ଭେଣ୍ଡା ପୁଅକୁ ସେ ପିଆଏ ପାଣି
ମେଣ୍ଢା କରେ ମୁଢ଼ମତିକୁ ଆଣି
ପଣ୍ଡିତର ବୁଦ୍ଧି ଦିଏ ହଜାଇ
ପ୍ରକଟ ଯେବେ ସମ୍ମୁଖେ ହୁଅଇ
ଅକାଟ୍ୟ ବଚନ କାନିରେ ଗଣ୍ଠି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।
ବଣୁଆ ଫୁଲର ପାଖୁଡ଼ା ତୀକ୍ଷ୍ଣ
ନିଦା ଅବୟବ ଶ୍ୟାମଳ ବର୍ଣ୍ଣ
ସୁହାଉ ନଥାଏ ତରୁଣୀ ଚାହାଣି
ଲଜ୍ୟା, ଶଂକା କେବେ ତା’ମୁହଁକୁ ପୁଣି
ନିବିଡ଼ତା ଡାକ ପାଇନି ହୁଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।
ଗଛ ଚଢ଼ି ସିଏ ପିଜୁଳି ପାରେ
ଆମ୍ବୁଲ ଖଟାକୁ ଅଣ୍ଟିରେ ଧରେ
ଗାଧୁଆ ପୋଖରୀ ଗଭୀର ମାପେ
ଗାଁ ହାନିଲାଭ ବୁହାଟେ ଗପେ
ଏକ ଗୋଡ଼େ ଡେଇଁ ଖେଳେ ଉଦଣ୍ଡୀ
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।
ସିଧା କଥା କହେ ଥଟା ମଜାରେ
କପଟ ନଥାଇ ତିଳେ ମନରେ
ପିଲାମେଳେ ସିଏ ନାଟର ଗୁରୁ
ବୁଢ଼ାଙ୍କ ଝଗଡ଼ା ଭାଙ୍ଗେ ଅଧାରୁ
ହଜିଲା ଦରବ ଆଣେ ଦରାଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।
ଅଡ଼ୁଆ ଲୋକକୁ ଟାଣୁଆ କହେ
ନାକଟେକିଙ୍କର ଗର୍ବ ନସହେ
ପରଲାଗି ଡିଏଁ ଯୁଦ୍ଧ ପ୍ରାଂଗଣେ
କଣ୍ଟାକୁ କଣ୍ଟାରେ କାଢ଼ି ସେ ଆଣେ
ଫୁସୁଲା କଥାରେ ନଯାଏ ଭଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।
ତା’ ଗୁଣ ନେଇ ଉଠୁ ଆଜି ନାରୀ
ସକଳ ଯାତନା ଯାଉ ଅପସରି
ଜଗାଇ ଚେତନା ଛିଣ୍ଡାଇ ବନ୍ଧନ
ଦମ୍ଭ, ସାହସରେ ରଖୁ ନିଜ ମାନ
ଅବଳା ନରହୁ ସ୍ତ୍ରୀ ଜାତି ଏଠି
କହୁ ପଛେ ଦୁନିଆ ଅଣ୍ଡିରା ଚଣ୍ଡୀ ।
