ତମ ଅଣ୍ଟିରେ ଅଣ୍ଟିଏ ପଳାଶର ନିଆଁ
ଆଖିରେ ମହୁଲ ଫୁଲର ନିଶା
ବଉଳ ଫୁଲର ବାସ୍ନା ଦେହସାରା
ଜାଣେ, ବସନ୍ତ ଆସିଛି ତୁମ ଗାଆଁକୁ ।
ଏଇ ବସନ୍ତ ଆସିଲେ
ତୁମେ କାହିଁକି ବତୁରି ଉଠ
ତୁମ ନାଲି ଅଧରର ପେଡ଼ି ଭିତରୁ
ଲମ୍ଫ ଦିଏ ଲାଲ ନାଗ ।
ଚୁମା ନୁହଁ ଚୋଟ ଦେଇ ଜାଣ ତୁମେ
ମୁଁ ତ ପୁଳାଏ ଓଦାମାଟି
ସହିପାରିବିନି ତୁମ ନଖଦାଗ ।
ବସନ୍ତ ଆସିଲେ ଆସୁ
ମୋର ହବାର ନାହିଁ ପ୍ରେମିକ
ତମ ଦେହ ମଶାଣିରେ
ନିଆଁ ପୁଇଁବା ଛାଡ଼ିଦେଇଚି ମୁଁ ।
କଳା ପଡ଼ିଥିବା କାଠ
କ’ଣ ଜଳିବାକୁ ଭଲପାଏ ?
ତମ ଓଦା ଅଧରରୁ ଅଧିକ
ବରଂ ଭଲ ଯୋଗୀ ଗୀତ ।