ଅଣୁଗଳ୍ପ

ରାଜାଙ୍କ ଅମର କିର୍ତ୍ତୀ

Shrimanta Kumar Panda's odia short story Raajanka Amara Kirtti

ସେ ରାଜା ତେଣୁ ତାଙ୍କର କିର୍ତ୍ତୀ ଅମର ହେବ ଆମର କାହିଁକି ନୁହେଁ । ଆପଣ ସମାନ ଆଶୀର୍ବାଦ ମୋତେ କାହିଁକି ଦେଉ ନାହାନ୍ତି ।

ରାଜାଙ୍କ ଅମର କିର୍ତ୍ତୀ

ବହୁ କାଳ ପୂର୍ବେ ଅବନ୍ତୀ ନଗରୀରେ ଜଣେ ଯଶସ୍ୱୀ ରାଜା ରାଜୁତି କରୁଥିଲେ । ପ୍ରାୟ ଶହେ ବର୍ଷ ବଞ୍ଚିବା ପରେ ସେ ଦେହତ୍ୟାଗ କଲେ । ନିଜ କର୍ମ ଅନୁସାରେ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେଲା । ସେତିକି ନୁଁହ ସର୍ବନିୟନ୍ତା ଭଗବାନଙ୍କୁ ସାକ୍ଷ୍ୟତା କରିବାର ସୁଯୋଗ ମିଳିଲା । ଭଗବାନ ରାଜାଙ୍କ ଜନ କଲ୍ୟାଣ କାମକୁ ପ୍ରଶଂସା କଲେ । କିନ୍ତୁ ରାଜାଙ୍କ ମୁଖ ଥିଲା ବିଷର୍ଣ୍ଣ । ଭଗବାନ ରାଜାଙ୍କ ବିଷାଦର କାରଣ ଜାଣିବାକୁ ଚାହିଁଲେ ।

ରାଜା କହିଲେ;

–ପ୍ରଭୁ, ରାଜା ହିସାବରେ ସାଧ୍ୟମତେ ମୁଁ ଜନସେବା କଲି, ବହୁ ମନ୍ଦିର, ରାସ୍ତା ଘାଟ, ବନ୍ଦର ଇତ୍ୟାଦୀ ନିର୍ମାଣ କଲି, କିନ୍ତୁ ମୋର ମୃତ୍ୟୁ ପରେ ପୃଥୀବିଲୋକରେ ସମସ୍ତେ ଭୁଲିଯିବେ । ସେଥିପାଇଁ ଟିକେ ମନଦୁଃଖ ।

ଭଗବାନ କହିଲେ;

–ତୁମେ ଜମାରୁ ଚିନ୍ତା କରନାହିଁ , କିଛି ବର୍ଷ ପରେ ତୁମ ବଂଶ ରେ ଜଣେ ଅତ୍ୟନ୍ତ ଯଶସ୍ୱୀ ଦାୟାଦ ଜନ୍ମହେବେ । ସେ ତୁମ ନାମ ଓ କୀର୍ତ୍ତିକୁ ପ୍ରବଳ ଭାବେ ପ୍ରଚାର କରିବ । ତୁମ ନାମରେ ରାସ୍ତା, ଖେଳପଡିଆ, ପୁଷ୍କରିଣୀ, ଡାକ୍ତରଖାନା ଓ ବିଦ୍ୟାଳୟ ଇତ୍ୟାଦିର ନାମକରଣ କରିବ । ଅନେକ ଲୋକପ୍ରିୟ ଯୋଜନା ତୁମରି ନାମରେ ପ୍ରଚଳନ ହେବ । ରାଜ୍ୟସାରା ତୁମରି ପ୍ରତିମୂର୍ତ୍ତି ସ୍ଥାପନ କରିବ । ଏପରିକି ତୁମ ନାମରେ ମନ୍ଦିର ତିଆରି ହେବ । ପାଠ ବହିରେ ତୁମ ବିଷୟରେ ପଢା ହେବ । ତୁମ ନାମରେ ଅନେକ ପୁରସ୍କାର ଦିଆଯିବ । ତୁମରି ଜନ୍ମଦିନକୁ ଉତ୍ତମ ସେବା ଦିବସ ଭାବେ ପାଳନ କରାଯିବ । ଯେଉଁମାନେ ତୁମକୁ ଭୁଲି ଯାଇଥିବେ, ସେମାନେ ତୁମକୁ ଜଣେ ଧର୍ମପରାୟଣ, ପରୋପକାରୀ, ପ୍ରଜାହିତୈଷୀ ଓ ଲୋକପ୍ରିୟ ରାଜା ହିସାବରେ ଜାଣିବେ । ତେଣୁ ତୁମ ନାମ ବହୁ ସମୟ ଧରି ଧରାପୃଷ୍ଟରେ ଅମର ରହିବ ।

ରାଜା ଖୁସି ମନରେ ଭଗବାନଙ୍କୁ ପ୍ରଣାମ କରି ସେଠାରୁ ବିଦାୟ ନେଲେ ।

ଠିକ୍‌ ସେହି ସମୟରେ ସେଠାରେ ଅବନ୍ତୀ ନଗରୀର ଜଣେ ଚାଷୀ ବି ଥିଲେ । ନିଜ କର୍ମ ଫଳ ଅନୁସାରେ ମୃତ୍ୟୁ ପରେ ଭଗବାନଙ୍କ ସାକ୍ଷ୍ୟତର ସୁଯୋଗ ପାଇଥାନ୍ତି ।

ସେ ଚାଷୀ ଜଣକ କହିଲେ ;

— ପ୍ରଭୁ ମତେ କ୍ଷମା କରନ୍ତୁ ଯଦି ଅନୁମତି ଦେବେ ମୁଁ ଗୋଟେ ପ୍ରଶ୍ନ ପଚାରିବି ।

—-ନିସଂକୋଚ ରେ ପଚାର ବତ୍ସ୍ୟ ।

—ପ୍ରଭୁ, ଟିକେ ଆଗରୁ ଯେଉଁ ରାଜା ଏଠାରେ ଥିଲେ ମୁଁ ତାଙ୍କର ଜଣେ ପ୍ରଜା ଥିଲି । ସେ ପରୋପକାରୀ ନିଶ୍ଚିତ । କିନ୍ତୁ ସେ ଯାହା କରିଛନ୍ତି ନିଜ ପଇସାରେ କିଛି କରିନାହାନ୍ତି, ଆମ କର ପଇସାରେ ସବୁ ଜନକଲ୍ୟାଣ କାମ ହେଇଛି । ଯେତେକ ରାସ୍ତାଘାଟ, ଡାକ୍ତରଖାନା ଓ ଅନ୍ୟ ସବୁ ଭିତ୍ତିଭୂମି ପ୍ରତିଷ୍ଠା ଆମେ ଦେଇଥିବା କର ପଇସାରେ ହେଇଛି । ସବୁ ଯୋଜନା ପାଇଁ ଖର୍ଚ୍ଚ କରଦାତାଙ୍କ ଠାରୁ ଅସୁଲ ହେଉଥିଲା । ସେ କେବଳ କେଉଁ ଯୋଜନାରେ କେତେ ପଇସା ଖର୍ଚ୍ଚ ହେବ ନିର୍ଦ୍ଧାରଣ କରୁଥିଲେ, ତାହା ପୁଣି ପରାମର୍ଶଦାତାଙ୍କ ଉପଦେଶ ଅନୁସାରେ । ତାଙ୍କ ସମୟରେ ଶାସନ ଠିକ ଥିଲା ନିଶ୍ଚିତ କିନ୍ତୁ ରାଜା କର୍ମଚାରୀ ମାନେ ସମ୍ପୂର୍ଣ ଦୁର୍ନୀତି ମୁକ୍ତ ନଥିଲେ । ଅବଶ୍ୟ ସେଥରେ ରାଜାଙ୍କ ସମ୍ପୃକ୍ତି ନଥାଇ ପାରେ । ମୋର ସ୍ୱଳ୍ପ ବୁଦ୍ଧି ଅନୁସାରେ ସମ୍ପୂର୍ଣ ନିର୍ମଳ ଶାସନ ରାଜାଙ୍କ ଦାଇତ୍ତ୍ୟ ଥିଲା ।

ଜଣେ ସାଧାରଣ ଚାଷୀ ହିସାବରେ ମୁଁ ସାଧ୍ୟମତେ ଲୋକଙ୍କୁ ନିଜ ଉପାର୍ଜିତ ପଇସାରୁ କିଛି କିଛି ସାହାଯ୍ୟ କରଛି । ଯେତେବେଳେ କେହି ଅତିଥି ଆସିଛନ୍ତି, ଦେବତା ମନେ କରି ସେବା କରିଛି । ଧାନ ଅମଳ ପରେ ପ୍ରତିବର୍ଷ ଗରିବ ଓ ବ୍ରାହ୍ମଣ ମାନଙ୍କୁ ମନ୍ଦିରରେ ଭୋଜନ ଦେଇଛି । ଅଧିକ କିଛି କରିବାର ସାଧ୍ୟ ମୋ ପାଖେ ନଥିଲା । ସେ ରାଜା ତେଣୁ ତାଙ୍କର କିର୍ତ୍ତୀ ଅମର ହେବ ଆମର କାହିଁକି ନୁହେଁ । ଆପଣ ସମାନ ଆଶୀର୍ବାଦ ମୋତେ କାହିଁକି ଦେଉ ନାହାନ୍ତି ।

ଭଗବାନ ହସିଲେ ଏବଂ କହିଲେ —

ତୁମେ ଜମାରୁ ବ୍ୟସ୍ତ ହୁଅ ନାହିଁ, ରାଜାଙ୍କ ବଂଶ ରେ ୩/୪ ପିଢ଼ି ପରେ ଜଣେ କୁଳାଙ୍ଗାର ଜନ୍ମ ହେବେ ଯିଏ ପୂର୍ବ ପୁରୁଷଙ୍କ ସମସ୍ତ କିର୍ତ୍ତୀକୁ ମାଟିରେ ମିଶେଇ ଦେବେ । ତାର କାର୍ଯ୍ୟକଳାପରେ ରାଜ୍ୟବାସୀ ଅତିଷ୍ଠ ହେଇଯିବେ । ସେ ସମୟରେ ରାଜ୍ୟରେ ଅରଜକତା ଦେଖାଯିବ । ଜନତା ରାଜ୍ୟର ପରିସ୍ଥିତି ପାଇଁ ରାଜା, ତାଙ୍କ ପରିବାର ଓ ପୂର୍ବପୁରୁଷଙ୍କ ଦାୟୀ କରିବେ । ରାଜପରିବାରର ଲୋକଙ୍କ ପ୍ରତିଷ୍ଠିତ ସବୁ ପ୍ରତିମୂର୍ତ୍ତି ଭାଙ୍ଗିବେ । ରାଜା ପରିବାର ନାମରେ ନାମିତ ସବୁ ରାସ୍ତା, କୋଠାବାଡି, ଯୋଜନା ର ନାମ ପରିବର୍ତ୍ତନ ହେବ । ରାଜାଙ୍କ କୁଶପୁତ୍ତଳିକା ଦହନ ହେବ । ମୂର୍ତ୍ତିରେ ଜୋତମାଳ ପକାଯିବ । ନୂଆ ଇତିହାସ ବହି ଲେଖାହେବା, ଯେଉଁଥିରେ ରାଜବଂଶର ଲୋକଙ୍କୁ ଅତ୍ୟାଚାରୀ ଓ ପ୍ରଜାଦ୍ରୋହୀ ହିସାବରେ ବର୍ଣନା କରାଯିବ ।

ତୁମ ଜାଣିରଖ ମର୍ତ୍ତରେ କେହି ଅମର ହେଇ ନାହାନ୍ତି କିମ୍ବା କାହାରି କିର୍ତ୍ତୀ ଅମର ହେବ ନାହିଁ ।

ଚାଷୀ ଜଣକ କହିଲେ;

–ମୁଁ ଏତେକଥା ଚିନ୍ତା କରି ପାରିନଥିଲି, ମନରେ ଆସିଥିବା ସଂଶୟକୁ ବ୍ୟକ୍ତ କରିଦେଲି, ଆପଣଙ୍କ ଦ୍ୱାରା ତିଆରି ପ୍ରକୃତିର ନିୟମ ବୁଝିବାକୁ ଅସମର୍ଥ ହେବାରୁ, ଭୁଲ ପ୍ରଶ୍ନ ପଚାରିଦେଲି । ମତେ କ୍ଷମା କରନ୍ତୁ ।

–ଜଣେ ମଣିଷ ପାଇଁ ଏଭଳି ପ୍ରଶ୍ନ ସ୍ୱାଭାବିକ, ଭଗବାନ କହିଲେ, ତେବେ ସେହି ମଣିଷ ପ୍ରକୃତିକୁ ଅନୁଧ୍ୟାନ୍ୟ କରି ସେ ନିୟମକୁ ବୁଝି ପାରିବ । ମୁଁ ତୁମ ପରିବାରର ଭବିଷ୍ୟତ କହିଦେଉଛି, ତୁମର ଦାୟାଦ ମାନେ ତୁମ ଭଳିଆ ଜିଜ୍ଞାସୁ ହେବେ, ସବୁ ଜାଣିବାର ଇଚ୍ଛା ସେମାନଙ୍କୁ ଜ୍ଞାନୀ କରେଇବ । ଭବିଷ୍ୟତରେ ଶାସକ ମାନେ କ୍ଷମତା ଲୋଭି ହେବାରୁ ସମସ୍ତେ ଘୃଣା କରିବେ କିନ୍ତୁ ଜ୍ଞାନୀ ମାନଙ୍କ ଆଦର ସବୁବେଳେ ରହିବ ।

ଚାଷୀ ଜଣକ ନିଜ ଅଯଥା ସଂଶୟର କାରଣ ବୁଝି ପାରିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top