର ଦୁଇ ହାତ ତା କାନ୍ଧ ଉପରେ ରଖି ତାକୁ ବୁଲେଇ ଦେଲି ମୋ ଆଡକୁ, ଆମେ ସାମ୍ନା ସାମ୍ନି ହୋଇଗଲୁ । ତା ମୁହଁକୁ ଚାହିଁ କହିଲି, ସେଇ ଅସ୍ତ ସୂର୍ଯ୍ୟ ସତେ ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଛି । ଆଉ ମୁଁ ସେଇ ସିନ୍ଦୁର ବିନ୍ଦୁର ଚାରି ପାଖରେ ମୋ ପ୍ରିୟାର ମୁହଁଟା ଆଙ୍କୁଥିଲି । ମୁଁ ଚାହୁଁଛି ସେଇ ସିନ୍ଦୁର ବିନ୍ଦୁ ମୋ ପ୍ରିୟାର ମଥାରେ ପିନ୍ଧେଇ ଦେବାକୁ, ଏକଥା କହିବା ଭିତରେ ମୋ ହାତର ଟିପ ତାର ମଥା ଛୁଇଁ କଳ୍ପନାର ସିନ୍ଦୁର ବିନ୍ଦୁଟିଏ ପିନ୍ଧାଇ ଦେଉ ଥିଲା ତାର ଶୁନ୍ୟମଥାରେ । ସେ ଆଉଜି ପଡିଲା ମୋ ଛାତି ଉପରକୁ, ଆଉ ମୋର ବାହୁ ସାଉଣ୍ଟି ନେଉଥିଲା ପ୍ରିୟାକୁ ନିଜର ନିବିଡ ବାହୁ ବନ୍ଧନରେ । ବିରହାନ୍ତେ ପ୍ରେମି ଜୁଗଳ ଯେପରି ସାଗର ସଙ୍ଗମ ପରି ଦୁଇ ପୃଥକ ଜଳରାଶି ଏକ ଏକାକାର, ଏକ ମନ, ଏକ ଶରୀର ହୋଇ ଯାଆନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top