ତୁ କ’ଣ ଫେରାଇ ଆଣିପାରିବୁ ଶାନ୍ତି
ତୋ ଯୁଦ୍ଧ ଡାକରାରେ ମାଓବାଦୀ !
ତୁ କ’ଣ ବଜେଇ ପାରିବୁ
ବିଗୁଲରେ ବାଉଲ
ଚିତ୍କାରରେ ଆଙ୍କି ପାରିବୁ
ସାମ୍ୟବାଦ, ସମାଜତନ୍ତ୍ର
ଗଣତନ୍ତ୍ର ଖତିୟାନ୍ରେ ?
ତୋ ଚେନାଏ ରାବରେ
ବଢ଼ିଯାଏ ପବନରେ ତାତି
ପଚାଶ ଡିଗ୍ରୀ ଉତ୍ତାପ
ଚହଲିଗଲେ ତୋ ପର
ଲହରୀ ଭାଙ୍ଗୁଚି ଝାଞ୍ଜି
କବି ହେଉଚି ଚନ୍ଦା
ଠିକ୍ ମାଟି ପରି !
କଳାହାଣ୍ଡି ତିରିଲା ପରି
ନଈ ଶୋଇଚି ପେଟ ଖାଙ୍କି
ମୋବାଇଲ୍ର ମାଇକ୍ରୋୱେଭ୍
ମନ୍ଥନ କରୁଚି ଆକାଶ
ଗଡ଼ିଆ ପରି ଗୋଳିଆ ହେଉଚି ପବନ ।
ଏବେ ତୋ ଘରକୁ ଫେରୁନି ନା
ଖାଦ୍ୟର ଖବର
ଭୁଲ୍ ହେଇ ଯାଉଚି
ମହୁମାଛିର ହିସାବ
ବାଟ ମାପିବାର ଅଙ୍କକଷା !
ତୋ ଆକାଶଟା ଏବେ
ଖୁବ୍ ଗହଳ ଚହଳ
ଖୁବ୍ ବାଟବଣା
ତୋ ଚଞ୍ଚୁରୁ ଗଜୁରୁ ନାହିଁ ଶିହରଣ
ରମଣ ଋତୁରେ ରୁଚୁନାହିଁ ରତି
ଆଖିରୁ ନିଗୁଡୁଚି ଥପଥପ ତାତି
ତୋ ଶିତଳ ରକ୍ତ ଉଠିଚି ମାତି
ମଣିଷଙ୍କ ପାଇଁ ସଜଉଚୁ
ଲ୍ୟାଣ୍ଡମାଇନ୍ସର ରାତି !
ପକ୍ଷୀ !
ତୋ ଯୁଦ୍ଧ ଡାକରାରେ
ତୁ ମାଓବାଦୀ ହେବାରେ
ତୁ କ’ଣ ଫେରାଇ ଆଣିପାରିବୁ
ଏ ମାଟିକୁ ଶାନ୍ତି ?