ଅଣୁଗଳ୍ପ

ନୀରିହର ନୀରବ ଆର୍ତ୍ତନାଦ

Pradipta Sundar Moharana's odia short story Nirihara Nirab Aartanaada

ନିଶ୍ଚିତରୂପେ କୋଳାହଳ ମଧ୍ୟରେ ନିରୀହର ନୀରବ ଆର୍ତ୍ତନାଦ ସବୁବେଳେ ହଜିଯାଏ ।

ନୀରିହର ନୀରବ ଆର୍ତ୍ତନାଦ

ମେଁ ମେଁ କରି ଛେଳିଟା ମଙ୍ଗଳା ମନ୍ଦିର ସାମ୍ନା ଦାଣ୍ଡରେ ଏକ ଦଉଡିରେ ବନ୍ଧା ହୋଇ, ସତେ ଯେପରି ଛାଟି ପିଟି ହେଉଥିଲା । ବୋଧହୁଏ ଜାଣିପାରୁଥିଲା ଯେ ତା ସହିତ ଏବଂ ତା ର ଦୁଇଟି କୁନି କୁନି ଶାବକଙ୍କ ସହିତ କିଛି ଏକ ଅଘଟଣ ହେବାକୁ ଯାଉଛି ।

“ପଶୁମାନେ ସତରେ କଣ ବିପଦ-ଆପଦ, ସୁଖ -ଦୁଃଖ, ହାନି-ଲାଭ ଏବଂ ଜୀବନ ମୃତ୍ୟୁକୁ ଆମ ଭଳି ବୁଝି ପାରନ୍ତି ? ” – ମୁଁ ସେଠି ଠିଆ ହୋଇ, ଛେଳିଟିକୁ ଦେଖି ଏହି ପ୍ରଶ୍ନଟି ବିଷୟରେ ଭାବୁଥିଲି। ଆଉ, ମୋ ଭିତରେ ଥିବା ବିଜ୍ଞାନୀ ମଣିଷ ଟି ମୋତେ ଉତ୍ତର ଦେଉଥିଲା, “ନା, କେବେନୁହେଁ ! ସେମାନଙ୍କର ମସ୍ତିଷ୍କର ଆକାର ପ୍ରକାର, ଆମ ଠାରୁ ଭିନ୍ନ । ଆମେ ଉତ୍କୃଷ୍ଟ – ଆମର ଚିନ୍ତା, ବୁଦ୍ଧିମତା ସର୍ବୋତ୍କୃଷ୍ଟ – ଛେଳିର ତାହା କେବେ ମଧ୍ୟ ହୋଇ ନପାରେ । ”

ନାଲି ରଙ୍ଗର “ହରି ଓଁ” ଛାପ ବସିଥିବେ ଗେରୁଆ ଚାଦରଟେ ପକାଇ, ପୂଜାରୀ ଜଣକ ହାତରେ ଏକ ବଡ ଥାଳି ଧରି , ମନ୍ଦିର ବାହାରକୁ ଓହ୍ଲାଇ ଆସିଲେ ଏବଂ ତାଙ୍କ ସାଙ୍ଗରେ ଥିଲେ ତାଙ୍କର କିଛି ଜଣ ଚେଲା । ସେଥିମଧ୍ୟରୁ ଜଣେ, ମା ଛେଳି ଓ ଛୁଆ ଦୁଇଟି ଆଗରେ ପକାଇ ଦେଲା କିଛି ସଜ ଘାସ, ଆଉ ଛନଛନ ସବୁଜ ଶାଳ ପତ୍ର । ଛୁଆ ଦୁଇଟି ଖୁସିହୋଇ ସାଙ୍ଗେସାଙ୍ଗେ ଖାଇବା ଆରମ୍ଭ କରିଦେଲେ, କିନ୍ତୁ ମାଁ ଛେଳିଟି କଣ ପାଇଁ କେଜାଣି ଟୁକୁଟୁକୁ କରି ପୂଜାରୀଟିକୁ ଦେଖୁଥାଏ । ସେପଟେ ରସିଫାନ୍ଧରୁ ଖସିବାର ଚେଷ୍ଟା ତା’ର ଜାରିଥାଏ । ପୂଜାରୀ କକା ତା’ ମୁଣ୍ଡରେ ନାଲି ସିନ୍ଦୁର ବୋଳିଦେଲେ ଆଉ ବେକରେ ପକାଇଦେଲେ ଗୋଟିଏ ମନ୍ଦାର ମାଳ । ବେକକୁ ଆଉଁସିଦେଇ କହିଲେ ” କିରେ, କ ଣ ଭାବୁଛୁ ? ତୋର ଆଜି ଭାଗ୍ୟ ଖୋଲିଲା ଜାଣେ । ଆଜି ତୋର ମୁକ୍ତିର ଦିନ । ଆରଜନ୍ମରେ ତୁ ମଣିଷ ହୋଇ ଜନ୍ମ ହେବୁ । ଆଜି ଠାକୁରାଣୀଙ୍କ ପାଖେ ଲାଗିଯା । ”

ଚନ୍ଦନ ଠୋପେ ଲଗାଇ, ଦୀପ ଆଳତୀ ବୁଲାଇ , ପୂଜାରୀ କକା ପଞ୍ଚଜନ୍ୟ ବଜାଇବା ଢ଼ଙ୍ଗରେ, ମୁଣ୍ଡଟିକୁ ଉପରକୁ ଟେକି ତାଙ୍କ ଶଙ୍ଖଟିକୁ ବଜାଇବା ଆରମ୍ଭ କରିଲେ। ସତେ ଯେପରି ଆଉ କିଛି ସମୟରେ ମହାଭାରତ ଆରମ୍ଭ ହେବ । ଏକ ସାଥେ ମାଦଳ, ଖୋଳ ,ତାଳ ,ସ୍ତ୍ରୀ ଲୋକମାନଙ୍କର ହୁଳହୁଳି ଗୁଞ୍ଜରି ଉଠିଲା । ଦେବୀ ଆକାଶମାର୍ଗରୁ ଓହ୍ଲାଇଲେ ବୋଧେ… ସେ କୋଳାହଳ ମଧ୍ୟକୁ ଛେଳି ତିନୋଟି ଟାଣିହୋଇ ଯାଉଥାଆନ୍ତି । ମୁହଁରେ ତାର ନଥାଏ ତ୍ରାଣର ଆନନ୍ଦ , ବରଂ ଆଖିରେ ଥାଏ ଭୟ । ମନୁଷ୍ୟର ପାଶବିକତା ଆଗରେ, ପଶୁର ମାନବିକତା ଆଉ ଅଳ୍ପ ସମୟରେ ଆଜି ହାର ମାନିବ ।

ଆଜି ଦୁର୍ଗାଦଶମୀ ଯେଉଁ ଦିନ ପାଶବିକତା ଉପରେ ମନୁଷ୍ୟ ବିଜୟଲାଭ କରିଥାଏ । ମୁଁ ଆମ ପୂଜାରୀ କାକାଙ୍କ ଆଶୀର୍ବାଦ ବିଷୟରେ ହିଁ ଭାବୁଥିଲି କି ପଶୁଟି ଆରଜନ୍ମରେ ମନୁଷ୍ୟ ହେବ, ଅଥବା ମନୁଷ୍ୟ ରୂପୀ ପଶୁଟିଏ ହେବ ।

ନିଶ୍ଚିତରୂପେ କୋଳାହଳ ମଧ୍ୟରେ ନିରୀହର ନୀରବ ଆର୍ତ୍ତନାଦ ସବୁବେଳେ ହଜିଯାଏ ।

ଲୋକପ୍ରିୟ ଲେଖା

To Top