ଯେଉଁଠାରୁ ଦିନେ
ଆରମ୍ଭ କରିଥିଲି ଜୀବନ
ହଳଦୀ ମଖା ଦେହ
ସ୍ୱପ୍ନର ସୁନା ନଅର
ଅବିସ୍ମରଣୀୟ କିଛି ସ୍ମୃତିର ଜୁଆର
ଆଜି ସବୁର ସମାପ୍ତି ଜାଣି
ଫେରିଯାଉଛି, ସେଇଠାକୁ
ପୁନଶ୍ଚ ।
ନିଜକୁ ଝାଡ଼ି ଝୁଡ଼ି
ସଫା ସୁତୁରା, ଶୁଦ୍ଧ ସ୍ନାନ କରି,
ଗୁଣିଆ ଝାଡ଼ିଲା ପରି
ଭୂତ ପ୍ରେତର ସବାର
ନିଜକୁ କରି ନେଉଛି
ସକାଳ ପରି ଶୀତଳ ।
ଏଣିକି
ପୃଥ୍ୱୀର ଯେତେ ଜନ ପରିଜନ
ଶତ୍ରୁ ମିତ୍ର, ଚିହ୍ନା ଅଚିହ୍ନା,
ସାଥୀ ଦିଅନ୍ତୁ କି ନା
ଫରକ ପଡ଼ିବନି କିଛି
ଏକା ଚାଲିବାରେ ।
ଆସ ବୋଲି ଡାକିବିନି
ଅଥୟ, ଅଧୀର ହୋଇ
ଦୀର୍ଘ ପ୍ରତିକ୍ଷା ଦରକାର ପଡ଼ିବନି
ଲୁହକୁ, ଦୁଃଖକୁ ଜୀଇବାର
ରଙ୍ଗ ଦେଇ ।
ହଜାର ମିଛକୁ ନେଇ
ସହସ୍ର ପ୍ରତାରଣାକୁ ଜାଣି
ଘର ଗଢ଼ିବା ଅପେକ୍ଷା
ସତ୍ୟ ସ’ ବେଘର ହୋଇ
ବଞ୍ଚିବା ଶ୍ରେୟ ବୁଝିନେଲି ।
ଫୁଟେଇ ଦେବି ନାହିଁ
ମନ ବଗିଚାରେ ଫୁଲ
ବସାଇବି ନାହିଁ
ଚିତ୍ରିତ ପ୍ରଜାପତି ।
ଭଲପାଇବାର
ସର୍ବୋତ୍ତମ ଦୁର୍ବଳତା
ବସା ବାନ୍ଧି ଥିଲା ଦିନେ
କୁଆଁରୀ ମନରେ ବୋଲି
ଭୂଲିଯିବି, ଜୀବନକୁ
ମୁକ୍ତ କରିବାର ଉତ୍ତରଣରେ ।
ରାତିକୁ ରାତିପରି ନରଖି
ଦିନକୁ ଖରା ଛାଇର ଖେଳ
ପରଖି,
ଡ଼େରି ହେଲେ ବି ଜାଣିଲି
ସବୁ ଆଲୁଅ ସୂର୍ଯ୍ୟ ନୁହଁ
ସବୁ ପୁରୁଷ ମର୍ଦ୍ଦ ନୁହଁ
ତମେ କେବଳ ଅମଣିଷ ନୁହଁ
ବେମର୍ଦ୍ଦ ବି !
