ନୀଳ ସାଗରର ତରଙ୍ଗମାଳା ଗୋ
ଅଧିରରେ ଆଉ ଡାକ ନାହିଁ,
ଧିରେ ଧିରେ ପଥ ହୁଡ଼ି ମୁଁ ଯାଉଛି
ହଜି ଯାଉଛି ମୋ ତନୁ କାହିଁ ?
ଗୁରୁ ଗମ୍ଭୀର ସଙ୍ଗୀତରେ ତୁମ
ମତୁଆଲା ହୋଇ ଆସେ ଧାଇଁ,
ଅତିକ୍ରମି କେତେ ବନ୍ଧୁର ପଥ
କେତେ ଦୁର୍ଗମ ମରୁଭୂମି ?
ମୁଗ୍ଧ ବିଭୋର ତନୁ ମନ ମୋର
ମିଶି ବି ସାଗର ବୁକେ ଯାଇ,
ହେଲେ ମୁଁ ଜାଣିଛି ବୃଥା ମୋ ସପନ
ମୁଁ ଯେ ଦିଗହଜା ମରୁନଈ !
କ୍ଷୀଣ ହୋଇ ଆସେ ତନୁ ମୋର ଯେବେ
ଶୁଖିଶୁଖି ଆସେ ଝର ମୋର,
କଳ୍ପନା ବିଳାସୀ ମନ ମୋର ଦେଖେ
ସପନ ମଧୁର ମିଳନର ।
ଯଦିବା ଜାଣିଛି କଳ୍ପନାରେ ଖାଲି
ହଜିବି ତୁମରି କୋଳେ ଯାଇ,
ବାଜିବନି କେବେ ମିଳନର ବଂଶୀ
ମୁଁ ଯେ ଦିଗହଜା ମରୁନଈ !