ଚାନ୍ଦିନୀ ଜ୍ୟୋଷ୍ଣାରେ ଫୁଲର ବାସ୍ନାରେ
କଇଁ ହୋଇପାରେ ଜନ୍ମ ,
ଥିଲି ମୁଁ କହୁଛି ଆଗକୁ କହିବି
ରହିବି ମୁଁ ଏକା ତୁମର ।
କାହିଁ କେତେଦିନୁ ଅଥୟ ରହିଛି
ନଦୀ ଅପେକ୍ଷାରେ ସାଗର,
କହିବାକୁ ଅଛି ଅସରନ୍ତି କଥା
ସାଇତା ସ୍ମୃତି ଯେ ମନର ।
ଆଜିକାଲି ଆଉ ନିଦ ଲାଗୁ ନାହିଁ
ଖୋଜେ ତୁମକୁ ମୋ ନଜର ,
ଦେଖିବାକୁ ତୁମ ରୂପର ଝଲକ
ଅଶାନ୍ତ ହୃଦୟ ଜୁଆର ।
ଶୂନ୍ୟ ପଡ଼ିଥିଲି ପାଦ ଥାପିଦେଲ
ପୂର୍ଣ୍ଣ ଅଭିଳାଷ ମୋହର,
ତୁମେ ଆସିଗଲ କୋଳାହଳ ଏବେ
ଆଲୋକିତ ମନ ସହର ।
ପାଅ କି ନ ପାଅ ଭଲ ତୁମେ ମୋତେ
ଦେବ ଯଦି ଦିଅ ଜହର
ସବୁବେଳେ ମତେ ଭଲ ପାଇବାକୁ
ଖାଲି ତୁମ ଅଧିକାର ।
ତୁମର ହେବାକୁ ଲୋଡ଼ା ନାହିଁ ମତେ
ସମାଜର ଟୋପେ ସିନ୍ଦୁର
ଥିଲି ମୁଁ କହୁଛି ଆଗକୁ କହିବି
ରହିବି ମୁଁ ଏକା ତୁମର ।