ଟୋପାଟୋପା କାକରରେ
ଓଦା ହୁଏ ଘାସ ଓ ପତର,
ଥିରି ଥିରି ଶୀତ ଆସେ
ମୋ ଘର ଭିତର,
ଖୋଜେ ମୁହିଁ ଶୀତବସ୍ତ୍ର
ଘୋଡ଼ି ହୋଇ ଉଷୁମ ହେବାକୁ ।
ତୁମେ ତ ନିଜେ ହିଁ ଶୀତ,
କାକରର ଟୋପା
ତୁମେ ତ ନିଜେ ହିଁ ନିଆଁ
ପିନ୍ଧିଥାଅ ମୁଖା,
ମୁଖା ଖୋଲି ଦେଲେ
ତୁମେ ଜଳ ଜଳ ଦିଶ,
ତୁମକୁ ଚିହ୍ନିପାରେ
ଖରାର ତାତରେ
ତୁମକୁ ଛୁଇଁପାରେ
ବରଷା ପାଣିରେ ।
କେତେବେଳେ ଆସ ତୁମେ
ସୁଖର ପୁନେଇଁ ଜହ୍ନରେ
ପୁଣି ଆସ ମୋ ଜୀବନେ
ଦୁଃଖର ବିଷମ ତାତିରେ ।
ହେ ପ୍ରେମାସ୍ପଦ,
ତୁମକୁ ଯିଏ ଥରେ ଚିହ୍ନିଅଛି
ସେ କାହିଁକି ବ୍ୟସ୍ତ ହେବ
ଶୀତରେ ଖରାରେ ।
