ଅଣୁଗଳ୍ପ

ଶୀତ ଓ ତାତି

Aravind Das's odia Story Sheeta O Taati

ସୁଜାତାଙ୍କ ନାଲି ଆଖିକୁ ଡରି ବୋଉକୁ ରାତିରେ ଘୋଡାଇ ହେବା ପାଇଁ, ଚଦରଟାଏ ଦେଇଥିଲେ ମନୋଜ ।

ଶୀତ ଓ ତାତି

ଅଚାନକ ତାପମାତ୍ରାର ପାରଦ ଖସିଯାଇ, ହାଡଭଙ୍ଗା ଶୀତ ପାଇଁ ଯେତିକି ବ୍ୟସ୍ତ ଲାଗୁନଥିଲା, ଶାଶୁଙ୍କର ଆସିବା ଖବରଟା ସୁଜାତାକୁ ଅଧିକ ବିବ୍ରତ କରୁଥିଲା । “ଏମିତି ଜାଡ, କାକର, ଥଣ୍ଡାରେ, ଏଇଠି ମାଣ ନ ବସାଇଲେ କେଉଁ ମହାଭାରତ ଅଶୁଦ୍ଧ ହୋଇଯିବ? ମୋତେ ହଇରାଣ ନକଲେ ତମ ବୋଉଙ୍କର ଭାତ ହଜମ ହୁଏନା । ଏ ବର୍ଷ ଅନ୍ୟ କେଉଁ ତିନି ବୋହୁଙ୍କ ପାଖରେ କଣ ମାଣ ବସେଇ ପାରିବେନି? ମୋର ପୁଣି ଥଣ୍ଡା ଦେହ ।”

ସୁଜାତାଙ୍କ ଅଭିଯୋଗ ଶୁଣି ମନୋଜ କହିଲେ, “ଏଥର ତ ଆମ ପାଳି । ଏଥିରେ ବୋଉ’ର ଭୁଲ୍ କେଉଁଠି? ତାଛଡା ଏସମୟରେ ଥଣ୍ଡା ପଡିବା କେଉଁ ନୂଆକଥା? ”

ବିରକ୍ତ ହୋଇ ସୁଜାତା ଉଠିଗଲା । ହଠାତ୍ ତାର ମନେ ପଡିଗଲା ନୂଆକିଣା ହୋଇଥିବା କମ୍ବଳ କଥା । ମାତୃ ଭକ୍ତ ପୁତ୍ରମଣି, ଦେଖାଇ ହୋଇ ନିଶ୍ଚୟ ଏ କମ୍ବଳଟା ମା’ଙ୍କୁ ଘୋଡେଇବାକୁ ଦେବେ । ଜରି ଭିତରେ ପ୍ୟାକ୍ କରି କମ୍ବଳଟାକୁ ଟ୍ରଙ୍କ ଭିତରେ ଲୁଚାଇ ରଖୁଥିଲା ବେଳେ ମନୋଜଙ୍କ ଆଖି ପଡିଗଲା ।

“ଆରେ? ଭିତରେ କାହିଁକି ରଖୁଛ କମ୍ବଳଟାକୁ? ବୋଉ ବରଂ ଏଇଟା ଘୋଡାଇ ହେବ ।”

“ସେଇଥି ପାଇଁ ରଖୁଛି । ତମ ବୋଉଙ୍କ ପାନ, ଗୁଡାଖୁଛେପ, ଖଙ୍କାରରେ ନଷ୍ଟ ହୋଇଯିବ ଏଇଟା । ପୁରୁଣା ଚାଦର ଓ କନ୍ଥାରେ କାମ ଚଳାଇବା ।” ସ୍ତ୍ରୀର ସ୍ୱାର୍ଥପର ମନୋଭାବ ପାଇଁ ଦୁଖିତ ହେଉଥିଲା ମନୋଜ । ଥଣ୍ଡା’ର ବାହାନା ଦେଖାଇ ସୁଇଟର, ମଫଲର ଓ ଗ୍ଲୋବସ୍ ପିନ୍ଧି ସୁଜାତା ବସିଥିଲା ବେଳେ କର୍ମଚଞ୍ଚଳା ଶାଶୁ ମେସିନ୍ ପରି ଘର ଧୁଆ ପୋଛା କରି ଚିତା ପକାଇ ମାଣ ସଜାଡି ଦେଉଥିଲେ ।

ସୁଜାତାଙ୍କ ନାଲି ଆଖିକୁ ଡରି ବୋଉକୁ ରାତିରେ ଘୋଡାଇ ହେବା ପାଇଁ, ଚଦରଟାଏ ଦେଇଥିଲେ ମନୋଜ ।

ନାତି ବୁଲୁ ଜିଦି କରି ସେଦିନ ରାତିରେ ଗପ ଶୁଣିିବା ଲୋଭରେ ଜେଜେମା’ଙ୍କ ପାଖରେ ଶୋଇଲା । ନାତିକୁ ନିଜ ଉଷୁମ୍ କୋଳକୁ ଟାଣି ଆଣି ନିଜ ପିନ୍ଧା ଶାଢୀଟା ଘୋଡାଇ ଦେଇ ତା ଉପରେ ଚଦରଟି ପକାଇ ଦେଇଥିଲେ, ଜେଜେମା ।

ସକାଳୁ ଉଠି ବୁଲୁ ସୁଜାତାଙ୍କୁ କହିଲା, “ମମି, ଆମର ସେ ନୂଆ କମ୍ବଳ ଅପେକ୍ଷା, ଜେଜେମାଙ୍କ ଶାଢୀଟା ଅଧିକ ଉଷୁମ୍ । କାଲି ମୋତେ ଟିକେ ହେଲେ ଶୀତ ଲାଗିଲା ନାହିଁ । କମ୍ବଳଟା ଜେଜେମାଙ୍କୁ ଦେଇ, ଆମେ ବରଂ ତାଙ୍କ ଶାଢୀଟା ଘୋଡାଇ ହେଲେ ମଜା ଲାଗିବ । ମୁ ତ ଭାବୁଛି, ତମେ ଏ ସୁଇଟର, ମଫଲର୍ ବଦଳରେ ଜେଜେମାଙ୍କ ପରି ତାଙ୍କ ଶାଢୀ ପିନ୍ଧ । ଥଣ୍ଡା ଛାଡିଯିବ ।”

ସମସ୍ତଙ୍କ ସାମ୍ନାରେ ପୁଅର କଥା ଶୁଣି ସୁଜାତାଙ୍କୁ ଲାଗୁଥିଲା, ତାଙ୍କ ରକ୍ତ ଯେମିତି ବରଫ ପରି ଜମାଟ ବାନ୍ଧିଯାଉଛି । ଏତେ ଥଣ୍ଡାରେ ବି ତାଙ୍କ ଦେହ, ମୁଣ୍ଡରେ ଝାଳ ଜକେଇ ଆସୁଥିଲା । ନାତି କଥା ଶୁଣିି ହସୁଥିଲେ ଜେଜେମା ଶୀତକୁ ବେଖାତିର କଲା ଢଙ୍ଗରେ ।

ଶାଶୁଙ୍କ’ର ସେ ପୁରୁଣା କସ୍ତା ଶାଢୀଟାରେ କେତେ ତାତି ଥିଲା କେଜାଣି? ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ସୁଜାତାଙ୍କ ମନରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top