ବାହାଘର ବେଳେ ଶାଶୁ ଦେଇଥିବା ଗହଣା ସେଟ୍ଟାକୁ ବଦଳାଇ, ନୂଆ ଡିଜାଇନର ସୁନା ସେଟଟେ କରିବାକୁ ଶାନ୍ତନୁଙ୍କ ସହ ସବୁବେଳେ ଜିଦି ଲଗାଏ ଜୁଲି ।
ଦେଖ, ଜୁଲି, ଏଇଟା ଖାଲି ଗୋଟେ ଅଳଙ୍କାର ସେଟ୍ ନୁହେଁ । ବରଂ ଏଇଟା ବୋଉର ତମପ୍ରତି ସ୍ନେହ, ଶ୍ରଦ୍ଧାର ପ୍ରତୀକାତ୍ମକ ଉପହାର । ତମେ ଏଇଟାକୁ ସାଇତି ରଖି, ତମ ବୋହୁକୁ ଦେବ ।
ମୁଁହକୁ ମୋଡି ଜୁଲି କହେ, ହଁ, ମୋ ବୋହୁ ନୂଆ ଡିଜାଇନ ଗହଣା ନପିନ୍ଧି କାହିଁକି ଏଇ ପୁରୁଣା ସେଟ ପିନ୍ଧିବ ? ସତରେ ଯେମିତି କେଉଁ ମୋଗଲ ବାଦ୍ଶାହା କିମ୍ବା କେଉଁ ରାଜା ଜମିଦାର ଘରର ଖାନଦାନୀ ଅଳଙ୍କାର ହୋଇଛି ! ଏକଦମ୍ ଗାଉଁଲୀ, ମରହଟ୍ଟିଆ ଡିଜାଇନ୍ । ପିନ୍ଧିଲେ ଦିଶେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସିନେମାର କେଉଁ ଅପାଠୋଇ ବୋହୁ ଭଳି ।
ସେଇଥି ପାଇଁ ତ କହୁଛି, ଏଇଟା ଗୋଟେ ଆଣ୍ଟିକ୍ ପିସ୍ ।
ଠୋ, ଠୋ, ହୋଇ ହସି ଜୁଲି କଲେ, ଆଣ୍ଟିକ୍ ଜୁଏଲରୀ କେବେ ଦେଖୁଛ ? କୁନ୍ଦନ ୱାର୍କ ବାଲା ଆଣ୍ଟିକ୍ ହାର ସେଟ୍ ଗୋଟାଏ ଅତିକମରେ ପାଞ୍ଚରୁ କୋଡିଏ ଲକ୍ଷ ଟଙ୍କା ଲାଗିବ । ଏଇ ହାରଟା ଅଠର କିମ୍ବା କୋଡିଏ କ୍ୟାରେଟ ସୁନାର ହୋଇଥିବ । ହଲ୍ମାର୍କ ଜୁଏଲରୀ ହୋଇଥିଲେ ଅବା ଭଲ ଦାମ୍ ମିଳନ୍ତା । ପିତ୍ତଳ, ତମ୍ବା ଖାଦ କେତେ ମିଶିଥିବ କେଜାଣି ?
ଶାନ୍ତନୁ ଚୁପ୍ ରହେ । ତଥାପି ପାରୁପର୍ଯ୍ୟନ୍ତ ଜୁଲିକୁ ବୁଝାଇବାକୁ ଚେଷ୍ଟା କରେ । ସେଥର କିନ୍ତୁ ଲେଡିଜ କ୍ଲବରେ ଜୁଏଲରୀ ଫ୍ୟାଶନ ଶୋ ଆରେଞ୍ଜ ହେଲା ବେଳେ ଜୁଲି ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ । ନୂଆ ଗହଣା ସେଟଟେ ଏତେ ଦାମ୍ ଦେଇ କିଣିବା ପାଇଁ ସାହାସ କଲାନି ଶାନ୍ତନୁ । ନକଲି ଗହଣା ପିନ୍ଧି ଫ୍ୟାସନ ସୋରେ ମିଶିବାକୁ ରୋକଠୋକ ମନା କରିଦେଲା ଜୁଲି ।
ଶାଶୁଙ୍କର ସେଇ ପାଞ୍ଚ ଭରି ସୁନା ସେଟଟା ଗହଣା ଦୋକାନରେ ଦେଇ ଦୋକାନୀ ଠାରୁ ଲକ୍ଷେ ପଚିଶ ହଜାର ଟଙ୍କା ପାଇ ଜୁଲିର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଗହଣାଟା ତାହାହେଲେ ଖାଣ୍ଟି ସୁନା ! ଅବଶ୍ୟ ସେତେବେଳେ ଶାଶୁଙ୍କ ଶାଶୁ ସାମାନ୍ୟ ମାତ୍ର ଟଙ୍କା କେତେରେ କିଣିଥିବେ ଏହାକୁ । ନିଜ ପାଇଁ ସିଙ୍ଗାପୁର ଡିଜାଇନର ହାର, ଚୁଡି, ଓ କାନଫୁଲ କିଣି ଗର୍ବର ସହ ଘରକୁ ଫେରି ଦେଖାଉଥିଲା ଶାନ୍ତନକୁ ।
ବୋଉର ସେଇ ସେଟଟା ପିନ୍ଧି ଶୋରେ ମିଶିଥିଲେ ବରଂ ଭଲ ହୋଇଥାନ୍ତା । ଶାନ୍ତନୁଙ୍କ କଥା ଶୁଣି ନଶୁଣିଲା ପରି ହେଲା ଜୁଲି । ନୂଆ ଫ୍ୟାଶନ୍ ବିଷୟରେ ସ୍ୱାମୀମାନେ କଣ ଜାଣନ୍ତି ? ନିଜ ବାପା, ମାଙ୍କ ପୁରୁଣା ସ୍ମୃତିକୁ ଜବରଦସ୍ତି ଧରିରଖିବାର ପ୍ରୟାସ କରନ୍ତି ଯାହା ।
ଜୁଏଲାରୀ ଫ୍ୟାଶନ ଶୋ ହେଲା ଏବଂ ପ୍ରଥମ ପୁରସ୍କାର ଜିତିଲେ କମ୍ପାନୀ ଏମ୍.ଡି.ଙ୍କ ସ୍ତ୍ରୀ । ନିଜର ଗହଣା ସେଟ୍ଟିକୁ ଅନ୍ୟ ଇର୍ଷାଳୁ ମହିଳାଙ୍କୁ ଦେଖାଇ ଏମ୍.ଡି.ଙ୍କ ସ୍ତ୍ରୀ କହୁଥିଲେ, “ଗହଣା ଦୋକାନରେ ଏଇ ସେଟଟା ଉପରେ ଯେମିତି ମୋ ଆଖି ପଡିଲା, ସାେଙ୍ଗ ସାେଙ୍ଗ ପାଞ୍ଚ ଲକ୍ଷ ଟଙ୍କା ଦେଇ କିଣିଆଣିଲି ।”
ପାଞ୍ଚ ଲକ୍ଷ ଟଙ୍କା ! ଚିତ୍କାର କଲା ଭଳି ସ୍ୱରରେ କହି ପକାଇଲା ଜୁଲି । ତା’ପରେ ନିଜ ଜିଭକୁ କାମୁଡି ପକାଇ ଚୁପ୍ ରହିଲା । ଅବିଶ୍ୱାସରେ ତା ଆଖି ଫାଡି ହୋଇଯାଉଥାଏ ।
ଏଇଟା କଣ ଇଆଡୁ ସିଆଡୁ ଜିନିଷ ହୋଇଛି ? ଏକଦମ୍ ପୁରୁଣା ୟୁନିକ୍ ଆଣ୍ଟିକ୍ ପିସ୍ । ଏବେ କଣ ଏମିତିକା ଡିଜାଇନ୍ କେଉଁଠି ମିଳିବ ? ଏମ୍.ଡିଙ୍କ ସ୍ତ୍ରୀ କହୁଥିଲେ । ବୋକାଙ୍କ ଭଳି ଅନେଇଥିଲା ଜୁଲି । ଏମ୍.ଡିଙ୍କ ସ୍ତ୍ରୀ ଦେହରେ ପୁରସ୍କାର ପାଇଥିବା ସେଟ୍ଟା ଥିଲା ତା ଶାଶୁଙ୍କ ପୁରୁଣା ଗହଣା ସେଟ୍ ଯେଉଁଟା ସେ ସୁନା ଦୋକାନୀକୁ ବିକି ଦେଇଥିଲା ।