ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଝରଣାର ସ୍ୱଚ୍ଛତା ପରି
ବିନ୍ଦୁଏ ସ୍ନେହ ଦରକାର ମଣିଷକୁ;
ଧାଇଁବାକୁ ଏ ଜୀବନ ଯୁଦ୍ଧରେ,
ନଦୀର ଚଞ୍ଚଳତା ପରି
ମେଞ୍ଚାଏ ସାହସ ଲୋଡ଼ା
ଚାଲିବାକୁ ସେଇ ଲମ୍ୱା ରାସ୍ତାରେ,
ପାହାଡ଼ର ବିଶାଳ ବକ୍ଷ ପରି
ବିରାଟ ହୃଦୟ ଲୋଡ଼ା
ବାଣ୍ଟିବାକୁ ପ୍ରେମର ରେଣୁ ଏ ଦୁନିଆରେ,
ସମୁଦ୍ରର ପରି ସ୍ୱାଧୀନତା
ଆବଶ୍ୟକ ବ୍ୟକ୍ତ କରିବାକୁ
ମହତ ଚେତନା ଏ ଜଗତ ବକ୍ଷରେ,
ଅଗ୍ନିର ଉଜ୍ଜ୍ୱଳତା ପରି
ନିର୍ଭୀକତା ଲୋଡ଼ା
ଯୁଝିବାକୁ ଅଜ୍ଞାନତା ସାଥେ,
ଆକାଶ ପରି ଗମ୍ଭୀରତା
ଲୋଡ଼ା ଏକ ମନକୁ
ସହିବାକୁ ଦୁଃଖର ଲହରୀ ନିଜ ବକ୍ଷେ,
ଜହ୍ନର ହସ ପରି ଚେନାଏ ହସ
ଦରକାର ହସିବାକୁ ଜଗତ ସାଥିରେ
ଯେତେ ଦୁଃଖ, ଝଞ୍ଜା ଦୂର କରି
ଖୁସିର ଜୁଆର ବୁହାଇବାକୁ ଏଇ ମରତରେ ।
