କବିତା

ମାଟି ସିଲଟ

Ajay Kumar Nandi's odia poem Maati Silat

ମନ ମୁତାବକ
ବିଚିତ୍ର ଚିତ୍ର ସିଲଟରେ ଗାର ଟାଣି ଥାନ୍ତା
ପ୍ରଗଳ୍ଭ ପରି ।

ନଥିଲା କିଛି ମୂଲ୍ୟବାନ ବସ୍ତୁର କାମନା,
ଖାଲି ମାଟିସିଲଟ ଖଣ୍ଡକ ଥିଲେ,
ଜୀବନକୁ ଜୀବନ୍ତ କରିପାରିଥାନ୍ତା ।

କୁନି, କଅଁଳ ଗୋଲାପୀ
ହାତର ଆଙ୍ଗୁଳିରେ
ଧରିଥାନ୍ତା ଚୂନ ଖଡି ।

ମନ ମୁତାବକ
ବିଚିତ୍ର ଚିତ୍ର ସିଲଟରେ ଗାର ଟାଣି ଥାନ୍ତା
ପ୍ରଗଳ୍ଭ ପରି ।

କଥା ମାନି ପାଠ ଲେଖି
ଦେଖାଇ ଥିଲେ,ସାରଙ୍କ
ପ୍ରିୟ ହୋଇ ପାରିଥାନ୍ତା ସେ ।

ଛୋଟ ପରିଧିର ହାତ
ସ୍ପର୍ଶରେ ଲିଭାଇ ପାରିଥାନ୍ତା
ନିଜର ଭୁଲ ଅକ୍ଷର ସବୁ ।

ଭୁଲା ମନ,
ଥର ଥର କଣ୍ଠରେ
ଉଚ୍ଚାରିତ ହୁଏ କେବେ, କେତୋଟି
ବର୍ଣ୍ଣ ମାଳା ।

ଅଜଣାତରେ
ସାଙ୍ଗର ଚୂନ ଖଡି
ରଖିଦିଏ ନିଜ ବ୍ୟାଗରେ ।
(ସ୍କୁଲରୁ ଫେରୁ ଫେରୁ )
ବର୍ଷା ହେଉ ଅବା
ସୂର୍ଯ୍ୟର ତେଜ, ସହ୍ୟ ପାଇଁ
ମୁଣ୍ଡରେ ଥୁଏ
ମାଟିସିଲଟର କବଚ ।

ଚପଳତା ସହକାରେ
ଗାଡିର ଘୁଁ ଘୁଁ ଶବ୍ଦ କରି
ମାଟିସିଲଟ କୁ କାଖରେ ଜାକି
ଦୌଡେ ସେ ଏକଲା ବାଟରେ ।

ଗୋଧୂଳି ଅବସାନେ
ପୁନେଇଁର ଜହ୍ନ ଉଏଁ,
କଳା ସିଲଟରେ ରୌପ୍ୟ ଜହ୍ନ ରାତି
ତାସହ ଜହ୍ନ ମାମୁ ର
ଛବି ଆଙ୍କିଦିଏ ।

 

ମାଆର କାନି ଟାଣି
ଲିଭେଇ ଦିଏ
ଏକ ରୁ ଦଶ ଲେଖିଥିବା
ସଂଖ୍ୟା ।

ଶୋଇ ଶୋଇ ସ୍ବପ୍ନ ଦେଖେ
ମାଟିସିଲଟ
କେଡେ ସୁନ୍ଦର ତାର,
ହାଟରୁ ଆଣିଛନ୍ତି ବାପା ।

ଭାଙ୍ଗିଗଲା କେମିତି ମାଟିର ସିଲଟ
ମନେ ନାହିଁ,
ଖୁବ୍ ମାଡ଼ ହୋଇଥିଲା
ସେଦିନ ।

ମାଆ ଡାକିଦିଏ
ସିଲଟର ସ୍ବପ୍ନ ଭାଙ୍ଗିଯାଏ !

କାନ୍ଦି କହେ ସେ
ବାରମ୍ବାର,
ମୋତେ ନୂଆମାଟି ସିଲଟ ଆଣିଦିଅ ଆଣିଦିଅ ଆଣିଦିଅ !
କିନ୍ତୁ ତାର କଥାକୁ କାହାର ଖାତିର ନାହିଁ ।

କୁଡ଼ିଆ ବାହାରେ ଇଟା ଭାଟି
ତା ପାଖେ କଞ୍ଚା କୋଇଲାର କୁଡ଼
ସେଥିରୁ ଖଣ୍ଡେ ଆଣି
ଟାଙ୍ଗରା ଭୁଇଁ ରେ ,ଘୋଷି
ଲେଖି ପକାଏ କେତେ କଣ ।

ପୁଣି ଅବା ଖେଳୁ ଖେଳୁ କେବେ
ମନେ ପଡିଲେ
କୋଇଲା ପାଉଁଶ ଆଣି
କାନ୍ଥରେ ଆଙ୍କେ ବଙ୍କା
ପଦ୍ମ ଫୁଲର ଛବି ।

ଇଟା ଭାଟିରୁ ବାହାରେ
ହୁତୁ ହୁତୁ ଧଳା ଧୂଆଁ
ମିଞ୍ଜି ମିଞ୍ଜି ପୋଡା ଆଖିରୁ
ବାହାରି ଯାଏ ଲୁହ ।

1 Comment

1 Comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top