ଏଇ ମାତ୍ର ଆଠଅଣା ଗଞ୍ଜେଇରେ
ମିଳିଯାଏ ମୋ ବୋଉର ହଜିଲା ଗାଈ
ଯମ ହାତରୁ ଖସିଆସେ ସତିଆ ମା’ର ମଲାପୁଅ
ଅରକ୍ଷିତର ଚିଲମ୍ ଧୂଆଁରେ
ଡାକମାରିଲେ ଯିଏ “ଓ’ କରେ
ସିଏ ପୋଡ଼ପିଠା ପରି ମୁଣ୍ଡିଏ ପାହାଡ଼
ଟଙ୍କତୋରାଣି-କଂସିଏ କାଞ୍ଜିପାଣି
ବେଙ୍ଗମୂତରେ ଗୋଳିଆ ହେଇଯାଏ
ଅଣ୍ଟାଭାଙ୍ଗି ଚାଲୁଥିବା ଗୋବରୀ ନଈ
ଯା-ଆସ କରେ ଛପନା କୋଟି ଜୀବ
ଜଳ-ସ୍ଥଳ-ପୃଥିବୀ-ଆକାଶ-ଆଇଁଷ
ମହମହ ଶୁଖୁଆ ବେଶରରେ ବ୍ରହ୍ମ ଅବଧୂତ ଶୂନ୍ୟବାସ
ଛି’ କରିଦେଲା ସିଂହାସନ
ରାଜଉଆସ-ଏସି ରୁମ୍
ମାର୍ବଲ ଚଟାଣ-ବାଇଆମାଳିର ଫୁଲ ବଗିଚା
ପଥରଖୋଲରେ ଗଣାପୋଛା ହେଲା
କଟା-ସମ୍ପା-ସମ୍ପତି
ବାହ୍ମ୍ରଣୀ ବୁଢ଼ୀର କଦଳୀପତ୍ରରେ
ତିଆରି ହେଲା ଜାତକ-ଜେତବନ
ପୋଛି ହେଇଗଲା ବଳଭଦ୍ର ଦେବ
ଈଶ୍ୱର-ଅରକ୍ଷିତ
ଗୋ ମାଂସରେ ତିଆରି ହେଲା
ମହମହ ମହାପ୍ରସାଦ-ମିର୍ଜା ସାହେବ
କଂସା ଆଉଟାରେ ମେଣ୍ଟେଇଲା ଶୋଷ
ପିଣ୍ଡରେ ବିଶ୍ୱବ୍ରହ୍ମାଣ୍ଡ ଚଉଦ ଭୂବନ
ଶୂନ୍ୟରୁ ସାଉଁଟିଲା ଗୀତା ମହୀମଣ୍ଡଳ
ଜିଇଁବାର ତତ୍ତ୍ୱ ମନ୍ତ୍ରସାର
ସର୍ବଧର୍ମ ସମନ୍ୱୟ ଶ୍ରମଣ-ଶ୍ରାବସ୍ତୀ ଶ୍ରୀକ୍ଷେତ୍ର
ଯେଉଁ ପୀଠରୁ ପିଠାଖାଇ ଲେଖିଥିଲା “ଆନନ୍ଦ ମଠ”
ବଙ୍କିମ ଚନ୍ଦ୍ର-ବନ୍ଦେ ମାତରମ୍ ଜାତୀୟସଙ୍ଗୀତ
ସେହି ପୀଠରେ ମପାଚାଲିଛି ଯାତ୍ରା ମଣ୍ଡପ
ନକ୍ସା ଗାରରେ ନଟକିଚି-ଯାଜପୁର-କଟକ
ମଖମଲ ମାରର୍ବଲରେ ମହକି ଉଠୁଚି ମନ୍ଦିର
ମହନ୍ତ ମହାରାଜ-ଗୁମ୍ଫା ଏସି-ରୁମ୍
ଏବେ ଏଠି
ସମସ୍ତେ ସନ୍ଥ ସନ୍ନ୍ୟାସ ସନାତନ
ସୁରକ୍ଷିତ ଶିକ୍ଷିତ-ତାମସିକ
ଚାରଣମାନଙ୍କ ଚାପରେ
ଚୁପ୍ଚାପ୍ ବ୍ରହ୍ମଅଧୂତ
ସାତ୍ତ୍ୱିକ ସନ୍ଥ ଅରକ୍ଷିତ ।