କବିତା

ମସିହାର କ୍ଷତାକ୍ତ ଚିତ୍ର

Anukampa Naik's odia poem Masihaara Kstaakta Chitra

ହୁଏତ ହେଇ ପାରେ କାହା ସ୍ୱପ୍ନରେ
ଦିଶୁଥିବା ସମାଧୀର
ଗୁମୁରା ସ୍ୱର ଇଏ ।

ମସିହାର କ୍ଷତାକ୍ତ ଚିତ୍ର

ବନ୍ଦ ମନ ଭିତରେ
ରହିପାରିଲାନି ଏ ସରୁ ଧାର ଧୂଆଁ
ଯେମିତି ଚାପା କୋହ
ଟୋପା ଟୋପା କଲା ବିନ୍ଦୁ ହେଇ
ଛାଇଗଲା ମୋ ମୁହଁ ସାରା ।

ଆଉ
ମୋ ପାଇଁ
ଏ ନିଷିଦ୍ଧ ସୀମାଟା
କୈଫିୟତ ମାଗି ବସିଲା
ଅନେକ କିଛି ।
ଏପରିକି ୧୪୪ ଧାରା ପରେ ବି
ଗଡ଼ିଲା ଶବ
ଲମ୍ବା ଚିତ୍କାର
ଆମ୍ବୁଲାନ୍ସର ସାଇରନ୍‌ରେ
ମୋ ଶୀରାରେ ଯେମିତି
ବୁଣିହେଲା ମୁଠା ମୁଠା ଲାଲ ରଙ୍ଗର ଭୟ ।
ଦେଖୁ ଦେଖୁ
ଖୁବ୍‌ ସହଜରେ
ମିଳିଗଲା ନ୍ୟାୟ
ଜନତାଠୁ ସହମତ
ହେଲେ,
ମୁଁ ଯେମିତି ଧୂଆଁ ହୋଇ
ଯାଉଥାଏ କ୍ୟାନ୍‌ଭାସ୍‌ରେ ।

ବିତି ଯାଇଥିବା ମହିୟସୀ
ମସିହାରେ ମୁଁ ଅବ୍ୟକ୍ତ
ତୁଳୀ ବି ଧରିପାରିଲାନି
ମୋ ବେଦନାକୁ….
କିଏ କହୁଛି
ଖୁବ ସୁନ୍ଦର
ଠିକ୍‌ ମୋନାଲିସାର ହସ ପରି ମସିହାରେ ଇଏତ ରହସ୍ୟ
ନାଁ ନାଁ ମାଲ୍କାନ୍‌ଗିରିର ଲାଲ୍‌ ମାଟି
ଆରେ ହଁ ତ ଗୁମୁରୁଛି ଯେମିତି
ଢେର ଦିନ ଆଗରୁ…।
ଜନତାର ଲମ୍ବା ଲମ୍ବା ଧାଡ଼ିରେ
ଇଏତ ବୁଣୁଛି ମୁଠା ମୁଠା ସ୍ଲୋଗାନ୍‌
ମୋ ମର୍ମ କଥାର ଗୋଟେ ଚିତ୍କାର
ବଞ୍ଚାଅ …
ଏହା କେବେ ଠୁ ଆଜି ଯାଏ …
ଅନ୍ତ ନାହିଁ…
କିନ୍ତୁ ନିରବ…।

ଲମ୍ବା ହାତ ଥିବା ମଣିଷଟା
ମୋତେ ଖୋଜୁଛି ସବୁଠି
ଭାବନାରେ
ଅନ୍ଧକାର ରେ
ଆଉ ଧର୍ମ – ଧର୍ମ , ଭାଷା – ଭାଷା
ଉଡୁଥିବା ତିରଙ୍ଗାର ସୀମା ଭିତରେ ।
ସତରେ, ନିଖୋଜ ଏ ନାରୀ ??
ପରନ୍ତୁ ଘୋଷଣା ହେଲା
ଏ ଥିଲା କେଉଁ ଯୁଗର କଥା
ଆଜିର ନୁହେଁ
ଇତିହାସର ନୁହେଁ,
ବରଂ ରାମାୟଣ ଓ ମହାଭାରତର କଥା ।
ବନ୍ଦକର
ଏମିତି ସବୁ ଆଲୋଚନା ପର୍ଯ୍ୟାଲୋଚନା
କେହି ଦୂଷିତା ନୁହେଁ
କି ଧର୍ଷିତା ନୁହେଁ
ଚିତ୍ରକର ତୂଳିରେ ଧରି
ଚିତ୍ରକୁ ବଡ଼ କରି ଦେଇଛି ଯାହା ।

ହୁଏତ ହେଇ ପାରେ କାହା ସ୍ୱପ୍ନରେ
ଦିଶୁଥିବା ସମାଧୀର
ଗୁମୁରା ସ୍ୱର ଇଏ ।

ଭୁଲ୍‌ ହୋଇ ଯାଇଛି
ଭୁଲ୍‌ରେ
ପ୍ରସାରିତ ଖବରର
କୌଣସି ତାରିଖ ନାହିଁ
ମସିହା ସାରା
ଚର୍ଚ୍ଚାର ଚିତ୍ର ଇଏ
ଯାହା ଆଜି ବି
କ୍ଷତାକ୍ତ
ଅବ୍ୟକ୍ତ
ଭାବନା ଭାବନା ଭିତରେ
ହଜିଗଲା ଅନ୍ଧାର ହୋଇ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top