ମୁଁ ତାଙ୍କୁ ଯେଉଁ ଦିନ ପ୍ରଥମେ ଦେଖିଲି
ସେ ଦିନଠୁ ଆଜି ଯାଏ
ସେହି ଗୋଟେ ମୁହଁ ମନେ ଅଛି
ତାଙ୍କ ଆଖି ଚିହ୍ନା ଚିହ୍ନା – ଆର ଜନମର
ସେମିତି ଲାଗିନି ମୋତେ
ମିଛ କିଆଁ କହିବି ବଉଳ
*
ମୁଁ ତାଙ୍କୁ ଯେଉଁ ଦିନ ପ୍ରଥମେ ଦେଖିଲି
ସ୍ମୃତି ହଜିଗଲା, ପାଶୋର ହୋଇଗଲା ଜୀବନ
ମୋ ସତ୍ତା ବିଲୀନ ହୋଇଗଲା
ଢଳ ଢଳ ଆଖି ଯୋଡ଼ିକରେ
ମୁଁ ଆଉ କଣ ମୁଁ ବୋଲି ଥିଲି ଯେ
ଦେଖିଥାନ୍ତି ସେ କିପରି ଦିଶନ୍ତି
ସମାଜ କେମିତି ଦେଖେ ତାଙ୍କୁ
ସେଥି ଅବା ମୋର ଯାଏ ଆସେ କେତେ
*
ତୁ, ତ ଚିହ୍ନିଥିବୁ ପ୍ରତି ଇଞ୍ଚ
ଦେଖିବାଟା କଣ ବାକି ଥାଏ
ଚିହ୍ନିବାରୁ ପରା ଆରମ୍ଭ ହୁଏ ଲୋ ଚଉଠି
ସ୍ଵାମୀଙ୍କୁ ସୁନ୍ଦର ବୋଲି କହିଦେଲେ
ତୋ କଥାରେ କାହା ସରାଗ ନଥିବ
ମୋ ଗରବ ମୁଁ କହିଲେ ପଦେ କଥା
ନାଁ ତାଙ୍କ ରାଷ୍ଟ୍ର ହେଇଯିବ
*
ମୁଁ ତାଙ୍କୁ ଯେଉଁ ଦିନ ପ୍ରଥମେ ଦେଖିଲି
ବୁଲି ବୁଲି ସମସ୍ତଙ୍କୁ, ସେ ବହୁତ ସୁନ୍ଦର ବୋଲି
କହିବାକୁ ଚାହିଁ ବି ପାରିନି
ଏବେ ତ ଆବୋରିଲିଣି ମାଟିକୁ
ଝରା ପତ୍ର, ମାଟି ସଙ୍ଗେ ସହବାସ
ମୁଁ କେମିତି ସୁନ୍ଦର କରିବି ଗଛକୁ
ଦୁଧଖିଆ ଦାନ୍ତପରି
ମୁଁ ଖସି ପଡ଼ିଲିଣି ବାଳୁତ କାଳରୁ ପ୍ରେମର
ତୋ ବିନ୍ୟାସ, ଏବେ ମୋ ପରେ
ସଜେଇବୁ ତାଙ୍କୁ ସାରା ଜୀବନ
*
ଷୋଳଅଣାରୁ ଅଣେ ହୋଇଥିବୁ
ଅବୋରିବୁ ନାହିଁ ବେଶୀ କି
ହାତ ଛଡ଼ା କରିବୁନି ତୋ ଭାଗରୁ କାଣିଚେ
ତାଙ୍କ ଗର୍ବ, ଅଭିମାନ, ପଉରୁଷ
ଉଜ୍ଜ୍ଵଳ, ଅକ୍ଷୁର୍ଣ ରଖିଥିବୁ
ତୋ ସ୍ତ୍ରୀତ୍ଵରେ
ତୋ ନମନୀୟତାରେ
ତୋ ଉତ୍ସର୍ଗରେ
*
ମୁଁ ତାଙ୍କୁ ଯେଉଁ ଦିନ ପ୍ରଥମେ ଦେଖିଲି
ସେ ରୂପକୁ କଳନା କରିନାହିଁ
କରିପାରି ନାହିଁ
ତାଙ୍କ ପାଇଁ ଉପମାଟେ ନାହିଁ ବୋଲି
ମୋ ବିଶ୍ୱାସକୁ
ଅତୁଟ ରଖିପାରିବୁ ଚିରଦିନ ତୁ
ସେଥିପାଇଁ ମୁଁ ତୋ ପାଶେ ଋଣୀ