ମୋ ମନର ମାନସୀ ଗୋ
ତୁମେ ଅସାମାନ୍ୟ ସୁନ୍ଦରୀ
କେତେ ଯତନେ ସତେ
ଗଢିଛି ବିଧାତା ତୁମକୁ
କରି ତ୍ରିପୁର ସୁନ୍ଦରୀ ।
ସ୍ୱପ୍ନର ନାୟିକା ତୁମେ
ରୂପବତୀ ରାଜକନ୍ୟା
ମୋ ଆଶାର ପ୍ରୀତିଫୁଲ ତୁମେ
ପରୀ ରାଇଜର ପରୀଟିଏ ।
ଆକାଶର ଦୂର ଦିଗବଳୟରେ
ଲମ୍ବିଥିବା ସପ୍ତରଙ୍ଗର
ଇନ୍ଦ୍ରଧନୁର ପଥରେ
ମେଘ ସବାରିରେ ବସି
ମୋ କଳ୍ପନାରେ ତୁମେ
ଆସ ଝୁଲି ଝୁଲି ।
ମୋ ସୁନେଲି ସ୍ୱପ୍ନର
ଗହିରିରେ ଆସି
ଅସୁମାରି ଆଶାର
ଝରକାରେ ଦେଖାଦେଇ
ଆକାଂକ୍ଷିତ ହୃଦୟରେ
ଆସ୍ଥାନ ଜମାଇ
ମନରେ ଅଦମ୍ୟ ପିପାସା
ଜାଗ୍ରତ କରାଇ
ପ୍ରୀତିସୁଖ ଲୁଟିବାକୁ
ସବୁବେଳେ ତୁମେ
କର ଆନମନା ।
ମୁଁ ଠିକ୍ ଜାଣେ
ତୁମ ସୌନ୍ଦର୍ଯ୍ୟର
ଯେପରି ସୀମା ନାହିଁ
ମୋ ନିରବ ପ୍ରତୀକ୍ଷାର
ବି ଅନ୍ତ ନାହିଁ ।
ଖାସ୍ ସେଥିପାଇଁ
ତୁମେ ତ ଅହରହ
ବିଚରଣ କରୁଥାଅ
ମୋ ଗୋଲାପି ସ୍ୱପ୍ନରେ
ଆଉ କଳ୍ପନାରାଜ୍ୟରେ ।
ସପ୍ନରେ ମୋହାଚ୍ଛନ୍ନ ହୋଇ
ଅଦମ୍ୟ କାମ ପିପାସାର
ଚରିତାର୍ଥ ପାଇଁ
ତୁମ ନିକଟରେ
ପ୍ରଣୟଭିକ୍ଷା କରି
ପାଇଯାଏ ସବୁକିଛି ।
ସେଇ ମୁଠା ମୁଠା ସ୍ୱପ୍ନ
ମିଠା ମିଠା ଶିହରଣରେ
ଆତ୍ମ ବିଭୋର୍ ହୋଇ
ରଖିଥିବି ସବୁବେଳେ
ତୁମକୁ ମୋ ହୃଦୟର
ନିଭୃତ କୋଣରେ ।
