ମୁଁ ତୁମକୁ ଖୋଜୁଛି
କୋଳାହଳରେ, ହୋହଲ୍ଲାରେ
ନିରବରେ
ବାଡ଼ିପଛ ପୋଖରୀର ତୁଠ ପଥରରେ,
ମୁଁ ତୁମକୁ ଖୋଜୁଛି
ଆମ୍ୱବଉଳରେ
ଚଉରାମୂଳରେ
କୃଷ୍ଣଚୂଡ଼ାର ସରୁ ପତ୍ରରେ
ଆମ ଢିଙ୍କିଶାଳେ
ପୁଣି ସାହୁଘର ତେନ୍ତୁଳି ବାଡ଼ିରେ ।
କହିଲ ଦେଖି ।
ଏମିତି କିଏ କ’ଣ କାହାକୁ ଖୋଜେ
ନା ଆପଣାର କେହି କେବେ
ଏମିତିକା ହଜେ
ଯେମିତି ତୁମେ ହଜି ଯାଇଛ
କେଉଁଠି ଲୁଚି ଯାଇଛ ?
କେହି ରାଣ ଦେଲା ପରି
ଯାଇଛ ଯେ ଯାଇଛ
ଏବେ ତ ଲୋକେ କହିଲେଣି
ଯାଇଛି ତ ଯାଉ
ଆଉ କାହିଁ ଅସମୟରେ
ସେ ପିଲାଦିନ ଖୋଜୁଛି ।
