ଅକ୍ଷୟ ବାବୁଙ୍କୁ ଟେବୁଲ ସାମ୍ନାରେ ଠିଆ ହେବାର ଦେଖି ମୁଣ୍ଡ ଟେକି ଅନାଇଲେ ବିଶ୍ୱଜିତ୍ ବାବୁ ।
ହାତରେ ଧରିଥିବା କଳା ରଙ୍ଗର ବ୍ୟାଗ ଭିତରୁ କିଛି ଖୋଜୁଥିଲେ ଅକ୍ଷୟ ବାବୁ ।
“ଠିଆ ହୋଇଛନ୍ତି କାହିଁକି ବସନ୍ତୁ, ବସନ୍ତୁ । ଛୁଟି ଦରଖାସ୍ତ ଅଥବା ନିମନ୍ତ୍ରଣ କାର୍ଡ, କଣ ଆଣିଛନ୍ତି ?” ହସି ହସି ପଚାରୁଥିଲେ ବିଶ୍ୱଜିତ୍ ବାବୁ, ବ୍ୟାଙ୍କ୍ର ମ୍ୟାନେଜର ।
ଚାରି ଚଉତା କାଗଜଟିଏ ହାତରେ ଧରି, ମୁଁହରେ ଏକ ପ୍ରଶାନ୍ତିର ଭାବ ଖେଳାଇ ଅକ୍ଷୟ ବାବୁ ଉତ୍ତର ଦେଲେ, “ମନ ଓ ଶରୀର ଟିକେ ବିଶ୍ରାମ ଚାହୁଁଛି ସାର୍ । ବହୁତ ହୋଇଗଲା କାମ । ଏବେ ନିଜ ପାଇଁ ଫୁରସତ୍ର କିଛି ସମୟ ଦରକାର । ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ ପାଇଁ ଆପ୍ଲାଇ କରୁଛି । ହେଡ୍ ଅଫିସ୍ ପଠାଇଲା ପୂର୍ବରୁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିଲି ।
ବିଶ୍ୱଜିତ୍ ବାବୁଙ୍କୁ ଯେମିତି ଶକ୍ ଲାଗିଲା । ଅକ୍ଷୟ ବାବୁଙ୍କ ପରି ସୁଦକ୍ଷ କର୍ମଠ ମଣିଷ ଯେ କାମରୁ ଅବ୍ୟାହତି ଚାହିଁପାରେ, ତାହା ବୋଧେ ସେ ବିଶ୍ୱାସ କରିପାରୁନଥିଲେ । ଅକ୍ଷୟ ବାବୁଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଗତବର୍ଷ ବଡଝିଅର ବାହାଘର ସରିଛି । ପୁଅଟା ପାଞ୍ଚ ଛଅ ମାସ ତଳେ ଇଞ୍ଜିନିୟରିଂ ପାଶ୍ କରି ଗୋଟେ ସଫ୍ଟୱେୟାର୍ କମ୍ପାନୀରେ କାମ କରୁଛି । ଜଞ୍ଜାଳ ହୀନ ମଣିଷ ବର୍ତ୍ତମାନ ଅକ୍ଷୟ ବାବୁ ।
ଅନେକ ଦିନରୁ ଏଇ ନିଷ୍ପତ୍ତିଟା ନେଇସାରିଥିଲି । କାମ ଭିତରେ ଧନ୍ଦି ହୋଇ ନିଜ ପାଇଁ, ସ୍ତ୍ରୀ ପାଇଁ ସମୟ ବାହାର କରି ହେଉନି । ଭାବୁଛି ଗାଁ ଓ ପୁଅ ପାଖରେ ଯାଇ କିଛି ଦିନ ରହିବି । ସାରା ଭାରତ ସସ୍ତ୍ରୀକ ବୁଲିବି, ମନଇଚ୍ଛା ପଢିବି, ଟି.ଭି. ଦେଖିବି, ବିନ୍ଦାସ ଭାବେ ନିଜ ଇଚ୍ଛା ମୁତାବକ ବଞ୍ଚିବି ।
ଆଶ୍ଚର୍ଯ୍ୟ ହୋଇ ଅନାଇ ଥିଲେ ବିଶ୍ୱଜିତ୍ ବାବୁ । ପ୍ରଗଲ୍ଭ ହୋଇ ଗପି ଚାଲିଥିଲେ ଅକ୍ଷୟବାବୁ । ତାଙ୍କ ପରିତୃପ୍ତ ମୁଁହକୁ ଦେଖିଲେ ଲାଗୁଥିଲା ଯେଉଁ ନିଷ୍ପତ୍ତି ସେ ନେଇଛନ୍ତି, ତାହା ଯେମିତି ତାଙ୍କର କେଉଁ ଦିନର ଅବଦମିତ ଇଚ୍ଛା ।
ନିଜ ଇଚ୍ଛାରେ ଜିଇଁବା ପାଇଁ ସମସ୍ତଙ୍କ ଅଧିକାର ଅଛି । ଅକ୍ଷୟ ବାବୁଙ୍କୁ ବା କିଏ ବଞ୍ଚିତ କରିପାରିବ ସେଥିରୁ ? କ୍ଲରିକାଲ ରାଙ୍କରୁ ଏବର୍ଷ ପ୍ରମୋଶନ୍ ପାଇ ଅଫିସର ଭାବେ ଏଇ ବ୍ରାଞ୍ଚରେ ପୋଷ୍ଟିଂ ହୋଇଥିଲେ ଅକ୍ଷୟବାବୁ । ଚାରିଦିନ ତଳେ ବଦଳି ଅର୍ଡରରେ ତାଙ୍କ ପୋଷ୍ଟିଂ ବୋରିପଲ୍ଲୀ ହୋଇଥିଲା । ବଦଳିକୁ ଭୟ କରି କଣ ଅକ୍ଷୟ ବାବୁ ଏମିତି ପଦକ୍ଷେପ ନେଲେ ? ମନକୁ ମନ ପ୍ରଶ୍ନ କରୁଥିଲେ ବିଶ୍ୱଜିତ୍ ବାବୁ । କାରଣ ଗତ ୬ ମାସ ଭିତରେ ସେଇ ବ୍ରାଞ୍ଚରୁ ଡକାୟତି ହୋଇଛି ଏବଂ ମାଓବାଦୀମାନେ ଥରେ ବମ୍ମାଡ ମଧ୍ୟ କରିଥିଲେ । ଏମିତି ଗୋଟେ ବ୍ରାଞ୍ଚକୁ ବଦଳି ହୋଇଯିବାକୁ କିଏ ଅବା ଚାହିଁବ ? ତାହା ପୁଣି ବ୍ରାଞ୍ଚ ଇନ୍ଚାର୍ଯ ହୋଇ !
ଆପଣ ବି ଅନ୍ୟମାନଙ୍କ ପରି ଭାବୁଥିବେ, ମୋର ବୋରିପଲ୍ଲୀ ଟ୍ରାନସଫର୍ ହେଲା ବୋଲି ମୁଁ ଭି.ଆର୍.ଏସ୍ ନେଉଛି । ଅବଶ୍ୟ ସେଇଟା ବି ଗୋଟେ କାରଣ । ତେବେ ମୋ ଦେହଟା ବି ଭଲ ରହୁନି ବୋଲି ସେଠାରେ ଜଏନ୍ କରିବାକୁ ଇଚ୍ଛା ନାହିଁ । ଏଠିକା ପରି ସେଠାରେ ମେଡିକାଲ ଫ୍ୟାସିଲିଟି ନାହିଁ । ପୁଅଟା ଏବେ ନୂଆ ହୋଇ ତିରୁପତିରେ ଜଏନ୍ କରିଛି ବୋଲି ମେସ୍ କରି ରହୁଛି । ଭାବୁଛୁ ବୁଢାବୁଢୀ ଦୁଇଜଣ କିଛିଦିନ ତା ପାଖରେ ଯାଇଁ ରହିବୁ । ଝିଅ, ଜୋଇଁ ବି ଚେନ୍ନାଇରେ ରହୁଛନ୍ତି । ତିରୁପତିରୁ ଚେନ୍ନାଇ ତିନିଘଣ୍ଟାର ବାଟ । ତେଣୁ ସମୟ କଟିଯିବ । ତାଛଡା ଗାଁରେ ବି ଘରଲୋକ ସବୁ ଅଛନ୍ତି ।
ଧନୁରୁ ନିକ୍ଷେପ ହୋଇଯାଇଥିବା ତୀର, ବନ୍ଧୁକରୁ ବାହାରି ଯାଇଥିବା ଗୁଳିକୁ କଣ ଫେରାଇ ଆଣିହୁଏ ? ବିଶ୍ୱଜିତ୍ ବାବୁ କେମିତି ଅବା ବଦଳାଇ ଦେଇ ପାରିବେ ଅକ୍ଷୟ ବାବୁଙ୍କ ନିଷ୍ପତ୍ତି ?
ଆପଣ ବୋଧେ ତରବର ହୋଇ ଏମିତି କରିଛନ୍ତି । ମୁଁ ଭାବୁଛି କିଛିଦିନ ଛୁଟି ନେଇ ଆପଣ ଏଇ ନିଷ୍ପତ୍ତିର ପୁର୍ନବିଚାର କରନ୍ତୁ ଏକଦମ୍ ଥଣ୍ଡା ମିଜାଜରେ । ଆପଣଙ୍କର ଏବେ ଦରମା ଆଗକୁ ଆହୁରି ବଢିବ । କିଛିବର୍ଷ ପରେ ଆପଣଙ୍କୁ ରିଟାୟାରମେଣ୍ଟ ବେନିଫିଟ୍ ବହୁତ ମିଳିବ ।
ମୃଦୁ ହସିଲେ ଅକ୍ଷୟ ବାବୁ । ଏକଦମ୍ ସରଳ, ନିଷ୍କପଟ ହସ । ତାଙ୍କର ଅମ୍ୟାୟିକ ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ଆଦର କରନ୍ତି । ଯେତେ ଡେରି ହେଲେ ବି ସବୁ କାମ ସରି ଘରକୁ ଫେରନ୍ତି ।
କଣ ହେବ ମୋର ଅଧିକ ପଇସା ? ସବୁ ଦାୟିତ୍ୱରୁ ମୁଁ ମୁକ୍ତ । ମିସେସ୍ ବି ଚାହୁଁନି ମୁଁ ଆଉ ଖଟେ ବୋଲି । ଘର ଖଣ୍ଡେ ତ କରିଛି । ଭି.ଆର୍. ଏସ୍ ଟଙ୍କା ଫିକ୍ସ ଡିପୋଜିଟ୍ କରିଦେଲେ ମାସକୁ ଯାହା ମିଳିବ ତାହା ଆମ ଦୁଇଜଣଙ୍କୁ ଢେର୍ ।
ତାଙ୍କ ହାତରୁ ଦରଖାସ୍ତଟା ନେଇ ଆଖି ବୁଲାଇ ଆଣିଲେ ବିଶ୍ୱଜିତ୍ ବାବୁ । ନିଜ କଥା ଭାବୁଥିଲେ ସେ । ତାଙ୍କରି ଦୁଇଟା ଯାକ ପୁଅ ମେଡିକାଲ ପଢୁଛନ୍ତି । ଭଲ ରାଙ୍କ ପାଇଲେନି ବୋଲି ପ୍ରାଇଭେଟ୍ ମେଡିକାଲ କଲେଜରେ ଗୁଡାଏ ଡୋନେସନ୍ ଦେଇ ପଢାଉଛନ୍ତି ଦୁହିଁଙ୍କୁ । ଏକ ଝୁଙ୍କରେ ଏହି ନିଷ୍ପତ୍ତି ନେଇଥିଲେ । ଗୁଡାଏ ଟଙ୍କା ଲୋନ୍ କରିଛନ୍ତି । ଟଙ୍କାତକ ସୁଝାହେଲା ବେଳକୁ ସେ ବୁଢା ହୋଇଯାଇଥିବେ । ଇଚ୍ଛା ଥିଲେ ବି ସେ ଅକ୍ଷୟ ବାବୁଙ୍କ ପରି ସ୍ୱେଚ୍ଛାକୃତ ଅବସର ନେବାର ସାହାସ କରି ପାରିବେ ନାହିଁ । ଇର୍ଷା ଆସୁଥିଲା ଆଜି ଅକ୍ଷୟ ବାବୁଙ୍କ ଉପରେ ତାଙ୍କୁ ।
ସାମାଜିକ ବନ୍ଧନର ଶୃଙ୍ଖଳ ରୂପେ ଦାୟିତ୍ୱ ରଜ୍ଜୁରେ ବନ୍ଧା ଘସାମଜା ଜୀବନରୁ ମୁକ୍ତି କିଏ ନଚାହେଁ ? ଅକ୍ଷୟ ବାବୁ ଭାଗ୍ୟବାନ । “ଦରଖାସ୍ତଟା ସାଙ୍ଗେ ସାଙ୍ଗେ ରିଜିଓନାଲ୍ ଅଫିସକୁ ଫରଓା୍ୱର୍ଡ କରିଦେବେ ସାର୍ । କାଲିଠାରୁ ମୁଁ ଛୁଟି ନେଉଛି ପନ୍ଦର ଦିନ ପାଇଁ ।”
ଠିକ୍ ଅଛି । ତଥାପି ପୁର୍ନଃବିଚାର କଲେ ଭଲ ହୁଅନ୍ତା । ଆମେ ସବୁ ଆପଣଙ୍କୁ ମିସ୍ କରିବୁ ।
ବ୍ରାଞ୍ଚ ମ୍ୟାନେଜରଙ୍କ ଚାମ୍ବରରୁ ବାହାରି ଆସିଲା ପରେ ଅକ୍ଷୟ ବାବୁଙ୍କୁ ଲାଗୁଥିଲା ସେ ଯେମିତି ଏକ ଖୋଲା ଆକଶରେ ନୂଆ କରି ଉଡି ଶିଖୁଥିବା ଏକ ଚଢେଇ । ଡେଣା ହଲାଇବା ଏବେ ଆରମ୍ଭ କରିଛନ୍ତି । ଧୀରେ ଧୀରେ ଆହୁରି ଉପରକୁ ଉଡିବେ ।
ସେଦିନ ଘରେ ପହଁଚି ସୁଷମାଙ୍କୁ କୁଣ୍ଡାଇ ପକାଇ କହିଲେ, ମୋ ଛୁଟି ସରିଲା ବେଳକୁ ଭି.ଆର୍. ଏସ୍ ଟା ସାଙ୍କସନ ହୋଇଯାଇଥିବ । ଏଣିକି ଖାଲି ତମେ ଆଉ ମୁଁ ମନଇଚ୍ଛା ବୁଲିବା, ସମୟ ବିତାଇବା ।
ସ୍ୱାମୀଙ୍କ ବେଷ୍ଟନୀ ଭିତରୁ ନିଜକୁ ଜବରଦସ୍ତି ମୁକୁଳାଇ ସୁଷମା କହିଲେ, ମାନା ଆଜି ଫୋନ୍ କରିଥିଲା । କାଲି ରାତିରେ ଜୋଇଁ ତାକୁ ପୁଣି ମାରଧର କରିଥିଲେ ବୋଲି କାନ୍ଦିକାନ୍ଦି କହୁଥିଲା । ତମକୁ ନକହିବାକୁ ମୋତେ କହିଥିଲା । ହେଲେ କେତେ ଦିନ ଆଉ ସହିବ ଏମିତି ? ଆମେ ଭାବୁଥିଲେ ବୋଧ ହୁଏ ଯୌତୁକ ପାଇଁ ନିହାର ଏମିତି କରୁଛି ବୋଲି । ହେଲେ କଥାଟା ଅଲଗା ।
ଅକ୍ଷୟ ବାବୁ ଚମକି ପଡିଲେ । ଝିଅ, ଜୋଇଁଙ୍କ ଭିତରେ ଟିକେ ମନାନ୍ତର ଚାଲିଛି ବୋଲି ଆଭାସ ପାଇଥିଲେ । ହେଲେ କଥାଟା ଏତେ ଆଗେଇଯିବ ବୋଲି ସେ ଭାବିନଥିଲେ ।
କି ଅଲଗା କଥା ? ମନ ଭିତରେ ଏକ ଅଜଣା ଆତଙ୍କକୁ ଚାପି ରଖିବାର ପ୍ରୟାସ କରୁଥିଲେ ଅକ୍ଷୟ ବାବୁ । ହାତ, ପାଦ ତାଙ୍କର ଝାଳେଇ ଯାଉଥିଲା ।
ନିହାର ଆଉ ଗୋଟେ ଝିଅକୁ ଘରକୁ ଆଣୁଛି ଏବଂ ଅନେକ ସମୟରେ ସେଇ ଝିଅର ଫ୍ଲାଟରେ ରାତି କଟାଉଛି । ମାନାକୁ ଡାଇଭର୍ସ ନେବାକୁ ବାଧ୍ୟ କରୁଛି ।
ଆଉ କହିପାରିଲେନି ସୁଷମା । କାନ୍ଦକାନ୍ଦ ହୋଇଯାଉଥିଲେ । ଶାଢୀ କାନିଟା ମୁଁହରେ ଦେଇ ସୁଁ ସୁଁ ହେବାରେ ଲାଗିଲେ ।
ଅକ୍ଷୟଙ୍କ ମୁଣ୍ଡଟା ଯେମିତି ଘୁରାଇ ଦେଉଥିଲା । କେତେ ଯାକଜମକରେ ବାହା କରିଥିଲେ ମାନାର ? ଗୋଟିଏ ବୋଲି ଝିଅର ବାହାଘରରେ କୌଣସି କଥାରେ ଊଣା କରିନଥିଲେ । ସୁନାଗହଣା, ଜିନିଷପତ୍ର, ଜ୍ୱାଇଁକୁ ଗାଡି ଇତ୍ୟାଦି ସବୁକିଛି ଦେଇଥିଲେ ନିଜଆଡୁ । ନିହାରଟା ଏତେ ତଳକୁ ଖସିଗଲା ? ଛିଃ, ମନ ଭିତରଟା ଘୃଣାରେ ଭରିଯାଉଥିଲା ଅକ୍ଷୟଙ୍କର । ପିଲାକୁ ନିଜେ ସେ ହିଁ ପସନ୍ଦ କରିଥିଲେ । ହେ ଭଗବାନ୍, କଣ ହେବ ମାନାର ?
ତମେ ବ୍ୟସ୍ତ ହୁଅନା । କାଲି ଆମେ ଫ୍ଲାଇଟରେ ଚେନ୍ନାଇ ଯିବା । ସମୁଦି, ସମୁଦୁଣୀଙ୍କୁ କଥାଟା କହିବାକୁ ପଡିବ । ପୋଲିସ୍ କେସ୍ କରିବା । କଣ ଭାବିଛି ସେ ଟୋକା ନିଜକୁ ?
କିଛି ସମୟ ଭିତରେ ଯେମିତି ଅକ୍ଷୟଙ୍କ ସୁନାର ସଂସାର ଭିତରେ ଝଡଟିଏ ବୋହିଯାଇ ଚାରି ଆଡ ଛିନ୍ ଛତ୍ର ହୋଇଯାଇଥିଲା । ରାତିସାରା ଶୋଇପାରିନଥିଲେ ସେ । କାହାକୁ କହିବେ ସେ ଏକଥା । ସାନଭାଈ ସହିତ କଥା ହୋଇଥିଲେ ଅକ୍ଷୟ । ତାର ଗୋଟେ ସାଙ୍ଗ କଟକରେ ପୋଲିସ୍ ଇନସ୍ପେକ୍ଟର ଅଛି ।
ଦେଖନ୍ତୁ ଆଜ୍ଞା, ଏଗୁଡାକ ଆଜିକାଲି ଅତି ସାଧାରଣ ହୋଇଗଲାଣି । ଟୋକାଟାକୁ କିଛିଦିନ ଜେଲରେ ଭର୍ତ୍ତିକରାହେବ । ହେଲେ ଫଳ କଣ ହେବ ? ସେମିତିକା ପିଲା ସହିତ ଆପଣଙ୍କ ଝିଅ କଣ ଆଉ ଏକାଠି ରହିବାକୁ ଇଚ୍ଛା କରିବ ? ଜେଲରୁ ବାହାରି ହୁଏତ କମ୍ପରମାଇଜ୍ କରିପାରେ । ହେଲେ ପୁଣି ଯେ ସେ ଅନ୍ୟ ଝିଅ ସହିତ ନରହିବ ତାର ଗ୍ୟାରେଣ୍ଟି କଣ ? ବରଂ ଅଧିକ ଆଲିମନି ଡିମାଣ୍ଡ କରନ୍ତୁ, ଯେମିତି ସେ ଟୋକା ପାନେ ପାଇବ । ମାସକୁ ମାସ କ୍ଷତିପୂରଣ ଦେଉ ଆପଣଙ୍କ ଝିଅ ପୁର୍ନବିବାହ କଲା ପର୍ଯ୍ୟନ୍ତ ।
ଇନ୍ସପେକ୍ଟରଙ୍କ କଥା ଶୁଣି ଅକ୍ଷୟ ଭାବୁଥିଲେ, ମାନାର ପୁର୍ନବିବାହ ? ଥରେ ବାହାଘର ସାରିଦେଲା ପରେ ବାପଜଣଙ୍କ ଝିଅ ଦାୟିତ୍ୱରୁ ମୁକ୍ତି ହେଲା ବୋଲି ଯାହା ଭାବେ, ତାହା କେବଳ ଏକ ମିଛ ପ୍ରବଞ୍ଚନା ଆଜିକାଲି । ପୋଲିସ କେସ୍, କୋର୍ଟ, କଚେରୀ… କିଛି ବାଟ ଦିଶୁନଥିଲା ଅକ୍ଷୟଙ୍କୁ । ସବୁ କେମିତି ଠିକ୍ ଠାକ୍ ହୋଇଯାଉ । ମାନା ଓ ନିହାର ଏକାଠି ରୁହନ୍ତୁ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତ ମନାନ୍ତର ହୁଏ ।
ସମୁଦିଙ୍କୁ ଫୋନ୍ କରି କଥାଟା ଜଣାଇଥିଲେ । ଆରପଟୁ ନିହାର ବାପାଙ୍କ ସ୍ୱର, ମୁଁ ତ ପାରାଲିସିସ୍ ରୋଗୀ । ବିଛଣାରୁ ଉଠି ପାରୁନି । ମିସେସ୍ କଥା ତ ଜାଣିଛନ୍ତି । ଆଣ୍ଠୁଗଣ୍ଠି ବାତ ଯୋଗୁଁ ଘୁସୁରି ଘୁସୁରି ଚଳପ୍ରଚଳ ହେଉଛି । ଟୋକାଟା ସେଠି କଣ କରୁଛି, କଣ ନାହିଁ ତାହା କଣ ଆମେ ଜାଣୁଛୁ ? ଆପଣ ବିଶ୍ୱାସ କରନ୍ତୁ ମାନା ପାଇଁ ଆମର ସବୁ ସ୍ନେହ, ଶ୍ରଦ୍ଧା ଅଛି । ସେ ହିଁ ଆମର ବୋହୁ । ଅନ୍ୟ କୌଣସି ଝିଅ କଥା ଆମେ ଜାଣିନୁ ।
ଆଶା ଓ ବିଶ୍ୱାସର ଏକ କ୍ଷୀଣ ଆଲୋକ ଦେଖିଲେ ଅକ୍ଷୟ । ପରଦିନ ଚେନ୍ନାଇରେ ମାନା ପାଖରେ ପହଁଚିଲା ବେଳକୁ ସକାଳ ଏଗାରଟା । ନିହାର ଘରେ ନଥାଏ । ବାପା, ମାଙ୍କୁ ପାଖରେ ଦେଖି ମାନା ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ।
ମୁଁ ଜମା ଏଠାରେ ରହିବିନି ବୋଉ । ନିହାର ଗୋଟେ ରାକ୍ଷାସ ପାଲଟି ଯାଇଛି । କଥା କଥାକେ ଗାଳି, ମାଡ । ସେ ଝିଅଟା କାଳେ ପ୍ରେଗନାଣ୍ଟ ଅଛି ।
ଝିଅ କଥା ଶୁଣି ଖଟ ଉପରେ ବସିପଡିଲେ ଅକ୍ଷୟ ଓ ସୁଷମା । ଘର ପୋଡିଗଲେ ଅସହାୟ ଲୋକଟା ବାହାରେ ଯେମିତି ନୀରବ ଦର୍ଶକ ସାଜି ଠିଆ ହୋଇଥାଏ, ସେମିତି ଲାଗୁଥିଲା ତାଙ୍କୁ ।
ଜୋଇଁଙ୍କ ଫୋନଟା ସୁଇଚ୍ ଅଫ୍ ଆସୁଥାଏ । କିଛି ବୁଦ୍ଧିବାଟ ଦିଶୁନଥାଏ ଅକ୍ଷୟଙ୍କୁ । ଝିଅ, ବୋହୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ହଜାରେ ନିୟମ, କାନୁନ୍ ଓ ଆଇନ୍ କଟକଣା ଅଛି । ସୁରକ୍ଷା ବଳୟ କାଳେ ସୃଷ୍ଟି କରାଯାଉଛି ପ୍ରତ୍ୟେକ ବିବାହିତ ନାରୀ ପାଇଁ ।
ହେଲେ କେଉଁଠି ଅଛି ସେ ସୁରକ୍ଷା ବଳୟ ? ଅକ୍ଷୟବାବୁ ମନେମନେ ଖୋଜି ହେଉଥିଲେ ସାହାରା । ତିନି ଦିନ ଚେନ୍ନାଇରେ ରହି ମାନାକୁ ନେଇ ଓଡିଶା ଫେରି ଆସିଲେ ସେମାନେ । ନିହାରର କିଛି ପତ୍ତା ମିଳିନଥିଲା । ସେ ଲୋକଟା ସାଙ୍ଗରେ କମ୍ପରମାଇଜ୍ କେବେ କରିବନି । କିଏ ଜାଣେ ହୁଏତ ମୋତେ ମାରି ଦେଇପାରେ । ଝିଅ କଥା ଶୁଣି ଡରି ଯାଇଥିଲେ ଅକ୍ଷୟବାବୁ ।
ଘରେ ପହଞ୍ଚି ସବୁ ଚିହ୍ନା ପରିଚୟଙ୍କୁ ପୁଣି ଉତ୍ତର ଦେବାର କଷ୍ଟକର ଅନୁଭୂତି । ଅସୁବିଧାରେ ପଡିଥିବା ମଣିଷର ମଜା ଉଡାଇବାବୁ ଏବଂ ତାରି ମୁଁହରୁ ଉଜୁଡି ଯାଇଥିବା ସଂସାରର ସବିଶେଷ ବିବରଣୀ ଶୁଣିବାକୁ ସମସ୍ତଙ୍କ ଅହେତୁକ ଆଗ୍ରହ । ତା ପରେ ଲୋକଦେଖାଣିଆ ଅନୁକମ୍ପା ଓ ଆଶ୍ୱାସନା । ଯାହା ଭିତରେ ଲୁଚି ରହିଥାଏ କଦାକାର ଅଦୃଶ୍ୟ ବିଦ୍ରୁପର ଛିଟା ।
ଭଲଭାବେ ନଜାଣି ଏମିତି ପୁଅଙ୍କ ସହିତ ଝିଅଟାକୁ ଅଯଥାରେ ଛନ୍ଦିଦେଲେ । ଅମୁକ ପ୍ରସ୍ତାବ, ସମୁକ ପ୍ରସ୍ତାବ କେତେ ଭଲ ଥିଲା ? ଆମ କଥା ତ ଶୁଣିଲେନି ।
ଦେହ ହାତରେ ଯେମିତି ନିଆଁ ଲାଗିଯାଉଥିଲା ଅକ୍ଷୟଙ୍କର । ଓକିଲମାନଙ୍କ ସହ ପରାମର୍ଶ, ପୋଲିସ୍ ଅଫିସର ମାନଙ୍କ ସହ କଥାବାର୍ତ୍ତା , ଫ୍ୟାମିଲି କୋର୍ଟ, ମହିଳା ଥାନା …ଇତ୍ୟାଦି ଇତ୍ୟାଦି । ଜୀବନରେ କେବେ ଦେଖି ନଥିବା ଜାଗା ସବୁ ଯିବାକୁ ପଡୁଥିଲା ଅକ୍ଷୟଙ୍କୁ ।
ବ୍ୟାଙ୍କରୁ ଫୋନ୍ ଆସିଥିଲା । ଆଉ କିଛି ଡକ୍ୟୁମେଣ୍ଟ ଦେବାକୁ ପଡିବ । ଅକ୍ଷୟଙ୍କୁ ନିଶ୍ୱାସ ମାରିବାକୁ ବେଳନଥିଲା । ଚିନ୍ତାହୀନ ମଣିଷଟା ଏଇ କିଛିଦିନ ଭିତରେ ଯେମିତି କେବଳ ଦୁଶ୍ଚିନ୍ତାରେ ହିଁ ଉବୁଟୁବୁ ହେଉଥିଲା ।
ଅକ୍ଷୟ ବାବୁ ଯାହା ଡରୁଥିଲେ ତାହା ହିଁ ହୋଇଥିଲା । ପୁଅ ମିକୁ ଆସି ଘରେ ପହଁଚିଯାଇଥିଲା । ଅକ୍ଷୟ ଜାଣିଥିଲେ ଭାଈ-ଭଉଣୀ ପରସ୍ପରକୁ ବହୁତ ଭଲପାଆନ୍ତି । ଏ ଖବର ଜାଣିଶୁଣି ସେ ମିକୁକୁ ଦେଇନଥିଲେ । କିଏ ଜାଣେ ରାଗିଯାଇ ହଠାତ୍ କଣ କରି ବସିବ ? ନୂଆ ଚାକିରୀ କରିଛି । ଛୁଟିଥାଉ ନଥାଇ ଘରକୁ ପଳାଇ ଆସିପାରେ । ସଫ୍ଟୱେର କମ୍ପାନୀ ଗୁଡାକ ବି ଆଜିକାଲି ଭାରୀ ଷ୍ଟ୍ରିକ୍ଟ ହୋଇଗଲେଣି । ନୂଆ ପିଲା ଅଧିକ ଦିନ ଛୁଟି ନେଲେ ଚାକିରୀରୁ ଛଟେଇ କରିଦେଉଛନ୍ତି ।
ସୁଷମା କିନ୍ତୁ ପୁଅ ସପକ୍ଷରେ କହୁଥିଲେ, ଭାଈ ହୋଇଛି ଯେତେବେଳେ, ଭଉଣୀ କଥା ଶୁଣି କଣ ଥୟ ଧରି ରହିପାରିବ ?
ହେଲେ ଜିନିଷପତ୍ର ଗୁଡାକ ନେଇ କାହିଁକି ଚାଲି ଆସିଲା ? ଓଲଟା ପ୍ରଶ୍ନ ପଚାରୁଥିଲେ ଅକ୍ଷୟବାବୁ ।
ଘର ଭିତରେ ଚୁପ୍ ଚୁପ୍ ବସିଥିବା ମିକୁ ସମସ୍ତ କଳ୍ପନାର ଅବସାନ ଘଟାଇ ଚୁପ୍ ଚୁପ୍ ହୋଇ କହିଲା, “ତିନିମାସ ହେଲାଣି ମୋତେ ଚାକିରୀରୁ ବାହାର କରି ଦେଲେଣି । ଜଏନ୍ କଲାପର ୪ ମାସ ପରେ ପିଙ୍କ୍ ସ୍ଲିପ୍ ଦେଇ ବେଞ୍ଚରେ ରଖିଥିଲେ । ବର୍ତ୍ତମାନ ପ୍ରୋଜେକ୍ଟ ନାହିଁ ବୋଲି ଶହ ଶହ ପିଲାଙ୍କୁ ବାହାର କରିଦେଲେ ।
ତିନିମାସ ହେଲା ମୁଁ ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦରେ ବୁଲି ବୁଲି ଟ୍ରାଏ କରୁଥିଲି । କେଉଁଠି କିଛି ହୋଇପାରିଲା ନାହିଁ । ବାହାରେ ରହି ୫-୧୦ ହଜାର ଦରମାବାଲା ଚାକିରୀରେ କଣ ଚଳିହେବ ?
କଣ କରିବୁ ତାହା ହେଲେ ? ବିକଳ ହୋଇ ପଚାରିଲେ ଅକ୍ଷୟବାବୁ । ମୋତେ ଏମ୍.ବି.ଏ. କରିବାକୁ ପଡିବ । ଆମର ସେଇ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ବାଲା କାଳେ ପଇସା ଦେଇ ପିଲାଙ୍କୁ ବିଭିନ୍ନ କମ୍ପାନୀରେ ପ୍ଲେସମେଣ୍ଟ ଦେଉଛନ୍ତି । କିନ୍ତୁ ଦୁଇତିନିମାସ ପରେ ସେମାନେ ପିଲାଙ୍କୁ ବାହାର କରି ଦେଉଛନ୍ତି । ଠିକ୍ ଆମମାନଙ୍କ ଭଳି । ରେପୁଟେଡ୍ କଲେଜ୍ କିମ୍ବା ଆଇ.ଆଇ.ଟିରୁ ପାଶ୍ ନକଲେ ବାହାରେ ଚାହିଦା ନାହିଁ । ଦୁଇବର୍ଷ ମୋତେ ଏମ୍.ବି.ଏ. କରିବାକୁ ପଡିବ କୌଣସି ଭଲ କଲେଜରେ ।
ନିଜ ଆଖିକୁ ପୋଛି ସୁଷମା ସାନ୍ତ୍ୱନା ଦେଇ କହୁଥିଲେ, ହଁ, କାହିଁକି ପଢିବୁନି ? ଭଲ ଚାକିରୀ ପାଇଁ ଯାହା ଦରକାର ତାହା କର ।
ଅଦ୍ଭୁତ ଧରଣର ଜଡତା ଯେମିତି ଜାବୁଡି ଧରୁଥିଲା ଅକ୍ଷୟବାବୁଙ୍କୁ । ଦିନ କେଇଟାରେ ସବୁ ସମୀକରଣ ଯେମିତି ସଏପଟ ସେପଟ ହୋଇଯାଉଥିଲା ।
ଦୌଡ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତିଥିବା ପ୍ରତିଯୋଗୀଟେ ଯେମିତି ଭୁଲିଯାଏ ଯେ ବୃତ୍ତାକାର କ୍ଷେତ୍ର ଭିତରେ ଦୌଡି ଦୌଡି ଦୌଡ ଶେଷରେ ପୁଣି ସେହି ଆରମ୍ଭ ସ୍ଥାନକୁ ହିଁ ସେ ଫେରିଆସିଛି । ଅକ୍ଷୟ ବାବୁ ଆଜି ସେମିତି ଏକ ସ୍ଥାନରେ ଠିଆ ହୋଇଥିଲେ, ଯେଉଁଟା ଆରମ୍ଭ କି ଶେଷ ତାହା ସେ ଜାଣିପାରୁନଥିଲେ ।
ରାତିରେ ଶୋଇଲାବେଳେ ସୁଷମା କହୁଥିଲେ, ମାନା କଥା କଣ କରିବା ? ଡାଇଭର୍ସ ନହେଲା ଯାଏଁ ଆଉ କେଉଁଠିତ ପ୍ରସ୍ତାବ ପକାଇ ହେବନି । ଚାକିରୀ କରିବ ବୋଲି କହୁଛି । ହେଲେ ଯେଉଁଠି ମିକୁ ପାଇଁ ଚାକିରୀ ମିଳୁନି, ସେଠି ମାନାକୁ କଣ ଏମିତି ସହଜରେ ମିଳିବ ? କେଉଁଠି ପ୍ରାଇଭେଟ୍ ସ୍କୁଲରେ ବରଂ ଜଏନ୍ କରିଯାଉ । ଟୋକାଟାକୁ ଦେଖୁନ ? ପାଠ ପଢିବ ବୋଲି ଜିଦି ଲଗାଇଛି ? ହେଲେ ଆଜି ମୋତେ କହୁଛି ୩-୪ ଲକ୍ଷ ଟଙ୍କା ଦରକାର ହେବ । କେଉଁଠୁ ଆସିବ ପଇସା ବୋଲି ମୁଁ ପଚାରିଲାରୁ କହିଲା, “ବାପା ଯେଉଁଠୁ ହେଲେ ଯୋଗାଡ କରିବେ । କଣ ଆଉ କରିବା ? ଗୋଟାଏ ତ ପୁଅ ।” ଦୀର୍ଘ ନିଶ୍ୱାସ ଛାଡି କହିଲେ ସୁଷମା ।
କଡ ଓଲଟାଇ ଶୋଇବାର ଛଳନା କରୁଥିଲେ ଅକ୍ଷୟବାବୁ । ଆଖିକୁ କଣ ନିଦ ଆସୁଥିଲା ? ଚିନ୍ତାଗୁଡାକ ଶ୍ରାବଣ ଆକାଶର ମେଘମାଳା ପରି ମାଡି ଆସୁଥିଲେ ପ୍ରତିମୂହୁର୍ତ୍ତରେ ।
ସକାଳୁ ଉଠି ଅକ୍ଷୟବାବୁ ପହଞ୍ଚି ଯାଇଥିଲେ ବ୍ୟାଙ୍କରେ । ସହକର୍ମୀମାନଙ୍କ ସହ କଥାବାର୍ତ୍ତା ହୋଇ ବିଶ୍ୱଜିତ୍ ବାବୁଙ୍କ ଚ୍ୟାମ୍ବରରେ ପଶିଗଲେ ।
ମୁଁ ଆପଣଙ୍କୁ ହିଁ ଖୋଜୁଥିଲି । ରିଜିଓନାଲ୍ ଅଫିସରେ ଆପଣଙ୍କ ଦରଖାସ୍ତଟା ପଡିରହିଛି । ଏଇ ଦୁଇଟା ଫର୍ମରେ ଦସ୍ତଖତ କରିଦିଅନ୍ତୁ ।
ଫର୍ମ ଦୁଇଟା ଉପରେ ଆଖି ବୁଲାଇ ଆଣି ଚିରିଦେଲେ ଅକ୍ଷୟବାବୁ ।
‘ଆରେ ଏକଣ କରୁଛନ୍ତି ? ଭି.ଆର.ଏସ୍ ସାଙ୍କସନ୍ ହେବାକୁ ପୁଣି ଡେରି ହୋଇଯିବ ।’
“କ୍ଷମା କରିଦେବେ ସାର୍ । ମୋ ଦରଖାସ୍ତଟା ଫେରାଇ ଆଣନ୍ତୁ । ବୋରିପଲ୍ଲୀରେ ଜଏନ୍ କରିବାକୁ ମୁଁ ରାଜି । ଏଇ ନିଅନ୍ତୁ ମୋର ନୂଆ ଦରଖାସ୍ତ । ପୁରା ଚାକିରୀ କାଳ ସାରିବାକୁ ପଡିବ ମୋତେ ।”
ଅକ୍ଷୟ ବାବୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ବିଶ୍ୱଜିତ୍ ବାବୁ ପଚାରିଲେ, ଏତେ ଶୀଘ୍ର ନିଜ ନିଷ୍ପତ୍ତିଟା ବଦଳାଇ ଦେଲେ ଅଥବା ମୋ କଥାକୁ ଗୁରୁତର ଭାବେ ବିଚାର କଲେ ? ଆପଣଙ୍କ ସ୍ତ୍ରୀଙ୍କ ସହିତ ଭାରତ ଦର୍ଶନ, ବହିପଢା, ବିଳାସ ଜୀବନ…କଣ ହେଲା ?
ଗୋଟେ ଶୁଖିଲା ହସ ମୁଁହରେ ଖେଳାଇ, ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ଓ୍ଵିଥଡ୍ର ଆପ୍ଲିକେସନ୍ ବିଶ୍ୱଜିତ୍ ବାବୁଙ୍କ ହାତକୁ ବଢାଇ ଅକ୍ଷୟବାବୁ କହିଲେ, ଗୋଟେ ବାପା କଣ କେବେ ଅବସର ନେଇପାରେ ? ତା ପୁଣି ସ୍ୱେଚ୍ଛାକୃତ ?
ଅକ୍ଷୟବାବୁଙ୍କ ଉତ୍ତର ଏକ ଗୋଲକଧନ୍ଦା ସୃଷ୍ଟି କରୁଥିଲା ବିଶ୍ୱଜିତ୍ ବାବୁଙ୍କ ପାଇଁ ।