କବିତା

ଓଡ଼ିଶା

ପଦ୍ମପତ୍ରରେ ପାଣି ପରି ଢଳ ଢଳ
ଆମରାଜ୍ୟ, ଓଡ଼ିଶା କେଶର
ପୁଣ୍ୟ ନିଳାଞ୍ଚଳ, ପୁରୀ, ପୁରୁଷୋତ୍ତମ
ମାଓବାଦୀଙ୍କ ମୁକ୍ତିତୀର୍ଥ ।

ଓଡ଼ିଶା

“ଠ” ପରି ଦୁଇ ଫର୍ଦ୍ଦ କାଗଜରେ
ଲେଖା ହେଇଚି ଇତିହାସ
ପାପୁଲି ନଥିବା ହାତରେ
ଅଙ୍କା ଯାଇଚି ମାନଚିତ୍ର
ମାଦଳାପାଞ୍ଜିର ଅବନ୍ଧାଖାତାରେ
ପଢ଼ା ହେଉଚି ଗର୍ବ ଗୌରବ
ରଚନା- “ଆମ ଓଡ଼ିଶା” ।

ପଦ୍ମପତ୍ରରେ ପାଣି ପରି ଢଳ ଢଳ
ଆମରାଜ୍ୟ, ଓଡ଼ିଶା କେଶର
ପୁଣ୍ୟ ନିଳାଞ୍ଚଳ, ପୁରୀ, ପୁରୁଷୋତ୍ତମ
ମାଓବାଦୀଙ୍କ ମୁକ୍ତିତୀର୍ଥ ।

ନିର୍ମାଲ୍ୟ ହାଟରେ
ନିଲାମ ଡକାହୁଏ ନାରୀର ଜରାୟୁ
ପାଟେଣ୍ଟ ହୁଏ ଦାରୁଲିମ୍ୱ
ଷାଠିଏ ପଉଟି ପାଇଁ
ବାସୁମତି ନିକ ନିକ ପ୍ରସାଦ ।

ଦୁଇଟଙ୍କା ଚାଉଳରେ ତିଆରି ହୁଏ
ମଣିଷର ମନ
ବିବେକ ମୁଣ୍ଡ ଉପରେ
ଛତା ପରି ଟଙ୍ଗାହୁଏ କଂକ୍ରିଟ୍ ମଥାନ
ଇନ୍ଦିରା ଆବାସ
ସରକାରଙ୍କ ପାଇଁ ପାପୁଲିଏ ଆୟୁଷ
ପ୍ରଜାଙ୍କ ମୁକ୍ତ ବିଚାର, ଗଣତନ୍ତ୍ର ।

ଭାଗ୍ୟ ତିଆରି କରନ୍ତି ଭଗବାନ୍
ବେକାରୀ ଭତ୍ତାରେ
ବଡ଼ ଦେଉଳର ବଡ଼ପଣ୍ଡା ବନ୍ଧା ପକାନ୍ତି ଖେଳପଡ଼ିଆ
ଶରଧାବାଲି, ସାରା ସମୁଦ୍ର
ଜେନେଟିକ୍ ମଡ଼ିଫାଏଡ୍ ମଞ୍ଜିରୁ
ଗଜାମାରେ ଭୃଣ
ଫୁଲିଯାଏ ମା’ର ପେଟ
ବି.ଟି. ବାଇଗଣରେ ବିଶିରିଯାଏ
ବାପାଙ୍କ ରକ୍ତ ।

ଗ୍ରାଫ୍‌ଖାତାରେ ଚତୁର୍ଭୁଜ କୋଠରୀରେ
ରେଖାଙ୍କିତ ପ୍ରଗତିର ଗାର,
ଉଠୁଥାଏ ଆକାଶ ମୁହାଁ ହେଇ
ଅର୍ଥନୀତିର ଶିରୋନାମାରେ
ଆରପୃଷ୍ଠାରେ ଛପାଯାଏ
କଳାହାଣ୍ଡିରେ ମଣିଷ ବିକ୍ରି
ଆମ୍ୱଟାକୁଆ ଯାଉରେ
ଜରିଯାଏ ଯଉବନ,
ଫୁଲ ପରି ଝଡ଼ି ପଡ଼େ ଆୟୁଷ
ବନ୍ଧା ପଡ଼େ ପୌରୁଷ
କୀଟ ପରି ବିନ୍ଧି ଦିଏ ଋଣ
ରକ୍ତ ମାଂସରେ
ଦାନ୍ତେୱାଡ଼ାରେ ଲହୁଲୁହର ବନ୍ୟା ।

ଖଣି ଖାଦାନର ଲୁହାଗୁଣ୍ଡ
ପାଲଟିଯାଇଚି ଦଲାଲ୍‌ଙ୍କ ଚର୍ବି
ଚୁକ୍ତି ହେଉଛି ମା’ର ଗର୍ଭ
ବିଦେଶୀ ବାପାଙ୍କ ପାଇଁ
ଉତ୍ତମ ଭବିଷ୍ୟତ ପାଇଁ
ଆମର ଉତ୍ତମ ସନ୍ତାନ ପାଇଁ ।

କାଳେ ବଦଳିଯିବ ଆମ
ଭାଗ୍ୟ ଭଗବାନ
ଓଡ଼ିଶାର ଜାତି
ଆଉ ଜନ୍ମ ଜାତକ
ବଦଳିଯିବ ଶୀର୍ଷକ “ଓରିଶା”
ଲେଖାହେବ ସ୍ୱାଭିମାନ
“ଆମ ଓଡ଼ିଶା”
ଦଣ୍ଡା, ଗୋଚରକୁ କାଗଜରେ
ସଅଁପି ଦେଲେ ଭୂମିହୀନଙ୍କୁ ।

ବାପମା’ ପରିଚୟ ନଥିବା
ଛେଉଁଣ୍ଡ ଛୁଆଟି
ଟାଙ୍ଗି ଦେଇଚି ଖଣ୍ଡେ ଜରି ମୁଣ୍ଡ ଉପରେ
ତଳେ ପାରିଦେଇଚି ଖଣ୍ଡେ ମାନଚିତ୍ର
ଗୋଟିଏ ଦେଶ
ମଶା, ମାଛି, ନର୍ଦ୍ଦମା ଦୁର୍ଗନ୍ଧକୁ
ପେଟେ ପିଇ ଶୋଇପଡ଼ିଚି ଛୋଟ ଓଡ଼ିଶା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top