ଏଠି କୁଆଡେ ଦେଶ ସ୍ୱାଧୀନ
ଆଉ ଆମେ ବି ସ୍ୱାଧୀନ ?
କିନ୍ତୁ ଏଇ ସ୍ୱାଧିନତା ଭିତରେ
ଅହରହ ନାରୀର ଇଜତ୍
ଲୁଟ୍ ହୋଇଚାଲେ
ଦିନର ସ୍ପଷ୍ଟ ସୂର୍ଯ୍ୟାଲୋକରେ
ଆଉ ରାତିର ବି ସେଇ
ଗାଢ ଅନ୍ଧକାରରେ ।
କ’ଣ ବା ଭୁଲ୍ ଥିଲା ଉନ୍ନାଓର
ସେଇ ବିଚାରୀ ଝିଅଟିର ?
ଗୁହାରିଟେ କରି ଚାକିରିଟେ ପାଇଁ
କେବଳ ଆସିଥିଲା ଧାଇଁ
ଭୋଟ ପାଇ ରକ୍ଷକ ହୋଇ
ଭକ୍ଷକ ସାଜି ବସିଥିବା ସେଇ
ଲମ୍ପଟ ‘ସେଙ୍ଗାର’ ପାଖକୁ ।
ହେଲେ କଣ ପାଇଲା
ସେଇ ହତଭାଗିନୀ ?
ତା’ ରୂପ ସୌନ୍ଦର୍ଯ୍ୟ ପାଇଁ
ସେଠି ହୋଇଗଲା ଦୁଷ୍କର୍ମର ଶିକାର ।
ଉତ୍ପୀଡନ ଓ ଅତ୍ୟାଚାରରେ
ନିସ୍ତୁକ ମାଡ ଖାଇ
ବାପା ତା’ର ଟିକେଟ୍ କାଟିଲା
ଆରପାରୀକୁ ଆଉ ଦାଦା
ମିଛ କେସ୍ ଖାଇ
ଜେଲ୍ ର ଚାରିକାନ୍ଥ ଭିତରେ
ଥାଇ ସଢୁଛି ସେ ଆଜି ।
ଦୁର୍ଘଟଣାର ଚକ୍ରବୁହ୍ୟ ରଚି
ତାକୁ ଓ ତା’ ପରିବାରକୁ
ମୂଳପୋଛ କରି ଦେବାକୁ
ସେଇ ସଇତାନ୍ ଜେଲରେ ରହି
କଲା ସୁନ୍ଦର ଆୟୋଜନ ।
ଏବେ ବିଚାରୀ ମେଡିକାଲରେ
ଭେଣ୍ଟିଲେଟରରେ ରହି
ମୃତ୍ଯୁ ସହ କରୁଛି ସଂଗ୍ରାମ ।
ବହୁନାରୀ ଆଜି ମଧ୍ୟ
ଲଜ୍ଜା ଓ ସାମାଜିକ
ପ୍ରତିଷ୍ଠାହାନୀର ଭୟରେ
ନିଜ ହୃଦୟକୁ ଚୁର୍ ଚୁର୍ କରି
କାମୁକ ପୁରୁଷର ଯାବତୀୟ
ଯୌନ ବିକୃତିକୁ ସ୍ୱୀକୃତି ଦେଇ
ସହ୍ୟ କରି ଚାଲିଛନ୍ତି
ତାଙ୍କ ନିଭୃତ ନାରୀତ୍ୱର
ସେଇ ସବୁ ବିଭତ୍ସ ବ୍ୟଥା ?
କି ଆଶ୍ଚର୍ଯ୍ୟ ସତରେ !
ନାରୀ କଣ ଏବେବି
ବନ୍ଦୀ ସେଇ ଲମ୍ପଟ ପୁରୁଷର
ପଣ୍ୟଶାଳାରେ ?
କେତେଦିନ ନାରୀ ସହୁଥିବ
ଏମିତି ନିର୍ଯ୍ୟାତନାର
ସେଇ ସବୁ କରୁଣ କାହାଣୀ ?
ଏଇ କଣ ସ୍ୱାଧୀନତା ?
ବିଦେଶୀ ଆତଙ୍କବାଦୀଙ୍କ ଠାରୁ
ଢେର୍ ଭୟଙ୍କର
ନୁହନ୍ତୁ କି ଏହି ଲମ୍ପଟ ଗୁଡା ?