ଶୂନ୍ଶାନ୍ ନିରବ ଚୌହଦି ଆକାଶେ
ଛିଣ୍ଡା ବାଦଲର ଲୁଚକାଳି
ତା’ ଭିତରେ ଶେଷ ପ୍ରହରର ଥମ୍ ଥମ୍
ଖଣ୍ଡିତ ଅଳସ ଜହ୍ନ
ଅଧା ଅଧା ସୁପ୍ତିରେ ମଳିନ ନିଷ୍ପ୍ରଭ
ବେସାହାରା ଏକାନ୍ତ ଏକଲା ।
ଜହ୍ନ ଭିତରେ ତମେ
ତମ ଭିତରେ ବି ଜହ୍ନ
ଏକ ପରିତ୍ୟକ୍ତ ସମୟର ଉପତ୍ୟକାରେ
ଶେଷପ୍ରାୟ ଦ୍ୟୁତିର ଅବଶେଷଟିଏ ।
ଆଖି ଆଗେ ଯେତେ ପରିବ୍ୟାପ୍ତି
ବିଛାଡ଼ିହୋଇ ପଡ଼ିଛି ସେଠି ମେଞ୍ଚା ମେଞ୍ଚା
ଦଗ୍ଧ ଫୁଲବନ ପାଉଁଶର ଅବସାଦ ଓ
ଅନ୍ତରଙ୍ଗ ଜଞ୍ଜାଳର ଅବଲୁପ୍ତ ଇତିହାସ
ଆବୋରି ବସିଛି ଶୂନ୍ୟତା ଟାଣକରି
ଦେହର ଛାଇ ପରି
ପରାହତ ସବୁ ସମ୍ଭାବନା ।
ବଢ଼ି ବଢ଼ି ପୁର୍ଣ୍ଣଚାନ୍ଦଠୁଁ
କ୍ରମଶଃ ଶେଷ ହେବାର ପ୍ରତିଟି ଆରମ୍ଭ
ଯନ୍ତ୍ରଣାଦାୟକ ସମୟର ନିଆଗୁଞ୍ଜା
କ’ଣ କେବଳ ତମରି ପାଇଁ !
କାହାର ପ୍ରେରିତ ଇଚ୍ଛା କାହିକି କେଉଁ ଖୁସିରେ
ଅଚାନକ ଆକାଶ କଚାଡ଼ି ଦିଏ
ପଲଟିଯାଏ ସ୍ୱପ୍ନ
ଉଜୁଡିଯାଏ ଭବିଷ୍ୟତ ବର୍ତ୍ତମାନ ।
କୃପଣ ନଥିଲ ଜମାରୁ
କମ୍ ଜୋଛନା ଝରୁ ନଥିଲା ତମଠୁଁ
କମ୍ ବି ଉଦାର ନଥିଲ
ନଦୀ ହୋଇ ବହିଯିବାରେ କୂଳ କିନାରା ଲଂଘି
ଏକ ଅହେତୁକ ପ୍ରବଣତାର ସୌଖୀନ ଇଚ୍ଛାରେ
ବଢନ୍ତା ସମୟକୁ ବାନ୍ଧି ରଖୁବାର
ସବୁ କଳା କିଏ ଲୁଟିନେଲା ?
ଝରୁନି ଆଜି ଜୋଛନା ଜହ୍ନ ଠୁଁ
ହଜିଛି ଫିକା ଫିକା ଆକାଶରେ କେଉଁଠି
ହଜିଛି ସରାଗ ହସ ଚମକୁନି ଶୁଭ୍ରକାନ୍ତି
ଫୁଟୁନି ମନ ଆକାଶରେ ତୁମ
ମୁଗ୍ମ ବିଭୋର ତାରାଫ୍ରଲ
କ୍ରମଶଃ ହଜି ହଜି ଯାଉଛ
ନିରବ ବୀଥିକାର କୁହୁଡ଼ି ଆଢୁଆଳେ
ଶେଷ ପ୍ରହରର ଶୀତଳ ଜହ୍ନପରି
ଅପେକ୍ଷା ତମକୁ ଶେଷ ଆଲିଙ୍ଗନ କା’ର ।