କେମିତି ସେବିବି ପ୍ରଭୁ ପଥର ମୂରତି
ଜରା ବ୍ୟାଧି ଗ୍ରସ୍ତ ଯେବେ ସେବାକୁ ଝୁରନ୍ତି
ଅଛୁତ ଘୃଣିତ ଅବାଂଛିତ ଜୀବନ
ସର୍ବ ଘଟେ ପରା ତୁ ନାରାୟଣ, ନୁହେଁ କି ଅନୀତି କଥାରେ ।
କେମିତି ଅର୍ପିବି ବସ୍ତ୍ର ତୋହରି ଅଂଗରେ
ଦେହ ଢାଂକିବାକୁ ନାହିଁ ଫୁଙ୍ଗୁଳା ଭାଗ୍ୟରେ
ନୁଖୁରା ଚୁଟିକୁ ତେଲ ହିଁ ସପନ
ତୋ’ ଦେହ ଲାଗି କୁଂକୁମ ଚନ୍ଦନ, ନୁହେଁ କି ଅଢ଼ପା କଥାରେ ।
କେମିତି ଢାଳିବି କ୍ଷୀର ତୋର ପ୍ରତିମାରେ
ଭୁଇଁରୁ ସାଉଁଟି ମା’ ଦିଏ ଶିଶୁ ତୁଣ୍ଡରେ
ପେଟ ଜଳି ଯାଏ ଜଳେନି ଚୁଲି
ହୋମ ଯଜ୍ଞେ ତୁଷ୍ଟ ଘିଅକୁ ଜାଳି, ନୁହେଁକି ଅନର୍ଥ କଥାରେ ।
କେମିତି ପୂଜିବି ପ୍ରଭୁ ସୌଧ ମନ୍ଦିରରେ
ବାସହୀନ ଥରେ ବର୍ଷା ଶୀତ କାକରରେ
ବେଘର ସିନା ସନ୍ତାନ ତୋହରି
ବାଟଘାଟ ଯାଏ ଟୁଙ୍ଗି ମନ୍ଦିରରେ ଭରି, ନୁହେଁକି ଅତୀବ କଥାରେ ।
କେମିତି ପାଳିବି ଧର୍ମ କେବଣ ରୀତିରେ
ମାନବ ଧରମ ହେଜି ପଡ଼ଇ ଦ୍ୱିଧାରେ
ସଂକଟୁ ଉଦ୍ଧାର କରହେ ଠାକୁର
ଧର୍ମକୁ ସଂକଟ ନକର, ନୁହେଁକି ଅଡ଼ୁଆ କଥାରେ ।