ଅଣୁଗଳ୍ପ

ହାତ ସଫେଇ

ଭୋଟ୍ ଆସିଲେ ଏମାନେ ଜଣେ ଜଣେ ନିଧିଆ ହୋଇ ହାତ ସଫେଇ ଦେଖାନ୍ତି । ଶେଷରେ ନିଧିଆ ଉପରେ ଟଙ୍କା ବର୍ଷିବା ପରି ଏମାନଙ୍କ ଉପରେ ଭୋଟ୍ ବର୍ଷିଯାଏ ।

ହାତ ସଫେଇ

ନିଧି ବର୍ଷକୁ ଥରେ ଆସେ ଆମ ବଜାରକୁ ଖେଳ ଦେଖେଇବା ପାଇଁ । ସାହୁବୁଢ଼ା ଦୋକାନ ଆଗରେ ଖେଳହୁଏ । ଖେଳ ଦେଖାଇବା ବେଳେ ସେ କହେ ସେ କୁଆଡ଼େ କାଉଁରୀ କାମାକ୍ଷା ଯାଇଥିଲା । ବେଳେବେଳେ ଅନ୍ଧାର ରାତିରେ ଚଣ୍ଡୀ ସାଧନା କରିବାକୁ ମଶାଣିକୁ ଯାଏ । ତାକୁ ଭଲ ଗୁଣି ଗାରେଡ଼ି ମାଲୁମ୍ । ମୁଠାଏ ତାସ୍‌କୁ ଏପଟ ସେପଟ କରେ । ଖେଳ ଦେଖେଇ ଆମକୁ ଜଲ୍ପି ମିଠାଇ ଖୁଆଏ । ମୁଢ଼ି ବାଜେ ବାଲିରେ । ଉଡ଼ାମ କରେ, ତା’ ପୁଅକୁ ଯେତେବେଳେ ଛୁରୀ ଭୁଷି ମାରିଦିଏ ଦର୍ଶକଙ୍କ ଭିତରେ ଘନଘନ ତାଳି ହୁଏ । ତା’ ଉପରେ ଚୁନା ପଇସା କୁଢ଼େଇ ହୋଇପଡ଼େ । ନିଧି ଟଙ୍କା ନେଇ ଫେରିଯାଏ ଘରକୁ । ପଚାରିଲେ କହେ । କିଛି ଭେଳିକି କିଛି ହାତ ସଫେଇ ।

ଭୋଟ ବେଳେ ସାହୁବୁଢ଼ା ଦୋକାନରେ ଭାରି ଗହଳି ହୁଏ । ସେଦିନ କିଏ କହିଲା, ମନ୍ତ୍ରୀ କୁଆଡ଼େ ଭୋଟକୁ ଆଖି ଆଗରେ ରଖି ଖାଲି ଉଦ୍ଘାଟନ କରୁଛନ୍ତି । ଆଉ ଜଣେ କହିଲା, କର୍ମଚାରୀଙ୍କ ଦରମା ବଢ଼ାଉଛନ୍ତି ସବୁ କରିଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ।

ସେଦିନ ପଙ୍କ ପଧାନ, ରଙ୍କ ଖଟୁଆ ଲାଗିଗଲେ ଜୋର୍ ସୋର୍ ହାତାହାତି ପର୍ଯ୍ୟନ୍ତ । ସାହୁବୁଢ଼ା କହିଲା, ତମେ ସେମିତି ମିଛୁଟାରେ କାହିଁକି ହଉଚ । ଭୋଟ୍ ଆସିଲେ ଏମାନେ ଜଣେ ଜଣେ ନିଧିଆ ହୋଇ ହାତ ସଫେଇ ଦେଖାନ୍ତି । ଶେଷରେ ନିଧିଆ ଉପରେ ଟଙ୍କା ବର୍ଷିବା ପରି ଏମାନଙ୍କ ଉପରେ ଭୋଟ୍ ବର୍ଷିଯାଏ । ତା’ପରେ ଯେଝା ବାଟରେ ଯେଝା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top