ସହରରେ ସଂଧ୍ୟା
ଯେବେ ଆସେ
ପ୍ରତାରିତ କଲାପରି
ଆଲୁଅମାନଙ୍କୁ
ଅସହଜ ହୋଇ
ଧୁଳି ଧୁଆଁ ଗହଳି ଓ
ଚାଟ୍ବାଲା ଠେଲାଗାଡି ଡେଇଁ ।
କେଶବାସ ସଜାଡୁ ସଜାଡୁ
ଫେରିଚାହେଁ ଦର୍ପଣ ଆଗରେ
ଆପେ ହସେ ମନ୍ଦାକିନୀ
ଭାବନାର ସୁତାଖିଅ ଟାଣି
ଜୀବନଟା ଯାହା ମୋର
ବେଳ ଅବେଳରେ
ଆଙ୍କୁଥାଏ ସମୟର
ବିଭଙ୍ଗ ଉଜାଣି ।
ଅସ୍ତଗାମୀ ସୂର୍ଯ୍ୟାଲୋକ
ଡେଇଁଯାଏ ପାହାଡ ଓ
ଡେଙ୍ଗା ତାଳଗଛ
ଉଚ୍ଚା ଉଚ୍ଚା ଅଟାଳିକା
ଷ୍ଟାଡିୟମ ଗ୍ୟାଲେରୀ,
ସହରର ଶେଷ ବତୀଖୁଣ୍ଟ ।
ହର୍ଣ୍ଣ ମାରିମାରି
ରେଳଗାଡି ବାଟଭାଙ୍ଗି ଯାଏ
ଆପଣା ରାସ୍ତାରେ
କିଏ ଚିହ୍ନେ କିଏ ଜାଣେ
କେତେବେଳେ କିଏ ଆସେ ଯାଏ
ସଂଧ୍ୟାର ସହରେ ।
ନଈପଠା, ଉପାନ୍ତ ଅଂଚଳ
ରୁଗ୍ଣପ୍ରାୟ ବରଗଛ
କାଠମିସ୍ତ୍ରୀ ନିହଣ ଶବ୍ଦରେ
ରଙ୍ଗ ଢାଙ୍କି ଧୂଷର ଓ
ଝାପ୍ସା ଅଂଧାରର
ସଂଧ୍ୟା ଆସେ ଓଟ ପରି
ପାଦ ଚିପି ଅଳପ ଅଳପ ।
ନିୟନ ଓ ହାଇମାଷ୍ଟ
ଲାଇଟ୍ ପୋଷ୍ଟ
ଆଖପାଖ ଇଲାକାରୁ
ଧିରେ ଧିରେ ଲିଭିଆସେ
ସଂଧ୍ୟାପରି ଦିଶେ ଯେଉଁ
ଅଂଧାରର ମୁହଁ
ସହରର ସାଂଜୁଆ ଛାତିରେ
ଚିତ୍ରାୟୀତ ହୁଏ
ପ୍ରତିଶ୍ରୁତି ପ୍ରତାରଣା
ଭାଷଣ ଓ ଯୋଜନାର
ନୂତନ ବିଗ୍ରହ ।