ଫର୍ଦ୍ଦେ କାଗଜରେ
ଶବ୍ଦ ସବୁ ଯୋଡ଼ି ଯୋଡ଼ି
ଇମାରତ କରୁଥାଏ କବିଟେ
ନାଁ କବିତା ଘର ଯା’
ଲିଲିପୁଟ ଆକାଶ ଛୁଆଁ
ଅଟ୍ଟାଳିକା ସାମ୍ନାରେ ବାରମ୍ୱାର ।
ଯେମିତି ବି ପାରିଲେ ଚେଷ୍ଟାକର
ଧୂଳିରେ ମିଶାଇ ଦିଅ ଅବା
ଡିନାମାଇଟ୍ରେ କର ଟୁକୁରା ଟୁକୁରା
କିମ୍ୱା କ୍ରୁଶବିଦ୍ଧକର
ଫିନିକ୍ସ ପକ୍ଷୀପରି
ପୁଣି ଥରେ ଚିତାଭଷ୍ମରୁ
ଫେରିପାଇବ ପୂର୍ବର ସତେଜ ଶରୀର
କବିତା ଘର !
ଶବ୍ଦସବୁ ସବୁଦିନ
ରକ୍ତବୀଜର ବଂଶଧର
ଯେତେ ବି ପାରିଲେ ସଂହାର କର
ଗୋଟିଏ ବିନ୍ଦୁ ରକ୍ତରୁ
ପୁଣି ଜମାଟ ବାନ୍ଧୁଥିବ ଶବ୍ଦସବୁ
ସଜେଇବି ହୋଇଯିବ
ନିଜ ରୂପରେ ଥରକୁ ଥର
କବିତା ଘର !