କଲମ କୁଆଡ଼େ ବଳବାନ୍
ଖଣ୍ଡା ଠୁ
ସମୟକୁ ବୁଣି ଚାଲେ ଜାଲ ପରି
କବିତା ଖାତାରେ ।
କଲମର ବଲମ ବି
ନିଆଁ ପରି ତତାଏ
ମନର ଯନ୍ତ୍ରକୁ
ତୀର ପରି ଗିଳିଦିଏ ଛାତିର ମାଂସକୁ
ରକ୍ତରେ ଖଇ ଫୁଟେ
ବରଫର ଚାବୁକରେ
ସ୍ୱେଦବିନ୍ଦୁ ଜାଲି ବାନ୍ଧେ
କପାଳ ମଥାନରେ ।
କଲମର ସାଉଁଳା ଭାଷାରେ
ଆଖି କାମ ଉଚ୍ଚାଟନ
ଖଇ ଫୁଟେ ଦେହ ମନ
ଛୁଞ୍ଚିରେ ପାଦ ଥାପି
ଖସ ଖସ ଚମ ଯଉବନ ।
କଲମ ସତକୁ ମିଛ କରେ
ମିଛ ପୁଣି ସତ
ଆଷାଢ଼ର ମେଘ ଦେହେ
ଘୋଟିଯାଏ ବଇଶାଖୀ ତାତି
ଛନ ଛନ ଗୀତ ଓଠେ
ବସନ୍ତର ସ୍ତୁତି ।
କଲମର ଭାଗବତେ
ଗାଁ ଛକ ହୁଲସ୍ତୁଲ
ଅଫିସ୍ ପୁଣି ବଜାରରେ
ମହରଗ କଥା ଭାଷା
ନେତା ମନ୍ତ୍ରୀ ମାଡ଼ଗୋଳ ବିଧାନସଭାରେ
ଚାରିକଡ଼େ ଜଗିଛନ୍ତି ଗାନ୍ଧି ଗୋପବନ୍ଧୁ
ପୋସ୍କୋ ଆଉ ବେଦାନ୍ତକୁ ଛୁରାମାଡ଼
କଲମ ମୁନରେ ।
କଲମ ବି ହୋଇପାରେ ନିଆଁଝୁଲ
କଲମ ବି ହେଇପାରେ ଛବି ବହି
ଗପ କି ଉପନ୍ୟାସ
ଝୁଣି ଝୁଣି ଜୀବନକୁ କରୁଥାଏ ଶେଷ ।
କଲମ ବି ମଲା ଘାସେ
ଭରିଦିଏ ଜୀବନ
କଲମର ରଜ ଘସେ
ଯନ୍ତ୍ରଣାରେ ରସ ରସ ମନ ।
କଲମ ଗୋଟେ ଆଶାବାଡ଼ି
ଅସଜଡ଼ା ମଣିଷକୁ
ରଖିଦିଏ ସଜାଡ଼ି ।