ମା ଯେବେଠାରୁ ଘରର ସବୁ ଝରକା ବନ୍ଦ କରି ଦେଇଛି ସେବେ ଠାରୁ ଘର ଭିତରଟାରେ ଏକ ହାଲକା ଅନ୍ଧକରର ପତଳା କୁହୁଡି ଘେରି ରହିଛି । ମାର କଡା ତାଗିଦ୍, କେହି ବି କିବେ ବି ଯେପରି କେହି ଗୋଟିଏ ବି ଝରକା ନଖୋଲେ । ସେଇ ଦିନଠାରୁ ଅନ୍ଧକାର ଭିତରେ ବଞ୍ଚିରହିବା ଯେପରି ସମସ୍ତଙ୍କର ଋଭ୍ୟାସ ହୋଇ ଗଲାଣି । ଆଜି କିନ୍ତୁ ନିଜର ଛୋଟିଆ, ଅନ୍ଧାରୁଆ ବନ୍ଦ କୋଠରୀଟାରେ ଅର୍ଜୁନ ଯେପରି ଅଣନିଶ୍ୱସୀ ହୋଇ ଯାଉଥିଲା । ମନେ ମନେ ଭାବିଲା, କେତେ ଦିନ ଏମିତି ଅନ୍ଧାର ଭିତରେ ବଞ୍ଚିବ? ଏବେ ଯାଉଛି ଝରକା ସବୁ ଖୋଲିଦେବି, ଟିକିଏ ଶିତଳ, ନିର୍ମଳ ପବନ ତ ମିଳିବ, ଘର ଭିତରର ଅନ୍ଧାରରେ ଟିକିଏ ଆଲୁଅ ବି ଆସିବ ! ବାହାର ଦୁନିଆରେ କେତେ ସବୁଜିମା ଭରିଛି, କେତେ ଫୁଲ ଫୁଟିଛି ତାର ଆନନ୍ଦ ତ ନେଇ ପାରିବ !
ଅର୍ଜୁନ ଝରକା ପାଖକୁ ଗଲା, ଝରକା ଖୋଲିବାକୁ ଯେତେ ବେଳେ ହାତ ବଢାଇଲା, ହଠାତ୍ ମାଆ କେଉଁଠି ଥିଲେ କେଜାଣି, ପଛରେ ଆସି ଠିଆ ହୋଇଗଲେ, କହିଲେ, ଆରେ ହେଇ, ଏ କଣ କରୁଛୁ ? ଖୋଲନା ସେ ବନ୍ଦ ଝରକାକୁ ।
ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହିଁକି ମା ? ଦେଖୁନ ଘର ଭିତରେ କିପରି ନିଶ୍ୱାସ ରୁନ୍ଧି ହୋଇ ଯାଉଛି, ବହୁତ ଅନ୍ଧାରୁଆ ବି ଲାଗୁଛି । ଭାବୁଛି ଝରକା ସବୁ ଖୋଲିଦେବି । ଟିକିଏ ତାଜା ପବନ ଆସିବ, ଟିକିଏ ଆଲୁଅ ବି ଆସିବ, ବନ୍ଦ କୋଠରୀର ପରିବେଶ ବଦଳି ଯିବ, ମନ ଦେହ ସବୁ ତାଜା ଲାଗିବ ।
ମାଆ ଟିକେ ସନ୍ଦେହ ଭରା ଆଖିରେ ଅର୍ଜୁନ ମୁହଁକୁ ଚାହିଁଲେ, ମୁହଁ ତାଙ୍କର ଗମ୍ଭୀର ଦେଖା ଯାଉଥିଲା । ସତେ ଯେପରି କିଛି ଗୋଟାଏ ଅସ୍ଵାଭାବିକ ଘଟଣା ଘଟିବାର ଆଶଂକା ତାଙ୍କ ମନକୁ ଡରାଇ ଦେଉଥିଲା, ଏବଂ ଗଭୀର ଚିନ୍ତାରେ ତାଙ୍କର ମନ ବିଚଳିତ ହୋଇ ଯାଉଥିଲା । ଟିକିଏ ବିରାମ ନେଇ, ଡରରେ ସୁଖି ଆସୁଥିବା ତାଙ୍କ ପାଟିରୁ ବଡ କଷ୍ଟରେ ନିଗାଡି ନିଗାଡି ଟୋପିଏ ଛେପ ଏକାଠି କରି ପିଇଗଲେ, ନିଜର ସୁଖିଲା କଣ୍ଠକୁ ଟିକିଏ ଓଦା କରିନେଲେ । ତା ପରେ ସେ ଅର୍ଜୁନର ଆହୁରି ପାଖକୁ ଲାଗିଆସି, ତାର ହାତ ଧରି ଟାଣିନେଲେ ବେଡ ପାଖକୁ, ସେଇଠି ତାକୁ ବସାଇ ଦେଇ ବଡ ନୀରିହ ଚାହାଣୀରେ ଥରେ ତାକୁ ଦେଖିନେଇ ପଚାରିଲେ, ତୋତେ ବିଶ୍ୱାସ ହେଉଛି, ବାହାରେ ଶୁଦ୍ଧ ଶିତଳ ପବନ ବୋହୁଛି ଆଉ ନିର୍ମଳ ଆଲୋକ ଅଛି ବୋଲି ?
ମାଆଙ୍କର ଏପରି ସନ୍ଦେହଭରା ପ୍ରଶ୍ନ ଶୁଣି ଅର୍ଜୁନ କିଛି କ୍ଷଣ ହତ ବାକ୍ ହୋଇ ରହିଗଲା, କିଛି କ୍ଷଣ ନୀରବ ରହିବା ପରେ କହିଲା, ଏଥିରେ ସନ୍ଦେହ କରିବାର କଣ ଅଛି ମା ? ଏଇଟା ସର୍ବ ବିଦିତ ସାଧାରଣ କଥାଟିଏ । ଘର ବାହାରେ ଯେ ନିଶ୍ଚୟ ଶୁଦ୍ଧ ଶିତଳ ପବନ ବୋହୁଥିବ, ଏଥିରେ ସନ୍ଦେହ କଲା ପରି କଣ ଅଛି ? ଶୁଦ୍ଧ ପବନ ନିର୍ମଳ ଆଲୋକ ପାଇଁ କେବଳ ବନ୍ଦ ଝରକାକୁ ଖୋଲିବାର ଆବଶ୍ୟକତା ରହିଛି । ବନ୍ଦ ଝରକା ଥରେ ଖୋଲିଦେଲେ ଦେଖିବ, ଘର ଭିତରକୁ ଶିତଳ ପବନ ଅବଶ୍ୟ ଆସିବ, ଆଲୋକ ବି ଆସିବ । ଏଇ ରୁନ୍ଧି ହୋଇ ଯାଉଥିବା ଅନ୍ଧାରୁଆ ଘରଟି ପୁଣି ଶୁଦ୍ଧ ଶିତଳ ପବନରେ ଭରିଯିବ ଆଉ ଆଲୋକିତ ମଧ୍ୟ ହୋଇଯିବ । କିନ୍ତୁ ଝରକା ଖୋଲିବାକୁ ତୁମେ କାହିଁକି ମନା କରୁଛ ?
ଅର୍ଜୁନ ମନେ ମନେ ଭାବୁଥିଲା, ମା କାହାକୁ ଏତେ ଡରୁଛନ୍ତି ? ବାହାରେ କିଏ ଅଛି, କଣ ଅଛି ଝରକା ସେପଟେ ? ପିଲା ଦିନେ ରାତିରେ ଶୋଇଲା ବେଳେ ଅଝଟ କଲେ, ଝରକା ସେପାଖେ ବାୟା ବୁଲୁଛି ବୋଲି କହି ଡରାଇ ଡରାଇ ଶୁଆଇ ଦେଉଥିଲେ । ମୁଁ ଏବେ ବି କଣ ସେଇ ଦୁଇ ବର୍ଷର ଛୋଟ ପୁଅଟିଏ ହୋଇ ରହିଛି ? ମୁଁ ଏବେ ଯେ ବହୁତ ବଡ ହୋଇ ସାରିଲିଣି । ସବୁ କଥା ଜାଣୁଛି ବୁଝୁଛି, ସତ କଣ ମିଛ କଣ ଜାଣି ପାରିବାର ଜ୍ଞାନ ମୁଁ ପାଇ ସାରିଲିଣି । ନିଜର ସନ୍ଦେହକୁ ଅର୍ଜୁନ ଆଉ ବେଶି ସମୟ ନିଜ ମନ ଭିତରେ ଲୁଚେଇ ରଖି ପାରିଲାନି, ଶେଷରେ ମା’କୁ ପଚାରି ବସିଲା;
: ମା’, ତୁମେ କାହାକୁ ଏତେ ଡରୁଛ ? ବାହାରେ ତ ସବୁ ଠିକ୍ ଠାକ୍ ଅଛି । ଅସ୍ଵାଭାବିକ କିଛି ବି ନାହିଁ । ବାହାରେ ଏବେ ବି ପବନ ବୋହୁଛି, ସୂର୍ଯ୍ୟ ଏବେ ବି ଆକାଶରେ ଅଛି । ଝରକା ଖୋଲିଦେଲେ ଦେଖିବ, ଘରର ପବନ ବି ଶୁଦ୍ଧ ହୋଇଯିବ ଆଉ ଏଇ ଅନ୍ଧାରୁଆ ଘରଟି ଟିକିଏ ଆଲୋକିତ ହୋଇଯିବ । କାହିଁକି ଡରୁଛ ତୁମେ, କାହାକୁ ଏତେ ଡରୁଛ ?
ମା ଏତେ ବେଳେ ଯାଏ ଅର୍ଜୁନ ସାମ୍ନାରେ ଠିଆ ହୋଇ ତାକୁ ଟୁକ୍ ଟୁକ୍ କରି ନୀରବରେ ଦେଖୁଥିଲେ, ଶୁଣୁ ଥିଲେ, କିନ୍ତୁ ତାର ପ୍ରଶ୍ନ ଶୁଣି ସାରିବା ପରେ ସେ ଅର୍ଜୁନର ଆହୁରି ପାଖକୁ ଲାଗି ଆସି ତା ପାଖରେ ବସିଗଲେ । ମା’ ତାଙ୍କର ମମତାମୟୀ ହାତ ଦୁଇଟି ଅର୍ଜୁନ ମଥାରେ ଥରେ ବୁଲେଇ ଆଣି ନିଜ ପାଖକୁ ଆଉଜେଇ ନେଇ ଟିକେ ଗେଲକରି କହିଲେ;
: ଧନରେ, ମୁଁ ଜାଣିଛି, ବାହାରେ ପବନ ବୋହୁଛି, ଆଲୁଅ ବି ଅଛି, କିନ୍ତୁ ମୁଁ ଆହୁରି ବି ଜାଣିଛି, ସେ ପବନରେ କଣ ଅଛି, ସେ ଆଲୋକ କେଉଁଠୁ ଆସୁଛି । ହୁଏତ ତୁ ଦେଖି ପାରୁନୁ, ଅଥବା ତୁ ଦେଖିବାକୁ ଚାହୁଁନୁ, ହୁଏତ ତୁ ଜାଣିଛୁ, ଦେଖିଛୁ କିନ୍ତୁ କେବେ ବୁଝିବାକୁ ଚେଷ୍ଟା କରିନୁ । ଏଇ ବନ୍ଦ ଝରକା ଆର ପଟେ କଣ ସବୁ ଘଟୁଛି ।
ମା’ଙ୍କର ଏ କଥା ଅର୍ଜୁନକୁ ଟିକିଏ ଡରାଇ ଦେଲା, ତାର ଡରିବା ବଡ ସ୍ବାଭାବିକ ଥିଲା । କାରଣ, ସବୁ ମାଆ କଲ୍ୟାଣମୟୀ, ମମତାମୟୀ, ନିଜ ସନ୍ତାନର ସୁରକ୍ଷା ତାଙ୍କର ପ୍ରଥମ ପ୍ରାଥମିକତା ହୋଇଥାଏ । ବାହାରେ ନିଶ୍ଚୟ କିଛି ଅସ୍ଵାଭାବିକ ଘଟଣା ଘଟୁଛି, ଯାହା ମା’କୁ ବହୁତ ନିଷ୍ଠୁର ଭାବେ ଡରାଇ ଦେଇଛି । କିନ୍ତୁ କଣ ସେ ଘଟଣା, ଯାହା ମା’ ଅନୁଭବ କରି ପାରୁଛିନ୍ତି, ଅଥଚ ଏତେ ବର୍ଷ ବହି ଘୋଷି ଘୋଷି, ଗୁଡାଏ ଡିଗ୍ରୀ ଏକାଠି କରି ସାରିବା ପରେ ବି ସେ ବୁଝି ପାରୁ ନଥିଲା ।
ମା’ ପୁଣି କହିଲେ, ଧନରେ, ଆଜି ସମୟ ବଦଳି ଯାଇଛି । ଦିନ ଥିଲା ଯେତେ ବେଳେ ଆମେ “ବସୁଧୈବ କୁଟୁମ୍ବକଂ” କହି ସାରା ଦୁନିଆକୁ ଆପଣାର କରି ନେଉଥିଲୁ । ସମଗ୍ର ବିଶ୍ଵ ଏକ ପରିବାର ଥିଲା, ଯେଉଁଠି କେହି କାହାକୁ, କାହାର ଜାତି ଧର୍ମ ଗୋତ୍ର କଥା ପଚାରୁ ନଥିଲା, ସମସ୍ତେ କେବଳ ମଣିଷ ଥିଲେ । ମାନବିକତା ମଣିଷର ଏକମାତ୍ର ପରମ ଧର୍ମ ଥିଲା । ଆମର ବେଦ ପୁରାଣ, ଯେତେ ସବୁ ଶାସ୍ତ୍ର ସମସ୍ତେ ସେଇ ଗୋଟିଏ ମାନବିକତା ଏବଂ ମାନବ କଲ୍ୟାଣର ପାଠ ପଢାନ୍ତି । କିନ୍ତୁ ଆଜି କଣ ହେଉଛି ? ଆଜି ମଣିଷ ସଂକୀର୍ଣ୍ଣ ଧର୍ମାନ୍ଧତାର ଶୀକାର ହୋଇ ଯାଇଛି । ଧର୍ମ ନାଆଁରେ ମଣିଷ ମଣିଷର ଶତ୍ରୁ ପାଲଟି ଯାଇଛି ।
ସମୟ ଥିଲା ରାଜନୀତିର ସଂଜ୍ଞା କେବଳ ଜନ ସେବା ଓ ଜନତା କଲ୍ୟାଣ ଥିଲା । କ୍ଷମତା ପାଇଁ କେବେ ଲଢେଇ ହେଉ ନଥିଲା, କେହି କାହାକୁ ଆକ୍ଷେପ କରୁ ନଥିଲେ, ନିଜର ସାମର୍ଥ୍ୟ ଅନୁସାରେ ଜନତା ଜନାର୍ଦନର ସେବାରେ ନିଜର ଜୀବନ ଉତ୍ସର୍ଗ କରି ଦେଉଥିଲେ ।
କିନ୍ତୁ ଆଜି ନେତାଙ୍କ ପାଇଁ ଜନତା ଜନାର୍ଦନ ନୁହେଁ, ବରଂ ଜନତା ଗୋଟିଏ ମୂର୍ଖ ଗୋଷ୍ଠୀ, କାଠର ଗୋଟିଏ ଗୋଟିଏ ନିର୍ଜୀବ କଣ୍ଢେଇ । ନିଜର ସ୍ଵାର୍ଥ ପାଇଁ ନେତାମାନେ ଯେପରି ଚାହିଁବେ ସେପରି ସେମାନଙ୍କୁ ବ୍ୟବହାର କରି ପାରିବେ । କେବେ ଧର୍ମର ଅଫିମ, କେବେ ଜାତିର ଅଫିମ କେବେ ଆଉ କିଛି ମୁଦ୍ଦାର ନିଶା ଖୋଇ ଭାଇକୁ ଭାଇ ବିରୁଦ୍ଧରେ ଲଢେଇ ଦିଅନ୍ତି । ନୀରିହ ଜନତା ରକ୍ତର ହୋଲି ଖେଳେ ଏବଂ ସତ୍ତା ଲୋଭୀ ଶକୁନି, ଭାଇ ଭାଇ ଭିତରେ ଲଢେଇ ଦେଖି ତାର ଆନନ୍ଦ ନେଉଛନ୍ତି, କିନ୍ତୁ ଭୁଲି ଯାଉଛନ୍ତି ମହାଭାରତ ଯୁଦ୍ଧରେ ଶକୁନି ବି ଜୀବିତ ରହି ନଥିଲା । ସତ୍ତା ଲୋଭୀ ଅଭିମାନୀ ଦୁର୍ଯ୍ୟୋଧନ ଯେତେ ବେଳେ ପ୍ରାଣ ବିକଳରେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରର ଯୁଦ୍ଧ ଭୂମିକୁ ଛାଡି ପଳାୟନ କଲା, ସେତେ ବେଳେ ସେ ନିଜର ପ୍ରିୟ ପୁତ୍ର ଲକ୍ଷ୍ମଣ କୁମାରର ଶବ ଉପରେ ବସି ନିଜ ପରିଜନଙ୍କର ରକ୍ତର ନଦୀରେ, ଆର ପାରିକୁ ଯାଇ ପାରିଥିଲା ।
ଆମେ ନିଜକୁ ଧାର୍ମିକ କହୁ, କିନ୍ତୁ ମାନବ ଭିତରେ ମାଧବଙ୍କୁ ଦେଖି ପାରୁନା । ଆମେ ମନ୍ଦିର ତୋଳି ନିଜର ଧର୍ମର ଧ୍ଵଜା ତୋଳିଧରି ଉତ୍ସବ ପାଳନ କରୁ, କିନ୍ତୁ ସେଥି ପାଇଁ କେତେ ଗରିବଙ୍କର ଘର ଉଜୁଡି ଯାଏ ସେ କଥା କେବେ ଆମ ଦୃଷ୍ଟିକୁ ବି ଆସେନା । ଦୃଷ୍ଟିକୁ ଆସିଲେ ବି ଆମେ ମୁଁହ ମୋଡିନେଇ ଆଖି ବନ୍ଦ କରିଦେଉ । ଧନରେ, ଆଜି ସମୟ ବଦଳି ଯାଇଛି, ମଣିଷ ବଦଳି ଯାଇଛି । ମା, ବାପା ନିଜର ରକ୍ତକୁ ଜଳେଇ ନିଜ ସନ୍ତାନର ଉଜ୍ଜଳ ଭବିଷ୍ୟତର କାମନା କରନ୍ତି, ପାଠପଢି ପିଲାଏ କିପରି ସଫଳ ହେବେ ତାହା ସୁନିଶ୍ଚିତ କରନ୍ତି, କିନ୍ତୁ ଯୋଗ୍ୟ ହୋଇଗଲା ପରେ ପିଲାମାନେ କିପରି ରୋଜଗାର କ୍ଷମ ହେବେ ସେ କଥା କିଏ ସୁନିଶ୍ଚିତ କରି ପାରିବ ? କିଏ ତାର ଉତ୍ତର ଦାୟିତ୍ଵ ନେବ ? ଭୋଟ ନେବା ବେଳେ ନେତାମାନେ ଜନତାକୁ କେବଳ ମିଥ୍ୟା ଆଶ୍ବାସନା ଦେଇ ସରକାର ଗଢିବେ ଏବଂ ସବୁ ପ୍ରତିଶୃତି ଭୁଲିଯିବେ । ଏଠାରେ ସତକୁ ସତ କହିବା ଭୂଲ, ମିଥ୍ୟାର ପ୍ରଚାର ନକରିବା ଅପରାଧ । ସରକାରଙ୍କୁ ବିରୋଧ କରିବା ମାନେ ଦେଶଦ୍ରୋହ ପରି ଜଘନ୍ଯ ଅପରାଧ କରିବା । ଅସଲ ମୁଦ୍ଦାରୁ ଜନତାଙ୍କର ଧ୍ୟାନ ହଟାଇବା ପାଇଁ କେବେ ଅଭିନେତା, ଅଭିନେତ୍ରୀଙ୍କ ପ୍ରେମ ପ୍ରସଙ୍ଗ କେବେ ପଡୋଶୀ ରାଷ୍ଟ୍ରର ଅପାରଗତା କେବେ କେଉଁ ଅଭିନେତାର ଆତ୍ମହତ୍ୟା, କିନ୍ମା ଆମର ଧର୍ମ ବିପଦରେ ପଡିଛି ଯେପରି ପ୍ରସଙ୍ଗ ଉପରେ ଟିଭିରେ ତର୍କ ବିତର୍କ ହୁଏ, ଖବର କାଗଜର ପୃଷ୍ଠା ଭରିଯାଏ । ସେସବୁ ଖବର ସାମ୍ନାରେ ବେରୋଜଗାରୀ, ନିତ୍ୟ ବ୍ଯବହାର୍ଯ୍ଯ ସାମଗ୍ରୀର ବେକାବୁ ଦରବୃଦ୍ଧି, ଗରୀବଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟୃ ଆଦି ଜନତାର ଅସଲ ମୁଦ୍ଦା ଗୌଣ ହୋଇଯାଏ, ସମାଜର ଅସଲ ସମସ୍ୟା କଥା ଲୋକେ ଭୂଲି ଯାଆନ୍ତି, ଏବଂ ନେତା ମାନଙ୍କର ନୋଟଙ୍କିର ଆନନ୍ଦ ଉଠାନ୍ତି । ସରକାର ଏବଂ ବିପକ୍ଷର ପକ୍ଷ ନେଇ ବନ୍ଧୁ ବନ୍ଧୁ ଭିତରେ ଶିତଳ ଯୁଦ୍ଧ ଆରମ୍ଭ ହୋଇଯାଏ । କେବେ ମାରକାଟ୍ ପରି ଦଙ୍ଗାହୁଏ, ସହରରେ କର୍ଫ୍ୟୁ ଜାରୀହୋଇଯାଏ । ଦଙ୍ଗା ବାହାନାରେ, ହତ୍ୟା, ଲୁଟ୍ ଧର୍ଷଣ ଆଦି ଘଟିଯାଏ । ଜଣେ ଆଉ ଜଣଙ୍କ ଉପରେ ଆରୋପ ଲଗାଏ, ତା ଉପରେ କେବଳ ରାଜନୀତି ହୁଏ, କିନ୍ତୁ ଦୁସ୍ଥ ଜନାର ଅବସ୍ଥାରେ କିଛି ସୁଧାର ହୁଏନି ।
ମହାମାରୀ ସମୟରେ ବୃତ୍ତି ହରାଇ, ହଜାର ହଜାର ଶ୍ରମିକ, ଅପ୍ରିଲ ମାସର ଧୁଉ ଧୁଉ ଅଗ୍ନି ବର୍ଷି ଖରାରେ, ହଜାର ହଜାର ମାଇଲ୍ ରାସ୍ତା ନିଜ ସାଥିରେ ଗର୍ଭବତୀ ପତ୍ନୀ, ଦୂଧମୁହାଁ ଛୁଆକୁ କୋଳରେ ଧରି ପାଦରେ ଚାଲି ଚାଲି ଯିବାର ଦୃଶ୍ୟ ଦେଖି ଦେଶ, ପ୍ରଦେଶର ସରକାରଙ୍କ ଆଖିରେ ଲୁହ ଟୋପେ ଦିଶେନା । କେତେ ନୀରିହ ଜନତାଙ୍କର ଚାକିରୀ ଚାଲି ଗଲା, ଦିନେ ବିପଦ ସମୟରେ ପ୍ରାଣ ବିକଳରେ ଘରମୁହାଁ ହୋଇଥିବା ଜନତା ଆଜି ପୁଣି ପେଟର ଭୋକ ମେଣ୍ଟେଇବା ପାଇଁ ପରଦେଶୀ ହୋଇ ଯାଉଛି । ଜନତାର ଦୁଃଖ ଦୂର କରିବାର ଚିନ୍ତା କାହାର ନାହିଁ, ଦେଶର ନେତା ମାନଙ୍କ ପାଇଁ ଏ ସବୁ କିଛି ସମସ୍ୟା ନୁହେଁ । ସୁଦୁର ପୂର୍ବାଞ୍ଚଳରେ ଜାତିଆଣ ଶଢେଇରେ ନୀରିହ ନାରୀମାନଙ୍କୁ ଉଲଗ୍ନ କରି ରିଜରାସ୍ତାରେ ପ୍ୟାରେଡ ହୁଏ, ଧର୍ଷଣ ହୁଏ ସରକାର ଏସବୁରୁ ନିଜର କାନି ଝାଡିଦିଅନ୍ତି ସେମାନଙ୍କୁ ଲଜ୍ଜା ଆସେନା ।
ଏସବୁ ପରେ ବି ବାହାରେ ଶୁଦ୍ଧ ପବନ ବୋହୁଛି, ନିର୍ମଳ ଆଲୋକ ଅଛି ବୋଲି ତୁ ଆଶାବାଦୀ ? କିନ୍ତୁ ମୁଁ ଭଲ ଭାବରେ ଜାଣିଛି, ତୁ ଝରକା ଖୋଲିଲେ ତୋତେ ଶୁଦ୍ଧ ପବନ ତ ମିଳିବନି, ବରଂ ମିଳିବ କେବଳ ଜଳା ବାରୁଦର ଗନ୍ଧ, ଗଳିତ ଶବର ଦୁର୍ଗନ୍ଧ, ଆହତ ଜନତାର ଆର୍ତ୍ତ ଚିତ୍କାର ଆଉ ବୁଭୂକ୍ଷୁ ଶିଶୁର ମୁଠାଏ ଭାତ ପାଇଁ ବ୍ୟାକୁଳ କ୍ରନ୍ଦନ । ଯେମିତି ଯୁଦ୍ଧ ପରବର୍ତ୍ତୀ ସମୟରେ କେଉଁ ଏକ ବିଭୀଷିକାମୟ ଜ୍ୱଳନ୍ତ ଯୁଦ୍ଧଭୂମିର ଦୃଶ୍ୟ । ତୁ ଜାଣିଛୁ ? ଟିକିଏ ଦୂରରେ ଯେଉଁ ବସ୍ତି ଦିଶୁଛି, ସେଠାରେ ତୁ ଦେଖି ପାରିବୁ କାମ ହରାଇ ବେକାର ବସିଥିବା ଶ୍ରମିକ । ଘରେ ତାର ଭୋକରେ ଆଉଟୁ ପାଉଟୁ ହେଉଥିବା ବିକଳ ସନ୍ତାନ, ଦର ଚିରା ଲୁଗାରେ ନିଜ ଶରୀରକୁ ଘୋଡାଇ ରଖିବାର ବୃଥା ଚେଷ୍ଟା କରୁଥିବା ବଢିଲା ଝିଅ । ଲିଭା ଚୁଲି ମୁଣ୍ଡରେ ଜଗି ବସିଥିବା ବିଚାରୀ କିଂକର୍ତ୍ତବ୍ୟବିମୁଢା ନିରିହା ମା’ । ନିଜର ବେଣ୍ଡି ପଡିଯାଇଥିବା ଦୁଇ ଶକ୍ତ ହାତକୁ ଟୁକ୍ ଟୁକ୍ ଅଶ୍ରୁଳ ଆଖିରେ ଚାହିଁ ବେକାର ବସି ରହିଥିବା କାମିକା ଶ୍ରମିକର ଅସହାୟତା । ନିଜର ଭୋକିଲା ଶିଶୁକୁ ଦେଖି ମଧ୍ଯ କଛି କରିପାରୁ ନଥିବାର ଅସହାୟତା । ନିଜର, ନିଜ ପରିବାରର ପେଟର ଭୋକ ମେଣ୍ଟେଇବା ପାଇଁ ଅନ୍ଧାର ଗଳିର କୋଣରେ ମିଞ୍ଜି ମିଞ୍ଜି ଜଳୁଥିବା ବତୀଖୁଣ୍ଟ ତଳେ ନିଜ ଦେହର ଦୋକାନ ସଜାଇ ଠିଆ ହୋଇଥିବା ସେଇ ଯୁବତୀ ଏବଂ ଦେହର ଭୋକ ମେଣ୍ଟେଇବା ପାଇଁ ଶହେ ଟଙ୍କିଆ ନୋଟ ଦେଖାଇ ଠିଆ ହୋଇଥିବା ଧୋବ ଧାବୁଳିଆ ଗରାଖର କଥା ବାର୍ତ୍ତା, ମୂଲ ଚାଲ ଏଠି କାହାକୁ ଶୁଭେନା ।
ଏଇଠି ସମାଜରେ କେବଳ ଖାଦ୍ୟ ଏବଂ ଖାଦକର ସମ୍ପର୍କ, ଭୋକରେ ଗରିବର ପେଟ ଜଳୁଛି, ଆଉ କାମନାର ଅଗ୍ନିରେ ପଇସା ବାଲା ଧୋବ ଧାବୁଳିଆ ବାବୁର ଦେହ ଜଳୁଛି । ସେ ଦୃଶ୍ୟ ଦେଖିଲେ, କବି ବିନୟ ମହାପାତ୍ରଙ୍କ ‘ଶବ ବାହକ’ କବିତାର ଏଇ ପଂକ୍ତି ତୋର ବି ନିଶ୍ଚୟ ମନେ ପଡିଯିବ ।
ଏଇ ଜାଗ୍ରତ ଶ୍ମଶାନେ
ମାଳ ମାଳ ଶବ, ଆଉ
ପଲ ପଲ ଶାର୍ଗୁଣାର ମେଳି
ଖାଦ୍ୟ ଆଉ ଖାଦକର ଅନନ୍ତ ଶିଙ୍କୁଳି ।
(କବିତା “ଶବ ବାହକ”)
ବାହାରେ ଆଲୋକ ଦିଶୁଛି ସତ, କିନ୍ତୁ ସେ ଆଲୋକ ସୂର୍ଯ୍ୟର ନୁହେଁ, ସେ ଆଲୋକ ବାହାରେ ଜଳୁଥିବା ଜୀଅନ୍ତା ମଣିଷର ଚିତାର ଆଲୋକ, ଦଙ୍ଗାରେ ଜଳୁଥିବା ଘରର ନିଆଁର ଆଲୋକ । କେଉଁଠି ଧର୍ମ ନାଆଁରେ, କେଉଁଠି ଜାତି ନାଆଁରେ, କେଉଁଠି ପ୍ରତିବାଦ ନାଆଁରେ, କେବେ କେଉଁଠି ସମର୍ଥନ ନାଆଁରେ ରାସ୍ତାରେ ଟାୟାର ଜଳେ କେବେ ବଜାର, କେବେ ବସ୍ତି ଜଳିଯାଏ । କିନ୍ତୁ କେବେ ହେଲେ କାମିକା ହାତକୁ କାମ ମିଳେନା, ରାସ୍ତାରେ ଏକୁଟିଆ ଯାଉଥିବା ଝିଅକୁ ସୁରକ୍ଷା ମିଳେନା, କ୍ଷୁଧାର୍ଥକୁ ମୁଠାଏ ଆହାର ମିଳେନା । ତଥାପି ରାଜସ୍ତୁତି ଗାନହୁଏ, ସଭା ସମିତିରେ ନେତା ମାନଙ୍କର ଲମ୍ବା ଲମ୍ବା ଭାଷଣ, ବୃଥା ଆଶ୍ଵାସନ ମିଳେ । ଜନତା ନେତାଙ୍କ ଅଭୟବାଣୀରେ ସନ୍ତୁଷ୍ଟ ହୋଇଯାଏ । ସୁନେଲି କେବେ ପୁରା ହେଉନଥିବା ଭବିଷ୍ୟତର ବୃଥା ସ୍ୱପ୍ନ ଦେଖେ ।
ଏସବୁ ଶୁଣିଲା ପରେ ଏବେ ବି କଣ ତୋର ଇଚ୍ଛା ହେଉଛି, ଝରକା ଖୋଲି ବାହାରର ଦୃଶ୍ୟ ଦେଖିବାକୁ ? ଏସବୁ ଦେଖି ଶୁଣି ତୁ ଆଜିଯାଏ ବୁଝି ପାରୁନୁ, କିଛି ବି ଭାବି ପାରୁନୁ ?
ଜଣା ନାହିଁ ଅର୍ଜୁନର ବାପା କେତେ ବେଳେ ତା ରୁମ ବାହାରେ ଠିଆ ହୋଇ ସେମାନଙ୍କର କଥା ଶୁଣୁଥିଲେ । ମାଆର କଥା ସରିବା ପୂର୍ବରୁ ସେ ରୁମ ଭିତରକୁ ଆସି ଯାଇଥିଲେ । ପଢା ଟେବୁଲ ପାଖରୁ ଚଉକିଟାକୁ ଘୋଷାଡି ଆଣି ସେମାନଙ୍କ ସାମ୍ନାରେ ବସିଗଲେ । ଥରେ ମା’କୁ ଏବଂ ଥରେ ଅର୍ଜୁନକୁ ଦେଖି, ଟିକିଏ ହସିଦେଲେ । ସେ, ସବୁ ବେଳେ ଏମିତି ବିନ୍ଦାସ । ତାଙ୍କର ଚିନ୍ତା, ଦୁଶ୍ଚିନ୍ତା କିମ୍ବା ତାଙ୍କର ସମସ୍ତ ଭୟକୁ ସେ ଖୁବ୍ ସହଜରେ ନିଜ ଭିତରେ ହଜମ କରିନିଅନ୍ତି । କେବେ ବି ସେ କଥା ଅନ୍ୟକୁ ଜାଣିବାର ସୁଯୋଗ ଦିଅନ୍ତି ନାହିଁ । କିନ୍ତୁ ଆଜି ତାଙ୍କର ଏ ହସ କିଛି ଭିନ୍ନ ଥିଲା, ବୁଝି ହେଉ ନଥିଲା ଏ ହସର ପ୍ରକୃତ ଅର୍ଥଟା କଣ । ସେ ତାଙ୍କର ଦୁଇ ହାତ ବଢାଇ ଗୋଟିଏ ହାତ ଅର୍ଜୁନର ଜଙ୍ଘ ଉପରେ ଅନ୍ୟଟି ମାଆର ଜଙ୍ଘ ଉପରେ ରଖିଲେ । ସତରେ ବାପାଙ୍କ ହାତରେ ମ୍ୟାଜିକ୍ ଥାଏ । ସେ ହାତର ସ୍ପର୍ଶ ଏକ ନିର୍ଭୟତାର ଅନୁଭବ ଦିଏ । ବାପା ଯେତେ ବେଳେ କାନ୍ଧରେ ହାତ ପକାଇ ପାଖକୁ ଆଉଜାଇ ନିଅନ୍ତି ସେତେ ବେଳେ ମନରେ ଅସୀମ ସାହସର ଅନୁଭବ ହୁଏ । ମନେ ହୁଏ ଯେପରି ମୋ ପାଇଁ ଦୁନିଆଁରେ କିଛି ବି ଅସମ୍ଭବ ନୁହେଁ । ସବୁ କିଛି କରି ପାରିବାର କ୍ଷମତା ନିଜ ଭିତରେ ଅନୁଭବ କରି ହୁଏ । ଆଜି ବି ତାଙ୍କର ହାତ ଆମ ଦୁଇ ଜଣଙ୍କୁ ସେଇ ନିର୍ଭୟତାର ଆଶ୍ଵାସନ ଦେଉ ଥିଲା ।
ମା’ ଏବଂ ଅର୍ଜୁନର ମୁହଁକୁ ବାପା କିଛି ସମୟ ନିରୀକ୍ଷଣ କରି ନେଲେ, ଯେପରି ସେ ମାଆ ପୁଅଙ୍କ ମନର ଭୟ ଏବଂ ସନ୍ଦେହକୁ ମାପି ନେବାକୁ ଚାହୁଁଥିଲେ । ଟିକିଏ ହସି ବାପା କହିଲେ, ଅର୍ଜୁନ, ତୋ ମାଆ ଯାହା କିଛି କହିଗଲା ସେସବୁ ମିଥ୍ୟା ନୁହେଁ । ସେ ସବୁ ସତ, ଆଜିର ସମାଜ, ପରିବେଶ ଏବଂ ପରିସ୍ଥିତି ବହୁତ ବଦଳି ଯାଇଛି । କିନ୍ତୁ ଏହାର ଅର୍ଥ ନୁହେଁ, ଯେ ଏ ସବୁକୁ ଡରି ଆମେ ଆମ ଘର ଭିତରେ କବାଟ ଝରକା ସବୁ ବନ୍ଦକରି, ହାତରେ ହାତ ବାନ୍ଧି ବସିଯିବା, ଏପରି କଦାପି ନୁହେଁ । ବାହାରେ ଠିଆ ହୋଇ, ନର୍ଦ୍ଦମାକୁ ସଫା କରି ହୁଏନି, ନର୍ଦ୍ଦମା ସଫା କରିବାକୁ ହେଲେ ନର୍ଦ୍ଦମା ଭିତରକୁ ଓହ୍ଲେଇବାକୁ ପଡେ । ପହଁରା ଶିଖିବା ପାଇଁ ପାଣିରେ ପଶିବାକୁ ହୁଏ । ଯଦି ତୁମେ ଚୁପ୍ ବସିଯିବ ତେବେ ଏଇ ନର୍ଦ୍ଦମାର ପାଣି ଦିନେ ତୁମ ଘର ଭିତରେ ପଶିବାକୁ ବେଶି ଡେରି ଲାଗିବନି । ବେଳ ଥାଉ ଏ ସବୁ ସଫା କରିବାକୁ ହେବ । କିନ୍ତୁ କେବେ, କିଏ ସଫା କରିବ ଏ ଅବର୍ଜନାକୁ ? ଦୁଷ୍ଟ ଲୋକ ମାନେ ବେଶି ଶକ୍ତିଶାଳୀ ନଥାନ୍ତି, ତଥାପି ନିର୍ଦ୍ୱନ୍ଦରେ ଅତ୍ୟାଚାର କରି ପାରନ୍ତି କାରଣ, କିଛି ଦୁର୍ବଳ ଲୋକ ଏହି ଅତ୍ୟାଚାର ସହି ଯାଆନ୍ତି ଏବଂ ସବଳ ଓ ଜ୍ଞାନୀ ଲୋକମାନେ ନୀରବ ଦର୍ଶକ ସାଜି ଚୁପ୍ ରହନ୍ତି । କିନ୍ତୁ ଏବେ ଚୁପ୍ ରହିବାର ସମୟ ଆଉ ନାହିଁ । ଆଜି ଏ ସବୁର ପ୍ରତିବାଦ ଓ ପ୍ରତିରୋଧ କରିବାର ସମୟ ଆମ ସମସ୍ତଙ୍କ ପାଇଁ ଆସି ଯାଇଛି । ଯେତେଦିନ ସମାଜର ସଶକ୍ତ ଯୁବଗୋଷ୍ଠୀ, ବୁଦ୍ଧିଜୀବିମାନେ ନୀରବ ରହିବେ ସେତେ ଦିନ ପର୍ଯ୍ୟନ୍ତ ଏସବୁ ଏମିତି ଚାଲିଥିବ । ଏବେ ପ୍ରତିରୋଧର ସମୟ ଆସି ଯାଆଛି ।
‘ଆମକୁ କଣ ମିଳିବ’? ସେ ଚିନ୍ତା ନକରି ଆମେ କଣ କରି ପାରିବା, ଦେଶ ଓ ଦଶଙ୍କୁ କଣ ଦେଇ ପାରିବା ସେ କଥା ଚିନ୍ତା କରିବାର ସମୟ ଆସି ଯାଇଛି । କେହି କାହା ପାଇଁ ଯୁଦ୍ଧ ଲଢେନା, ନିଜର ଲଢେଇ, ନିଜକୁ ହିଁ ଲଢିବାକୁ ହୁଏ । ତୁମେ ଯଦି ଅପେକ୍ଷା କରି ବସିଯିବ, କି ଦିନେ ନା ଦିନେ ଭଗବାନ ଅବତାର ନେଇ ଆସିବେ ଏବଂ ସଂସାରର ସବୁ ଦୁଃଖ ଦୂର କରିଦେବେ, ତେବେ ସେ ଦିନ କେବେ ବି ଆସିବନି । ପିଲାଦିନେ ତୋ ନାଆଁ ଅର୍ଜୁନ ରଖିଲା ବେଳେ ମୁଁ ମୋ ମନରେ କେବେ ସେମିତି ବିଶେଷ କିଛି ଭାବି ନଥିଲି, କିନ୍ତୁ ଆଜି ତୋତେ ଦେଖି ମୋର ମନେ ହେଉଛି ତୋ ନାଆଁ ଅର୍ଜୁନ ଦେବାର ଯଥାର୍ଥତା ଥିଲା, ଏବଂ ଏହି ଯଥାର୍ଥତା ଆଜି ତୋତେ ପ୍ରମାଣ କରିବାକୁ ହେବ । ଆଗରେ ତୋର ମହାଭାରତର ଯୁଦ୍ଧଭୂମି ତୋତେ ଅପେକ୍ଷା କରିଛି । ନିଜ ବିବେକକୁ ତୋର ସାରଥୀ କରିନେ, ତୋର ବିବେକ ବାସୁଦେବ ଶ୍ରୀକୃଷ୍ଣଙ୍କ ପରି ତୋତେ ଗୀତାଜ୍ଞାନ ଦେଇଦେବ । ସତ୍ୟ ନ୍ୟାୟର ମାର୍ଗରେ ଚାଲି ତୋତେ ଏଇ ମହାଭାରତର ଯୁଦ୍ଧ ଜିତିବାକୁ ହେବ ।
ଟିକିଏ ବିରାମ ନେଇ ବାପା ପୁଣି କହିଲେ, ପୁଅରେ, ଆମେ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷ । ମୁଁ ଜୀବନରେ ଏତେ ଅଧିକ ଧନ କେବେ ବି ଯୋଗାଡ କରି ପାରିଲିନି ଯେ ତୋ ଚାଲିବା ପାଇଁ ଖାଲ ଖମା, କଣ୍ଟକିତ ବିହୀନ ପିଚ୍ଛିଳ ରାଜରାସ୍ତା ତିଆରି କରି ଦେଇ ପାରିଥାନ୍ତି । କିନ୍ତୁ ମୋର ସୀମିତ ସମ୍ବଳ ଭିତରେ ମୁଁ ତୋତେ ସବୁ ପ୍ରକାରର ରାସ୍ତାରେ ଚାଲି ପାରିବାର କଳା କୌଶଳ ଶିଖାଇ ଦେଇ ପାରିଛି । ତୁ ଆଜି ନିଶ୍ଚିତ ଭାବେ କବି ବିନୟ ମହାପାତ୍ରଙ୍କର ଏହି କବିତା ପଦଟି ଆତ୍ମବିଶ୍ଵାସର ସହିତ ଦୋହୋରାଇ ପାରିବୁ;
ବିଶ୍ୱାସ ମୋ ପଥ ପରେ ନୁହେଁ,
ବିଶ୍ୱାସ ମୋ ଦୃଢ, ନିଜ ରଥ ପରେ,
ରଥ ପାଇଁ ପଥ ଏ ଦୁର୍ଗମ, ହେଲେ
ପଥ କିବା ରୋକିବ ମୋ ରଥ
ଦୁର୍ଜୟ ହୃଦୟ ମୋର, ବଜ୍ର ମୋର ହାତ !
(କବିତା “ପଥ ଓ ରଥ”)
ଜୀବନରେ କାହାକୁ ନିଜର ଆଦର୍ଶ ମାନି ନେବା ଭୂଲ ନୁହେଁ, କିନ୍ତୁ କାହାର ଅନ୍ଧଭକ୍ତ ହୋଇ ଯିବା, ମିଥ୍ୟାର ପ୍ରଚାର କରିବା କେବଳ ପାପ ନୁହେଁ, ବରଂ ଅକ୍ଷମଣୀୟ ଅପରାଧ ମଧ୍ୟ । ସତ୍ୟର ପଥ କଣ୍ଟକିତ, ବନ୍ଧୁର ଏବଂ ଯାତନାରେ ଭରା, ତଥାପି ସତ୍ୟର ମାର୍ଗ ତ୍ୟାଗ କରିବା କଦାପି ଉଚିତ୍ ନୁହେଁ । ଯୁଗେ ଯୁଗେ ସତ୍ୟର ହତ୍ୟା କରା ଯାଇଛି । ଯିଶୁଖ୍ରୀଷ୍ଟଙ୍କୁ କ୍ରଶରେ ଚଢାଇ ଦିଆଗଲା, ସକ୍ରେଟିସଙ୍କୁ ବିଷ ପିଆଇ ଦିଆ ଗଲା, ଗୌତମ ବୁଦ୍ଧଙ୍କୁ ଧୋଖାରେ ଆମିଷ ଖୁଆଇ ଦିଆ ଯାଇଥିଲା । ଆମ ଇତିହାସ ପୁରାଣ ଏପରି କାହାଣୀରେ ଭରି ରହିଛି । ସଂସାରରେ ପାପ ବଢିବାର କାରଣ କେବଳ ଏ କଥା ପ୍ରମାଣିତ କରେନି ଯେ ପାପୀ ବଳବାନ ଥିଲା, ବରଂ ଏ କଥା ବି ପ୍ରମାଣିତ କରେ ଯେ ଜ୍ଞାନୀ ଜନଗଣ ନୀରବ ଦର୍ଶକ ସାଜି ପାପ ହେଉଥିବାର ଦେଖୁଥିଲେ । କେହି ଜଣେ ବି ପ୍ରତିବାଦ କରିବାର ସାହସ କରି ନଥିଲେ । କୁରୁସଭା ତଳେ ଦ୍ରୌପଦୀ ବସ୍ତ୍ର ହରଣ ପ୍ରସଙ୍ଗ, ଏଇ କଥାର ଏକ ଯଥାର୍ଥ ପ୍ରମାଣ । କୁରୁସଭାରେ ଉପସ୍ଥିତ ଜ୍ଞାନୀଜନଙ୍କ ମଧ୍ୟରୁ ଯଦି କେହି ଜଣେ ବି ପ୍ରତିବାଦ କରି ଥାଆନ୍ତା ତାହା ହେଲେ ହୁଏତ ମହାଭାରତ ଯୁଦ୍ଧ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ପାରିଥାନ୍ତା । କିନ୍ତୁ ଏ ସବୁ ଘଟଣାକୁ କେବଳ ବିଧି ନିର୍ଦ୍ଦେଶ ଓ ଭଗବାନଙ୍କ ଲୀଳା ବୋଲି ମାନି ନିଆଗଲା ।
ଆଜି ଦେଶରେ ଯାହା ବି ଘଟୁଛି ସେ ସବୁକୁ ମଧ୍ୟ ବିଧି ନିର୍ଦ୍ଦେଶ ଭାବି ଚୁପ୍ ବସିଯିବା କଣ ବୁଦ୍ଧିମାନର କାର୍ଯ୍ଯ ହେବ ? କହନ୍ତି ଶାନ୍ତି ସ୍ଥାପନ ପାଇଁ ଯୁଦ୍ଧ ଅନିର୍ବାଯ୍ୟ । ଯୁଦ୍ଧ ତ କରିବାକୁ ହେବ । କିନ୍ତୁ ସେ ଯୁଦ୍ଧର ତୁର୍ଯ୍ୟନାଦ କିଏ କରିବ ? କିଏ ? କାହାର ଅପେକ୍ଷାରେ ଅଛେ ଆମେ ସବୁ ? କେବେ ଆସିବ ସେହି ଅବତାରୀ ପୁରୁଷ ? ଦେଶ ସ୍ଵାଧୀନ କରିବାକୁ ଗାନ୍ଧୀ ପୁଣି ଆସିବେ ? କହନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା । କିନ୍ତୁ ଏ ଜଗତ କଣ ମିଥ୍ୟା, କବି ବିନୟ ମହାପାତ୍ରଙ୍କର ଏକ କବିତାର ଏଇ କେତୋଟି ଲାଇନ କଣ କାହା ମନକୁ ଆନ୍ଦୋଳିତ କରେନି ?
କିପରି ନକାରି ଯିବି
ଜଳ ଜଳ ଆଖି ଖୋଲି
ଚଉଦିଗେ ଦେଖୁ ଅଛି ଯାହା ।
ଶୁଣେ ଯେଉଁ ଆର୍ତ୍ତନାଦ ବ୍ୟାକୁଳ କ୍ରନ୍ଦନ,
ଦିନ ଦିପହରେ ଲୁଣ୍ଠିତା ଅବଳାର ରାହା,
ଅନ୍ନ ବିହୁନେ କ୍ଷୁଧାର୍ତ୍ତ ଶିଶୁର କ୍ରନ୍ଦନ,
ଲୋଭ, ହିଂସା ଧର୍ମାନ୍ଧତା ପ୍ରାଣ କରେ ସ୍ୱାହା ।
ଖୋଜୁଛି ସେ ଜ୍ଞାନ,
ଖୋଜୁଛି ସେ ପ୍ରଭୂକୁ
ମୁକ୍ତି ପାଇଁ ନୁହେଁ, ଶକ୍ତି ଟିକେ ଲୋଡେ
ଯିଏ ଭରିଦେବ ପ୍ରତିଟି ଶିଶୁର ମୁହଁରେ
ତୃପ୍ତିର ହସଧାର ଟିକେ,
ରୋପିଯିବ ପ୍ରତିଟି ନାରୀ ହୃଦୟରେ
ସ୍ଵାଭିମାନ, ନିର୍ଭୟର ବିଜ,
ପ୍ରତିଟି ଯୁବା ହାତକୁ ଯଥୋଚିତ କର୍ମ
ପ୍ରତିଟି ଭୋକିଲା ପେଟକୁ ପେଟଭରା ଅନ୍ନ ।
(କବିତା “ଜଗତ ସତ୍ୟ”)
ବାପାଙ୍କର କଥା ଶୁଣି ଅର୍ଜୁନ ଠିଆହୋଇ ପଡିଲା, ସ୍ୱତଃ ତା ପାଟିରୁ ବାହାରି ପଡିଲା, ଦେଶକୁ ବେକାରୀ, ଦାରିଦ୍ରତା, କ୍ଷୁଧା, ଧର୍ମାନ୍ଧତାରୁ ମୁକ୍ତ କରିବାକୁ, ମିଥ୍ୟାଚାରୀ ନେତା, ଅନ୍ଧ ଭକ୍ତଙ୍କର ଗଳା ଫଟା ମିଥ୍ୟା ପ୍ରଚାରରୁ ଜନତାଙ୍କୁ ମୁକ୍ତିଦେବା ପାଇଁ ଆଉ ଥରେ ଯୁଦ୍ଧ ଲଢିବାକୁ ହେବ । ମୁଁ ଲଢିବି ସେ ଯୁଦ୍ଧ । ମୁଁ ଜାଣିଛି, ଏ ଯୁଦ୍ଧ ଜିତିବା ଏତେ ସହଜ ନୁହେଁ ତଥାପି ନହାରିବାର ସଙ୍କଳ୍ପ ନେଇ ମୁଁ ଲଢିବି ଏ ଯୁଦ୍ଧ । ମୁଁ ବି ପଢିଛି ସେଇ କବିତାଟି, ମୋର ବି ମନେ ଅଛି ସେଇ ଶାଣିତ ଶପଥ;
ସ୍ରୋତ ସହ ସହଜରେ ଭାସିଯିବା
ଚାହିଁ ନାହିଁ କେବେ,
ଜାଣିଛି ମୁଁ ଜୀବନ ନିଷ୍ଠୁର,
ତଥାପି ସ୍ରୋତ ବିପରୀତ,
ସନ୍ତରଣେ ଅଭ୍ୟସ୍ତ ମୋ ପାଦ ।
ଡର ନାହିଁ ତିଳେ ମାତ୍ର,
ଯୁଦ୍ଧ ହାରିବାରେ,
ହାରିଲେ ଶିଖିବି,
ହରାଇବାର ଗୁରୁ ମନ୍ତ୍ର ।
ହାରିବା ଭୟରେ କେବେ,
ଅଟକି ଯିବିନି, ଜୀବନ ଯୁଦ୍ଧରେ,
ଚେଷ୍ଟା ମୋର ଅବିରତ ଜିତିବାର ପାଇଁ
ଲଙ୍ଘି ଯିବି ଦୁର୍ଗମ ପଥ, ମନେ ଡର ନାହିଁ ।
(କବିତା “ପଥ ଓ ରଥ”)
ବାପା ଏବଂ ଅର୍ଜୁନର କଥା ଶୁଣି ମାଆଙ୍କ ମନରେ ବି ସାହସ ଆସି ଯାଇ ଥିଲା । ସେ ବୁଝି ଯାଇଥିଲେ ଯେ ଘରର କବାଟ, ଝରକା ବନ୍ଦ ରଖିବା ପରେ ବି, ମଣିଷ ନିରାପଦ ନୁହେଁ । ଗୋଟିଏ ଫନି ତୋଫାନ ସବୁ କିଛି ଘଡିକରେ ନଷ୍ଟ କରି ଦେଇପାରେ । ବାହାରର ଅଳିଆ ଘର ଭିତରେ ପଶିବା ଆଗରୁ ତାକୁ ସଫା କରିଦେବା ଉଚିତ୍ । ମାଆ ନିଜେ ଯାଇ ଝରକା ଖୋଲି ଦେଲେ । ଏବଂ ଅର୍ଜୁନ ମଥାରେ ହାତ ବୁଲାଇ ଆଣି କହିଲେ ଧନରେ, ଘରର ବନ୍ଦ କବାଟକୁ ମୁଁ ଖୋଲି ଦେବି, ଯୁଦ୍ଧ ପାଇଁ ମୁଁ ତୋ ମଥାରେ ବିଜୟ ତିଳକ ଲଗାଇ ତୋର ବିଜୟର କାମନା କରିବି । ଧର୍ମର ଜୟ ହୁଏ । ମାନବ ସେବା ହିଁ ମାଧବ ସେବା, ଏଇ ମନୋଭାବ ନେଇ ତୁ ଆଗେଇ ଯିବୁ । ମନର ସଙ୍କଳ୍ପ ଦୃଢ ଥିଲେ, ସତ୍ୟ ଓ ନ୍ୟାୟ ପଥରେ ଚାଲିଲେ, ତୁ କେବେ ଏକୁଟିଆ ପଡି ଯିବୁନି, ବରଂ ଦେଖିବୁ ତୋରି ଆଦର୍ଶରେ ବିଶ୍ୱାସ କରୁଥିବା ଜନତା ତୋ ସାଥିରେ ତୋ ପଛରେ ତୋର ସହଯାତ୍ରୀ ହୋଇଯିବେ । ଯୁଦ୍ଧଭୂମିରେ କେବଳ ତୁ ଏକୁଟିଆ ନଥିବୁ, ଏ ଯୁଦ୍ଧ ଲଢିବାକୁ ତୋ ସହିତ ଅନେକ ସାଥୀ ଥିବେ ।
ଅଦମ୍ୟ ସାହସ, ଧୈର୍ଯ୍ୟ,
କଠିନ ଶ୍ରମ ଅବିଶ୍ରାନ୍ତ,
ଦୃଢ ସଂକଳ୍ପର ଆଗେ
ମଥା ନୁଆଅନ୍ତି ସର୍ବେ,
ଧନଞ୍ଜୟ ଜିତିଯାଏ କୁରୁକ୍ଷେତ୍ର,
ଶତ ଭ୍ରାତା, ସହସ୍ର ରଥୀ ମହାରଥୀ,
ଧରା ଶାୟୀ, ଲଭନ୍ତି ପରାସ୍ତ ।
(କବିତା “ପଥ ଓ ରଥ”)