କବିତା

କେବେ ବାହାନା ବନେଇ ଆସ

Saswati Pati's odia poem Kebe Bahana Banei Aasa

କୁହ, ଆସିବନା ଦେଖିବାକୁ
ତୁମ ଦର୍ଶନ ପୀୟାସି ଏଇ ଆଖିକୁ, ତୁମ ପ୍ରିୟାର

କେବେ ବାହାନା ବନେଇ ଆସ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେବେ ବାହାନା ବନେଇ ଆସ,
ମୋ ଅଶାନ୍ତ ସହରକୁ ନହେଲା ନାଇଁ,
ଗାଁର ସେଇ ପୁରୁଣା ଚାହା ଦୋକାନରେ
ଚାହା କପେ ସହ କେବେ ମୋ ପାଖରେ ବସ ।

ଆଜିବି ମନେ ପଡେ ତୁମ ମନଖୋଲା ହସ,
ରାତିର ଅନ୍ଧାରରେ ବି ତାରାପରି
ଚମକି ଉଠେ ତୁମ ସ୍ମୃତିର ପରଶ,
ବିତିଗଲାଣି ବରଷ ପରେ ବରଷ
ହେଲେ ଆଜି ବି ସତେଜ
ତୁମ ଉପରେ ମୋର ବିଶ୍ବାସ
କେବେ ବାହାନା ବନେଇ ଆସ,
ମୋ ଅଶାନ୍ତ ସହରକୁ ନହେଲା ନାଇଁ,
ଗାଁର ସେଇ ପୁରୁଣା ଚାହା ଦୋକାନରେ
ଚାହା କପେ ସହ କେବେ ମୋ ପାଖରେ ବସ ।

ବଉଳ ଫୁଲର ବାସ୍ନାପରି
ବାରମ୍ବାର ଖେଳିଯାଅ କାଇଁ ମୋ ମନରେ
ନବ ସକାଳର ନବ କିରଣ ସମ
ସବୁଦିନ ମୁଁ ନୂଆକରି ପଡେ ତୁମ ପ୍ରେମରେ ।

ତୁମେ ଯେ କେଉଁ ଅଶାନ୍ତ ସାଗରର
ଅମାନିଆ ନୀଳ ଉର୍ମିର ସମ୍ଭାର,
ଯେତେ ଥର ତୁମେ ଭଙ୍ଗିଛ ଢେଉ
ମନ ବେଳାଭୂମିରେ ମୋର ,
ଯାହା ହେଉ ଅବା ନହେଉ
ସୁନାମି ସୃଷ୍ଟି କରିଛ,
ଜୀବନ ମରୁଭୂମିରେ ମୋହର ।

ମୋର ଏଇ ଅଝଟିଆ ସପନ
କେତେ ଯେ ଅଥୟ କରୁଛି ମୋତେ
ପାଇବାକୁ ତୁମର ଏକ ଝଲକ
ସତ କୁହ…..
ବଶ କରିଛନା ମୋତେ ନା କରିଛ କୁହୁକ ।

ତୁମକୁ ନଦେଖି ଫିକା ଦିଶୁଛି ମୋ ଆଖିର କଜଳ
ମଳିନ କଜଳ ଗାରକୁ ମୁଁ କେମିତି କରିବି ଉଜ୍ଜ୍ୱଳ
ଭାବିଛି,
ଜହ୍ନଠୁ ମାଗିବି କିଛି କଳଙ୍କର ଦାଗ
ସେ ଦାଗରେ ମିଶେଇ ଦେଇ
ଟିକେ ତୁମ ପ୍ରେମର ରଙ୍ଗ
ସଜେଇଦେବି ତାକୁ ଆଖିରେ ମୋର ,
କୁହ, ଆସିବନା ଦେଖିବାକୁ
ତୁମ ଦର୍ଶନ ପୀୟାସି ଏଇ ଆଖିକୁ, ତୁମ ପ୍ରିୟାର ??

କେବେ ବାହାନା ବନେଇ ଆସ,
ମୋ ଅଶାନ୍ତ ସହରକୁ ନହେଲା ନାଇଁ,
ଗାଁର ସେଇ ପୁରୁଣା ଚାହା ଦୋକାନରେ
ଚାହା କପେ ସହ କେବେ ମୋ ପାଖରେ ବସ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top