ବୁଇନ ଲୋ, ଶ୍ରାବଣ ଆସିଚି
ତୋ ମନଲାଖି ସବୁଜ ଶାଢ଼ୀଟେ ପିନ୍ଧି
ଟୋପିଟୋପି ଚନ୍ଦନ ନାଇଚି
ନାଲି ନେଳି ଫୁଲଙ୍କୁ ଡାକିଚି
ଶୁଆ ଶାରୀ ସଙ୍ଗେ କେତେ
ଟାପରା ହେଉଛି
ମେଘୁଆ ଓଢଣୀ ଟାଣି, ମୁହଁ ଲୁଚଉଚି
କାଦୁଅରେ ବୋଳି ହେଇ, ଅସନା ଦୁଉଚି
ହସୁଛି ଫେଁ’କିନା, ଝରଝର କାନ୍ଦି ପକଉଚି
କଥାଟେ କହିବା ଲାଗି, କେତେ ଫୁଲେଇ ହେଉଚି
କାନରେ କହିବ ବୋଲି, ବିଜୁଳି ଖେଳେଇ
ମୋତେ ତୋର, ଠିକଣା ମାଗୁଚି
ବୁଇନ ଲୋ, ଶ୍ରାବଣ ଆସିଚି
ଖେଳିବାକୁ ଠିଆପୁଚି, ବୋହୁ ବୋହୁକା
ସାଧବର ବୋହୁ ସଙ୍ଗେ, ତୋତେ ହିଁ ଖୋଜୁଚି
କେମିତି କହିବି ତାକୁ, ଶୋଇଚୁ ତୁ, ଉଠିବୁନି
ହଜିଚୁ ତୁ, ମିଳିବୁନି
ତୋ ଠିକଣା ପୃଥିବୀଠୁ, ବଡ଼ ହୋଇ ଯାଇଚି
କଟି ପକେଇଚୁ, କହିଲେ – ରାଗିଚୁ ତୁ,
ରୁଷି କରି ଖଟରେ ଶୋଇଚୁ
ଶ୍ରାବଣ କି ପରତେ ଯାଉଚି
ଖଇରିଆ ଫ୍ରକ ତୋର ନାଲିଆ ରିବନ
କାଗଜର ଡଙ୍ଗା, ଗଲା ବରଷର
ତାର ସବୁ ମନେଅଛି
ତୋ ସଙ୍ଗେ ଖେଳିବ ବୋଲି
ଭେଟି ଆଣି ଆକାଶର ଇନ୍ଦ୍ରଧନୁ
ବରଷାରେ ତିନ୍ତି ତିନ୍ତି,
ଦାଣ୍ଡରେ ସେ ଅପେକ୍ଷା କରିଚି
ବୁଇନ ଲୋ, ଶ୍ରାବଣ ଆସିଚି