ଗଳ୍ପ

ମଦ

Rajiba Lochan Panda's odia story Mada

ମୋ ବାପା ବି ସେଥିରେ ହଁ ମାରିଥିଲେ ହଁ ମାରିବେନି କେମିତି ଯେ ଗାଁଟା ଯାକର ବେଠି ଖଟନ୍ତି ମୋ ବାପା ପୁଣି ଆଗରୁ ଅସମୟରେ ଗାଁ ସାହୁକାର ଆମ ଜମିବାଡି ବନ୍ଧକ ରଖି କରଜ ଦେଇଛନ୍ତି ।

ମଦ

ଆମ ଗାଁ ପାଖ ନଦୀରେ କୋଉଠୁ ଏତେ ପାଣି ଆସିଲା କେଜାଣି ? ଦେଖୁ ଦେଖୁ ଚାରି ଆଡେ ଖାଲି ହାହାକାର ଶୁଣିବାକୁ ମିଳିଲା । ଆଗରୁ କେବେ ଏତେ ପାଣି ଆମ ଗାଁ ପାଖ ନଦୀରେ ଆସି ନଥିଲା ହେଲେ ହଠାତ୍ ଏମିତି ନଦୀଟା ଭୟଙ୍କର ହେଇଗଲା ଯେ ଦେଖୁ ଦେଖୁ ପଚିଶି ଜଣକୁ ଭସେଇ ନେଇଗଲା । ସେ ଭିତରେ ଥିଲେ ମୋ ଜେଜେ ବାପା କେତେ ଖୋଜା ଖୋଜି କରିବି ମୋ ଜେଜେ ବାପାଙ୍କର ଶବ ମିଳିଲାନି । ରାକ୍ଷୀ ପୂନେଇଁ ଦିନଟାରେ ମୋ ଜେଜେମାଁ କେତେ ସରାଗରେ ପିଠା ପଣା ତିଆରି କରି ରଖିଥିଲା ଆମ ମାନଙ୍କ ପାଇଁ । ହେଲେ ଆଜିର ଦିନଟାରେ ଏମିତି ଗୋଟେ ଅଘଟଣ ଘଟିଗଲା , ୟା ପରଠୁ ଆମ ଘରେ ଆଉ ପୂଜା ପରବରେ ପିଠା ପଣା ହୁଏନି ।

ସାହି ପଡିଶା ବୁଝଉଥିଲେ ମୋ ଜେଜେ ମାଁକୁ ଆଉ କୁଆଡେ ମୋ ଜେଜେ ବାପା ଫେରିବେନି । ହେଲେ ମୋ ଜେଜେ ମାଁ କିନ୍ତୁ କାହା କଥା ଶୁଣେନି ବିଧବା ଭଳିଆ ଧଳା ଲୁଗା ପିନ୍ଧିବା ତ ଦୂରର କଥା ମଥାର ସିନ୍ଦୁର ବି ପୋଛିନି ଏ ଯାଏଁ । ମୋ ଜେଜେ ମାଁର ଏକା ଯିଦ୍ ଜେଜେ ବାପାଙ୍କ ଶବକୁ ଆଖିରେ ନଦେଖିବା ଯାଏଁ ସେ ମାନିବନି ଏ ସମାଜର ରିତିନୀତିକୁ । ହେଲେ ଛୋଟ ପିଲାଟେ ହୋଇଥିବାରୁ ମୁଁ ଏସବୁ କିଛି ବୁଝି ପାରେନି, ଖାଲି ଯାହା ବନ୍ୟା ନାଁଟା ଶୁଣିଲା ବେଳକୁ ମୋ ମନ ଭିତରେ ଗୋଟେ ଛନକା ପଶିଲା ଭଳିଆ ଲାଗେ ।

ଜେଜେ ବାପା ଚାଲିଯିବା ଦିନଠୁ ମୋ ବାପା ଖାଲି ଗୁମ୍ ମାରି ବସୁଥିଲେ । ଜେଜେ ବାପା ଥିଲା ବେଳେ ଘରର ସବୁ ଯାବତିୟ କାମ ସାଙ୍ଗକୁ ବିଲବାଡି କଥା ବୁଝୁଥିଲେ । ଆଜି ଯେତେ ବେଳେ ଆମ ଗାଁ ପାଖ ନଦୀର ବନ୍ୟା ସବୁକିଛି ଓଲଟପାଲଟ କରି ଦେଇଛି ଆମ ଘରର ସବୁ ବୋଝ ମୋ ବାପାଙ୍କ ଉପରେ । ଆମର ସେମିତି ଥିଲା ବାଲା ଘର ନାହିଁ ତଥାପି ବାପା ମୋତେ ଖୋଇ ପେଇ ଦି ଅକ୍ଷର ପାଠ ପଢେଇବାରେ କୌଣସି ବାଧା ଉପୁଯେଇ ନାହାନ୍ତି । ଧିରେ ଧିରେ ମୁଁ ବଡ ହୋଇଗଲି ଆଉ ମୋ ବାପା ଘରର ଆର୍ଥିକ ବୋଝ ମୁଣ୍ଡଉ ମୁଣ୍ଡଉ କରଜରେ ଡୁବି ଯାଇଥିଲେ । ଆଗରୁ ମୋ ବାପାଙ୍କୁ କେବେ ମଦ ପିଇବାର ଦେଖି ନଥିଲି ହେଲେ ଆମ ଘରର ପରିସ୍ଥିତି ବିଗିଡିବା ଆରମ୍ଭ ହଉହଉ ବାପା ମଦ ପିଇବା ଆରମ୍ଭ କରି ଦେଇଥିଲେ ।

ମଦରେ କଣ ଅଛି କେଜାଣି, ମୋ ବାପାଙ୍କୁ ଲାଗୁଥିଲା ସତେ ଯେମିତି ମଦ ସାହାରାରେ ସବୁକିଛି ସମାଧାନ ହେଇଯିବ । ବାପା ମଦ ପିଇ ରାତିରେ ଘରକୁ ଫେରନ୍ତି ଆଉ ଦୁନିଆ ଜାକର ଦାଉ ସାଧନ୍ତି ମୋ ବୋଉ ଉପରେ । ମୋ ବାପା ମଦପିଇ ଘରକୁ ଫେରିଲେ କେବେ କେମିତି ବୋଉ କଳି କଜିଆ ଲାଗେ ଆଉ କେବେ କେବେ ଭାଗ୍ୟକୁ ଆଦରି ଚୁପ୍ ଚାପ୍ ବାପାଙ୍କ ଜୁଲମ ସହିଯାଏ । ଏ ସବୁ ଦେଖି ମୋତେ କିଛି ଭଲ ଲାଗେନି ହେଲେ ବାପାଙ୍କୁ କିନ୍ତୁ କେବେ ସାହାସ କରି କିଛି କହି ପାରେନି ।

ଏ ଭିତରେ ହାତ ପାହାନ୍ତାରେ ଦେଖୁ ଦେଖୁ ହାଜର ହୋଇଗଲା ସରପଞ୍ଚ ଇଲେକ୍ସନ । ଆମ ଗାଁର ସାହୁକାର ନିଜେ ଲଢୁଛନ୍ତି ସରପଞ୍ଚ ପଦବି ପାଇଁ । ସେଇଥି ପାଇଁ ଆମ ଗାଁ ସାହୁକାର କିଛି ପାଖ ଲୋକଙ୍କ ହାତରେ ଡକେଇ ଥିଲେ ମୋ ବାପାଙ୍କୁ ତାଙ୍କରି ପାଖକୁ ଆସିବା ପାଇଁ । ମୋ ବାପା ମଦ ପିଇଲେ କଣ ହେଲା ଯିଏ କେହିବି ସାହାଯ୍ୟ ପାଇଁ ହାତ ପସାରୁ ପଛେ ମୋ ବାପା ବେଠି ଖଟିବା ପାଇଁ ସାଙ୍ଗେ ସାଙ୍ଗେ ହାଜର ହୋଇଯିବେ ତାରି ପାଖରେ । ପୁଣି ଖୋଦ୍ ଆମ ଗାଁ ସାହୁକାର ଯେତେ ବେଳେ ଲୋକ ପଠେଇଛନ୍ତି ମୋ ବାପାଙ୍କ ପାଖକୁ, ମୋ ବାପାଙ୍କ ପାଖରେ ନ ଯିବାର କିଛି କାରଣ ନଥିଲା ।

ମୋ ବାପାଙ୍କୁ ସେ ଦିନ ସାହୁକାରଙ୍କ କିଛି ପାଖ ଲୋକ ବୁଝଉଥିଲେ ଆଉ ମାତ୍ର କୋଡିଏ ଦିନ ରହିଲା ସରପଞ୍ଚ ଇଲେକ୍ସନ । ଏଣିକି ଆମ ଗାଁକୁ ରାଜନେତାମାନଙ୍କର ଭିଡ ଲାଗିରହିବ, ସେମାନଙ୍କ ଭଲମନ୍ଦ ସବୁ ବୁଝିବା ଦାୟୀତ୍ୱ କୁଆଡେ ମୋ ବାପାଙ୍କର । ମୋ ବାପା ବି ସେଥିରେ ହଁ ମାରିଥିଲେ ହଁ ମାରିବେନି କେମିତି ଯେ ଗାଁଟା ଯାକର ବେଠି ଖଟନ୍ତି ମୋ ବାପା ପୁଣି ଆଗରୁ ଅସମୟରେ ଗାଁ ସାହୁକାର ଆମ ଜମିବାଡି ବନ୍ଧକ ରଖି କରଜ ଦେଇଛନ୍ତି ।

ରାତି ପାହି ସକାଳ ହଉହଉ ମୋ ବାପା ହାଜର ହୋଇଗଲେ ଗାଁ ସାହୁକାରଙ୍କ ଘରେ । ମୋ ବାପାଙ୍କୁ ପାଖରେ ଦେଖି ଗାଁ ସାହୁକାର ଜୋର୍ ଜୋରରେ ପାଟିକରି କହୁଥିଲେ ଆରେ ଏତେ ଡେରି କଣ କରୁଛୁ ସେପଟେ ତେଣେ ବହୁତ କାମ ଅଛି । ଏତିକି କହି ଗାଁ ସାହୁକାର ବୁଝଉଥିଲେ କୋଉଠି ଟେଣ୍ଟ ବନ୍ଧା ହବ କୋଉଠି ରୋଷେଇ ବାଷ ହବ ଏମିତି କେତେ କଣ ଏତିକି କହୁକହୁ ଗାଁ ସାହୁକାର ବୁଝଉଥିଲେ ମୋ ବାପାଙ୍କୁ ଏ କୋଡିଏ ଦିନ ଭିତରେ ଖାଇବା ପିଇବାରେ ମୋ ବାପାଙ୍କର କୁଆଡେ କିଛି ଅସୁବିଧା ହବନି ତାରି ସାଙ୍ଗକୁ ସାହୁକାର ପ୍ରତିଶୃତି ଦେଇଥିଲେ ମୋ ବାପାଙ୍କୁ ଏ ଥର ସରପଞ୍ଚ ପ୍ରାର୍ଥୀରେ ଜିତିଲେ ଖୁସିରେ ମୋ ବାପାଙ୍କର ସବୁ କରଜ କ୍ଷମା କରି ଦେବେ ।

ଗାଁ ସାହୁକାରଙ୍କ ମୁଁହରୁ ଏମିତି ପ୍ରତିଶୃତି ଶୁଣି ମୋ ବାପା ମନେମନେ ଭଗବାନଙ୍କ ପାଖରେ ମିନତି କରୁଥିଲେ ଆମ ଗାଁ ସାହୁକାରଙ୍କୁ ସରପଞ୍ଚ ପ୍ରାର୍ଥୀରେ ଜିତେଇବା ପାଇଁ । ଏ କୋଡିଏ ଦିନ ଭିତରେ ବାପା ଘରକୁ ଫେରିବା ବେଳକୁ ପାଖାପାଖି ରାତି ବାରଟା ବାଜି ଯାଉଥାଏ । ମୋ ବୋଉ ସେମିତି ଅପେକ୍ଷାରେ ଥାଏ ମୋ ବାପାଙ୍କର , ମୋ ବାପା କିନ୍ତୁ ମଦ ନିଶାରେ ମାତାଲ୍ ହୋଇ ଫେରିଥାନ୍ତି ଘରକୁ । ମୋ ବାପାଙ୍କୁ ଏମିତି ପରିସ୍ଥିତିରେ ଦେଖି ମୋ ବୋଉ ଖାଲି ଗୁମ୍ ମାରି ବସେ । ଏମିତି ଦେଖୁଦେଖୁ କୋଡିଏ ଦିନ ବିତି ଯାଇଥିଲା । ଦେଖୁଦେଖୁ ଆମ ଗାଁ ସାହୁକାର ସରପଞ୍ଚ ପ୍ରାର୍ଥୀ ଭାବରେ ବିପୁଳ ଭୋଟରେ ବିଜୟୀ ହୋଇ ଯାଇଥିଲେ । ମୋ ବାପାଙ୍କ ଖୁସି କହିଲେ ନ ସରେ, ଖୁସି ଖବରଟା ଶୁଣୁଶୁଣୁ ବାପା ଜଲଦି ଜଲଦି ଘରକୁ ଆସି ମୋ ବୋଉକୁ ବୁଝଉଥିଲେ ଆମର ସବୁ କରଜ ଖୁସିରେ ଗାଁ ସାହୁକାର ଛାଡ କରିଦେବେ । ମୋ ବାପାଙ୍କ ମୁଁହରୁ ଖୁସି ଖବରଟା ଶୁଣି ମୁଁ ଆଉ ମୋ ବୋଉ ଭାବୁଥିଲୁ ବାପା ଆଉ ମଦ ପିଇବେନି, କରଜ ଭାରଟା ମୁଣ୍ଡ ଉପରେ ଆଉ ନାହିଁ ଯେତେ ବେଳେ ବାପାଙ୍କର ମଦ ପିଇବା ଅଭ୍ୟାସଟା ବଳେବଳେ ଛାଡିଯିବ ।

ଖୁସି ଖବରଟା ଘରେ ଜଣଉ ଜଣଉ ତରବରିଆ ଭାବରେ ବାପା ଫେରିଯାଇଥିଲେ ଗାଁ ସାହୁକାରଙ୍କ ଘରଆଡେ , ଆଉ ଯାଉ ଯାଉ ବୋଉକୁ କଥା ଦେଇଥିଲେ ଜଲଦି ଘରକୁ ଫେରିବା ପାଇଁ । ଏତେ ବଡ ଖୁସି ଦିନରେ ଗାଁ ସାହୁକାର ଆୟୋଜନ କରିଥିଲେ ବିରାଟ ବଡ ଭୋଜି , ସେହି ଭୋଜିକୁ ଆମନ୍ତ୍ରିତ ହୋଇ ଆସିଥିଲେ ପାଖ ସହରର ବଡ ବଡ ନେତା । ଆୟୋଜିତ ଭୋଜିରେ ଖାଇବା ସାଙ୍ଗକୁ ଦେଶି ଆଉ ବିଦେଶି ମଦର ବନ୍ଦୋବସ୍ତ ହୋଇଥିଲା ଆଉ ଲାଗୁଥିଲା ସତେ ଯେମିତି ଆଜିର ଦିନରେ ଆମ ଗାଁରେ ମଦର ବନ୍ୟା ହୋଇଯାଇଛି । ଗାଁଟା ଯାକର ମଦ୍ୟପ ଦେଶି ମଦ ପିଇ ମତୁଆଲା ହୋଇଯାଇଥିଲେ ସେ ଭିତରୁ ମୋ ବାପା କେମିତି ବାଦ୍ ପଡିଥାନ୍ତେ ।

ଏତେ ବଡ ଖୁସିର ଦିନରେ କିନ୍ତୁ ସବୁ କିଛି ଓଲଟ ପାଲଟ ହୋଇଗଲା । ଦେଖୁ ଦେଖୁ ଦେଶି ମଦର ପ୍ରଭାବଟା ଏତେ ଖରାପ ହୋଇଗଲା ଯେ ପାଖାପାଖି ଷାଠିଏରୁ ସତୁରି ନିରିହ ଜୀବନ ବେକାର ହୋଇଗଲା କିଛି ସମୟ ଭିତରେ । କିଛି ଲୋକ ଅନ୍ଧ ହୋଇଯାଇଥିଲେ ଆଉ କିଛି ଲୋକ ମୃତ୍ୟୁ ମୁଖରେ ପଡି ଛଟ ପଟ ହେଉଥିଲେ । ଦେଶି ମଦଟା କେମିତି ବିଶାକ୍ତ ହେଇଗଲା କେଜାଣି ସେ ଦେଶି ମଦର କୁପ୍ରଭାବରୁ ମୋ ବାପା ବି ବର୍ତ୍ତି ପାରିନଥିଲେ ।

ମୋ ପିଲା ଦିନେ ଆମ ଗାଁରେ ଭୟଙ୍କର ବନ୍ୟା ଆସିଥିଲା ହେଲେ ମୋ ଜେଜେ ବାପାଙ୍କୁ ମିସେଇ ମାତ୍ର ପଚିଶି ଜଣ ପ୍ରାଣ ହରେଇଥିଲେ । ଆଜିର ଏ ମଦର ବନ୍ୟାରେ କିନ୍ତୁ ମୋ ବାପାଙ୍କୁ ମିସେଇ ପାଖାପାଖି ଷାଠିଏ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା । ମୋ ବୋଉ ସେମିତି ଅପେକ୍ଷା କରି ରହିଥିଲା ମୋ ବାପାଙ୍କ ଆସିବା ବାଟକୁ ଯେମିତି ଆଗରୁ ଚାହିଁ ରହୁଥିଲା ସବୁରାତି । ଦେଖୁ ଦେଖୁ ଖବରଟା ଗାଁ ସାରା ପ୍ରଚାର ହୋଇଗଲା କିଛି ସମୟ ଭିତରେ । ମୋ ବୋଉ ଆଉ ମୁଁ ଖବର ପାଉ ପାଉ ସିଧା ଦୌଡିଲୁ ସରପଞ୍ଚ ବାବୁଙ୍କ ଭୋଜି ଆୟୋଜିତ ହୋଇଥିବା ଯାଗାକୁ ଯେଉଁଠି ମୋ ବାପା ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ ବିଷାକ୍ତ ଦେଶି ମଦର ପ୍ରଭାବରେ । ମୋ ବୋଉ ମନ କିନ୍ତୁ ଜମାରୁ ବୁଝୁ ନଥିଲା ମନକୁ ମନ ଗୁଣୁଗୁଣୁ ହଉଥିଲା ମୋ ବାପା କୁଆଡେ ବଞ୍ଚିଛନ୍ତି ବୋଲି । ମୁଁ ଭଲ ଭାବେ ଜାଣି ସାରିଥିଲି ମୋ ବାପା ଆଉ ଏ ଦୁନିଆଁରେ ନାହାନ୍ତି ତଥାପି ମୋ ବୋଉର ମନ ବୁଝେଇବା ପାଇଁ ବାପାଙ୍କ ଶବକୁ କାନ୍ଧରେ ଧରି ଦୌଡିଲି ପାଖରେ ଥିବା ଡାକ୍ତରଖାନା ଉଦ୍ଦ୍ୱେଶ୍ୟରେ । ମୋ ପଛେ ପଛେ ମୋ ବୋଉ ଧାଉଁ ଥିଲା ପାଗଳି ଭଳିଆ । ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ବାପାଙ୍କୁ ଦେଖି ଡାକ୍ତରବାବୁ ଘୋଷଣା କରିଦେଇଥିଲେ ମୋ ବାପାଙ୍କ ମରିବା ଖବର । ମୋ ବାପାଙ୍କ ମରିଯାଇଥିବା ଖବରଟା ଶୁଣି ମୋ ବୋଉ ମାନସିକ ଭାରସାମ୍ୟ ହରେଇ ଦେଇଥିଲା, ଆଉ ଡାକ୍ତରଖାନାର ଗୋଟେ କାନ୍ଥକୁ ଆଉଜି ଠିଆ ହୋଇଥିଲା । ମୋ ବୋଉର ଏମିତି ପରିସ୍ଥିତି ଦେଖି ମୋ ବୋଉ ପାଖକୁ ଯାଇ କୁଣ୍ଡଇ ଧରି ପକେଇଲି ,ଆଉ ଗୋଟେ ଛୋଟ ପିଲାଟେ ଭଳିଆ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲି । ଆଖିରୁ ମୋର ଲୁହ ଧାର ଧାର ହୋଇ ଅନବରତ ଭାବେ ବୋହି ଚାଲିଥିଲା, ଲାଗୁଥିଲା ମୋ ଆଖିରେ ଲୁହର ବନ୍ୟା ଆସି ଯାଇଛି । ଆଉ ମୋତେ ଲାଗୁଥିଲା ସତେ ଯେମିତି ମୋ ଆଖିର ଲୁହର ବନ୍ୟାରେ ଏଇ ସଙ୍ଗେ ସଙ୍ଗେ ମୋ ବୋଉର ମଥାର ସିନ୍ଦୁର ଧୋଇ ହୋଇ ଯାଇଛି ………… ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top