ମୁଁ ତ ଏବେ
ପ୍ରେମରେ, ମୋହରେ
ଆଉ ମିଛ ମାୟାରେ
ମସଗୁଲ୍ ଅଛି ।
କିଏ ଜାଣେ
ମୁକ୍ତିର ପଥ
ସ୍ୱର୍ଗଦ୍ୱାର
ମୋ ପାଇଁ
କେତେ ଦୂର ?
ଭାବନାରେ ଛନ୍ଦିହୋଇ
ସମୟକୁ ଜାଳିଛି ।
ସ୍ୱପ୍ନରେ ମୋହାଛନ୍ନ ହୋଇ
ଅତୀତକୁ ଝୁରିଛି ।
ପାପ ପୂଣ୍ୟର ଲଢେଇ ଭିତରେ
ବିବେକର ଦଂଶନରେ
ତୁହାକୁ ତୁହା
ଯନ୍ତ୍ରଣାକୁ ସହିଛି ।
ପ୍ରେମିକାର ରୁପରେ
ବିଭୋର ହୋଇ
ପୂର୍ଣ୍ଣ ଜହ୍ନକୁ
ଅମାବସ୍ୟାର ରାତ୍ରିରେ ଦେଖିଛି ।
ତା’ ପ୍ରେମରେ
ହତାଶ ହୋଇ
ଅନ୍ଧାର ରାତ୍ରିକୁ
ପୂର୍ଣ୍ଣିମାରେ ଭେଟିଛି ।
ଏବେ ସ୍ୱର୍ଗଦ୍ୱାରେ
ବିଦାୟର ବେଳେ
ସମୁଦ୍ର ଲହଡିର ଘୁ’ ଘୁ’
ଗୁରୁଗମ୍ଭୀର ଗର୍ଜନ
ଶୁଭୁ କି ନ ଶୁଭୁ ,
କିନ୍ତୁ ଠିକ୍ ଶୁଭୁଥିବ
ରାମ ନାମ ସତ୍ୟ ହେ
ହରି ନାମ ସତ୍ୟ ହେ ।
ଆଉ ତାପରେ
ହୁତୁ ହୁତୁ ହୋଇ
ଜଳିଉଠିବ
ମୋ ଜୀବନ ଜୁଇ ।
